November 4, 2025

କାହିଁକି ହୁଏ ଅଂଶୁଘାତ, କେମିତି ପାଇବେ ରକ୍ଷା

ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ଅସହ୍ୟ ହେବାରେ ଲାଗିଛି। ଆଉ ଏହି ତାପମାତ୍ରା ଦେଖି ଲୋକେ ଏବେ ଘରୁ ବାହାରିବାକୁ ବି ଡରିଲେଣି। ତେବେ ତାପମାତ୍ରାକୁ ନେଇ ଲୋକଙ୍କ ମନରେ ଅଂଶୁଘାତର ଭୟ ମଧ୍ୟ ରହିଛି। ତେଣୁ ଆସନ୍ତୁ ଜାଣିବା, ଅଂଶୁଘାତ କ’ଣ, ଏହାର ଲକ୍ଷଣ ଏବଂ ଅଂଶୁଘାତ ହେଲେ କ’ଣ କରିବେ।

ସାଧାରଣ ଭାଷାରେ ହିଟ୍ ଷ୍ଟ୍ରୋକକୁ ଅଂଶୁଘାତ ବୋଲି କୁହାଯାଏ । ଅତ୍ୟଧିକ ତାପମାତ୍ରା କାରଣରୁ ଶରୀର ଉତ୍ତାପକୁ ନିୟନ୍ତୟଣ କରିପାରେନାହିଁ । ଏହି ସମୟରେ ଲୋକଙ୍କୁ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍ ହୁଏ । ହିଟ୍ ଷ୍ଟ୍ରୋକ୍ ହେବାର ୧୦ରୁ ୧୫ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିର ଶରୀର ସାଧାରଣ ତାପାମତ୍ରାକୁ ଆସିବା ଆବଶ୍ୟକ, ନହେଲେ ମୃତ୍ୟୁବରଣ ହେବାର ସମ୍ଭାବନା ଥାଏ ।

ଅଂଶୁଘାତର ଲକ୍ଷଣ: 

ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧ, ଜ୍ୱର, ବାନ୍ତି , ଚର୍ମର ନାଲି ପଡିବା , ହୃଦସ୍ପନ୍ଦନ ବା ହାର୍ଟ ବିଟ୍ ବଢିଯିବା ଚର୍ମ ନରମ ହେବା ଏବଂ ଶୁଷ୍କ ଦେଖାଯିବ ।

ଅଂଶୁଘାତରୁ ବର୍ତ୍ତିବା ପାଇଁ କଣ କରିବେ? :

  • ନିଜକୁ ହାଇଡ୍ରେଟ୍ ରଖନ୍ତୁ ବା ସଠିକ୍ ମାତ୍ରାରେ ପାଣି ପିଅନ୍ତୁ ।
  • ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ ।
  • ଯାତ୍ରା ସମୟରେ ପାଣି ଏବଂ ପିଆଜ ପାଖରେ ରଖନ୍ତୁ ।
  • ଘରୁ ବାହାରକୁ ଯିବାବେଳେ ଚଷମା, ଛତା କିମ୍ବା କ୍ୟାପ୍, ଜୋତା କିମ୍ବା ଚପଲ ବ୍ୟବହାର କରନ୍ତୁ ।
  • ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।
  • ମଦ, ଚା, କଫି ଏବଂ କୋଲ୍ଡ ପାନୀୟର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଏଗୁଡିକ ଡିହାଇଡ୍ରେସନ୍ ସୃଷ୍ଟି କରେ ।
  • ଛୋଟ ପିଲାମାନଙ୍କୁ କିମ୍ବା ଗୃହପାଳିତ ପଶୁମାନଙ୍କୁ ବନ୍ଦ ଗାଡିରେ ଛାଡନ୍ତୁ ନାହିଁ , ଆଉ ଯଦି ଛାଡୁଛନ୍ତି ସେଥିରେ ଏସି ଥିବା ଦରକାର ।
  • ଯଦି ଆପଣ ଦୁର୍ବଳ କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି, ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ।
  • ଦହି, ପଇଡ, ଲେମ୍ବୁ ରସ, ତୋରାଣି ପାଣି, ଖାଲି ପାଣି ଆଦି ଉପଯୁକ୍ତ ମାତ୍ରାରେ ପିଆନ୍ତୁ । ଏହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ ।
  • ପଶୁମାନଙ୍କୁ ଛାଇରେ ରଖନ୍ତୁ ଏବଂ ସେମାନଙ୍କୁ ପିଇବା ପାଇଁ ପର‌୍ୟ୍ୟାପ୍ତ ପରିମାଣର ପାଣି ଦିଅନ୍ତୁ ।
  • ଘରକୁ ଥଣ୍ଡା ରଖନ୍ତୁ ।

