
ନୂଆଦିଲ୍ଲୀ: ଭାରତର ଏୟାରଷ୍ଟ୍ରାଇକ ପରେ ଏବେ ପାକିସ୍ତାନକୁ ଲାଗିଛି ଶକ୍ତ ଧକ୍କା । ଭାରତର ଏହି କାଣ୍ଡ ପରେ ଏବେ ପ୍ରତିଉତ୍ତର ଦେବା ପାଇଁ ବଡ ଯୋଜନା କରୁଛି ପାକିସ୍ତାନ । ଯାହାକୁ ନେଇ ଏବେ ବଡ଼ ଆକ୍ରମଣ ହେବାର ଆଶଙ୍କା ଉପୁଜିଛି । ଆଉ ଏହାରି ଭିତରେ ଏବେ ଦେଶବାସୀଙ୍କୁ ଘାରିଲାଣି ପରମାଣୁ ଯୁଦ୍ଧର ଭୟ । ତେବେ ଗତ ୨୦୧୯ରେ ହୋଇଥିବା ଅଧ୍ୟୟନରେ ଏପରି କିଛି ପୂର୍ବାନୁମାନ କରିଥିଲା ଏକ ଅନ୍ତର୍ଜାତୀୟ ସଂସ୍ଥା । ଉକ୍ତ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ୨୦୨୫ରେ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେବ । ଏହି ଖବର ଜଣାପଡିବା ପରେ ଏବେ ଦିଇ ଦେଶବାସୀଙ୍କ ମୁଣ୍ଡରେ ଚଡକ ପଡିଛି ।
୨୦୧୯ରେ ବ୍ରିଟେନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ରତ୍ଲେଜ୍’ ପୂର୍ବାନୁମାନ କରିଥିଲା ଯେ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିପାରେ । କିନ୍ତୁ ସେତେବେଳେ ଏହାକୁ କେହି ଗୁରୁତ୍ୱ ଦେଇନଥିଲେ । ଏବେ କିନ୍ତୁ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ରିପୋର୍ଟର ସତାସତ୍ୟକୁ ଖୋଜିବାରେ ଲାଗିପଡିଛି ଗବେଷକ । ଦୁଇଦେଶ ମଧ୍ୟରେ ପରମାଣୁ ଯୁଦ୍ଧର କିଭଳି ସୂତ୍ରପାତ ହେବ, ତାହା ଗବେଷକମାନେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମତରେ ଭାରତର ସଂସଦ ଉପରେ ପ୍ରଥମେ ବଡ଼ଧରଣ ଆତଙ୍କବାଦୀ ଆକ୍ରମଣ ହେବ । ଏହାପରେ ଜବାବ ଦେବାକୁ ଯାଇ ଭାରତ ନିୟନ୍ତ୍ରଣରେଖା ଏଲ୍ଓସିରେ ଏହାର ସୈନ୍ୟ ସଂଖ୍ୟା ବଢ଼ାଇ ଦିଆଯିବ । ପାକିସ୍ତାନ ମଧ୍ୟ ଅନୁରୂପ ପଦକ୍ଷେପ ନେବ । ମୁହାଁମୁହିଁ ସଂଘର୍ଷରେ ଉଭୟ ପଟୁ ସୈନ୍ୟ ପ୍ରାଣ ହରାଇବେ, ଯାହା ଉଭୟ ପକ୍ଷକୁ ବଡ଼ ଯୁଦ୍ଧ ଆଡ଼କୁ ଟାଣିନେବ । ଭାରତୀୟ ସେନା ଆକ୍ରମଣକୁ ବ୍ୟାପକ କରି ପାକିସ୍ତାନ ଅଞ୍ଚଳକୁ ମାଡ଼ିଯିବା ପରେ ପାକିସ୍ତାନର ଜେନେରାଲମାନେ ପାରମ୍ପରିକ ପରାଜୟ ଭୟରେ ପରମାଣୁ ଆକ୍ରମଣକୁ ଶେଷ ପନ୍ଥା ବାଛିନେବେ ବୋଲି ପୂର୍ବାନୁମାନ କରିଥିଲା ଉକ୍ତ ସଂସ୍ଥା ।
