
ନୂଆଦିଲ୍ଲୀ: ଯୁଆଡେ ଦେଖିବ ଖାଲି ରକ୍ତ ଆଉ ରକ୍ତ । କିଏ ପୁଅକୁ ହରାଇ ବୁକୁ ଫଟାଇ କାନ୍ଦୁଛି ତ କିଏ ସ୍ଵାମୀକୁ ହରାଇ ଚେତା ହରାଉଛି । ଆଉ ଏ ସବୁକୁ ଦେଖି ମନେ ପଡିଯାଉଛି ୧୪ ଫେବୃୟାରୀ ୨୦୧୯ ମସିହାରେ ସେହି ପୁଲୱାମା ଘଟଣା ଆଉ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା । ବିନା ଦୋଷରେ ଚାଲିଗଲା ଅନେକ ନିରିହ ଲୋକଙ୍କ ଜୀବନ । ଗତକାଲି ଜାମ୍ମୁ କାଶ୍ମୀର ପାହାଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ସତେ ଯେମିତି ଛାତି ଥରେଇ ଦେଇଛି ପ୍ରତ୍ୟକଟି ଭାରତୀୟଙ୍କର । ଏବେ ପ୍ରକୃତିର ଭୂସ୍ଵର୍ଗ ପାଲଟିଥିବା ଜାମ୍ମୁ କାଶ୍ମୀରକୁ ବି ପର୍ଯ୍ୟଟକ ଯିବାକୁ ଥରହର ହେଲେଣି । ତେବେ କହିରଖୁଛୁ ଯେ ଏହି ଆତଙ୍କୀ ହାମଲା କୌଣସି ଶତୃତା କି କୌଣସି ଅନ୍ୟ କାରଣ ପାଇଁ ନୁହେଁ ବରଂ ଧର୍ମ ପାଇଁ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଆଉ କେତେ ଦିନ……..
ଆଉ କେତେ ଦିନ ଆତଙ୍କୀଙ୍କ ହାତରେ ଏମିତି ଯାଉଥିବ ନିରିହ ଲୋକଙ୍କ ଜୀବନ ? ଆଉ କେତେ ଦିନ ସର୍ବଧର୍ମ ସମନ୍ଵୟର ନାଁ ନେଇ ଏମିତି ଧର୍ମ ପାଇଁ ପ୍ରାଣ ହରାଉଥିବା ସାଧାରଣ ଲୋକ ? ଭାରତ… ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ସାରା ବିଶ୍ଵରେ ପରିଚିତ । କିନ୍ତୁ ଆତଙ୍କୀଙ୍କ ଏହି କାରନାମା କଣ ସତରେ ଭାରତକୁ ଧର୍ମ ନିରପେକ୍ଷ କରି ରଖିବ ନା ହିନ୍ଦୁ ଜାତି ଲୋପ ପାଇଯିବ । ଗତବର୍ଷ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ମାନେ ରାଜ୍ୟ ରାଜ୍ୟ ବୁଲି ପ୍ରଚାର କରିଥିଲେ ଦେଶରୁ ଆତଙ୍କୀ ଲୋପ ପାଇବେ । ଏବେ ସାଧାରଣରେ ପ୍ରଶ୍ନ ଉଠିବା ସ୍ଵଭାବିକ ଯେ ସତରେ କଣ ଏମିତି ହେବ ? ସତରେ ଆଗକୁ କଣ ଆଉ କୌଣସି ଆତଙ୍କୀ ଆକ୍ରମଣରେ ସାଧାରଣ ଜନତା ହେଉ କି ଯବାନ କାହାର ଜୀବନ ଯିବନି ? ବେଳେ ବେଳେ ରାଜନେତାଙ୍କ ପ୍ରଚାରକୁ ଦେଖିଲେ ଏସବୁ ସତ ଲାଗେ କିନ୍ତୁ ପୁଣି ଥରେ ମନେ ପଡିଯାଏ ଇତିହାସର ସେହି କଳା ଦିନ ଗୁଡିକ । ଆଉ ମନେ ପଡିଗଲେ ଶିହରି ଉଠେ ଦେହ ।
ମାତ୍ର ୫ ଦିନ ପୂର୍ବେ, ଅର୍ଥାତ୍ ଏପ୍ରିଲ ୧୬, ୨୦୨୫ ରେ ବିବାହ କରିଥିଲେ ହରିୟାଣା କର୍ଣ୍ଣାଲର ବାସିନ୍ଦା ଲେଫ୍ଟନାଣ୍ଟ ନରୱାଲ । ନରୱାଲ କୋଚିରେ ନୌସେନାରେ କାର୍ଯ୍ୟରତ ଥିଲେ। ସେ ନିଜର ନବବିବାହିତା ପତ୍ନୀଙ୍କ ସହ କାଶ୍ମୀର ଭ୍ରମଣରେ ଆସିଥିଲେ । କିନ୍ତୁ କିଏ ଜାଣିଥିଲା ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହେବ । ବାହାଘର ସପ୍ତାହେ ନ ପୁରୁଣୁ ଲିଭିଗଲା ନବବିବାହିତ ମହିଳାଙ୍କ ମଥାର ସିନ୍ଦୁର । ଉଭୟଙ୍କ ହନିମୁନ୍ ସତେ ଯେମିତି ପାଲଟିଗଲା ଅମାବାସ୍ୟାର ରାତି । କେବଳ ଲେଫ୍ଟନାଣ୍ଟ ନରୱାଲ ନୁହେଁ ଏହି ଆକ୍ରମଣରେ ତାଙ୍କ ସମେତ ଅନ୍ୟ ୨୬ ଜଣ ମଧ୍ୟ ନିହତ ହୋଇଛନ୍ତି । ଆଉ ସେହି ୨୬ ଜଣଙ୍କ ମଧ୍ୟରୁ ଜଣେ ଓଡିଶାର ପର୍ଯ୍ୟଟକ ମଧ୍ୟ ଅଛନ୍ତି । ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ତେବେ ଏହାକୁ କାଶ୍ମୀରର ସାମ୍ପ୍ରତିକ ଇତିହାସରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।