ଅଂଶୁଘାତ ହେଲେ କ’କରିବେ?:

  • ବ୍ୟକ୍ତିଙ୍କୁ ଛାଇ କିମ୍ବା ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ । ପ୍ରଥମେ ଶରୀରକୁ ଥଣ୍ଡା କରିବାକୁ ଚେଷ୍ଟା କରନ୍ତୁ ।
  • ଶରୀରର ତାପମାତ୍ରା ହ୍ରାସ କରିବାକୁ, ତାଙ୍କ ମୁଣ୍ଡରେ ପାଣି ଢାଳନ୍ତୁ ।
  • ବ୍ୟକ୍ତିଙ୍କୁ ଓଆରଏସ୍ , ପଇଡ ପାଣି, କିମ୍ବା ଗ୍ଳୁକୋଜ୍ ପାଣି ପିଇବାକୁ ଦିଅନ୍ତୁ ।
  • ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ ।

ଅକ୍ଷୟ ତୃତୀୟା ପୂର୍ବରୁ ଖୁସି ଖବର, କମିଲା ସୁନା ଦର

ଭୁବନେଶ୍ଵର: ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ଅକ୍ଷୟ ତୃତୀୟା ପୂର୍ବରୁ ଶସ୍ତା ହେଲା ସୁନା । ଗତକାଲି ଗ୍ରାହକଙ୍କୁ ଚମକାଇ ଦେଇଥିଲା ସୁନା ଦର । ହେଲେ ଆଜି ଗ୍ରାହକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସୁନା ଦର ଲକ୍ଷେ ଛୁଇଁ ଥିବା ବେଳେ ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଗତକାଲି ତୁଳନାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୭୫୦ ଟଙ୍କା ହ୍ରାସ ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନା ୩୦୦୦ ଟଙ୍କା କମିଛି ।

ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧,୦୧,୩୫୦ ରହିଥିବା ବେଳେ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୯୮,୩୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ଦର ଗତକାଲି ୯୨,୯୦୦ ଟଙ୍କା ଥିବା ବେଳେ ଆଜି ୯୦,୧୫୦ ଟଙ୍କା ରହିଛି । ତେବେ ଆଜି ରୂପା ଧାତୁ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ରୂପା କେଜି ୧,୧୧,୦୦୦ ଟଙ୍କାରେ ପହଞ୍ଚିଛି ।

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ । ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।

ଭୟରେ ଥରହର ପର୍ଯ୍ୟଟକ, ଛାଡୁଛନ୍ତି ଜାମ୍ମୁ କାଶ୍ମୀର

ନୂଆଦିଲ୍ଲୀ: ପହଲଗାମରେ ହମଲା ପରେ ପର୍ଯ୍ୟଟକଙ୍କ ଭିତରେ ଦେଖା ଦେଇଛି କୋକୁଆ ଭୟ । କାଲିର ଘଟଣାରେ ଭୟରେ କାଶ୍ମୀର ଛାଡ଼ୁଛନ୍ତି ପର୍ଯ୍ୟଟକ । ଶ୍ରୀନଗର ବିମାନବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼। ଏୟାର ଇଣ୍ଡିଆ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ଶ୍ରୀନଗରରୁ ମୁମ୍ବାଇ ଓ ଦିଲ୍ଲୀ ଫେରିବେ ପର୍ଯ୍ୟଟକ।

