November 3, 2025

ବଢିଲା ସମସ୍ୟା, ଆସନ୍ତାକାଲିଠୁ ବନ୍ଦ ହୋଇଯିବ ୟୁପିଆଇ

ନୂଆଦିଲ୍ଲୀ: ବଢିଲା ସମସ୍ୟା । ଆସନ୍ତାକାଲିଠୁ ବନ୍ଦ ହୋଇଯିବ ୟୁପିଆଇ । ଏଣିକି ପେଟ୍ରୋଲ ପମ୍ପରେ ଆଉ କରିପାରିବେନି ୟୁପିଆଇ ପେମେଣ୍ଟ । କାରଣ ଆସନ୍ତାକାଲିଠାରୁ ପେଟ୍ରୋଲ ପମ୍ପ ମାଲିକମାନେ UPI ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମରୁ ଟଙ୍କା ନନେବାକୁ ଘୋଷଣା କରିଛନ୍ତି। ତେବେ କହିରଖୁଛୁ ଯେ, ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବଢ଼ୁଥିବା ସାଇବର ଠକେଇ ଯୋଗୁଁ ଦେଶର ଅନେକ ସହରର ପେଟ୍ରୋଲ ପମ୍ପ ମାଲିକ ଏବଂ ସଂଗଠନଗୁଡ଼ିକ ଡିଜିଟାଲ ମାଧ୍ୟମରେ ପେମେଣ୍ଟ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ମେ ୧୦ ରୁ କାର୍ଡ ପେମେଣ୍ଟ ଗ୍ରହଣ କରିବା ବନ୍ଦ କରିବାକୁ ମଧ୍ୟ ଧମକ ଦେଇଛନ୍ତି ପେଟ୍ରୋଲ ପମ୍ପ ମାଲିକ ଏବଂ ସଂଗଠନଗୁଡ଼ିକ ।

ରିପୋର୍ଟ ଅନୁଯାୟୀ, ବିଦର୍ଭ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ କହିଛି ଯେ, ସାଇବର ଠକେଇର ବଢ଼ୁଥିବା ମାମଲା ଯୋଗୁଁ, ପେଟ୍ରୋଲ ପମ୍ପ ମାଲିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ସେମାନେ ଆର୍ଥିକ କ୍ଷତିର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଠକମାନେ ଲୋକଙ୍କ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ହ୍ୟାକ୍ କରନ୍ତି ଏବଂ ଏହାକୁ ବ୍ୟବହାର କରି ପେମେଣ୍ଟ କରନ୍ତି। ତା’ପରେ ଯେତେବେଳେ କେହି ଏହି ବିଷୟରେ ଅଭିଯୋଗ କରନ୍ତି, ପୋଲିସ କାରବାର ବାତିଲ କରିଦିଏ। ସେହିପରି ଫେଡେରେସନ ଅଫ୍ ଅଲ୍ ମହାରାଷ୍ଟ୍ର ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ କହିଛି ଯେ, ଏପରି ସାଇବର ଠକେଇ ଯୋଗୁଁ ଅନେକ ପେଟ୍ରୋଲ ପମ୍ପ ମାଲିକଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରାଯାଇଛି। ଏହା ଯୋଗୁଁ, ଗୋଟିଏ ପଟେ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି, ଏବଂ ଅନ୍ୟପଟେ ବାକି ଦେୟ ପାଇବାରେ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ନାସିକର ପେଟ୍ରୋଲ ପମ୍ପ ଡିଲର୍ସ ଆସୋସିଏସନ ମଧ୍ୟ ସମାନ ଘୋଷଣା କରିଛି। ତାଙ୍କର କହିବା ଅନୁସାରେ, ଏହି ସମ୍ପର୍କରେ ଅନେକ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ ଅଭିଯୋଗ ପାଇଛନ୍ତି। ସେମାନଙ୍କର ଡିଜିଟାଲ୍ କାରବାର ବାତିଲ ହୋଇଯାଏ ଏବଂ ପରେ ସେମାନଙ୍କ ଆକାଉଣ୍ଟକୁ ବ୍ଲକ୍ କରିଦିଆଯାଏ। ପୂର୍ବରୁ ଏହି ପରିମାଣ ବହୁତ କମ୍ ଥିଲା, ତେଣୁ ପ୍ରାୟତଃ ପେଟ୍ରୋଲ ପମ୍ପ ମାଲିକମାନେ ଏଥିରେ ଧ୍ୟାନ ଦେଉ ନଥିଲେ। କିନ୍ତୁ ଏବେ ଏପରି ଘଟଣା ବୃଦ୍ଧି ପାଉଛି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ମହାରାଷ୍ଟ୍ରର ପେଟ୍ରୋଲ ପମ୍ପ ଆସୋସିଏସନ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି।

ବଦ୍‌ଲା ନେଉଛି ‘ସିନ୍ଦୂର’, ହେଲା ଭବିଷ୍ୟବାଣୀ, ମେ ୩୦ରେ…

ନୂଆଦିଲ୍ଲୀ: ସୂହାଗର ବଦ୍‌ଲା ନେଉଛି ସିନ୍ଦୂର । ଆତଙ୍କୀ ଉପରେ ଘନ ଘନ ମିଶାଇଲ ମାଡ କରୁଛି ଭାରତ । ଭାରତୀୟ ସେନାର ପ୍ରଚଣ୍ଡ ପ୍ରହାର ଦେଖି ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ପୁଣି ହମ୍‌ଲା କରିବାକୁ ଉଦ୍ୟମ କରି ଫେଲ୍‌ ମାରିଛି । ପାକିସ୍ତାନ ଭାରତର ୧୧ ସହର ଉପରେ ଡ୍ରୋନ ଆଟାକ କରିଥିଲା । ଯାହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଭଣ୍ଡୁର କରିଦେଇଛି । ଭାରତ ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ ନଷ୍ଟ କରିଦେଇଛି । ଆଉ ପାକିସ୍ତାନର ଅନେକ ସହର ଉପରେ ଦୃଢ ଆକ୍ସନ ନେଇଛି ।  ଯାହାକୁ ନେଇ ଭୟରେ ଥରୁଛି ପାକିସ୍ତାନ । ସେପଟେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଜ୍ୟୋତିଷ ସ୍ୱାମୀ ଯୋଗେଶ୍ୱରାନନ୍ଦ ଗିରିଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ଭାଇରାଲ ହେବାରେ ଲାଗିଛି । ମେ ମାସରେ ଏକ ବିରଳ ଗ୍ରହ ସଂଯୋଜନକୁ ଏକ ସମ୍ଭାବ୍ୟ ବିଶ୍ୱ ଯୁଦ୍ଧ ଏବଂ ଭାରତର ସୁବର୍ଣ୍ଣ ଯୁଗର ଉଦୟ ସହିତ ଯୋଡା ଯାଇଥିଲା । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ସ୍ୱାମୀ ଯୋଗେଶ୍ୱରାନନ୍ଦ ଗିରି କହିଛନ୍ତି ଯେ, ମେ 30 ପାଖାପାଖି ସୃଷ୍ଟି ହେଉଥିବା ଏକ ଗ୍ରହ ସଂରଚନା ମହାଭାରତ କିମ୍ବା ଅନ୍ୟାନ୍ୟ ପ୍ରମୁଖ ଐତିହାସିକ ଯୁଦ୍ଧ ସମୟରେ ଦେଖାଯାଇଥିବା ବିନ୍ୟାସ ସହିତ ସମାନ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭବିଷ୍ୟବାଣୀ କେବଳ ଅନୁମାନ ନୁହେଁ, ଜ୍ୟୋତିର୍ବିଜ୍ଞାନ ଗଣନା ଉପରେ ଆଧାରିତ । ମେ 30 ପାଖାପାଖି ଏକ ଗ୍ରହ ସମୀକରଣ ସୃଷ୍ଟି ହେଉଛି । ଜ୍ୟୋତିଷ ଦୃଷ୍ଟିରୁ, ଛଅଟି ଗ୍ରହର ଏହି ସ୍ଥିତି ମହାଭାରତ ସମୟରେ କିମ୍ବା ଅତୀତରେ ବଡ଼ ଯୁଦ୍ଧ ସମୟରେ ଦେଖାଯାଇଥିବା ଗଠନ ସହିତ ସମାନ। ସେ ଆହୁରି ସ୍ପଷ୍ଟ କରିଥିଲେ ଯେ ଭବିଷ୍ୟବାଣୀ ଏକ ବ୍ୟକ୍ତିଗତ ମତ ନୁହେଁ, ବରଂ ବୈଜ୍ଞାନିକ ପର୍ଯ୍ୟବେକ୍ଷଣର ଫଳାଫଳ । ଏଗୁଡ଼ିକ ହେଉଛି ସୂତ୍ର । ଏହାକୁ ନିଜେ କରିପାରିବେ। ଏହି ଭବିଷ୍ୟବାଣୀ ବିଶ୍ୱ ସଂଘର୍ଷକୁ ସ୍ପର୍ଶ କରୁଥିବା ବେଳେ, ସ୍ୱାମୀ ଏହା ମଧ୍ୟ ଦାବି କରିଥିଲେ ଯେ ସ୍ୱର୍ଗୀୟ ଘଟଣା ଭାରତ ପାଇଁ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ କରିବ।

