November 4, 2025

ଶନି ଜୟନ୍ତୀ ଦିନ କରନ୍ତୁ ଏହି ଉପଚାର, ଦୁର ହେବ ଶନିଙ୍କ ନକାରାତ୍ମକ ପ୍ରଭାବ

ଭୁବନେଶ୍ଵର: ଶନି ଗ୍ରହ ସବୁଠାରୁ ଧିର ଗତିଶୀଳ ଗ୍ରହ ଭାବରେ ନିଜର ଗତି ପରିବର୍ତ୍ତନ କରନ୍ତି । ଶନିଦେବ ଯେତେବେଳେ ନିଜର ଗତି ବଦଳାଇ ଥାନ୍ତି, ସେତେବେଳେ ଏହାର ପ୍ରଭାବ ପ୍ରାୟ ସମସ୍ତ ରାଶିଙ୍କ ଉପରେ ପଡ଼ିଥାଏ । ବିଶେଷ କରି ଶନିଙ୍କ ସାଢେସାତି ଓ ଅଢେଇ ବର୍ଷର ପ୍ରଭାବ, ମଣିଷ ଜୀବନରେ ନକାରାତ୍ମକତା ଆଣିଥାଏ । ଫଳରେ ଜୀବନରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୁଏ ଏବଂ ଅସ୍ଥିରତା ଦେଖାଦିଏ । ବର୍ତ୍ତମାନ ଶନି ମୀନ ରାଶିରେ ପ୍ରବେଶ କରିଛନ୍ତି, ଯାହା ଫଳରେ କିଛି ରାଶି ଉପରେ ଶନିଙ୍କ ସାଢେସାତି ଓ ମହାଦଶାର ପ୍ରଭାବ ଆରମ୍ଭ ହୋଇଛି ।

ତେବ ଶନି ଗ୍ରହଙ୍କ ଏହି କୁପ୍ରଭାବକୁ ହ୍ରାସ କରିବା ପାଇଁ, ଏକ ବିଶେଷ ତିଥି ନିକଟତର ହେଉଛି । ଏହି ଦିନରେ ନିଆଯାଇଥିବା କିଛି ବିଶେଷ ପଦକ୍ଷେପ ଆପଣଙ୍କୁ ଶନିଦେବଙ୍କ କୁପ୍ରଭାବରେ ହେଉଥିବା ସମସ୍ୟାରୁ ମୁକ୍ତି ଦେଇପାରିବ । ସମଗ୍ର ଉତ୍ତର ଭାରତରେ ବୈଶାଖ ମାସ ଅମାବାସ୍ୟାକୁ ପାଳନ କରାଯିବ । ଏହି ଦିନ ପିତୃ ତର୍ପଣ, ସ୍ନାନ ଏବଂ ଦାନର ବିଶେଷ ଗୁରୁତ୍ୱ ରହିଛି । ସେହିପରି ଦକ୍ଷିଣ ଭାରତରେ ଏହି ଦିନକୁ ଶନି ଜୟନ୍ତୀ ଭାବରେ ପାଳନ କରାଯାଏ । ଏହି ବର୍ଷ ଏହି ଅମାବାସ୍ୟା ୨୭ ଏପ୍ରିଲରେ ପଡୁଛି । ଦକ୍ଷିଣ ଭାରତରେ ମଧ୍ୟ ଏହି ଦିନ ଶନି ଜୟନ୍ତୀ ପାଳନ କରାଯିବ ।

ଏହି ଦିନ, ବିଧି ଅନୁସାରେ ଭଗବାନ ଶନିଙ୍କୁ ପୂଜା କରାଯାଏ । ଏହିଦିନ କିଛି ବିଶେଷ ପଦକ୍ଷେପ ନେଇ, ସାଢେସାତି ଓ ମହଦଶା ପ୍ରଭାବକୁ ହ୍ରାସ କରାଯାଇପାରିବ । ମୁଠାଏ କଳା ରାଶି ନିଅନ୍ତୁ ଏବଂ ଏହାକୁ ଆପଣଙ୍କ ଶରୀରର ଚାରିପାଖରେ ବୁଲାନ୍ତୁ । ଏହା ପରେ, ଏହାକୁ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଶନିଙ୍କ କୁପ୍ରଭାବକୁ ଏଡାଯାଇ ପାରିବ । ଏହାଛଡା ଶନି ଜୟନ୍ତୀ ଦିନ ଯେକୌଣସି ଶନି ମନ୍ଦିରକୁ ଯାଆନ୍ତୁ । ସେଠାରେ ସୋରିଷ ତେଲ ଏବଂ ଗୋଟିଏ ମୁଦ୍ରା ନିଅନ୍ତୁ ।