କାଲିର ଘଟଣାକୁ ନେଇ ପର୍ଯ୍ୟଟକଙ୍କ ଭିତରେ ଭୟ ଦେଖା ଦେଇଛି। ବୁଲିବାକୁ ଆସିଥିବା ବେଳେ ଅନେକ ପର୍ଯ୍ୟଟକଙ୍କ କିପରି ଆତଙ୍କବାଦୀ ଗୁଳି କରି ମାରିଦେଲେ ତାକୁ ଭାବି ନିଜ ନିଜ ଘରକୁ ଯିବାକୁ ବାହାରିପଡ଼ିଛନ୍ତି ପର୍ଯ୍ୟଟକ। ସେପଟେ ସାମ୍ନାକୁ ଆସିଛି ଜଣେ ଆତଙ୍କବାଦୀର ଫଟୋ । ହାତରେ ବନ୍ଧୁକ ଧରିଥିବା ଏକ ଆତଙ୍କୀର ଫଟୋ ଏବେ ସାମ୍ନାକୁ ଆସିଛି । ଅନ୍ୟପଟେ ପହଲଗାମ୍ ହାମ୍‌ଲା ଆତଙ୍କୀଙ୍କ ସ୍କେଚ୍ ଜାରି କରାଯାଇଛି । ସୁରକ୍ଷା ଏଜେନ୍ସି ପକ୍ଷରୁ ୩ ଜଣ ଆତଙ୍କୀଙ୍କ ସ୍କେଚ୍ ଜାରି କରାଯାଇଛି । ସେହି ୩ ଆତଙ୍କୀ ହେଉଛନ୍ତି ଅସିଫ୍ ଫୋଜି, ସୁଲେମାନ୍ ଶା ଓ ଅବୁ ତଲ୍ଲାର ।

ସେପଟେ ଆଜି ସନ୍ଧ୍ୟା ୬ଟାରେ ବସିବ ସିସିଏସ୍‌ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭନବରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍ ମୋଦୀ । ତେବେ ବୈଠକରେ ହମ୍‌ଲା ବିରୋଧରେ କଠୋର ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳିଛି । ସେହିପରି ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି । ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କରିଛନ୍ତି ଜାମ୍ମୁ କାଶ୍ମୀର ସରକାର ।

କେବେ ଥମିବ ଆତଙ୍କୀ ହାମଲା ? ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧର୍ମ ପାଇଁ ହତ୍ୟା…

ନୂଆଦିଲ୍ଲୀ: ଯୁଆଡେ ଦେଖିବ ଖାଲି ରକ୍ତ ଆଉ ରକ୍ତ । କିଏ ପୁଅକୁ ହରାଇ ବୁକୁ ଫଟାଇ କାନ୍ଦୁଛି ତ କିଏ ସ୍ଵାମୀକୁ ହରାଇ ଚେତା ହରାଉଛି । ଆଉ ଏ ସବୁକୁ ଦେଖି ମନେ ପଡିଯାଉଛି ୧୪ ଫେବୃୟାରୀ ୨୦୧୯ ମସିହାରେ ସେହି ପୁଲୱାମା ଘଟଣା ଆଉ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା । ବିନା ଦୋଷରେ ଚାଲିଗଲା ଅନେକ ନିରିହ ଲୋକଙ୍କ ଜୀବନ । ଗତକାଲି ଜାମ୍ମୁ କାଶ୍ମୀର ପାହାଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ସତେ ଯେମିତି ଛାତି ଥରେଇ ଦେଇଛି ପ୍ରତ୍ୟକଟି ଭାରତୀୟଙ୍କର । ଏବେ ପ୍ରକୃତିର ଭୂସ୍ଵର୍ଗ ପାଲଟିଥିବା ଜାମ୍ମୁ କାଶ୍ମୀରକୁ ବି ପର୍ଯ୍ୟଟକ ଯିବାକୁ ଥରହର ହେଲେଣି । ତେବେ କହିରଖୁଛୁ ଯେ ଏହି ଆତଙ୍କୀ ହାମଲା କୌଣସି ଶତୃତା କି କୌଣସି ଅନ୍ୟ କାରଣ ପାଇଁ ନୁହେଁ ବରଂ ଧର୍ମ ପାଇଁ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଆଉ କେତେ ଦିନ……..

