
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଦେଶକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ବିବାଦ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇଥିଲେ । ସେନାର ପ୍ରଶଂସା କରିବା ସମୟରେ ସେ କହିଥିଲେ ଯେ ଆମ ସେନା ପାକିସ୍ତାନ ଏବଂ ଏହାର ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଛି । ତେବ ଆଜି ସେନାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଭୋର ସମୟରେ ଆଦମପୁର ଏୟାରବେସରେ ପହଞ୍ଚିଥିଲେ। ଏଠାରେ ସେ ସେନା କର୍ମଚାରୀଙ୍କୁ ଭେଟିଥିଲେ ଏବଂ ଅପରେସନ୍ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର ଏୟାରବେସ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପାକିସ୍ତାନ ଦାବି କରିଥିଲା ଯେ, ଏହି ଏୟାରବେସକୁ ସେ ଉଡାଇଦେଇଛି ବୋଲି । ଦେଶକୁ ସମ୍ବୋଧିତ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ଥାନରେ ପହଞ୍ଚି ସେନା ସୈନିକଙ୍କ ସହ ସାକ୍ଷାତ କରିଥିଲେ।
ଅନ୍ୟପଟେ ଆଦମପୁରେ ଭାରତୀୟ ସେନାଙ୍କୁ ସମ୍ବୋଧନ କରି ଆତଙ୍କବାଦ ଏବଂ ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ । ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ପାକିସ୍ତାନର କଳଙ୍କିତ କାମ ପାଇଁ ଦେଲେ ଚେତାବନୀ । କହିଲେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଯାଇ ଭାରତ ୩ ଦିନରେ ପାକିସ୍ତାନକୁ ଧ୍ବଂସ କରିଦେଲା । ସେମାନେ ସୀମାରେ ହମଲା କରିଥିଲେ କିନ୍ତୁ ପାକିସ୍ତାନର ଛାତି ଉପରେ ହମଲା କଲା ଭାରତ । ଆକ୍ରମଣ ପରେ ଭୟଭୀତ ପାକିସ୍ତାନ ବିଶ୍ବର ଶରଣ ପଶିଲା । ଡରରେ ଯେବେ ପାକିସ୍ତାନ କହିଲା ଆତଙ୍କୀ ଗତିବିଧି କରିବନି ସେତେବେଳେ ଆମେ ଅସ୍ତ୍ରବିରତି ପାଇଁ ସହମତି ହେଲୁ । କିନ୍ତୁ ଆତଙ୍କବାଦ ବିରୋଧରେ ଏ ଅଭିଯାନ ଜାରି ରହିବ । ଭାରତ ନିଜ ଅନୁସାରେ ଜବାବ ଦେବ । ଭାରତର ୩ ସେନା ଲଗାତାର ଆଲର୍ଟ ରହିଛନ୍ତି । ଭାରତ ଉପରେ ଆତଙ୍କୀ ହମଲା ହେଲେ ଆମେ ଆମ ଶୈଳୀରେ ପ୍ରତିଶୋଧ ନେବୁ ବୋଲି କହିଛନ୍ତି ମୋଦୀ ।
ଅପରେସନ ସିନ୍ଦୂର ଜରିଆରେ ଦୁନିଆ ପାକିସ୍ତାନର ଘୃଣ୍ୟ ଦୃଶ୍ୟ ଦେଖିଲା । ପାକ୍ ସେନାବାହିନୀ ଆତଙ୍କୀଙ୍କ ଶେଷକୃତ୍ୟରେ ସାମିଲ ଥିଲେ । ଯୁଦ୍ଧର ମୈଦାନରେ ଆମେ ପାକିସ୍ତାନକୁ ଧୂଳି ଚଟାଇଛୁ । ପରମାଣୁ ଧମକ ଭାରତ ସହ୍ୟ କରିନି, ଜବାବ ଦେଇଛି । ଆତଙ୍ଗବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି । ପାକ ସେନା ଆତଙ୍କୀକୁ ଖାଇବା ପିଇବା ଦେଉଛନ୍ତି । ହେଲେ ସମୟ ଆସିବ ସେହି ଆତଙ୍କୀ ସେମାନଙ୍କୁ ଖାଇଯିବେ । ତେବେ ପାକିସ୍ତାନକୁ ଚେତାବନୀ ଦେଇ ମୋଦୀ କହିଛନ୍ତି ଭାରତ ସହ ଏସବୁ ଚାଲିବନି । ପାକିସ୍ତାନକୁ ଖୋଲା ଚେତାବନୀ ଦେଇ ମୋଦୀ କହିଲେ, ଟେରର ଆଉ ଟକ୍ ଏକା ସାଙ୍ଗରେ ଚାଲିବନି । ଟେରର ଆଉ ଟ୍ରେଡ୍ ଏକା ସାଙ୍ଗରେ ହେବନି । ପାଣି ଆଉ ରକ୍ତ ବି ଏକା ସାଙ୍ଗରେ ବହିବନି । ପାକିସ୍ତାନ ସାଙ୍ଗରେ କଥା ମାନେ ଆତଙ୍କବାଦ ଉପରେ ହିଁ ହେବ । ପାକିସ୍ତାନ ସାଙ୍ଗରେ କଥା କେବଳି ପିଓକେ ଉପରେ ହେବ ।