ତେବେ ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ଭିଡିଓ ସାମ୍ପ୍ରତିକ ସପ୍ତାହଗୁଡ଼ିକରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଏହି ଭିଡିଓଟି ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରିଛି । ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ପରେ, ଭାରତ ପାକିସ୍ତାନ ଏବଂ ପିଓକେରେ ନଅଟି ଆତଙ୍କବାଦୀ ଶିବିର ବିରୁଦ୍ଧରେ ‘ଅପରେସନ୍ ସିନ୍ଦୁର’ କୋଡନାମରେ ଏକ ଲକ୍ଷ୍ୟଭେଦୀ ବାୟୁସେନା ଆକ୍ରମଣ ଆରମ୍ଭ କରିଥିଲା।

କାହିଁକି କମ୍ ବୟସରେ ହୁଏ ମାସିକ ଧର୍ମ, କଣ କହୁଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ଵର: ସମୟ ବଦଳିବା ସହ ଆଜିକାଲି ମାସିକ ଧର୍ମ ବା ଋତୁସ୍ରାବର (Period) ବୟସ ବଦଳିବାରେ ଲାଗିଛି । ଗୋଟିଏ ସମୟ ଥିଲା ଯେତେବେଳେ ସାଧାରଣତଃ 12ରୁ 14 ବର୍ଷରେ ଝିଅମାନଙ୍କୁ ଋତୁସ୍ରାବ ହେଉଥିଲା । ହେଲେ ଆଜିକାଲି ମାତ୍ର 9ରୁ 10 ବର୍ଷ ବୟସରୁ ଋତୁସ୍ରାବ ଆସୁଛି । ଏତେ କମ୍ ବୟସରେ ମାସିକ ଋତୁସ୍ରାବ ହେବା ବହୁତ ଅସୁବିଧାର କାରଣ। ତଥାପି, ଠିକ୍ ସମୟରେ ମାସିକ ଋତୁସ୍ରାବ ନ ହେବା ମଧ୍ୟ ଅନେକ ରୋଗର କାରଣ ହୋଇପାରେ। ଶୀଘ୍ର ଋତୁସ୍ରାବ ହେତୁ, ଅନେକ ଝିଅଙ୍କୁ ପରିପକ୍ୱ ହେବା ପୂର୍ବରୁ ଋତୁସ୍ରାବ ଯନ୍ତ୍ରଣା ଏବଂ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ୯ ରୁ ୧୦ ବର୍ଷ ବୟସରେ ମାସିକ ଋତୁସ୍ରାବ ହେବାର ଅନେକ କାରଣ ଅଛି, ଯେଉଁଥିରେ ଜୀବନଶୈଳୀ, ଖାଦ୍ୟ, ବ୍ୟାୟାମ ଅନ୍ତର୍ଭୁକ୍ତ।

ଶୀଘ୍ର ଋତୁସ୍ରାବର କାରଣ ହେଉଛି ପ୍ରଥମତଃ ଜଙ୍କ ଫୁଡ୍ ଖାଇବା, ଅତ୍ୟଧିକ ଖାଇବା ଏବଂ ପ୍ୟାକ୍ ହୋଇଥିବା ଖାଦ୍ୟ, ପ୍ଲାଷ୍ଟିକରେ ତିଆରି ଜିନିଷ ବ୍ୟବହାର କରିବା । ସେହିପରି ଅତ୍ୟଧିକ ଚାପ, ଭାବପ୍ରବଣ ଚାପ, ସୋସିଆଲ ମିଡିଆରେ ମିଳୁଥିବା ଆଡଲ୍ଟ କଣ୍ଟେଣ୍ଟ, ଜେନେଟିକ୍ସ ଆଦି ମଧ୍ୟ ଶ୍ରୀଘ୍ର ଋତୁସ୍ରାବର କାରଣ । ତେବେ ବ୍ରେନ ଟ୍ୟୁମର, ଥାଇରଏଡ୍ ଏବଂ ଅନ୍ୟାନ୍ୟ ରୋଗ ଯୋଗୁଁ 8 ବର୍ଷ ବୟସ ପୂର୍ବରୁ ମାସିକ ଋତୁସ୍ରାବ ଆରମ୍ଭ ହୁଏ।। କେତେକ ଲୋକଙ୍କ ବିଶ୍ବାସ ଯେ, ଅଧିକ ଚିକେନ, ଅଣ୍ଡା ଓ ପ୍ୟାକେଟ କ୍ଷୀର ଖାଇବା ଯୋଗୁଁ ଏପରି ହୋଇଥାଏ । ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଜିକାଲି ବଜାରରେ ମିଳୁଥିବା ଚିକେନ, ମଟନରେ କୀଟନାଶକ ଉପସ୍ଥିତି କାରଣରୁ ହରମୋନରେ ଅନ୍ତର ହୋଇଥାଏ । ଯଦି କ୍ଷୀର କଥା କହିବା, ତାହେଲେ କ୍ଷୀର ଉତ୍ପାଦନ ବଢାଇବାକୁ ଗାଈ ଓ ମଇଁଷିକୁ ହରମୋନାଲ ଇଞ୍ଜେକ୍ସନ ଦିଆଯାଉଛି । ଯାହାକି କ୍ଷୀର ଓ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟପଦାର୍ଥ ଜରିଆରେ ଆମ ଶରୀରରେ ପ୍ରବେଶ କରେ ।ଏହା ଯେତେବେଳେ ଶରୀରରେ ହରମୋନ ସହ ମିଶେ, ହରମୋନ ସନ୍ତୁଳନ ବିଗିଡିଯାଏ ଓ ଶୀଘ୍ର ପିରିୟଡସ୍ ଆସିଥାଏ । ହେଲେ ଏହା ସମସ୍ତଙ୍କ ସହ ଘଟିବ ବୋଲି ନିଶ୍ଚିତ ରୂପେ କୁହାଯାଇପାରିବ ନାହିଁ । କିନ୍ତୁ ଯଦି ଗୋଟିଏ ପ୍ରକାର ଭୋଜନ ଅଧିକ ମାତ୍ରାରେ ଗ୍ରହଣ କରାଯାଏ ତାହେଲେ ଏହି ସମସ୍ୟା ହେବାର ସମ୍ଭାବନା ଅଧିକ ।ଯେତେବେଳେ ଝିଅମାନେ ଛୋଟ ଥାଆନ୍ତି, ଏପରି ହେବାରୁ ରୋକିବା ଓ ସୁସ୍ଥ ରହିବା ପାଇଁ ସେମାନଙ୍କୁ କିଛି ଖାସ୍ ଖାଦ୍ୟପାନୀୟ ସେବନ କରିବାର ଆବଶ୍ୟକତା ରହିଥାଏ ।