ସୋରିଷ ତେଲ ଦେଇ ମୁଦ୍ରା ଉପରେ ଏକ ବିନ୍ଦୁ ତିଆରି କରନ୍ତୁ ଏବଂ ସେହି ମୁଦ୍ରାକୁ ଶନି ମନ୍ଦିରରେ ରଖନ୍ତୁ । ଏହି ପ୍ରତିକାର କରିବା ସମୟରେ କେହି ଯେପରି ଆପଣଙ୍କୁ ନ ଦେଖନ୍ତି, ସେଥିପ୍ରତି ସତର୍କ ରୁହନ୍ତୁ । ସେହିପରି ଅଶ୍ବତ୍ଥ ଗଛ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ । ଏହା ଶନି ଦେବଙ୍କୁ ପ୍ରସନ୍ନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ । ଶନି ଜୟନ୍ତୀ ଦିନ, ଶନି ମନ୍ଦିରକୁ ଯାଆନ୍ତୁ ଏବଂ ଶନିଦେବଙ୍କୁ ସୋରିଷ ତେଲରେ ସ୍ନାନ କରାନ୍ତୁ । ଏହା ସହିତ, ସେହି ତେଲକୁ ମସ୍ତକରେ ଲଗାନ୍ତୁ । ଏହା କରିବା ଦ୍ବାରା ଶନିଦେବଙ୍କ କୁପ୍ରଭାବରୁ ମୁକ୍ତି ମିଳିଥାଏ ।

ସକାଳୁ ସକାଳୁ ଆକାଶରେ ଦିଶିଲା ବିରଳ ଦୃଶ୍ୟ, ହସ ହସ ମୁହଁରେ ଦିଶିଲା ଜହ୍ନ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଆକାଶରେ ଘଟୁଥିବା ଜ୍ୟୋତିର୍ବିଜ୍ଞାନ ଘଟଣା ଦେଖିବାକୁ ପସନ୍ଦ କରନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି। ଆଜି ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଯେଉଁଠି ଶୁକ୍ର, ଶନି ଓ ଚନ୍ଦ୍ର ଏପରି ସ୍ଥିତିରେ ରହିବେ ଯାହାକି ସ୍ମାଇଲି ଫେସ୍‌ ବା ହସିବା ମୁହଁ ପରି ଦିଶିଛି । ଯାହାକୁ ଦେଖି ଜ୍ୟୌତିର୍ବିଜ୍ଞାନୀ ଓ ଦେଖଣାହାରୀଙ୍କ ମଧ୍ୟରେ ଉତ୍ସାହିତ ହୋଇଛନ୍ତି । 

ଆଜି ସକାଳେ ଆକାଶରେ ଏହି ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଶୁକ୍ର, ଶନି ଏବଂ ଅର୍ଦ୍ଧଚନ୍ଦ୍ର ଆକାଶରେ ଏକ ହସ ହସ ମୁହଁ ତିଆରି କରିଛନ୍ତି । ଶୁକ୍ର, ଶନି ଏବଂ ଚନ୍ଦ୍ର ପୂର୍ବ ଆକାଶରେ ଏକତ୍ର ଦେଖାଯାଇଥିଲେ, ଯାହା ଏକ ହସୁଥିବା ଚେହେରା ପରି ତ୍ରିକୋଣୀୟ ଗଠନ ସୃଷ୍ଟି କରିଥିଲା । ଏହି ଆଲାଇନମେଣ୍ଟ ସୂର୍ଯ୍ୟୋଦୟ ପୂର୍ବରୁ ପୂର୍ବ ଦିଗରେ ଦୃଶ୍ୟମାନ ହୋଇଥିଲା ।