ପ୍ରଥମ ଦିନରେ ପାକିସ୍ତାନ ନିଜ ସୀମା ଭିତରେ ରହି ଭାରତୀୟ ଟ୍ୟାଙ୍କଗୁଡ଼ିକୁ ଲକ୍ଷ୍ୟ କରି ୧୦ଟି ପରମାଣୁ ବୋମା ମାଡ଼ କରିବେ । ସେହିଭଳି ଦ୍ୱିତୀୟ ଦିନରେ ପାକିସ୍ତାନ ଆଉ ୧୫ଟି ପରମାଣୁ ବୋମା ଛାଡ଼ିବ । ଜବାବରେ ଭାରତ ପାକିସ୍ତାନୀ ସେନା ଘାଟି ଓ ଆଣବିକ ଡିପୋକୁ ଟାର୍ଗେଟ୍ କରି ଏକାବେଳକେ ୨୦ଟି ରଣନୀତିକ ପରମାଣୁ ବୋମା ମାଡ଼ କରିବ । ଏହି ହମଲା ଏତେ ପ୍ରଚଣ୍ଡ ହେବ ଯେ ପ୍ରଚୁର ମାତ୍ରାର ନିଆଁ ଓ ଧୂଆଁରେ ପାକିସ୍ତାନ ଅଣନିଃଶ୍ୱାସୀ ହୋଇପଡ଼ିବ । ଏତିକିରେ ଭାରତ ଶାନ୍ତ ପଡ଼ିବ ନାହିଁ, ବରଂ ତୃତୀୟ ଦିନରେ ପୁଣି ଏହା ପରମାଣୁ ବୋମା ଫିଙ୍ଗିଚାଲିବ । ପାକିସ୍ତାନ ଆହୁରି ଉଗ୍ର ହୋଇ ଭାରତର ସ୍ଥଳ, ନୌସେନା ଘାଟି, ସହରୀ ଏୟାରଫିଲ୍ଡ ଉପରେ ୩୦ଟି ବୋମା ମାଡ଼ କରିବ ।
ଦୁଇଦେଶ ମଧ୍ୟରେ ଏହି ଆକ୍ରମଣ ଆହୁରି ଭୟାବହ ହୋଇଚାଲିବ । ପରବର୍ତ୍ତୀ ୩ ଦିନରେ ପାକିସ୍ତାନ ଏହାର ସମସ୍ତ ବଳକା ପରମାଣୁ ବୋମାକୁ ଭାରତୀୟ ସହରଗୁଡ଼ିକ ଉପରେ ପକାଇଦେବ । ଭାରତ ବି ଏଥିରେ ହାର୍ ମାନିଯିବ ନାହିଁ । ଜବାବରେ ଏହା ନିଜ ପାଖରେ ୧୦୦ଟି ପରମାଣୁ ଚୀନ୍ ପାଇଁ ରଖି ବାକି ପ୍ରାୟ ୭୦ଟିକୁ ପାକିସ୍ତାନ ଉପରେ ପକାଇଦେବ । ତେବେ କହିରଖୁଛୁ ଯେ, ଦୁଇଦେଶ ପାଖରେ ୨୫୦ଟି ଲେଖାଏଁ ପରମାଣୁ ବୋମା ଥିବାରୁ ଏହାର ବ୍ୟବହାର ସାଙ୍ଘାତିକ ବିପର୍ଯ୍ୟୟ ସୃଷ୍ଟି କରିବ । ଏହାଯୋଗୁ ୫ କୋଟିରୁ ୧୨.୫ କୋଟି ଲୋକ ପ୍ରାଣ ହରାଇବେ । ଭାରତ ଓ ପାକିସ୍ତାନର ପ୍ରମୁଖ ସହରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଯିବ । ସ୍ୱାସ୍ଥ୍ୟ, ପରିବହନ, ଶକ୍ତି ଭିତ୍ତିଭୂମି ବରବାଦ ହୋଇଯିବ । ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ । ଯାହାକୁ ଭରଣା କରିବାକୁ ବର୍ଷ ବର୍ଷ ଲାଗିଯିବ । ସାମଗ୍ରିକ ଭାବେ ବିଶ୍ୱ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ଅଧ୍ୟୟନ ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି ।