November 3, 2025

ମେ’ରେ ଆସୁଛି ଆଉ ଏକ ବାତ୍ୟା! , ଆହୁରି ୩ ଦିନ ପ୍ରବଳ ଗୁଳୁଗୁଳି

ଭୁବନେଶ୍ଵର: ଗତ କିଛି ଦିନ ହେବ ନିଦ ହଜାଇଲାଣି ତାତି । ତାପମାତ୍ରା ବଢ଼ିବା ସାଙ୍ଗକୁ ଗୁଳୁଗୁଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ, ଅନେକ ସ୍ଥାନରେ ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି । ତେବେ ଦିନରେ ଗୁଳୁଗୁଳି ସାଙ୍ଗକୁ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

ଏପଟେ ଆଜି ପାଇଁ ସୁନ୍ଦରଗଡ଼, ଦେଓଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଳାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ , ଦକ୍ଷିଣ ଉପକୂଳ,ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା। ସେହିପରି ୧୬ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ପାଇଁ ଜାରି କରାଯାଇଛି ସତର୍କ ସୂଚନା । ୧୭ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ପାଇଁ ଆଲର୍ଟ ଜାରି ହୋଇଛି । ଗତକାଲି ମୌସୁମୀ ଆଣ୍ଡାମାନ ଛୁଇଁଥିବାବେଳେ ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି।

ଅନ୍ୟପଟେ ଏ ବର୍ଷ ପୁଣି ମେ ମାସରେ ବାତ୍ୟା ହେବା ନେଇ ସମ୍ଭାବନା ରହିଛି । ତେବେ ଏନେଇ ଆଇଏମଡି କୌଣସି ସୂଚନା ଦେଇନଥିଲେ ମଧ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଲାଣି । ଏଥିପାଇଁ ପ୍ରଶାସନିକ ସ୍ଥରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେଲାଣି । ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି। ତେବେ ଯଦି ବାତ୍ୟା ହେଲା ତାହେଲେ ଏହାର ନାଁ ରହିବ ଶକ୍ତି। ବାଂଲାଦେଶୀ ପାଣିପାଗ ବିଶେଷଜ୍ଞ ମୋସ୍ତାଫା କାମାଲ ପାଲା କହିଛନ୍ତି, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ମେ ୧୬ରୁ ୧୮ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହା ମେ ୨୩ ରୁ ୨୮ ମଧ୍ୟରେ ବାତ୍ୟାରେ ପରିଣତ ହୋଇପାର। କିନ୍ତୁ ଆଇଏମଡି ଏପର୍ଯ୍ୟନ୍ତ ଏନେଇ କୌଣସି ନିଶ୍ଚିତ କରି ନାହିଁ।

ରଥ ନିର୍ମାଣରେ ରହିଛି ‘ସପ୍ତରଥକାର’ଙ୍କ ଗୁରୁତ୍ଵପୁର୍ଣ୍ଣ ଦାୟିତ୍ଵ, ଜାଣନ୍ତୁ ଏମାନଙ୍କ କାମ

ପୁରୀ: ରଥ ନିର୍ମାଣରେ ଭୋଇ ସେବକଙ୍କର ଅନେକ ଯୋଗଦାନ ରହିଥାଏ। ସେଥିପାଇଁ ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ସେମାନଙ୍କୁ ‘ରଥ ଭୋଇ’ ଭାବରେ ଅଭିହିତ କରାଯାଇଛି। କିନ୍ତୁ ଏମାନେ ଶାଢ଼ିବନ୍ଧା ସେବକ ନୁହନ୍ତି। ସେବାର ବିବରଣୀ ଅନୁସାରେ, ରଥ ନିର୍ମାଣରେ ଯେତେ ମୂଲିଆ କାମ ଆବଶ୍ୟକ ହୁଏ, ସେ ସବୁ ଏମାନେ ତୁଲାଇ ଥାଆନ୍ତି। ତା’ ସହିତ ବାହାରେ ଯେତେ ଛାମୁଣ୍ଡିଆ ହୁଏ ସେ ସବୁ ଏମାନେ କରିଥାଆନ୍ତି। ରଥଖଳାର ଛାମୁଣ୍ଡିଆ ଓ ରଥ ଅନୁକୂଳପାଇଁ ଅସ୍ଥାୟୀ ହୋମଘର ମଧ୍ୟ ଏହାର ଅନ୍ତର୍ଭୁକ୍ତ। ରଥରେ କାଠବୁହା କାମ ଠାରୁ ଆରମ୍ଭ କରି ରଥଯାତ୍ରା ପରେ ରଥଭଙ୍ଗା କାମ ମଧ୍ୟ ଏମାନଙ୍କ ସେବା ମଧ୍ୟରେ ରହିଛି। ସେବାପାଇଁ ଜମି ଖଞ୍ଜା ନଥିଲେ ମଧ୍ୟ ଏମାନେ ନିଷ୍ଠାର ସହ ଦାୟିତ୍ଵ ତୁଲାଇଥାଆନ୍ତି।

ପାରମ୍ପରିକ ଭାବରେ, ରଥଖଳା ଦାୟିତ୍ଵରେ ରହୁଥିବା ସେବକମାନଙ୍କୁ ସାତଭାଗରେ ବିଭକ୍ତ କରାଯାଇ ‘ସପ୍ତରଥକାର’ ରୂପେ ଅଭିହିତ କରାଯାଇଛି। ରଥ ଭୋଇ ସେବକ ମଧ୍ୟ ଏହାର ଅନ୍ତର୍ଭୁକ୍ତ। ‘ସପ୍ତରଥକାର’ ହେଉଛନ୍ତି- ୧. ଗୁଣାକାର, ୨. ମୁଖ୍ୟ ରଥକାର ବା ପାହି ମହାରଣା, ୩. ଲୌହକାର, ୪. ଛନ୍ଦକାର, ୫. ରୂପକାର ବା ମୂର୍ତ୍ତିକାର, ୬. ଚିତ୍ରକାର ଓ ୭. ସୂଚୀକାର। ଏମାନଙ୍କୁ ‘ନାୟକ’ ଆଖ୍ୟା ଦିଆଯାଇଛି। ଏହି ‘ସପ୍ତ ରଥକାର’ ବା ‘ସପ୍ତ ରଥନାୟକ’ଙ୍କ କର୍ମର ବିବରଣୀ ଅନୁସାରେ- ‘ଗୁଣାକାର’ ରଥର ବିଭିନ୍ନ ଅଙ୍ଗର ତାଳମାନ ଓ ଭାଗମାପ ନିର୍ଦ୍ଧାରଣ କରନ୍ତି ଏବଂ ‘ପାହି ମହାରଣା’ ରଥର ମୁଖ୍ୟ ଅଂଶଗୁଡ଼ିକୁ ନିର୍ମାଣ କରନ୍ତି। ‘ଲୌହକାର’ ଚକର ପନ୍ଦାରି ଓ ବଳା ସମେତ ବିଭିନ୍ନ ଆକାର ପ୍ରକାରର କଣ୍ଟା ଏବଂ କୁରାଢ଼ି, ବାରିଶି ଆଦି ତିଆରି କରି ଯୋଗାନ୍ତି। ଏମାନଙ୍କୁ ‘କମାର କଣ୍ଟା ନାୟକ’ ମଧ୍ୟ କୁହାଯାଏ। ‘ଛନ୍ଦକାର’ ରଥ କାଠଗୁଡ଼ିକୁ ପ୍ରୟୋଜନ ଅନୁସାରେ ସଜାଇ ରଖନ୍ତି। ଏହାଙ୍କ ସଂପର୍କରେ ବର୍ଣ୍ଣନା ଅଛି ଯେ ଏମାନେ ‘‘ରଥର କାଠମାନ କାନ୍ଧରେ ବୋହିନେଇ ବାଉରି ଭେଣ୍ଡିଆ ଭାବରେ ଛନ୍ଦ, ଶାଙ୍ଗି ଓ ଛେକାରେ ପକାନ୍ତି।“

