
ଭୁବନେଶ୍ଵର: ଆଣ୍ଡାମାନ ସାଗରରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କେରଳରେ ମୌସୁମୀ ସକ୍ରିୟ ହୋଇଯିବ । ଯଦି ସବୁ ଠିକଠାକ ରୁହେ ଜୁନ୍ ଦ୍ବିତୀୟ ସପ୍ତାହରେ ଓଡ଼ିଶା ମୌସୁମୀର ପ୍ରଥମ ସ୍ପର୍ଶ ପାଇବ ।
ଆଇଏମଡିର ସୂଚନାନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକୁ ମୌସୁମୀର ଅଗ୍ରଗତି ପାଇଁ ବାୟୁମଣ୍ଡଳ ଏବଂ ଅନ୍ୟାନ୍ୟ ପରିସ୍ଥିତି ଅତ୍ୟନ୍ତ ଅନୁକୂଳ ରହିଛି । ଫଳସ୍ୱରୂପ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପର ଅନେକ ଅଂଶରେ ମଧ୍ୟମରୁ ପ୍ରବଳ ବର୍ଷା, ଝଡ଼ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି । ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ । ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି ।
ଏବର୍ଷ ମୌସୁମୀ ବାୟୁ ଭାରତରେ ସଅଳ ପ୍ରବେଶ କରିଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା, ଏବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରତିବର୍ଷ ମୌସୁମୀ ପ୍ରାୟତଃ ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ । ଏବର୍ଷ ଆଗୁଆ ଆସିବା ସମ୍ଭାବନା ରହିଛି ।