ବିଶେଷକରି ଝିଅମାନେ ନିୟମିତ ଭାବେ ଖାଦ୍ୟ ଖାଇବା ଉଚିତ୍ । କିଛି ଅଧ୍ୟୟନରେ କୁହାଯାଏ ଯେ, ଯେଉଁ ଝିଅ କ୍ଷୀର, ସବୁଜ ପନିପରିବା, ମାଂସ ଓ ଫାଇବର ଠିକ୍ ମାତ୍ରାରେ ସେବନ କରନ୍ତି, ସେମାନଙ୍କୁ ବସୟ ପୂର୍ବରୁ ଋତୁସ୍ରାବ ସମସ୍ୟା ହୋଇନଥାଏ ।ସେହିପରି କିଶୋରବସ୍ଥାରେ ଝିଅମାନେ ମୋଟାପାର ଶିକାର ନହେବା ଉଚିତ୍ । ଏଥିପାଇଁ ନନଭେଜ୍ ଖାଇବା ପ୍ରତି ଅଧିକ ସାବଧାନ ରହିବାକୁ ହେବ । ଯଦି ଚିକେନ ଖାଇବା ପସନ୍ଦ ତାହେଲେ ଯୁବାବସ୍ଥାରେ ଝିଅମାନେ ପ୍ରତିଦିନ 75 ଗ୍ରାମରୁ ଅଧିକ ଚିକେନ ନ ଖାଇବା ଭଲ । ଯଦି ଚିକେନ ସହ ସିଝା ଅଣ୍ଡା ଅଛି ତାହେଲେ 50 ଗ୍ରାମ ଖାଇବା ଠିକ୍ । ଧ୍ୟାନ ଦେବେ ଯେ, ଚିକେନ ଯେମିତି ଡିପ୍ ଫ୍ରାଏ କିମ୍ବା ଗ୍ଲିଲ୍ଡ ହୋଇନଥିବ ।ଯୁବବସ୍ଥାରେ ଝିଅମାନେ 300 ମିଲି ଲିଟର ଥଣ୍ଡା କ୍ଷୀର ତଥା କ୍ଷୀରରୁ ପ୍ରସ୍ତୁତ ଉତ୍ପାଦ ଖାଇପାରିବେ । ଯଦି କ୍ଷୀର ପିଇବା ପସନ୍ଦ ନୁହେଁ ତାହେଲେ ମାଣ୍ଡିଆ ତିଆରି ଖାଦ୍ୟ ଖାଇବା ଉଚିତ୍ । କାରଣ ମାଣ୍ଡିଆ କ୍ୟାଲସିୟମ ଓ ଆଇରନରେ ଭରପୂର ହୋଇଥାଏ ।ଯଦି ନନଭେଜ ନ ଖାଉଛନ୍ତି ତାହେଲେ ବିଭିନ୍ନ ଡାଲି ମୁଗ, ବିରି, ହରଡ, ମଟର ଜାତୀୟ ଖାଦ୍ୟ ଖାଆନ୍ତୁ । ଏଥିସହ ସବୁଜ ପନପରିବା ମଧ୍ୟ ଖାଇବାକୁ ଭୁଲନ୍ତୁ ନାହିଁ ।

ଜଳ, ସ୍ଥଳ ଓ ଆକାଶ, ଏହି ୩ ସାଙ୍ଗ ଲେଖିଲେ ଅପରେସନ ସିନ୍ଦୁର ପଛର କାହାଣୀ

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣର ପ୍ରତିଶୋଧ ଏବଂ ନ୍ୟାୟ ଦେବାକୁ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ବିଳମ୍ବିତ ରାତି ପ୍ରାୟ ୧ଟା ୦୫ରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ରାତି ୧ଟା ୩୦ ବେଳକୁ ଅର୍ଥାତ ମାତ୍ର ୨୫ ମିନିଟରେ ସରିଯାଇଥିଲା ଅପରେସନ ସିନ୍ଦୂର । ଅପରେସନରେ ଛାରଖାର ହୋଇଗଲା ଆତଙ୍କୀଙ୍କ ଆଡ୍ଡା । ଆତଙ୍କୀଙ୍କ ୯ଟି ଠିକଣାରେ ଏୟାର ଷ୍ଟ୍ରାଇକ୍ କରି ଶିବିରଙ୍କୁ ଧ୍ବଂସ କରିଦିଆଗଲା । ପାକିସ୍ତାନ ମାଟିରେ ଖୋଜି ଖୋଜି ଆତଙ୍କୀଙ୍କୁ ମାରିଥିଲା ଭାରତ । ଆଉ ଏହି ଅପରେସନର ପଛର କାହାଣୀ ରଚିଥିଲେ ୩ ସାଙ୍ଗ ।

ଜଣ, ସ୍ଥଳ ଓ ଆକାଶ ସେନାର ୩ ପ୍ରମୁଖ ଲେଖିଥିଲେ ଅପରେସନ ସିନ୍ଦର ପଛର କାହାଣୀ । ଏବେ ସାଧାରଣତଃରେ ପ୍ରଶ୍ନ ଆସୁଥିବା ଯେ କିଏ ସେହି ୩ ଜଣ । ଆଜ୍ଞା ହଁ ଆମେ କହୁଛୁ ତିନି ସେନାଧ୍ୟକ୍ଷ ବିଷୟରେ, ଯିଏକି କେବଳ ୩ ସେନାର ଅଧ୍ୟକ୍ଷ ପଦରେ ନାହାଁନ୍ତି ବାସ୍ତବରେ ମଧ୍ୟ ସେମାନେ ୩ ବନ୍ଧୁ । ଇତିହାସରେ ବୋଧହୁଏ ଏହା ପ୍ରଥମଥର ପାଇଁ ହୋଇଛି ଯେଉଁଥିରେ କୌଣସି ଅପରେସନରେ ୩ ସେନାଧ୍ୟକ୍ଷ ତଥା ୩ ସାଙ୍ଗ ଏକାଥରେ କାର୍ଯ୍ୟ ତୁଲଇଛନ୍ତି । ପାକିସ୍ତାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଭାରତର ତିନି ସେନା ମିଳିତ ଭାବେ ରଣନୀତି ପ୍ରସ୍ତୁତ କରି ଅପରେସନ୍ ସିନ୍ଦୂରକୁ ସଫଳ କରିଥିଲେ । ଏହି ତିନି ସେନା ଅଧ୍ୟକ୍ଷ NDA ର ୧୯୮୪ ବ୍ୟାଚରୁ ପାସ୍ ଆଉଟ୍ ହୋଇଛନ୍ତି ଏବଂ ୩ ଜଣ ବ୍ୟାଚମେଟ୍ ମଧ୍ୟ ରହିଥିଲେ । ତେବେ ଆସନ୍ତୁ ଜାଣିବା ଏହି ତିନି ସେନାଧ୍ୟକ୍ଷ କିଏ ?

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସ୍ଥଳସେନାର ସେନାଧ୍ୟକ୍ଷ ଥିବା ବେଳେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ନୌସେନାର ସେନାଧ୍ୟକ୍ଷ ଏବଂ ବାୟୁସେନାର ଦାୟିତ୍ୱ ଏୟାର ମାର୍ଶଲ ଅମରପ୍ରୀତ ସିଂ ସମ୍ଭାଳୁଛନ୍ତି । ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ କଥା କହିବା ତେବେ ତାଙ୍କୁ ୩୦ ଜୁନ୍ ୨୦୨୪ ରେ ଭାରତୀୟ ସେନାରେ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ପରମ ବିଶିଷ୍ଠ ସେବା ପଦକ (ପିଭିଏସ୍ଏମ୍) ଏବଂ ଅତି ବିଶେଷ ସେବା ପଦକ (ଏଭିଏସ୍ଏମ୍) ପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛନ୍ତି। ୧ ଜୁଲାଇ ୧୯୬୪ ରେ ମଧ୍ୟପ୍ରଦେଶର ରେୱାରେ ଜନ୍ମିତ ଉପେନ୍ଦ୍ର ଦ୍ୱିବେଦୀ ସୈନିକ ସ୍କୁଲ, ରେୱାରୁ ନିଜର ପ୍ରାରମ୍ଭିକ ଶିକ୍ଷାଗ୍ରହଣ କରିଥିଲେ। ସେ ୧୯୭୩ ରେ ସୈନିକ ସ୍କୁଲରେ ଆଡମିଶନ ନେଇଥିଲେ ଏବଂ ୧୯୮୧ ରେ ପାସଆଉଟ୍ ହୋଇଥିଲେ । ଏହି ସମୟରେ ଆଡମିରାଲ ଦିନେଶ ତ୍ରିପାଠୀ ତାଙ୍କର ବ୍ୟାଚମେଟ୍ ଥିଲେ ।

ଦିନେଶ ତ୍ରିପାଠୀ ବର୍ତ୍ତମାନ ନୌସେନାର ସେନାଧ୍ୟକ୍ଷ ଅଛନ୍ତି । ତାଙ୍କର ୪୦ ବର୍ଷର କ୍ୟାରିଅରରେ ତ୍ରିପାଠୀ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ଏବଂ ତାଙ୍କର ବିଶେଷ ଯୁଦ୍ଧ ଦକ୍ଷତା ପାଇଁ ସେ ବେଶ୍‌ ଜଣାଶୁଣା। ୧୫ ମେ’ ୧୯୬୪ରେ ଜନ୍ମ ହୋଇଥିବା ଦିନେଶ ଜୁଲାଇ ୧୯୮୫ରେ ନୌସେନାରେ ଯୋଗ ଦେଇଥିଲେ। ସେ ସୈନିକ ସ୍କୁଲ, ରଓ୍ବୋ ଏବଂ ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଖଡଗ୍‌ଓ୍ବସଲାର ପୂର୍ବତନ ଛାତ୍ର ଥିଲେ। ଉଲ୍ଲେଖନୀୟ ତଥା ସମ୍ମାନଜନକ କାର୍ଯ୍ୟ ପାଇଁ ଦିନେଶଙ୍କୁ ଅତି ବିଶିଷ୍ଟ ସେବା ପଦକ ଏବଂ ନୌସେନା ପଦକ ପ୍ରଦାନ କରାଯାଇଛି। ସେ ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍‌ ଅଫିସର କମାଣ୍ଡିଂ ଭାବରେ ଦାୟିତ୍ୱ ବି ଗ୍ରହଣ କରିଥିଲେ। ଉପ ନୌସେନା ପ୍ରମୁଖ (୨୦୨୩-୨୦୨୪) ଭାବରେ ନୌସେନା ସଞ୍ଚାଳନ ଏବଂ ନୀତି ନିର୍ମାଣରେ ମଧ୍ୟ ଭୂମିକା ନିଭାଇଛନ୍ତି ।

୩୦ ସେପ୍ଟେମ୍ବର ୨୦୨୪ ରେ ଏୟାର ମାର୍ଶଲ ଅମର ପ୍ରୀତ ସିଂହଙ୍କୁ ବାୟୁସେନା ପ୍ରମୁଖ ରୂପେ ନିଯୁକ୍ତ କରାଯାଇଥିଲା । ୧୯୬୪ ଅକ୍ଟୋବର ୨୭ ତାରିଖରେ ତାଙ୍କର ଜନ୍ମ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (NDA), ଖଡକୱାସଲାରୁ ଗ୍ରାଜୁଏସନ କରିଛନ୍ତି । ସେ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଦିନେଶ ତ୍ରିପାଠୀଙ୍କ ସହିତ ୧୯୮୪ ର ଏନଡିଏ ବ୍ୟାଚମେଟ୍ ରହିଛନ୍ତି । ଅମର ପ୍ରୀତ ସିଂହ ଜଣେ ପ୍ରଶିକ୍ଷିତ ଫାଇଟର ପାଇଲଟ । ମିଗ-୨୧, ମିଗ-୨୯, ସୁଖୋଇ-୩୦ MKI, ଏବଂ ଅନ୍ୟ ବିମାନଗୁଡ଼ିକୁ ସେ ଉଡ଼ାଇଛନ୍ତି । ସେ ଫ୍ଲାଇଙ୍ଗ ଇନଷ୍ଟ୍ରକ୍ଟର ଏବଂ ଟେଷ୍ଟ୍ ପାଇଲଟ ମଧ୍ୟ ରହିଛନ୍ତି । ଏହା ବ୍ୟତୀତ ସେ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ (DSSC), ୱେଲିଙ୍ଗଟନ, ନ୍ୟାସନାଲ ଡିଫେନ୍ସ କଲେଜ (NDC), ନୂଆଦିଲ୍ଲୀରୁ ମଧ୍ୟ ଟ୍ରେନିଂ ନେଇଛନ୍ତି ।

ଏୟାରଷ୍ଟ୍ରାଇକରେ ମାଷ୍ଟର ପ୍ଲାନ୍ କରିଥିଲେ ଭାରତୀୟ ସେନା ଏହି ଦୁଇ ନାରୀ ନେତ୍ରୀ, ଜାଣନ୍ତୁ…

ନୂଆଦିଲ୍ଲୀ: ନାରୀ ଆଖିର ଲୁହରେ ଭାସିଗଲା ଅତଙ୍କୀ ଆଡ୍ଡା । ସିନ୍ଦୁର ପୋଛି ଥିଲେ ଏବେ ସିନ୍ଦୁର ଦେଲା କଡା ଜବାବ୍ । ଆଉ ଏହି ବିଜୟର ଗାଥା ଦେଶବାସୀଙ୍କୁ ଶୁଣାଇଛନ୍ତି ୨ ନାରୀ । ଯେଉଁଥିପାଇଁ ସେମାନେ ଆଜିର ନାରୀମାନଙ୍କ ପାଇଁ ପାଲଟି ଯାଇଛନ୍ତି ପ୍ରେରଣା । ହଁ ଆମେ କହୁଛୁ ଦେଶର ଦୁଇ ସୁନା ଝିଅ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ଭୋମିକା ସିଂଙ୍କ ବିଷୟରେ । ବୋହୁତ କମ୍ ବର୍ଷ ବୟସରେ ସେ ଦୁଇ ଜଣ ପାଲଟି ଯାଇଛନ୍ତି ଦେଶର ସୁନା ଝିଅ ।

ସୋଫିଆ କ୍ୟୁରେସି ଭାରତୀୟ ସେନାର ସିଗନାଲ କର୍ପସର ଜଣେ ସମ୍ମାନିତ ଅଧିକାରୀ। ବୟସ ମାତ୍ର ୩୫ ବର୍ଷ । ତୁଳନାତ୍ମକ ଭାବରେ ଖୁବ୍ କମ୍ ବୟସରେ ସେ ମହିଳା ଏବଂ ଭାରତୀୟ ସେନା ଉଭୟ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ୧୯୯୯ ମସିହାରେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ସେ ସର୍ଟ ସର୍ଭିସ କମିସନ୍‌ରେ ସେନାରେ ଭର୍ତ୍ତି‌ ହୋଇଥିଲେ। ସୋଫିଆ ୨୦୧୬ ମସିହା ମାର୍ଚ୍ଚ ମାସରେ ଏକ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଏକ ସେନା କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିବା ପ୍ରଥମ ମହିଳା ଅଧିକାରୀ ହୋଇଥିଲେ। ଏହି ସମରାଭ୍ୟାସରେ ଗୋଟ ୧୮ ଦଳ ଅଂଶଗ୍ରହଣ କରିଥିବା ବେଳେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଥିଲେ ଏକମାତ୍ର ମହିଳା ଅଧିକାରୀ। ଯିଏ ଏକ ଦଳର ନେତୃତ୍ୱ ଦେଇଥିଲେ। ସୋଫିଆ ୨୦୦୬ ମସିହାରେ କଙ୍ଗୋଠାରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟ କରିଥିଲେ। ସେ ୨୦୧୦ ମସିହାରୁ ଶାନ୍ତିରକ୍ଷା ଅଭିଯାନ (ପିକେଓଏସ୍‌) ସହିତ ଜଡିତ ଅଛନ୍ତି। କର୍ଣ୍ଣେଲ କ୍ୟୁରେସି ହେଉଛନ୍ତି ଗୁଜରାଟର ବାସିନ୍ଦା। ଜୈବ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ଜେଜେବାପା ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ସେ ମେଜର୍‌ ତାଜୁଦ୍ଦିନ୍‌ କ୍ୟୁରେସିଙ୍କୁ ବିବାହ କରିଛନ୍ତି। 