ଏଣୁ ଏମାନେ ‘ଛନ୍ଦଛେକା ନାୟକ’ ଭାବରେ ପରିଚିତ। ‘ରୂପକାର’ ରଥର ସମସ୍ତ ରୂପ ବା ମୂର୍ତ୍ତି ଖୋଦନ କରନ୍ତି ଏବଂ ‘ଚିତ୍ରକାର’ ସେହି ରୂପ ବା ମୂର୍ତ୍ତି ସମେତ ରଥର ଅନ୍ୟାନ୍ୟ ସମସ୍ତ ରଙ୍ଗ ଓ ଚିତ୍ରକାମ କରନ୍ତି। ‘ସୂଚୀକାର’ ରଥର ମଣ୍ଡଣି ନିମନ୍ତେ ସମସ୍ତ କନାକାମ ଓ ଚାନ୍ଦୁଆ, ଧ୍ୱଜା, ଘେର ଓ ନେତ ଆଦି ପ୍ରସ୍ତୁତ କରିଥାନ୍ତି। ଏମାନଙ୍କୁ ‘ସିପୁଟି’ ମଧ୍ୟ କୁହାଯାଇଥାଏ। କିନ୍ତୁ ପ୍ରକୃତପକ୍ଷେ, ରଥକାମପାଇଁ ନିଯୁକ୍ତ ହେଉଥିବା ସେବକଙ୍କର ସଂଖ୍ୟା ବା କିସମ ଅନେକ ବେଶି। ଗୋଟିଏ ସମୟରେ ଏମାନଙ୍କର ସଂଖ୍ୟା ୩୬ ବୋଲି କୁହାଯାଇ, ସେମାନଙ୍କୁ ‘ରଥଛତିଶା ନିଯୋଗ’ ବୋଲି ମଧ୍ୟ ଆଖ୍ୟା ଦିଆଯାଇଥିଲା। କିନ୍ତୁ ସମୟକ୍ରମେ ସେଥିରେ ପରିବର୍ତ୍ତନ ଘଟିଛି ଏବଂ ଆଉ ଆବଶ୍ୟକତା ନଥିବାରୁ କେତେକ ସେବାର ବିଲୁପ୍ତି ଘଟିଛି।

ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ, କହିଲେ….

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଦେଶକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ବିବାଦ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇଥିଲେ । ସେନାର ପ୍ରଶଂସା କରିବା ସମୟରେ ସେ କହିଥିଲେ ଯେ ଆମ ସେନା ପାକିସ୍ତାନ ଏବଂ ଏହାର ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଛି । ତେବ ଆଜି ସେନାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଭୋର ସମୟରେ ଆଦମପୁର ଏୟାରବେସରେ ପହଞ୍ଚିଥିଲେ। ଏଠାରେ ସେ ସେନା କର୍ମଚାରୀଙ୍କୁ ଭେଟିଥିଲେ ଏବଂ ଅପରେସନ୍ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର ଏୟାରବେସ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପାକିସ୍ତାନ ଦାବି କରିଥିଲା ଯେ, ଏହି ଏୟାରବେସକୁ ସେ ଉଡାଇଦେଇଛି ବୋଲି । ଦେଶକୁ ସମ୍ବୋଧିତ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ଥାନରେ ପହଞ୍ଚି ସେନା ସୈନିକଙ୍କ ସହ ସାକ୍ଷାତ କରିଥିଲେ।

ଅନ୍ୟପଟେ ଆଦମପୁରେ ଭାରତୀୟ ସେନାଙ୍କୁ ସମ୍ବୋଧନ କରି ଆତଙ୍କବାଦ ଏବଂ ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ । ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ପାକିସ୍ତାନର କଳଙ୍କିତ କାମ ପାଇଁ ଦେଲେ ଚେତାବନୀ । କହିଲେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଯାଇ ଭାରତ ୩ ଦିନରେ ପାକିସ୍ତାନକୁ ଧ୍ବଂସ କରିଦେଲା । ସେମାନେ ସୀମାରେ ହମଲା କରିଥିଲେ କିନ୍ତୁ ପାକିସ୍ତାନର ଛାତି ଉପରେ ହମଲା କଲା ଭାରତ । ଆକ୍ରମଣ ପରେ ଭୟଭୀତ ପାକିସ୍ତାନ ବିଶ୍ବର ଶରଣ ପଶିଲା । ଡରରେ ଯେବେ ପାକିସ୍ତାନ କହିଲା ଆତଙ୍କୀ ଗତିବିଧି କରିବନି ସେତେବେଳେ ଆମେ ଅସ୍ତ୍ରବିରତି ପାଇଁ ସହମତି ହେଲୁ । କିନ୍ତୁ ଆତଙ୍କବାଦ ବିରୋଧରେ ଏ ଅଭିଯାନ ଜାରି ରହିବ । ଭାରତ ନିଜ ଅନୁସାରେ ଜବାବ ଦେବ । ଭାରତର ୩ ସେନା ଲଗାତାର ଆଲର୍ଟ ରହିଛନ୍ତି । ଭାରତ ଉପରେ ଆତଙ୍କୀ ହମଲା ହେଲେ ଆମେ ଆମ ଶୈଳୀରେ ପ୍ରତିଶୋଧ ନେବୁ ବୋଲି କହିଛନ୍ତି ମୋଦୀ ।