ଆଉ କେତେ ଦିନ ଆତଙ୍କୀଙ୍କ ହାତରେ ଏମିତି ଯାଉଥିବ ନିରିହ ଲୋକଙ୍କ ଜୀବନ ? ଆଉ କେତେ ଦିନ ସର୍ବଧର୍ମ ସମନ୍ଵୟର ନାଁ ନେଇ ଏମିତି ଧର୍ମ ପାଇଁ ପ୍ରାଣ ହରାଉଥିବା ସାଧାରଣ ଲୋକ ? ଭାରତ… ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ସାରା ବିଶ୍ଵରେ ପରିଚିତ । କିନ୍ତୁ ଆତଙ୍କୀଙ୍କ ଏହି କାରନାମା କଣ ସତରେ ଭାରତକୁ ଧର୍ମ ନିରପେକ୍ଷ କରି ରଖିବ ନା ହିନ୍ଦୁ ଜାତି ଲୋପ ପାଇଯିବ । ଗତବର୍ଷ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ମାନେ ରାଜ୍ୟ ରାଜ୍ୟ ବୁଲି ପ୍ରଚାର କରିଥିଲେ ଦେଶରୁ ଆତଙ୍କୀ ଲୋପ ପାଇବେ । ଏବେ ସାଧାରଣରେ ପ୍ରଶ୍ନ ଉଠିବା ସ୍ଵଭାବିକ ଯେ ସତରେ କଣ ଏମିତି ହେବ ? ସତରେ ଆଗକୁ କଣ ଆଉ କୌଣସି ଆତଙ୍କୀ ଆକ୍ରମଣରେ ସାଧାରଣ ଜନତା ହେଉ କି ଯବାନ କାହାର ଜୀବନ ଯିବନି ? ବେଳେ ବେଳେ ରାଜନେତାଙ୍କ ପ୍ରଚାରକୁ ଦେଖିଲେ ଏସବୁ ସତ ଲାଗେ କିନ୍ତୁ ପୁଣି ଥରେ ମନେ ପଡିଯାଏ ଇତିହାସର ସେହି କଳା ଦିନ ଗୁଡିକ । ଆଉ ମନେ ପଡିଗଲେ ଶିହରି ଉଠେ ଦେହ ।

ମାତ୍ର ୫ ଦିନ ପୂର୍ବେ, ଅର୍ଥାତ୍ ଏପ୍ରିଲ ୧୬, ୨୦୨୫ ରେ ବିବାହ କରିଥିଲେ ହରିୟାଣା କର୍ଣ୍ଣାଲର ବାସିନ୍ଦା ଲେଫ୍ଟନାଣ୍ଟ ନରୱାଲ । ନରୱାଲ କୋଚିରେ ନୌସେନାରେ କାର୍ଯ୍ୟରତ ଥିଲେ। ସେ ନିଜର ନବବିବାହିତା ପତ୍ନୀଙ୍କ ସହ କାଶ୍ମୀର ଭ୍ରମଣରେ ଆସିଥିଲେ । କିନ୍ତୁ କିଏ ଜାଣିଥିଲା ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହେବ । ବାହାଘର ସପ୍ତାହେ ନ ପୁରୁଣୁ ଲିଭିଗଲା ନବବିବାହିତ ମହିଳାଙ୍କ ମଥାର ସିନ୍ଦୁର । ଉଭୟଙ୍କ ହନିମୁନ୍ ସତେ ଯେମିତି ପାଲଟିଗଲା ଅମାବାସ୍ୟାର ରାତି । କେବଳ ଲେଫ୍ଟନାଣ୍ଟ ନରୱାଲ ନୁହେଁ ଏହି ଆକ୍ରମଣରେ ତାଙ୍କ ସମେତ ଅନ୍ୟ ୨୬ ଜଣ ମଧ୍ୟ ନିହତ ହୋଇଛନ୍ତି । ଆଉ ସେହି ୨୬ ଜଣଙ୍କ ମଧ୍ୟରୁ ଜଣେ ଓଡିଶାର ପର୍ଯ୍ୟଟକ ମଧ୍ୟ ଅଛନ୍ତି । ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ।  ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ ।  ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ତେବେ ଏହାକୁ କାଶ୍ମୀରର ସାମ୍ପ୍ରତିକ ଇତିହାସରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।