ସେହିପରି ଏହି ଅପରେସନ୍ ସୁନ୍ଦୂରରେ  ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ଅବଦାନ୍ ଖୁବ୍ ଅଧିକ ରହିଛି। ପିଲାଦିନରୁ ଆକାଶ ଛୁଇଁବାର ଇଚ୍ଛା ରଖିଥିବା ଵ୍ୟୋମିକା ନିଜର ସାହସ, ନିଷ୍ଠା ଏବଂ ନେତୃତ୍ୱ ଦକ୍ଷତା ବଳରେ ଭାରତୀୟ ବାୟୁସେନାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଭାରତୀୟ ବାୟୁସେନାର ପ୍ରତୀକାତ୍ମକ ହେଲିକପ୍ଟର ଚେତକ ଏବଂ ଚିତା ଉଡାଇଛନ୍ତି ଏବଂ ଦେଶର କିଛି ସବୁଠାରୁ ଚ୍ୟାଲେଞ୍ଜିଂ ଭୌଗୋଳିକ ପରିସ୍ଥିତିରେ ସେବା କରିଛନ୍ତି। ସେ ଜମ୍ମୁ ଏବଂ କାଶ୍ମୀର ଏବଂ ଉତ୍ତର-ପୂର୍ବ ଭାରତ ଭଳି ସମ୍ବେଦନଶୀଳ ଅଞ୍ଚଳରେ କାର୍ଯ୍ୟ କରିଛନ୍ତି। ଉଚ୍ଚତା, ପ୍ରତିକୂଳ ପାଗ ଏବଂ ଦୁର୍ଗମ ସ୍ଥାନ ମଧ୍ୟରେ ଏହି ଅଞ୍ଚଳଗୁଡ଼ିକରେ ହେଲିକପ୍ଟର ମିଶନ ପରିଚାଳନା କରିବା ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟ, ଯାହାକୁ ଭ୍ୟୋମିକା ଚତୁରତାର ସହିତ ପରିଚାଳନା କରିଛନ୍ତି।  ବାୟୁସେନାରେ ଯୋଗଦେବାର ୧୩ ବର୍ଷ ପରେ ୱିଙ୍ଗ୍ କମାଣ୍ଡର ପଦବୀ ପାଇଥିଲେ ଭ୍ୟୋମିକା ସିଂ । ୨୦୧୭ ଡିସେମ୍ବର ୧୮ ତାରିଖରେ ୱିଙ୍ଗ୍ କମାଣ୍ଡର ଭାବେ ଯୋଗ ଦେଇଥିଲେ ଭ୍ୟୋମିକା । ଯେଉଁଥିପାଇଁ ୨୦୦୪ରେ ତାଙ୍କୁ ଶ୍ରେଷ୍ଠ ୱିଙ୍ଗ୍ କମାଣ୍ଡର ଭାବେ ବିବେଚନା କରାଯାଇଥିଲା । କାହାଣୀ ତାଙ୍କର ସେୟାର କରିବା ମଧ୍ୟରେ କହିଛନ୍ତି ଯେ, ଯେତେବେଳେ ସେ ଷଷ୍ଠ କ୍ଲାସରେ ପଢୁଥିଲେ ବାୟୁସେନାରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି କାହାଣୀକୁ ନେଇ ତାଙ୍କ ନାଁ ଜଡିତ ବୋଲି କହିଛନ୍ତି ଭ୍ୟୋମିକା । ତାଙ୍କର ପାଠ ପଢିବା ସରିବା ମାତ୍ରେ ସେ UPSC ଜରିଆରେ ବାୟୁସେନାରେ ଯୋଗ ଦେଇ ପାଇଲଟ୍ ହୋଇଥିଲେ । ୨୦୨୧ ମସିହାରେ ମାଉଣ୍ଟ ମଣିରଙ୍ଗରେ ଇତିହାସ ରଚିଥିଲେ ଭ୍ୟୋମିକା ।

ଚଳିତବର୍ଷ ହେବ ବଡ ଯୁଦ୍ଧ, ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଭାରତର ଏୟାରଷ୍ଟ୍ରାଇକ ପରେ ଏବେ ପାକିସ୍ତାନକୁ ଲାଗିଛି ଶକ୍ତ ଧକ୍କା । ଭାରତର ଏହି କାଣ୍ଡ ପରେ ଏବେ ପ୍ରତିଉତ୍ତର ଦେବା ପାଇଁ ବଡ ଯୋଜନା କରୁଛି ପାକିସ୍ତାନ । ଯାହାକୁ ନେଇ ଏବେ ବଡ଼ ଆକ୍ରମଣ ହେବାର ଆଶଙ୍କା ଉପୁଜିଛି । ଆଉ ଏହାରି ଭିତରେ ଏବେ ଦେଶବାସୀଙ୍କୁ ଘାରିଲାଣି ପରମାଣୁ ଯୁଦ୍ଧର ଭୟ । ତେବେ ଗତ ୨୦୧୯ରେ ହୋଇଥିବା ଅଧ୍ୟୟନରେ ଏପରି କିଛି ପୂର୍ବାନୁମାନ କରିଥିଲା ଏକ ଅନ୍ତର୍ଜାତୀୟ ସଂସ୍ଥା । ଉକ୍ତ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ୨୦୨୫ରେ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେବ । ଏହି ଖବର ଜଣାପଡିବା ପରେ ଏବେ ଦିଇ ଦେଶବାସୀଙ୍କ ମୁଣ୍ଡରେ ଚଡକ ପଡିଛି ।

୨୦୧୯ରେ ବ୍ରିଟେନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ରତ୍‌ଲେଜ୍‌’ ପୂର୍ବାନୁମାନ କରିଥିଲା ଯେ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିପାରେ । କିନ୍ତୁ ସେତେବେଳେ ଏହାକୁ କେହି ଗୁରୁତ୍ୱ ଦେଇନଥିଲେ । ଏବେ କିନ୍ତୁ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ରିପୋର୍ଟର ସତାସତ୍ୟକୁ ଖୋଜିବାରେ ଲାଗିପଡିଛି ଗବେଷକ । ଦୁଇଦେଶ ମଧ୍ୟରେ ପରମାଣୁ ଯୁଦ୍ଧର କିଭଳି ସୂତ୍ରପାତ ହେବ, ତାହା ଗବେଷକମାନେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମତରେ ଭାରତର ସଂସଦ ଉପରେ ପ୍ରଥମେ ବଡ଼ଧରଣ ଆତଙ୍କବାଦୀ ଆକ୍ରମଣ ହେବ । ଏହାପରେ ଜବାବ ଦେବାକୁ ଯାଇ ଭାରତ ନିୟନ୍ତ୍ରଣରେଖା ଏଲ୍‌ଓସିରେ ଏହାର ସୈନ୍ୟ ସଂଖ୍ୟା ବଢ଼ାଇ ଦିଆଯିବ । ପାକିସ୍ତାନ ମଧ୍ୟ ଅନୁରୂପ ପଦକ୍ଷେପ ନେବ । ମୁହାଁମୁହିଁ ସଂଘର୍ଷରେ ଉଭୟ ପଟୁ ସୈନ୍ୟ ପ୍ରାଣ ହରାଇବେ, ଯାହା ଉଭୟ ପକ୍ଷକୁ ବଡ଼ ଯୁଦ୍ଧ ଆଡ଼କୁ ଟାଣିନେବ । ଭାରତୀୟ ସେନା ଆକ୍ରମଣକୁ ବ୍ୟାପକ କରି ପାକିସ୍ତାନ ଅଞ୍ଚଳକୁ ମାଡ଼ିଯିବା ପରେ ପାକିସ୍ତାନର ଜେନେରାଲମାନେ ପାରମ୍ପରିକ ପରାଜୟ ଭୟରେ ପରମାଣୁ ଆକ୍ରମଣକୁ ଶେଷ ପନ୍ଥା ବାଛିନେବେ ବୋଲି ପୂର୍ବାନୁମାନ କରିଥିଲା ଉକ୍ତ ସଂସ୍ଥା । 