ଅପରେସନ ସିନ୍ଦୂର ଜରିଆରେ ଦୁନିଆ ପାକିସ୍ତାନର ଘୃଣ୍ୟ ଦୃଶ୍ୟ ଦେଖିଲା । ପାକ୍ ସେନାବାହିନୀ ଆତଙ୍କୀଙ୍କ ଶେଷକୃତ୍ୟରେ ସାମିଲ ଥିଲେ । ଯୁଦ୍ଧର ମୈଦାନରେ ଆମେ ପାକିସ୍ତାନକୁ ଧୂଳି ଚଟାଇଛୁ । ପରମାଣୁ ଧମକ ଭାରତ ସହ୍ୟ କରିନି, ଜବାବ ଦେଇଛି । ଆତଙ୍ଗବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି । ପାକ ସେନା ଆତଙ୍କୀକୁ ଖାଇବା ପିଇବା ଦେଉଛନ୍ତି । ହେଲେ ସମୟ ଆସିବ ସେହି ଆତଙ୍କୀ ସେମାନଙ୍କୁ ଖାଇଯିବେ । ତେବେ ପାକିସ୍ତାନକୁ ଚେତାବନୀ ଦେଇ ମୋଦୀ କହିଛନ୍ତି ଭାରତ ସହ ଏସବୁ ଚାଲିବନି । ପାକିସ୍ତାନକୁ ଖୋଲା ଚେତାବନୀ ଦେଇ ମୋଦୀ କହିଲେ, ଟେରର ଆଉ ଟକ୍ ଏକା ସାଙ୍ଗରେ ଚାଲିବନି । ଟେରର ଆଉ ଟ୍ରେଡ୍ ଏକା ସାଙ୍ଗରେ ହେବନି । ପାଣି ଆଉ ରକ୍ତ ବି ଏକା ସାଙ୍ଗରେ ବହିବନି । ପାକିସ୍ତାନ ସାଙ୍ଗରେ କଥା ମାନେ ଆତଙ୍କବାଦ ଉପରେ ହିଁ ହେବ । ପାକିସ୍ତାନ ସାଙ୍ଗରେ କଥା କେବଳି ପିଓକେ ଉପରେ ହେବ । 

ସାମ୍ନାକୁ ଆସିଲା ବଡ଼ ଖବର, ଧ୍ଵଂସ ହୋଇଯିବ ପୁରା ପୃଥିବୀ

ଭୁବନେଶ୍ଵର: ପାଖେଇ ଆସିଲାଣି ପୃଥିବୀର ଅନ୍ତିମ ଦିନ ! ବୈଜ୍ଞାନିକମାନେ, ଦୀର୍ଘ ଗବେଷଣା ପରେ କହିଛନ୍ତି ଯେ କେଉଁ ଦିନ ହେବ ପୃଥିବୀ ନଷ୍ଟ। ପୃଥିବୀରେ ଗୋଟିଏ ବି ମଣିଷ କିମ୍ବା ପଶୁ ବଞ୍ଚିବେ ନାହିଁ। ଏପରିକି ଗଛ ଓ ଉଦ୍ଭିଦ ମଧ୍ୟ ନଷ୍ଟ ହୋଇଯିବ। ଚାରିଆଡେ ବିନାଶର ଦୃଶ୍ୟ ଦେଖିବାକୁ ମିଳିବ। ଏସବୁ ଦେଖିବା ପାଇଁ ଆମ ମଧ୍ୟରୁ କେହି ମଧ୍ୟ ନଥିବେ। ତଥାପି ଏବେ ଭୟ କରିବାର କୌଣସି ଆବଶ୍ୟକ ନାହିଁ। ଏତେ ଶୀଘ୍ର କିଛି ଘଟିବ ନାହିଁ। ଏଥିପାଇଁ ବହୁତ ବର୍ଷ ବାକି ଅଛି। ତେବେ ଜାଣନ୍ତୁ ବୈଜ୍ଞାନିକମାନେ ଏପରି କାହିଁକି କହୁଛନ୍ତି?

ରିପୋର୍ଟ ଅନୁଯାୟୀ, ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କମ୍ପ୍ୟୁଟର ସିମୁଲେସନ୍ ଟେକ୍ନୋଲୋଜି ମାଧ୍ୟମରେ ଏକ ଅନୁସନ୍ଧାନ କରିଥିଲେ। ଜାଣିବାକୁ ଚେଷ୍ଟା କରିଥିଲେ ଯେ ଯଦି ପୃଥିବୀର ପରିସ୍ଥିତି ଆଜିର ପରି ରହିଥାଏ, ତେବେ କେବେ ଆପୋକଲିପ୍ସ ଘଟିବ। ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା। ଫଳାଫଳରେ ଜଣାପଡିଥିଲା ଯେ, ବର୍ତ୍ତମାନଠାରୁ ପ୍ରାୟ ୨୫୦ ନିୟୁତ ବର୍ଷ ପରେ ପୃଥିବୀରେ ପ୍ରଳୟଙ୍କାରୀ ବିନାଶ ଘଟିପାରେ। ତା’ପରେ ମଣିଷ ଏବଂ ସମସ୍ତ ଜୀବଜନ୍ତୁ ବିଲୁପ୍ତ ହୋଇଯିବେ। ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ସେହି ସମୟରେ ପୃଥିବୀର ତାପମାତ୍ରା ୭୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ। ଏହି ତାପମାତ୍ରାରେ କୌଣସି ଜୀବ ବଞ୍ଚିବା ଅସମ୍ଭବ ହେବ। ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ ନଷ୍ଟ ହୋଇଯିବେ।

ଏହା ମଧ୍ୟ ଦାବି କରାଯାଇଛି ଯେ ଯେଉଁ ଗତିରେ ଆମେ କାର୍ବନ ନିର୍ଗତ କରୁଛୁ, ଏହା ସମ୍ଭବ ଯେ ୨୫୦ ନିୟୁତ ବର୍ଷ ପୂର୍ବରୁ ମଧ୍ୟ ବିନାଶ ହୋଇପାରେ । ଡାଇନୋସର ବିଲୁପ୍ତ ହେବା ପରେ ଏହା ପ୍ରଥମ ଜନ ବିଲୁପ୍ତ ଘଟିବ। ଅନୁସନ୍ଧାନ ଦଳର ମୁଖ୍ୟ ଡକ୍ଟରଙ୍କ କହିବା ଅନୁସାରେ ସେହି ସମୟରେ ପୃଥିବୀରେ କାର୍ବନ ଡାଇଅକ୍ସାଇଡର ସ୍ତର ଦ୍ୱିଗୁଣିତ ହୋଇପାରେ। ଏହି କାରଣରୁ, ବ୍ୟକ୍ତି ଝାଳ ମାଧ୍ୟମରେ ଶରୀରର ଉତ୍ତାପକୁ ବାହାର କରିବାରେ ସମର୍ଥ ହେବ ନାହିଁ। ଶରୀର ଏତେ ଗରମ ହୋଇଯିବ ଯେ ମୃତ୍ୟୁ ମଧ୍ୟ ଘଟିପାରେ । ତା’ପରେ ପୃଥିବୀର ସମସ୍ତ ମହାଦ୍ବୀପ ଏକତ୍ରିତ ହୋଇ ଏକ ସୁପରକଣ୍ଟିନେଣ୍ଟ ଗଠନ କରିବେ, ଯାହା ପାଙ୍ଗିୟା ଅଲ୍ଟିମା ଭାବରେ ଜଣାଯିବ। ପୃଥିବୀ ଡୋନେଟ୍ ଆକାରରେ ପରିଣତ ହେବ ଏବଂ ମଝିରେ ଏକ ସମୁଦ୍ର ରହିବ।

ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରଶାନ୍ତ ମହାସାଗର ପୃଥିବୀର ଅଧିକାଂଶ ଅଂଶରେ ବୁଡ଼ିଯିବ। ତା’ପରେ ପୃଥିବୀ ପ୍ରଥମେ ଗରମ ହେବ, ତାପରେ ଶୁଖିଯିବ ଏବଂ ଶେଷରେ ଏହା ବାସହୀନ ହୋଇଯିବ। କ୍ରମାଗତ ଆଗ୍ନେୟଗିରି ଉଦ୍ଗୀରଣ ହେବ। ପୃଥିବୀର ଅଧିକାଂଶ ଅଂଶ ଏହାର ଲାଭା ଦ୍ୱାରା ଆଚ୍ଛାଦିତ ହେବ। ଏହା ବହୁ ପରିମାଣର କାର୍ବନ ଡାଇଅକ୍ସାଇଡ୍ ନିର୍ଗତ କରିବ। ଲୋକଙ୍କ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇଯିବ। ଖାଦ୍ୟର ସମସ୍ତ ଉତ୍ସ ନଷ୍ଟ ହୋଇଯିବ। କିନ୍ତୁ ଏହି ସମୟ ଆସିବାକୁ ବହୁତ ସମୟ ବାକି ଅଛି ବୋଲି କହିଛନ୍ତି ବୈଜ୍ଞାନିକ ।

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ୍ ଦ୍ଵିତୀୟ ସପ୍ତାହ ସୁଦ୍ଧା ଛୁଇଁପାରେ ଓଡିଶା

ଭୁବନେଶ୍ଵର: ଆଣ୍ଡାମାନ ସାଗରରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କେରଳରେ ମୌସୁମୀ ସକ୍ରିୟ ହୋଇଯିବ । ଯଦି ସବୁ ଠିକଠାକ ରୁହେ ଜୁନ୍‌ ଦ୍ବିତୀୟ ସପ୍ତାହରେ ଓଡ଼ିଶା ମୌସୁମୀର ପ୍ରଥମ ସ୍ପର୍ଶ ପାଇବ ।

ଆଇଏମଡିର ସୂଚନାନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକୁ ମୌସୁମୀର ଅଗ୍ରଗତି ପାଇଁ ବାୟୁମଣ୍ଡଳ ଏବଂ ଅନ୍ୟାନ୍ୟ ପରିସ୍ଥିତି ଅତ୍ୟନ୍ତ ଅନୁକୂଳ ରହିଛି । ଫଳସ୍ୱରୂପ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପର ଅନେକ ଅଂଶରେ ମଧ୍ୟମରୁ ପ୍ରବଳ ବର୍ଷା, ଝଡ଼ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି । ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ । ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି ।

ଏବର୍ଷ ମୌସୁମୀ ବାୟୁ ଭାରତରେ ସଅଳ ପ୍ରବେଶ କରିଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା, ଏବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରତିବର୍ଷ ମୌସୁମୀ ପ୍ରାୟତଃ ଜୁନ୍‌ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ । ଏବର୍ଷ ଆଗୁଆ ଆସିବା ସମ୍ଭାବନା ରହିଛି ।

ମା’ ପାଇଁ ଦିନ ଟିଏ, ଅସୀମ ବଳ ଓ ଧର୍ଯ୍ୟର ପ୍ରତୀକ ମା’

ଭୁବନେଶ୍ଵର: ମାଆ, ବୋଉ, ମମି, ମମ୍,….ମଣିଷ ଜଣେ କିନ୍ତୁ ସନ୍ତାନର ରୁଚି ଅନୁସାରେ ସେ ଡାକ ଶୁଣେ । ‘ମା’ ରୁ ମାଟି… ‘ଆ’ ରୁ ଆକାଶ । ମାଟିରୁ ଆକାଶ ଯାଏ ଶୁଭେ ତାର ପ୍ରତିଧ୍ଵନି । ଏହି ଡାକରେ ଭରି ରହିଛି ସ୍ନେହ, ଶ୍ରଦ୍ଧା ଓ ଅନାବିଳ ପ୍ରେମ । ତା’ର ମନରେ ନଥାଏ ଛଳନା, ମମତାର ନାହିଁ କଳନା, ସ୍ନେହ ବିନା ସେ କିଛି ଜାଣେନା । ସମୁଦ୍ରଠୁ ଗଭୀର ତା’ ପ୍ରେମ । ଆକାଶଠାରୁ ବଡ଼ ତା’ର ହୃଦୟ । ମାଆ ଶବ୍ଦ ସିନା ଛୋଟ କିନ୍ତୁ ଓଜନ ଏହାର ଅଧିକ । ସ୍ନେହ ମମତା ସାହାସ ଧୈର୍ଯ୍ୟର ଭଣ୍ଡାର ସେ । ତ୍ୟାଗ, ତପସ୍ୟା ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ ସେ । ନିଚ୍ଛକ ପ୍ରେମର ପ୍ରତିବିମ୍ବ ମାଆ । ତାର ପଣତ କାନି ଶ୍ରୀମନ୍ଦିର ନେତାଠାରୁ ବି ଲମ୍ବା । ପିଲାର ଖୁସି ଆଗରେ ତା’ ପାଇଁ ସବୁ କିଛି ତୁଚ୍ଛ ।

ସନ୍ତାନର ଅଳି ଅର୍ଦ୍ଦଳି ସବୁ କିଛି ସହ୍ୟ କରି ଛୋଟରୁ ବଡ କରିବାରେ ତା’ର ଭୂମିକା ଅତୁଳନୀୟ ଓ ଅବର୍ଣ୍ଣନନୀୟ । 10 ମାସ 10 ଦିନ ଗର୍ଭରେ ରଖି ସେ ପିଲାକୁ ଜନ୍ମଦିଏ । ଆଉ ତାପରେ ବିନା ପାଉଣାରେ ସେ ପାଲଟିଯାଏ ପିଲାର ସେବକ । ତା’ ନିଃସ୍ବାର୍ଥପର ସ୍ନେହ, ତା’ ରାତି ଅନିଦ୍ରା ଆଉ ତା’ କ୍ଷମା ଆଗରେ ଏ ସୃଷ୍ଟିର ସ୍ରଷ୍ଟା ବି ସ୍ତବ୍ଦ । ତାକୁ ମନେ ପକାଇବା ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ । ଆଜି ସେ ସ୍ବର୍ଗୀୟ ଦାନର ଦିନ ଅର୍ଥାତ୍ ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ’ ଦ୍ବିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଏ । ସନ୍ତାନର ପ୍ରଥମ ଶିକ୍ଷକ ମାଆ । ସେ ଶିଖାଏ ଚାଲି, ଚଳନ, ଆଚାର ବ୍ୟବହାର, ଶିଷ୍ଟାଚାର, ଭଦ୍ରତା, ନମନୀୟତା, ଶାଣ୍ଠଣା ଆଉ ଜୀବନ ଜିଇଁବାର କୌଶଳ ।

ସେ ବିନା ଶିକ୍ଷାରେ ବି ପିଲାକୁ ପଢାଏ ମଣିଷ ଭଳି ମଣିଷ ହେବାର ପାଠ । ତା’ ନାମ କେବଳ ମାଆ ହୋଇଥାଇ ପାରେ ହେଲେ ତା’ ପରିଚୟ ଅନେକ । ସେ ସନ୍ତାନକୁ କେତେବେଳେ ବାପାର ଲାଠି ମାଡରୁ ବଞ୍ଚାଏ ତ ପୁଣି ଶତ୍ରୁର କୁଦୃଷ୍ଟିରୁ ବଞ୍ଚାଏ । ସବୁ କଷ୍ଟକୁ ସହି ପିଲାର ମୁହଁରେ ସେ ହସ ଦେଖିବାକୁ ଚାହେଁ । ସନ୍ତାନର ପେଟ ପୁରିଲେ ତାର ବି ପେଟ ପୁରେ । ମା’ ତ୍ୟାଗ ଆଗରେ ସନ୍ତାନର ମଣ୍ଡ ସବୁବେଳେ ନଇଁଛି ନଇଁବ । ତାର ଋଣ ସୁଝିବା ଅସମ୍ଭବ । ପ୍ରଥମେ ପ୍ରାଚୀନ ଗ୍ରୀସରେ ଆରମ୍ଭ ହୋଇଥିଲା ମାତୃ ଦିବସ । ପରେ 1908ରେ ଯୁକ୍ତରାଷ୍ଟ୍ରରେ ଏନା ଜାର୍ଭିସ ନାମକ ଜଣେ ଆମେରିକୀୟ ମହିଳା ମାତୃ ଦିବସ ପାଳନ କରିଥିଲେ । ସେ ନିଜ ମାଆକୁ ବହୁତ ସମ୍ମାନ କରୁଥିଲେ ।

ଯେତେବେଳେ ମାଆଙ୍କର ମୃତ୍ୟୁ ହୋଇଥିଲା ସେ ନିଜ ଜୀବନ ମାଆ ପାଇଁ ଉତ୍ସର୍ଗ କରିଦେଇଥିଲେ । ପରେ 1914 ମସିହା ମେ’ 8 ତାରିଖରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଓ୍ବିଲସନ ମାତୃ ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହାପରେ ଆମେରିକୀୟ ସଂସଦରେ ଏହି ଆଇନ ପାରିତ ହୋଇଥିଲା । ସେହିଦିନଠାରୁ ମାତୃ ଦିବସ ପାଳନ କରାଯାଉଛି । ପରେ ପରେ ୟୁରୋପ, ଭାରତ ଓ ଅନ୍ୟ ଦେଶରେ ଏହାକୁ ସ୍ବୀକୃତି ମିଳିଲା ।

ଜାଣିଛନ୍ତି କି ସମସ୍ତଙ୍କ ପ୍ରିୟ ଆଳୁର ଇତିହାସ କ’ଣ…

ଭୁବନେଶ୍ଵର: ଆଳୁର ଇତିହାସ ଆଲୋଚନା କରିଲେ ଜଣାପଡ଼େ ଯେ, ଏହା ଏକ ବିଦେଶୀ ପରିବା l ଭାରତ ବାହାରୁ ଆସି ଭାରତରେ ଲୋକପ୍ରିୟତା ହାସଲ କରିଥିବା ପରିବା ହେଉଛି ଆଳୁ l ପ୍ରଥମେ ଦକ୍ଷିଣ ଆମେରିକାରେ ଆଳୁ ଚାଷ ହେଉଥିଲା ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ସେଠାରୁ ଏହା ଅନ୍ୟ ଦେଶମାନଙ୍କୁ ଯାଇଥିଲା । ଆମ ଭାରତବର୍ଷକୁ ସପ୍ତଦଶ ଶତାବ୍ଦୀରେ ଇଉରୋପୀୟ ମାନଙ୍କ ଦ୍ଵାରା ଆଳୁ ଆସିଥିଲା । ଅବଶ୍ୟ ଆଜି କାଲି ଭାରତବର୍ଷର ପ୍ରତ୍ୟେକ ରାଜ୍ୟରେ ଆଳୁ ଚାଷ କରାଯାଉଅଛି । ଯଦିଓ ମୁଖ୍ୟତଃ ଏହା ପରିବା ଭାବରେ ବ୍ୟବହାର କରାଯାଏ, ତଥାପି ଏହା ଏମିତି ଏକ ପରିବା ଯାହାକୁ ସମସ୍ତ ପ୍ରକାରର ତରକାରୀରେ ମିଶାଯାଇପାରିବ l

ସମୟର ତାଳେ ତାଳେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଆଳୁରୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି l ଦେଶରେ ଏକ ମୁଖ୍ୟ ପରିବା ରୂପେ ବ୍ୟବହୃତ ହେଉଅଛି । ଆଳୁ ଚାଷ କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହ। କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଳୁରୁ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୁଏ । ଅନେକ ସ୍ଥାନରେ ଆଳୁରୁ ଷ୍ଟାର୍ଚ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ତେବେ ଆଳୁକୁ ବିଦେଶୀ ପରିବା ଜାଣିବା ପରେ ଆପଣ ଭାବୁଥିବେ ନାଁ ମ ଏହା କେମିତି? କାରଣ ଆଳୁ ଆମ ଭାରତୀୟଙ୍କର ପ୍ରିୟ, ଆଳୁ ବିନା ଆମ ତିଅଣ ଅଧା। ହେଲେ ଏହା ସତ ଯେ ଆଳୁ ଏକ ବିଦେଶୀ ପରିବା, ଯାହା ଆମ ଦେଶର ଲୋକଙ୍କ ମନ ଜିଣି ନେଇ ରାଜ୍‌ କରୁଛି।