ଆଜିଠାରୁ ରାଜ୍ୟବ୍ୟାପୀ ସମସ୍ତ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ଵର: ଆଜିଠାରୁ ରାଜ୍ୟବ୍ୟାପୀ ସମସ୍ତ ସ୍କୁଲ, କଲେଜ ବନ୍ଦ । ଗ୍ରୀଷ୍ମ ପ୍ରବାହ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ନେଇ ନିର୍ଦ୍ଦେଶ ଜାରି । ଯେଉଁ ଛାତ୍ରଛାତ୍ରୀମାନେ ଚାହିଁବେ ସେମାନେ ହଷ୍ଟେଲରେ ରହିପାରିବେ । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକମାନେ ଉପଲବ୍ଧ ରହିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆଜିଠାରୁ ସରକାର ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ , ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଏପ୍ରିଲ ୨୩ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । କୌଣସି ପରୀକ୍ଷା ପ୍ରଭାବିତ ହେବ ନାହିଁ । ପୂର୍ବସୂଚୀ ଅନୁସାରେ ପରୀକ୍ଷା କରାଯିବ । ଅଙ୍ଗନବାଡ଼ି ପିଲାଙ୍କ ପାଇଁ ଖାଦ୍ୟ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ବନ୍ଦ ଠିକ୍ ଭାବେ ଚାଲିଚି କି ନାହିଁ ତା’ର ତଦାରଖ କରିବେ ଜିଲ୍ଲାପାଳ ।

ପରଲୋକରେ ଧର୍ମଗୁରୁ ପୋପ୍ ଫ୍ରାନସିସ

ନୂଆଦିଲ୍ଲୀ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କ ପରଲୋକ । ୮୮ ବର୍ଷ ବୟସରେ ଭାଟିକାନ୍ ସିଟିରେ ତାଙ୍କର ବିୟୋଗ ହୋଇଛି । ଗତ କିଛି ଦିନ ହେଲା ପୋପ୍ ବ୍ରୋଙ୍କାଇଟିସରେ ପୀଡ଼ିତ ଥିବା ସୂଚନା ମିଳିଛି । ତେବେ ଇଷ୍ଟର ଶୁଭେଚ୍ଛା ଜଣାଇବା ପରେ ପରେ ତାଙ୍କର ବିୟୋଗ ହୋଇଛି।

ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ପରେ ପୋପ୍ ହୋଇଥିଲେ ଫ୍ରାନସିସ୍ । ୨୦୧୩ରେ ସେ ଦାୟିତ୍ଵ ନେଇଥିଲେ ଏବଂ ୧୨ ବର୍ଷ ଧରି ପୋପ୍ ଥିଲେ । ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଫ୍ରାନ୍ସିସ ଥିଲେ। ପୋପ୍ ଫ୍ରାନ୍ସିସ୍ ଗୋଟେ ଦିନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସହିତ ସାକ୍ଷାତ କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଦୁନିଆର ଖ୍ରୀଷ୍ଟଧର୍ମାବଲମ୍ବୀ ଶୋକରେ ବୁଡିଛନ୍ତି ।

ଗତ କିଛିଦିନ ତଳେ ବ୍ରୋଙ୍କାଇଟିସରେ ପୀଡିତ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କର ଉଭୟ ଫୁସଫୁସ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। 

ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନା ରୂପା ଦର, ଖୁବ୍ ଶୀଘ୍ର ଛୁଇଁବ ଲକ୍ଷେ