ପ୍ରଥମ ଦିନରେ ପାକିସ୍ତାନ ନିଜ ସୀମା ଭିତରେ ରହି ଭାରତୀୟ ଟ୍ୟାଙ୍କଗୁଡ଼ିକୁ ଲକ୍ଷ୍ୟ କରି ୧୦ଟି ପରମାଣୁ ବୋମା ମାଡ଼ କରିବେ । ସେହିଭଳି ଦ୍ୱିତୀୟ ଦିନରେ ପାକିସ୍ତାନ ଆଉ ୧୫ଟି ପରମାଣୁ ବୋମା ଛାଡ଼ିବ । ଜବାବରେ ଭାରତ ପାକିସ୍ତାନୀ ସେନା ଘାଟି ଓ ଆଣବିକ ଡିପୋକୁ ଟାର୍ଗେଟ୍‌ କରି ଏକାବେଳକେ ୨୦ଟି ରଣନୀତିକ ପରମାଣୁ ବୋମା ମାଡ଼ କରିବ । ଏହି ହମଲା ଏତେ ପ୍ରଚଣ୍ଡ ହେବ ଯେ ପ୍ରଚୁର ମାତ୍ରାର ନିଆଁ ଓ ଧୂଆଁରେ ପାକିସ୍ତାନ ଅଣନିଃଶ୍ୱାସୀ ହୋଇପଡ଼ିବ । ଏତିକିରେ ଭାରତ ଶାନ୍ତ ପଡ଼ିବ ନାହିଁ, ବରଂ ତୃତୀୟ ଦିନରେ ପୁଣି ଏହା ପରମାଣୁ ବୋମା ଫିଙ୍ଗିଚାଲିବ । ପାକିସ୍ତାନ ଆହୁରି ଉଗ୍ର ହୋଇ ଭାରତର ସ୍ଥଳ, ନୌସେନା ଘାଟି, ସହରୀ ଏୟାରଫିଲ୍ଡ ଉପରେ ୩୦ଟି ବୋମା ମାଡ଼ କରିବ । 

ଦୁଇଦେଶ ମଧ୍ୟରେ ଏହି ଆକ୍ରମଣ ଆହୁରି ଭୟାବହ ହୋଇଚାଲିବ । ପରବର୍ତ୍ତୀ ୩ ଦିନରେ ପାକିସ୍ତାନ ଏହାର ସମସ୍ତ  ବଳକା ପରମାଣୁ ବୋମାକୁ ଭାରତୀୟ ସହରଗୁଡ଼ିକ ଉପରେ ପକାଇଦେବ । ଭାରତ ବି ଏଥିରେ ହାର୍‌ ମାନିଯିବ ନାହିଁ । ଜବାବରେ ଏହା ନିଜ ପାଖରେ ୧୦୦ଟି ପରମାଣୁ ଚୀନ୍‌ ପାଇଁ ରଖି ବାକି ପ୍ରାୟ ୭୦ଟିକୁ ପାକିସ୍ତାନ ଉପରେ ପକାଇଦେବ । ତେବେ କହିରଖୁଛୁ ଯେ, ଦୁଇଦେଶ ପାଖରେ ୨୫୦ଟି ଲେଖାଏଁ ପରମାଣୁ ବୋମା ଥିବାରୁ ଏହାର ବ୍ୟବହାର ସାଙ୍ଘାତିକ ବିପର୍ଯ୍ୟୟ ସୃଷ୍ଟି କରିବ । ଏହାଯୋଗୁ ୫ କୋଟିରୁ ୧୨.୫ କୋଟି ଲୋକ ପ୍ରାଣ ହରାଇବେ । ଭାରତ ଓ ପାକିସ୍ତାନର ପ୍ରମୁଖ ସହରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଯିବ । ସ୍ୱାସ୍ଥ୍ୟ, ପରିବହନ, ଶକ୍ତି ଭିତ୍ତିଭୂମି ବରବାଦ ହୋଇଯିବ । ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ । ଯାହାକୁ ଭରଣା କରିବାକୁ ବର୍ଷ ବର୍ଷ ଲାଗିଯିବ । ସାମଗ୍ରିକ ଭାବେ ବିଶ୍ୱ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ଅଧ୍ୟୟନ ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି ।

ଅପରେସନ୍ ସିନ୍ଦୂର: କେମିତି କନେକ୍ସନ ରହିଛି ରାମାୟଣର ସୁନ୍ଦରକାଣ୍ଡ ସହ, ଜାଣନ୍ତୁ କଣ କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେ ପ୍ରଭୁ ହନୁମାନଙ୍କର ସେହି ଆଦର୍ଶକୁ ପାଳନ କରିଛୁ, ଯାହା ସେ ଅଶୋକ ବାଟିକା ଉଜାଡ଼ିବା ସମୟରେ କରିଥିଲେ ‘ଜିନ୍ ମୋହି ମାରା, ତିନ୍ ମୋହି ମାରେ’ । ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବା ପରେ କିଛି ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଆମେ କେବଳ ସେହିମାନଙ୍କୁ ମାରିଛୁ ଯେଉଁମାନେ ଆମ ନିରୀହ ଲୋକଙ୍କୁ ମାରିଛନ୍ତି । ରାଜନାଥ ସିଂ ରାମଚରିତମାନସର ଚୌପାଇକୁ ଆଧାର କରି ଭାରତର ଚିନ୍ତାଧାରାକୁ ସ୍ପଷ୍ଟ କରିଛନ୍ତି ।