ରିପୋର୍ଟ ଅନୁଯାୟୀ, ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ଆଳୁ କଣ ଏହା କେବଳ ସାଉଥ ଆମେରିକାର ‘ପେରୁ’ର ଲୋକଙ୍କୁ ଜଣା ଥିଲା। କାରିବିଆନ୍ ଦ୍ୱୀପପୁଞ୍ଜରେ ଆଳୁ ଚାଷ ଆରମ୍ଭ ହୋଇଥିଲା। କେବଳ ଏତିକି ନୁହେଁ, ସେହି ସମୟ ମଧ୍ୟରେ ଆଳୁକୁ ‘କମାଟା ଓ ବଟାଟା’ ନାଁରେ ଚିହ୍ନା ଯାଉଥିଲା।  ଏହି ୧୬ଶ ଶତାବ୍ଦୀ ପରେ ସ୍ପେନରେ ପହଞ୍ଚିଥିଲା ​। ଏହା ସ୍ପେନ ଦେଇ ୟୁରୋପରେ ପ୍ରବେଶ କଲା। ଯେତେବେଳେ କଲମ୍ବସ୍ ସମଗ୍ର ବିଶ୍ୱରେ ଯାତ୍ରା ଆରମ୍ଭ କଲେ, ସେତେବେଳେ ସେ ସମୁଦ୍ର ମାଧ୍ୟମରେ ଆଳୁକୁ ପୃଥିବୀର ବିଭିନ୍ନ ମହାଦେଶକୁ ପରିବହନ କରିଥିଲେ। ୟୁରୋପରେ ପହଞ୍ଚିବା ପରେ ବାଟାଟାଙ୍କ ନାମ ପଟାଟୋରେ ପରିବର୍ତ୍ତିତ ହେଲା। ତେବେ ଏସବୁ ମଧ୍ୟରେ କିନ୍ତୁ ବିଶ୍ୱରେ ଆଳୁ ଚାଷର ପ୍ରାଥମିକ ପ୍ରମାଣ କାନାଡାରେ ମିଳିଥାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହା ୧୬୨୩ ରୁ ସେଠାରେ ଚାଷ କରାଯାଏ । ତା’ପରେ ବ୍ରିଟିଶ ଦ୍ୱୀପପୁଞ୍ଜରୁ ଆଳୁ ପୂର୍ବ ଦିଗକୁ ଗଲା ଏବଂ ଉତ୍ତର ୟୁରୋପରେ ବ୍ୟାପିଗଲା ।

୧୬୫୦ ସୁଦ୍ଧା ଆଳୁ ବେଲଜିୟମ, ନେଦରଲ୍ୟାଣ୍ଡ ଏବଂ ଲକ୍ସେମବର୍ଗରେ ପହଞ୍ଚିଥିଲା ​​। ୧୭୪୦ ସୁଦ୍ଧା ଜର୍ମାନୀ, ପ୍ରୁସିଆ ଏବଂ ପୋଲାଣ୍ଡରେ ପହଞ୍ଚିବା ପରେ ୧୮୪୦ ରୁଷରେ ପହଞ୍ଚିଥିଲା। କଲମ୍ବସ୍ ସମଗ୍ର ବିଶ୍ବରେ ଆଳୁକୁ ପରିଚିତ କରିଥିବା କୁହାଯାଉଥିଲେ ହେଁ ଭାରତକୁ ସେ ଆଳୁ ଆଣି ନଥିଲେ। ଭାରତକୁ ପର୍ତ୍ତୁଗାଲ ଓ ଡଚ୍‌ମାନେ ଆଳୁ ଆଣିଥିଲେ । ପ୍ରାୟ ଅଷ୍ଟାଦଶ ଶତାବ୍ଦୀରେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଆଳୁ ଚାଷ ଆରମ୍ଭ କରିବାର ନୀତି ଆପଣେଇଥିଲେ ବୋଲି ଜଣାପଡେ। ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆଳୁ ବ୍ୟବସାୟ ଲାଭଜନକ ହେବା ଦେଖି ପ୍ରାୟ ୧୮୦୦ ମସିହା ବେଳକୁ ଭାରତରେ ଆଳୁ ଚାଷ ଆରମ୍ଭ ହୋଇଥିଲା ।

ଯାହା ଫଳରେ ଭାରତରେ ବହୁଳ ଭାବରେ ଆଳୁଚାଷ ଆରମ୍ଭ ହୋଇଯାଇଥିଲା । ଭାରତର ଜନତା ମାନେ ବି ଆଳୁକୁ ପସନ୍ଦ କରିବାକୁ ଲାଗିଲେ । ଅନ୍ୟପଟେ କୁହାଯାଏ କି ଇଷ୍ଟ ଇଣ୍ଡିଆ କମ୍ପାନୀର ଆଳୁ ନୀତି ଅନୁଯାୟୀ, ବହୁ ପରିମାଣରେ ଆଳୁ ଉଦ୍ଭିଦକୁ ଚାଷୀଙ୍କୁ ଶସ୍ତା ମୂଲ୍ୟରେ ବିକ୍ରି କରାଗଲା ଏବଂ ଧୀରେ ଧୀରେ ଆଳୁ ପ୍ରତ୍ୟେକ କ୍ଷେତ୍ରରେ ଚାଷ କରାଯାଉଥିବା ଫସଲରେ ପରିଣତ ହେଲା । ଭାରତରେ ଆଳୁକୁ ପ୍ରୋତ୍ସାହିତ କରିବାର ଶ୍ରେୟ ୱାରେନ୍ ହାଷ୍ଟିଙ୍ଗ୍ସଙ୍କ  ନିକଟକୁ ଯାଇଥାଏ, ଯିଏ ୧୭୭୨ ରୁ ୧୭୮୫ ପର୍ଯ୍ୟନ୍ତ ଭାରତର ଗଭର୍ଣ୍ଣର ଜେନେରାଲ୍ ଥିଲେ। କାରଣ ତାଙ୍କ ସମୟରେ ଆଳୁ ଚାଷକୁ ପୋତ୍ସାହନ ମିଳିଥିଲା, ଯାହା ଫଳରେ ଭାରତରେ ଆଳୁ ଚାଷ ବଢିବାରେ ଲାଗିଲା। ଆଉ ଆଜି ଆଳୁ ହୋଇଯାଇଛି ପରିବା ମାନଙ୍କର ରାଜା।

ଅଜବ ଗଜବ: ଏହି ଦେଶରେ ଦାଢି କାଟିଲେ ମିଳେ ସଜା…

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ, ତାଲିବାନ ନୈତିକତା ପୋଲିସ ପୁରୁଷ ଏବଂ ସେମାନଙ୍କର ବାରିକମାନଙ୍କୁ ସେମାନଙ୍କର କେଶ ସଜ୍ଜା ପାଇଁ ଏବଂ ଅନ୍ୟମାନଙ୍କୁ ରମଜାନ ମାସର ପବିତ୍ର ମାସରେ ମସଜିଦରେ ନମାଜ ପାଠ ନକରିବା ପାଇଁ ଅଟକ ରଖିଛି। ଜାତିସଂଘର ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ତାଲିବାନ ସରକାର ଛଅ ମାସ ପୂର୍ବେ ଲୋକଙ୍କ ଆଚରଣକୁ ନିୟନ୍ତ୍ରଣ କରୁଥିବା ଆଇନ କାର୍ଯ୍ୟକାରୀ କରିଥିଲେ। ଆଫଗାନିସ୍ତାନର ଦୈନନ୍ଦିନ ଜୀବନର ଅନେକ ଦିଗକୁ କଭର କରୁଥିବା ଆଇନ ଗତ ଅଗଷ୍ଟରେ ପ୍ରକାଶିତ କରିଥିଲା ​​ ମନ୍ତ୍ରଣାଳୟ। ଏଥିରେ ସାର୍ବଜନୀନ ପରିବହନ, ସଙ୍ଗୀତ, କ୍ଷୌର ଏବଂ ଉତ୍ସବ ସହିତ ଜଡିତ ନିୟମ ଏବଂ ନିୟମାବଳୀ ଅନ୍ତର୍ଭୁକ୍ତ ଥିଲା।