ଭୁବନେଶ୍ଵର: ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନା ରୂପା ଦର । ରୂପା ଲକ୍ଷେ ଟଙ୍କା ଛୁଇଁଥିବା ବେଳେ ସୁନା ମଧ୍ୟ ଲକ୍ଷେ ପାଖାପାଖି । ଭୁବନେଶ୍ଵରରେ ପ୍ରଥମ ଥର ପାଇଁ ୯୮ ହଜାର ପାର କରିଛି ସୁନା ଦର । ସେହିପରି ରୂପା ଦର ମଧ୍ୟ ଲକ୍ଷେ ପାର୍ କରିଛି । ଆଜି ଭୁବନେଶ୍ୱରରେ ୭୦୦ ଟଙ୍କା ବଢିଛି ସୁନା ଦର। ଏହାସହ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୮ ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ସେହିପରି ୯୦ ହଜାର ପାର କରିଛି ୨୨ କ୍ୟାରେଟ୍ ସୁନା। ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ୧୫୦ ଟଙ୍କା ହୋଇଛି। 

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮, ୩୫୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ,୧୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୫୦୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୩୦୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮, ୩୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦,୧୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୭, ୫୮୦ ଓ ୮୯ ,୪୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା କିଲୋ ପ୍ରତି ଦାମ୍ ଏକ ଲକ୍ଷ ଏଗାର ହଜାର ଟଙ୍କା ହୋଇଛି। ବିବାହ ସିଜିନରେ ରୁପା ଓ ସୁନାର ଦର ବୃଦ୍ଧି ଗ୍ରାହକଙ୍କ ପକେଟକୁ ବେଶ୍ ବାଧୁଛି। ଯାହା ଆକଳନ କରାଯାଉଛି ଏହି ସପ୍ତାହେ ଭିତରେ ସୁନା ୧୦ ଗ୍ରାମ ପିଛା ଲକ୍ଷେ ଟପିଯିବ।

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ । ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ ନୀତି । ଭିତର କାଠ ନିକଟରେ ରକ୍ତ ପଡିଥିବାରୁ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ନୀତି ସରିବା ପରେ ସାଧାରଣ ଦର୍ଶନ ନୀତି ସ୍ବାଭାବିକ ହୋଇଛି। ଆଜି ସକାଳେ ମଙ୍ଗଳା ଆଳତୀ ପରେ ଅବକାଶ ନୀତି ହୋଇଥିଲା।

ଏହି ସମୟରେ ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଛିବାର ନଜରକୁ ଆସିଥିଲା। ଜଣେ OSAP ଯବାନଙ୍କ ଗୋଡ଼ରେ କାଚ ପଶିଯିବା ଯୋଗୁଁ ରକ୍ତ ପଡ଼ିଥିଲା। ତେଣୁ କରାଯାଇଥିଲା ମହାସ୍ନାନ। ଏଥିପାଇଁ ୮ ଟା ୧୦ ରୁ ୯ଟା ୧୦ ଯାଏ” ସାଧାରଣ ଦର୍ଶନ ବନ୍ଦ ଥିଲା। ମହାସ୍ନାନ ପରେ ନୀତି ସ୍ଵାଭାବିକ ଭାବେ ଚାଲିଛି।

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ ଯଦି କେହି ସେବାୟତ କି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବଶତଃ ଶରୀରରୁ ରକ୍ତ ପଡେ କିମ୍ବା ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇଥାଏ ।

ଲାଲବାହିନୀକୁ ବଡ଼ ଝଟକା, ଟଳିଲେ ୮ ନକ୍ସଲ

ବୋକାରୋ: ଝାଡ଼ଖଣ୍ଡରେ ଲାଲବାହିନୀକୁ ବଡ଼ ଝଟକା। ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିହତ। ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୋକାରୋ ଜିଲ୍ଲା ଲୁଗୁ ପାହାଡ଼ରେ ଏନକାଉଣ୍ଟର ହୋଇଥିଲା। ବହୁ ବନ୍ଧୁକ, ରାଇଫଲ୍ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଏବେ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କେହି ମୃତାହତ ହୋଇନାହାନ୍ତି।