ରାମଚରିତମାନସର ସୁନ୍ଦରକାଣ୍ଡରେ ପ୍ରଭୁ ହନୁମାନ କହିଥିଲେ, ଯେଉଁମାନେ ମୋତେ ମାରିଲେ, ମୁଁ ସେମାନଙ୍କୁ ମଧ୍ୟ ମାରିଲି । ତୁମ ପୁତ୍ର ମୋତେ ବାନ୍ଧିଲା କିନ୍ତୁ ମୁଁ ବନ୍ଧା ହେବାରେ ଲଜ୍ଜିତ ନୁହେଁ । ମୁଁ ତ କେବଳ ମୋ ପ୍ରଭୁଙ୍କ କାର୍ଯ୍ୟ କରୁଛି । ସେହିପରି ରାଜନାଥ ସିଂହ ଭାରତର ସାମରିକ ଦର୍ଶନକୁ ହନୁମାନଙ୍କ ନୀତି ସହ ତୁଳନା କରି କହିଛନ୍ତି, “ଆମେ କେବଳ ସେମାନଙ୍କୁ ଆଟାକ୍ କରିଛୁ, ଯେଉଁମାନେ ଆମର ନିରୀହ ନାଗରିକମାନଙ୍କୁ ହତ୍ୟା କରିଛନ୍ତି।” ଏହା ସ୍ପଷ୍ଟ କରୁଛି ଯେ, ଭାରତ ଯୁଦ୍ଧ ଚାହେଁ ନାହିଁ, କିନ୍ତୁ ଆତଙ୍କବାଦ ପ୍ରତି ‘ଜିରୋ ଟଲେରାନ୍ସ’ ନୀତି ଅବଲମ୍ବନ କରେ। ଏହି ଅଭିଯାନରେ ଭାରତୀୟ ସେନା କୌଣସି ପାକିସ୍ତାନୀ ନାଗରିକ କିମ୍ବା ସୈନ୍ୟ ପ୍ରତିଷ୍ଠାନକୁ ଆଟାକ୍ କରିନାହିଁ। କେବଳ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା ଓ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ଶିବିରଗୁଡ଼ିକୁ ହିଁ ଟାର୍ଗେଟ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ଭାରତୀୟ ସେନା ସଠିକତା, ସତର୍କତା ଏବଂ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରିଛି। ଆମେ ଯେଉଁ ଟାର୍ଗେଟ୍ ସ୍ଥିର କରିଥିଲୁ, ତାହା ଯୋଜନାବଦ୍ଧ ଯୋଜନା ଅନୁଯାୟୀ ସଠିକତାର ସହିତ ଧ୍ୱଂସ କରାଯାଇଛି। କୌଣସି ସାଧାରଣ ନାଗରିକ ରହୁଥିବା ସ୍ଥାନକୁ ଟାର୍ଗେଟ କରାଯାଇ ନାହିଁ। ଏହାର ଅର୍ଥ ହେଉଛି ସେନା ଏକ ପ୍ରକାର ସଠିକତା, ସତର୍କତା ଏବଂ ମାନବିକତା ଦେଖାଇଛି।” ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି । ଆତଙ୍କୀଙ୍କୁ ନିପାତ କରାଯାଇଛି । ଯେଉଁ ସ୍ଥାନରେ ଆତଙ୍କୀମାନେ ଟ୍ରେନିଂ ନେଉଥିଲେ, ଯେଉଁସ୍ଥାନରେ ଆତଙ୍କୀ କ୍ୟାମ୍ପ ରହିଥିଲା, ସେହି ସ୍ଥାନ ଉପରେ ଆକ୍ରମଣ କରିଛି ଭାରତୀୟ ସେନା । ଆଉ ସେଠାରେ ଉପସ୍ଥିତ ଆତଙ୍କୀଙ୍କୁ ନିପାତ କରିଛି । ଏହି ଆକ୍ରମଣ କରି ସେନେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।


ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ବାବା ରାମଦେବଙ୍କ ବଡ ବୟାନ, କହିଲେ…

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କରିଛି ଭାରତୀୟ ସେନା । ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ସଙ୍ଗଠନ ଲସ୍କର -ଏ- ତୋୟବା, ଜୈଶ- ଏ- ମୋହମ୍ମଦ, ଓ ହିଜବୁଲ ମୁଜାହିଦ୍ଦିନର ଠିକଣାଗୁଡିକୁ ଉପରେ ଏୟାରଷ୍ଟ୍ରାଇକ୍ କରି ଆତଙ୍କୀଙ୍କୁ ନିପାତ କରିଛି ବାୟୁସେନା । ଏବେ ଏହା ଉପରେ ଯୋଗଗୁରୁ ବାବା ରାମଦେବ ନିଜ ପ୍ରତିକ୍ରିୟା ଦେଇ ଶତ୍ରୁଦେଶ ଏବଂ ଆତଙ୍କବାଦକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି । 

ହରିଦ୍ବାରର ଯୋଗ ଶିବିରରେ ବାବା ରାମଦେବ କହିଛନ୍ତି ,‘ଭାରତୀୟ ସେନା ନିଜ ପରାକ୍ରମ ଦେଖାଇ ଆତଙ୍କୀସ୍ତାନ ପାଲଟିଥିବା ପାକିସ୍ତାନକୁ ଯେଉଁ ପାନେ ଚଖାଇଛି ତାହା ଶତ୍ରୁଦେଶ କେବେ ବି ଭୁଲି ପାରିବନାହିଁ । ନିରୀହ ନାଗରିକଙ୍କୁ ନିର୍ମମ କରି ମାରି , ସ୍ତ୍ରୀଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ପାପ କରିଥିଲେ ଆତଙ୍କୀ । ଯାହାର ଜବାବ୍ ଅପରେସନ୍ ‘ସିନ୍ଦୂର’ ମାଧ୍ୟମରେ ଦେଇଛି ଭାରତ । ଭାରତୀୟ ସେନାର ସିଂହମାନେ ଆତଙ୍କବାଦୀଙ୍କୁ ନର୍କରେ ଥିବା ଅପସରାଙ୍କ ପାଖକୁ ପଠାଇଛନ୍ତି । ଜଳ,ସ୍ଥଳ ଏବଂ ବାୟୁସେନାର ଯବାନ ପାକିସ୍ତାନ ଉପରେ ଏମିତି ପ୍ରହାର କରନ୍ତୁ ଯେ POK ର ନାଁ ଭାରତରୁ ଲିଭିଯାଉ । ଲାହୋର ଏବଂ କରାଚିର ମଧ୍ୟ ଭାରତର ଧ୍ବଜା ଫରଫର ଉଡୁ ।’ ଯୋଗଗୁରୁ ଆତଙ୍କୀ ସଂଗଠନକୁ ଫଣ୍ଡ ଯୋଗାଉଥିବା ଲୋକଙ୍କ ଉପରେ ମଧ୍ୟ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି । ସେ କହିଛନ୍ତି , ‘ମସଜିଦ୍ ହେଉ କି ଜଙ୍ଗଲ ଆତଙ୍କୀ ଯେଉଁଠାରେ ଲୁଚିଛନ୍ତି ତାଙ୍କୁ ଖୋଜି ଖୋଜି ମାରନ୍ତୁ ଭାରତୀୟ ସେନାର ଯବାନ ।’ 

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଏକ କ୍ୟାବିନେଟ ବୈଠକ କରିଛନ୍ତି। ବୈଠକରେ ମୋଦି ତାଙ୍କ କ୍ୟାବିନେଟ୍ ବୈଠକରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ଅପରେସନ୍ ବିଷୟରେ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସେନା ପ୍ରସ୍ତୁତି ଅନୁଯାୟୀ ଏବଂ କୌଣସି ଭୁଲ୍ ବିନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଏହାସହିତ ପ୍ରଧାନମନ୍ତ୍ରୀ ସେନାବାହିନୀକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର କ୍ୟାବିନେଟର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ କହିଛନ୍ତି ଯେ, ସମଗ୍ର ଦେଶ ପ୍ରଧାନମନ୍ତ୍ରୀଙ୍କ ସହିତ ରହିଛି ।

ଭାରତରେ ପୁଣି ମିଶିଯିବ କି ପାକିସ୍ତାନ ।। ଯୁଦ୍ଧର ଘନଘଟା ଭିତରେ ଏମିତି କହିଲେ ବରିଷ୍ଠ ସାମ୍ବାଦିକ ।।

ଇଟାର ଜବାବ ପଥରରେ, ମାତ୍ର ୨୫ ମିନିଟରେ ଛାରଖାର ହୋଇଗଲା ଆତଙ୍କୀଙ୍କ ଆଡ୍ଡା

ନୂଆଦିଲ୍ଲୀ: ଇଟାର ଜବାବ ପଥରରେ । ଗୁଳିର ଜବାବ ମିସାଇଲରେ । ଭାରତକୁ ନଜର ପକାଇବାର ଜବାବ ଏୟାର ଷ୍ଟ୍ରାଇକ୍‌ରେ । ସମୟ, ବିଳମ୍ବିତ ରାତି ୧ଟା ୫୪ ମିନିଟ । ଛାରଖାର କଲା ଆତଙ୍କବାଦୀଙ୍କ ଆଡ୍ଡା । ତେବେ କେମିତି ହୋଇଥିଲା ଏୟାରଷ୍ଟ୍ରାଇକ ଏନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ । ମାତ୍ର ୨୫ ମିନିଟରେ ଆତଙ୍କୀର ସବୁ ଖେଳ ଖତମ୍ କରିଦେଲେ ଭାରତୀୟ ସେନା । ରାତି ୧ଟା ୫ରୁ ଆରମ୍ଭ ହୋଇଥିଲା ଆକ୍ରମଣ। ୧ଟା ୩୦ରେ ହୋଇଥିଲା ଶେଷ। ୨୫ ମିନିଟରେ ଧ୍ବଂସ ହୋଇଥିଲା ୯ ଟି ଆତଙ୍କୀ ଆଡ୍ଡା। ଏୟାରଷ୍ଟ୍ରାଇକ ପରେ ପ୍ରେସମିଟ୍‌ କରି  ଏହି ସୂଚନା ଦେଇଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ।