ଅଗଷ୍ଟ ୨୦୨୩ରେ କାର୍ଯ୍ୟକାରୀ ହୋଇଥିବା ନୈତିକ ଆଇନ ହିଁ ଦେଶରେ ବ୍ୟକ୍ତିଗତ ଜୀବନ, ଧାର୍ମିକ ଆଚରଣ ଏବଂ ଜୀବନଶୈଳୀ ସହିତ ଜଡିତ ସ୍ୱାଧୀନତାକୁ ପ୍ରାୟ ସମାପ୍ତ କରିଦେଇଥିଲା । ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ଆଇନରେ ଅନେକ ପ୍ରକାରର ନିଷେଧ ଅନ୍ତର୍ଭୁକ୍ତ । ଏଥିରେ ସାର୍ବଜନୀନ ସ୍ଥାନରେ ମହିଳାଙ୍କ କଥାବାର୍ତ୍ତା ଉପରେ ପ୍ରତିବନ୍ଧକ, ମୁହଁ ନ ଘୋଡ଼ାଇବା ଉପରେ ଦଣ୍ଡ, ବିବାହ ଉତ୍ସବରେ ପୁରୁଷମାନେ ଲଣ୍ଡା ହେବା ଏବଂ ସଙ୍ଗୀତ ବଜାଇବା ଉପରେ ପ୍ରତିବନ୍ଧକ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ, ନୈତିକ ଆଇନ କାର୍ଯ୍ୟକାରୀ ହେବାର ପ୍ରଥମ ଛଅ ମାସ ମଧ୍ୟରେ କେବଳ ଦାଢ଼ିର ଲମ୍ବ ଏବଂ ଆଧୁନିକ କେଶ ସଜ୍ଜା ପାଇଁ ଅନେକ ଲୋକଙ୍କୁ ଅଟକ ରଖାଯାଇଥିଲା । ରମଜାନ ମାସରେ ତାଲିବାନ ଧାର୍ମିକ ଆଚରଣ ଏବଂ ସାମୂହିକ ପ୍ରାର୍ଥନା ଉପରେ ବିଶେଷ ଗୁରୁତ୍ୱ ଦେଉଥିଲା । ସେହି ସମୟରେ ଯେଉଁମାନେ ମସଜିଦକୁ ଯାଇ ନଥିଲେ, ସେମାନଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ଏହି ନୈତିକ ଆଇନଗୁଡ଼ିକ ମହିଳାମାନଙ୍କ ଉପରେ ଶିକ୍ଷା, ନିଯୁକ୍ତି ଏବଂ ପୋଷାକ ସଂହିତା ଉପରେ ପୂର୍ବରୁ ଥିବା କଟକଣାକୁ ଆହୁରି କଠୋର କରିଦେଇଥିଲା ।

ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ, ଏହି ଆଇନର ପ୍ରଭାବ କେବଳ ପୁରୁଷମାନଙ୍କ ମଧ୍ୟରେ ସୀମିତ ନୁହେଁ । ଏହି ଆଇନ ଯୋଗୁଁ, ଘରୋଇ ଶିକ୍ଷା କେନ୍ଦ୍ରଗୁଡ଼ିକ ବନ୍ଦ ହେବାକୁ ଯାଉଛି । ହେୟାର ଡ୍ରେସର ଏବଂ ଦର୍ଜି ଭାବରେ କାମ କରୁଥିବା ଲୋକମାନେ ଖରାପ ଭାବରେ ପ୍ରଭାବିତ ହେଉଛନ୍ତି । ରେଷ୍ଟୁରାଣ୍ଟ ଏବଂ ବିବାହ ଉତ୍ସବର ଆୟୋଜନକୁ ନିୟନ୍ତ୍ରଣ କରାଯାଉଛି । ଏସବୁ କାରଣରୁ, ସାଧାରଣ ନାଗରିକଙ୍କ ଆୟ ଏବଂ ନିଯୁକ୍ତି ସୁଯୋଗରେ ଏକ ବଡ଼ ହ୍ରାସ ଘଟିଛି । ବିଶ୍ୱ ବ୍ୟାଙ୍କ ଅନୁଯାୟୀ, କେବଳ ମହିଳାଙ୍କ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଯୋଗୁଁ ଆଫଗାନିସ୍ତାନ ପ୍ରତିବର୍ଷ ୧.୪ ବିଲିୟନ ଡଲାର ହରାଇପାରେ ।

ଭଡା ଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ରିସର୍ଚ୍ଚରେ ହେଲା ବଡ ଖୁଲାସା

ଭୁବନେଶ୍ଵର: ନୂଆ ଘର କିଣିବା ବା ତିଆରି କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ତେଣୁ ଅନେକ ଲୋକ ଭଡ଼ା ଘରେ ରହିଥାଆନ୍ତି। ତେବେ, ଭଡ଼ା ଘରେ ରହିବାରେ ଅନେକ ସମସ୍ୟା ରହିଥାଏ। ଘର ମାଲିକଙ୍କ କହିବା ଅନୁସାରେ ଚଳିବାକୁ ହୋଇଥାଏ। ବିଜୁଳି ଓ ପାଣି ବିଲ୍ ଆଦି ବଡ଼ କଷ୍ଟ ଦେଇଥାଏ। ନିଜ ଇଚ୍ଛା ଅନୁଯାୟୀ, ସେହି ଘରକୁ ସଜାଇବା ମଧ୍ୟ ସମ୍ଭବ ହୋଇନଥାଏ। ଭଡ଼ା ଘର ପ୍ରତି ସେପରି ଆତ୍ମୀୟତା ନଥାଏ କି ଆପଣାପଣ ଅନୁଭବ ହୋଇନଥାଏ। କହିବାକୁ ଗଲେ ଏକ ପ୍ରକାରର ଖୁସି ନଥାଏ।

ତେବେ, ଏବେ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଭଡ଼ାଘରେ ରହୁଥିବା ଲୋକଙ୍କ ଠାରେ ସମୟ ପୂର୍ବରୁ ବାର୍ଦ୍ଧକ୍ୟ ଲକ୍ଷଣ ଦେଖାଦିଏ। ଏ ସମ୍ପର୍କିତ ଏକ ରିପୋର୍ଟ ବ୍ରିଟିଶ୍ ମେଡିକାଲ ଜର୍ଣ୍ଣାଲ୍ ‘ଏପିଡେମୋଲୋଜି ଏବଂ କମ୍ୟୁନିଟି ହେଲଥ୍ ଜର୍ଣ୍ଣାଲ୍’ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଭଡ଼ାଘରର ବିଭିନ୍ନ ପ୍ରକାର ସମସ୍ୟା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଲୋକଙ୍କୁ ଚାପଗ୍ରସ୍ତ କରାଉଛି। ଏହା ଲୋକଙ୍କୁ ମେଦବହୁଳତା, ଧୂମପାନ ଓ ବେକାରୀ ସମସ୍ୟା ଅପେକ୍ଷା ଅଧିକ ପ୍ରଭାବିତ କରୁଛି। ଖାସ୍ ଏଥିପାଇଁ ଲୋକେ ଶୀଘ୍ର ବାର୍ଦ୍ଧକ୍ୟର ଶିକାର ହେଉଛନ୍ତି। ଘର ଭଡ଼ା ଟଙ୍କା ପାଇଁ କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ଏବଂ ଅଫିସକୁ ଭଡ଼ା ଘରରୁ ଆସିବା ଦୂରତ୍ୱ ଲୋକଙ୍କ ଉପରେ ପ୍ରବଳ ମାନସିକ ଚାପ ସୃଷ୍ଟି କରୁଛି।