ସୂଚନା ଥାଉକି, କୁହାଯାଉଛି ଯେ ଇନାମୀ ନକ୍ସଲ ବିବେକ ସ୍କ୍ୱାଡ୍ ସହିତ ପୋଲିସର ଏନକାଉଣ୍ଟର ହୋଇଥିଲା । ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏବେ ବି ରହି ରହି ଗୁଳି ବିନିମୟ ଜାରି ରହିଛି। ସୋମବାର ସକାଳେ ବୋକାରୋର ଲାଲପାଣି ଥାନା ଅଞ୍ଚଳ ଅନ୍ତର୍ଗତ ମୁଣ୍ଡା ଟୋଲି ଓ ସୋସୋ ନିକଟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ତେବେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ମୃତ ନକ୍ସଲଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି। 

ନିଖୋଜର ୭ଦିନ ପରେ ମିଳିଲା ଆଶୀର୍ବାଦର ମୃତଦେହ

ପିପିଲି: ମିଳିଲା ଆଶୀର୍ବାଦର ମୃତଦେହ। ଡେଲାଙ୍ଗ ରତନପୁର ଗାଁରେ ୭ ଦିନ ହେଲା ନିଖୋଜ ଥିଲା ଆଶୀର୍ବାଦ। ଜଣକର ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପଟେ ହତ୍ୟା ସନ୍ଦେହରେ ଜଣକୁ ଅଟକ ରଖିଛି ପୋଲିସ। ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା ସନ୍ଦେହ କରାଯାଉଛି !  

ସୂଚନା ଥାଉକି, ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷର ପୁଅ ଆଶୀର୍ବାଦ । ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲା । ଘର ବାରଣ୍ଡାରେ ଖେଳୁ ଖେଳୁ ଆଉ ପତ୍ତା ମିଳିନଥିଲା । ଗତ ମଙ୍ଗଳବାର ଠାରୁ ଘରୁ ନିଖୋଜ ହୋଇଥିବା ବେଳେ ପୋଲିସ ଛାନଭିନ୍ନ ପରେ ମଧ୍ୟ କିଛି ଖବର ମିଳି ନଥିବା ବେଳେ ଗତକାଲି ଆଶୀର୍ବାଦର ପରିବାର ଓ ଗ୍ରାମବାସୀ ମାନେ ଡେଲାଙ୍ଗ ଫାଣ୍ଡି ସମୁଖରେ ଧାରଣା ଦେଇଥିବା ବେଳେ ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ପରେ ପୁରୀ ଅତିରିକ୍ତ ଏସ୍ପିଙ୍କ ଜରିଆରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବିପତ୍ର ଦେଇଥିଲେ ।

ତେବେ ରତନପୁର ଗାଁର ପାଇଖାନା ଟାଙ୍କିରୁ ନଗ୍ନ ଓ ଅତି ମୁର୍ମୁଷ ଅବସ୍ଥାରେ ଆଶୀର୍ବାଦର ମୃତଦେହ ଉଦ୍ଧାର କରିଛି ପୋଲିସ । କହିବାକୁ ଗଲେ ଆର୍ଶୀବାଦ ସାହୁଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ତାକୁ ହତ୍ୟା କରିଥିବା ଗ୍ରାମବାସୀ ଅନୁମାନ କରିଛନ୍ତି । ପୋଲିସ ପୂର୍ବରୁ ବାପି ସାହୁଙ୍କୁ  ଥାନାରେ ଅଟକ ରଖି ଛାଡିଥିଲା । 

ରବିବାର ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ପରେ ବିଳମ୍ବିତ ରାତିରେ ଗ୍ରାମରେ ଥିବା ବାପି ସାହୁଙ୍କ ପରିତ୍ୟକ୍ତ ଘର ପଛ ପଟରେ ଥିବା ପାଇଖାନା ଟାଙ୍କିରୁ ଆଶୀର୍ବାଦଙ୍କ ଗଳିତ ଶବ ଉଦ୍ଧାର କରିଛି ପୋଲିସ । ତେବେ ବାପି ସାହୁଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।