ବୁଧବାର ଦିନ ’ଅପରେସନ ସିନ୍ଦୁର’ବିଷୟରେ ସୂଚନା ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ପ୍ରେସମିଟ୍ ଡକାଯାଇଥିଲା । ଏହି ପ୍ରେସମିଟରେ ୩ଜଣ ମୁଖ୍ୟ ଉପସ୍ଥିତ ରହି ଘଟଣାର ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । ଭାରତର ବିଦେଶ ସଚିବ ବିକ୍ରମ ମିସରୀଙ୍କ ସହିତ ଦୁଇ ଜଣ ଭାରତୀୟ ମହିଳା ସେନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେହି ଦୁଇ ମହିଳା ଅଧିକାରୀ ହେଲେ କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ଏବଂ ଅନ୍ୟ ଜଣେ ହେଲେ ୱିଙ୍ଗ୍ କମାଣ୍ଡର ଭ୍ୟୋମିକା ସିଂ ସାମ୍ନାକୁ ଆସି ଭାରତୀୟ ସେନାର ସାହସିକତାକୁ ଜଣାଇଥିଲେ । ଏହା ସହିତ ଭାରତୀୟ ସେନା କିପରି ପାକିସ୍ତାନକୁ ଧ୍ବଂସବିଧ୍ବଂସ କରିଛି ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି ।

ଯେତେବେଳେ ସମସ୍ତେ ଶୋଇଥିଲେ ସେତେବେଳେ ଅର୍ଥାତ୍ ମଙ୍ଗଳବାର ରାତି ପାଖାପାଖି ୧ଟା ୫ ମିନିଟରେ ପାକିସ୍ତାନ ଭିତରେ ପଶି ଏୟାରଷ୍ଟ୍ରାଇକ୍ କରିଥିଲା ଭାରତୀୟ ବାୟୁସେନା ।    ପ୍ରେସମିଟ ଆରମ୍ଭରୁ ୨୦୦୧ରେ ହୋଇଥିବା ପାର୍ଲାମେଣ୍ଟ ଆକ୍ରମଣ ସହ ୨୦୦୮ର ମୁମ୍ବାଇ ଆକ୍ରମଣ, ଉରୀ, ପୁଲୱାମାରେ ଆକ୍ରମଣ ଜଡିତ ଭିଡିଓ କ୍ଲିପିଙ୍ଗ ପ୍ରଦର୍ଶିତ ହୋଇଥିଲା। ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଥିଲେ, ପହଲଗାମ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବାକୁ ଆରମ୍ଭ ହୋଇଛି ’ଅପରେସନ୍ ସିନ୍ଦୂର’। ଜମ୍ମୁ-କାଶ୍ମୀରରେ ଏହି ଆକ୍ରମଣ ଦେଶର ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ହୋଇଥିଲା  । ଏହି ଆକ୍ରମଣରେ ପାକିସ୍ତାନର ହାତ ଥିବା ଜଣାପଡିବା ପରେ ଆକ୍ସନ ମୋଡକୁ ଆସିଛି  ଭାରତ । ବିକ୍ରମ ମିସ୍ତ୍ରୀ କହିଛନ୍ତି, ପାକିସ୍ତାନ ସାରା ଦୁନିଆରେ ଆତଙ୍କବାଦର ଆଡ୍ଡାସ୍ଥଳ ପାଲଟିଛି । ଆତଙ୍କୀଙ୍କୁ ପାକିସ୍ତାନ ସରକାର ଶରଣ ଦେଇଛି ସେଥିପାଇଁ ସେମାନେ ଅପରାଧ ପାଇଁ ଶାସ୍ତି ପାଇବାରୁ ବଞ୍ଚିଯାଉଛନ୍ତି । ଅତି ପାକିସ୍ତାନ ବିରୋଧରେ ଭାରତର ପ୍ରଥମ ଏୟାରଷ୍ଟ୍ରାଇକ୍ ଅତି ଗୁରୁତ୍ବପୂର୍ଣ୍ଣ ଓ ଖୁବ୍ ମାପିଚୁପି ସହକାରେ ଆକ୍ରମଣ କରାଯାଉଛି । 

କର୍ଣ୍ଣେଲ ସୋଫିଆ କୁରେଶୀ ଅପରେସନ ସିନ୍ଦୂର ସମ୍ପର୍କରେ ପାକିସ୍ତାନର ପର୍ଦ୍ଦାଫାସ କରିଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଆତଙ୍କବାଦୀଙ୍କୁ ତାଲିମ ପ୍ରଦାନ କରିଥିଲା ​​ଏବଂ ଶିବିର ନିର୍ମାଣ କରିଥିଲା। ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କହିଛନ୍ତି ଯେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ନିହତ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ପାକିସ୍ତାନର ଅନ୍ଧକାର ଗୁପ୍ତ କଥା ଉନ୍ମୋଚନ କରି ସେ କହିଛନ୍ତି ଯେ ଗତ ତିନି ଦଶନ୍ଧି ଧରି ଆତଙ୍କବାଦୀ ଭିତ୍ତିଭୂମି ନିର୍ମାଣ କରାଯାଉଛି ଯାହା ପାକିସ୍ତାନ ଏବଂ ପିଓକେ ଉଭୟରେ ବ୍ୟାପି ରହିଛି। କର୍ଣ୍ଣେଲ ସୋଫିଆ କହିଛନ୍ତି ଯେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଥିଲା। ଗତ ତିନି ଦଶନ୍ଧି ଧରି, ପାକିସ୍ତାନ କ୍ରମାଗତ ଭାବରେ ଏକ ଆତଙ୍କୀ ଭିତ୍ତିଭୂମି ନିର୍ମାଣ କରୁଛି,ଯେଉଁମାନେ ଭାରତରେ ଆକ୍ରମଣ କରିଛନ୍ତି।

ସେହିପରି ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ସୂଚନା ଦେଇ କହିଛନ୍ତି, ଠୋସ୍ ଇଣ୍ଟେଲିଜେନ୍ସ ତଥ୍ୟ ମିଳିବା ପରେ ଖୁବ୍ ସତର୍କତାର ସହ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଛି । ପାକିସ୍ତାନ ମୁଜଫରାବାଦରେ ଥିବା ଲସ୍କର ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ କରାଯାଇଛି । ଏହିଠାରୁ ହିଁ ଆତଙ୍କୀମାନେ ଟ୍ରେନିଙ୍ଗ ନେଇଥିଲେ । ଆତଙ୍କୀଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ଭାରତ ପକ୍ଷରୁ ଏହି  ଅଭିଯାନ ଆରମ୍ଭ ହୋଇଛି । ବରନାଲା କ୍ୟାମ୍ପକୁ ମଧ୍ୟ ଧ୍ବଂସ କରାଯାଇଛି । ସିୟାଲକୋଟ ଓ ମହନୁମା କ୍ୟାମ୍ପକୁ ମଧ୍ୟ ନଷ୍ଟ କରିଦେଇଛି ଭାରତୀୟ ବାୟୁସେନା । ମାତ୍ର ୨୫ ମିନିଟରେ ୯୦ ଆତଙ୍କବୀକୁ ନିପାତ କରିଛି ଭାରତ ।