ଗବେଷକମାନେ କହିଛନ୍ତି ଯେ, ଶରୀରକୁ ସୁସ୍ଥସବଳ ରଖୀବା କ୍ଷେତ୍ରରେ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ବ୍ୟତୀତ ବେକାରୀ ଭଳି ଅନ୍ୟ ସାମାଜିକ କାରଣ ସହିତ ଘରଭଡ଼ା ମଧ୍ୟ ବୟସ ଉପରେ ଅଧିକ ପ୍ରଭାବ ପକାଉଛି। ଏସବୁ ଦୃଷ୍ଟିରୁ ଦେଖୀବାକୁ ଗଲେ, ଯଦି କାହାର ନିଜର ଘର ଅଛି, ତେବେ ସେମାନଙ୍କ ଉପରେ ଅନେକ ପରିମାଣରେ ଚାପର ପ୍ରଭାବ କମିଯିବ। ଯଦି ଲୋକମାନଙ୍କୁ ଠିକ୍ ସମୟରେ ଏବ ଭଲ ଘର ମିଳିଯାଏ, ତେବେ ସେମାନେ ଅନେକ ଚିନ୍ତାରୁ ମୁକ୍ତ ହେବେ ଏବଂ ସେମାନଙ୍କୁ ମାନସିକ ଚାପର ସାମ୍ନା କରିବାକୁ ପଡ଼ିବ ନାହିଁ। ଏହି ଗବେଷଣାରେ ବ୍ରିଟେନରେ ରହୁଥିବା ୪୦ ହଜାର ଭଡ଼ାଟିଆଙ୍କୁ ସାମିଲ୍ କରାଯାଇଥିଲା।

ଅଜବ ଗାଁ, ଯେଉଁଠାରେ ପ୍ରତ୍ୟେକ ପୁରୁଷ ୨ଟି ସ୍ତ୍ରୀ ରଖିବାକୁ ବାଧ୍ୟ

ଭୁବନେଶ୍ଵର: ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ ହେଉଛି ଭାରତ। ଏଠରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ହେଲେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ଏହି ରାଜ୍ୟର ସାଂସ୍କୃତିକ ଏବଂ ସାମାଜିକ ବିବିଧତା ମଧ୍ୟ ଆଶ୍ଚର୍ଯ୍ୟଜନକ। ଏଠାରେ ଏମିତି କିଛି ରୀତିନୀତି ପ୍ରଚଳିତ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସବୁ ପରେ ବି ଆମେ ଜାଣିଛନ୍ତି ଭାରତରେ ବିବାହ ବନ୍ଧନକୁ ଅବିସ୍ମରଣୀୟ ଏବଂ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ। କିନ୍ତୁ ଜାଣନ୍ତି କି ରାଜସ୍ଥାନରେ ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ସ୍ବାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଅନୁମତି ଦିଆଯାଇଛି। ଆଉ ଏହାକୁ ମଧ୍ୟ ସମସ୍ତେ ଗ୍ରହଣ କରିନିଅନ୍ତି। ସମସ୍ତ ପକ୍ଷଙ୍କ ସହମତିରେ, ବ୍ୟକ୍ତି ଦ୍ୱିତୀୟ ବିବାହ କରିଥାନ୍ତି। ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଆାସୁଥିବ ଯେ ଏମିତି ଦ୍ୱିତୀୟ ବିବାହ କରିବାର କାରଣ କ’ଣ? ଆସନ୍ତୁ ଜାଣିବା ଏହା ସମ୍ପର୍କରେ । ରାଜସ୍ଥାନର ବାରମର୍‌ ଜିଲାରେ ଏକ ଗାଁ ଅଛି, ଯେଉଁଠାରେ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ସ୍ବାମୀ ଦ୍ୱିତୀୟ ବିବାହ କରିବାକୁ ଲାଇସେନ୍ସ ପାଇଥା’ନ୍ତି।  ଏହି ଗାଁର ନାମ ହେଉଛି ଡେରାସର। ଏହି ବାରମର୍‌ ଗାଁଟି ମରୁଭୂମି ଅଞ୍ଚଳରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ। ବାରମର୍‌ ଜିଲାର ଅଧିକାଂଶ ଅଞ୍ଚଳ ମରୁଭୂମି ପୂର୍ଣ୍ଣ ।

ଏଠାରେ ଥିବା ଗାଁ ଗୁଡ଼ିକରେ ଜଳର ଅଭାବ ଦେଖାଦେଇଥାଏ। ଗ୍ରୀଷ୍ମ ଋତୁରେ, ଏଠାକାର ପରିସ୍ଥିତି ଏତେ ଖରାପ ହୋଇଯାଏ ଯେ କହିଲେ ନ ସରେ। ହେଲେ ଡେରାସର ଗାଁରେ ମହିଳାମାନେ ସାଧାରଣତଃ ପାଣି ଆଣିବା କାମ କରନ୍ତି। ଏଥିପାଇଁ ସେମାନଙ୍କୁ ନିଜ ଘରଠାରୁ ବହୁତ ଦୂରରେ ଯିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ମହିଳାମାନେ ଗର୍ଭବତୀ ହୁଅନ୍ତି, ସେମାନଙ୍କ ପକ୍ଷେ ପାଣି ଆଣିବା ସମ୍ଭବ ନୁହେଁ। ତେଣୁ ଏହି ସମସ୍ୟାର ମୁକାବିଲା ପାଇଁ ପୁରୁଷମାନେ ଦ୍ୱିତୀୟ ବିବାହ କରିଥାନ୍ତି। ସେଥିପାଇଁ ଜଣେ ବିବାହିତ ପୁରୁଷ ତାଙ୍କ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ଦ୍ୱିତୀୟ ଥର ବିବାହ କରନ୍ତି। ଫଳରେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ ବିଶ୍ରାମ ପାଇବାର ସୁଯୋଗ ପାଇଥାନ୍ତି। ଦ୍ୱିତୀୟ ସ୍ତ୍ରୀ ଘରର ଦୈନନ୍ଦିନ କାମ ସହ ପାଣି ଆଣିବା ପାଇଁ ଦୂରକୁ ଯାଇଥାନ୍ତି।