କହିରଖୁଛୁ ଯେ, ଯେତେବେଳେ ୨ରୁ ଅଧିକ ଖଗୋଳୀୟ ପିଣ୍ଡ ସନ୍ଧ୍ୟା ଆକାଶରେ ପରସ୍ପରର ନିକଟବର୍ତ୍ତୀ ହୋଇଥାନ୍ତି ସେତେବେଳେ ତ୍ରିଗୁଣ ସଂଯୋଗ ହୋଇଥାଏ । ୩ଟି ଖଗୋଳୀୟ ପିଣ୍ଡ ଏକାସାଥୀରେ ବା ନିକଟବର୍ତ୍ତୀ ହେଲେ ଏପରି ବିରଳ ଦୃଶ୍ୟ ଆକାଶରେ ଦେଖିବାକୁ ମିଳେ । ଆମେରିକୀୟ ସ୍ପେଶ ଏଜେନ୍ସି ନାସା ସୋଲାର ସିଷ୍ଟମର ଆମ୍ବାସାଡର ବ୍ରେଣ୍ଡା କଲବର୍ଟସନ୍‌ ନିକଟରେ କହିଥିଲେ ଯେ, “ଶୁକ୍ର ଗ୍ରହ ପୂର୍ବ ହୋରାଇଜନ୍‌ (ସେହି ପଏଣ୍ଟ ଯେଉଁଠି ଆକାଶ ଭୂପୃଷ୍ଠ ବା ସମୁଦ୍ରକୁ ଛୁଇଁଥିବା ଦିଶେ) ଉପରେ, ଶନି ତଳେ ଏବଂ ଚନ୍ଦ୍ର ଦୁଇ ଗ୍ରହଠାରୁ ଟିକିଏ ତଳେ ପତଳା ଭାବରେ ଦିଶିବ । ପତଳା ଚନ୍ଦ୍ରର ଆକୃତି ହସ (Smile) ପରି ଦିଶିବ ।”

ମାତ୍ର ୧୫ ହଜାରରେ ପାଆନ୍ତୁ 5Gର ଏହି ଜବରଦସ୍ତ ଫୋନ

ନୂଆଦିଲ୍ଲୀ: ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି ଏବଂ ଆପଣଙ୍କର ବଜେଟ୍ ବହୁତ ଅଧିକ ନୁହେଁ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଚଳିତବର୍ଷ ଭାରତରେ ଅନେକ ନୂତନ ଏବଂ ସର୍ବୋତ୍ତମ 5G ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି, ଯାହା କେବଳ ବଜେଟ୍ ଅନୁକୂଳ ନୁହେଁ ବରଂ ଫିଚର୍ ଦୃଷ୍ଟିରୁ ମଧ୍ୟ କାହାଠାରୁ କମ୍ ନୁହେଁ। ତେବେ ଆସନ୍ତୁ ଜାଣିବା ୧୫,୦୦୦ ଟଙ୍କା ତଳେ ଉପଲବ୍ଧ ଶ୍ରେଷ୍ଠ 5G ସ୍ମାର୍ଟଫୋନ୍ ବିଷୟରେ।

CMF Phone 1

ଏହି ଫୋନ୍ ‘ନଥିଙ୍ଗ୍’ ବ୍ରାଣ୍ଡର, ଯାହା ଏହାର ଷ୍ଟାଇଲିସ୍ ଏବଂ ଡିଜାଇନ୍ ପାଇଁ ଜଣାଶୁଣା। ଏହି ଫୋନରେ 6.67 ଇଞ୍ଚର AMOLED ପ୍ୟାନେଲ ଅଛି, ଯାହା 120Hz ରିଫ୍ରେସ୍ ରେଟ୍ ସହିତ ଆସିଥାଏ। ସେହିପରି ଏହାର ସ୍କ୍ରିନ୍ ମଧ୍ୟ ବହୁତ ବ୍ରାଇଟ୍ । ଏହାକୁ ସୂର୍ଯ୍ୟକିରଣରେ କିମ୍ବା ଘର ଭିତରେ ସହଜରେ ବ୍ୟବହାର କରାଯାଇପାରିବ। CMF ଫୋନ୍ 1 ରେ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ 50MP ପ୍ରାଇମେରି ଲେନ୍ସ ଅଛି। ଏହି ଫୋନଟି MediaTek Dimensity 7300 ପ୍ରୋସେସର ସହିତ ଆସିଥାଏ। ଏହି ସ୍ମାର୍ଟଫୋନ୍ 6GB RAM + 128GB ଷ୍ଟୋରେଜ୍ ଏବଂ 8GB RAM + 128GB ଷ୍ଟୋରେଜ୍‌ରେ ଉପଲବ୍ଧ। CMF ଫୋନ୍ 1 ରେ 5000mAh ବ୍ୟାଟେରୀ ଅଛି, ଯାହା 33W ସ୍ପିଡ୍ ଚାର୍ଜିଂକୁ ସମର୍ଥନ କରେ। 

Poko M7 Pro 5G

Poko ବ୍ରାଣ୍ଡ ସବୁଠାରୁ ଚର୍ଚ୍ଚିତ ବଜେଟ ଫ୍ରେଣ୍ଡଲି ଫୋନ୍ ପାଇଁ ପ୍ରସିଦ୍ଧ। Poco M7 Pro 5G ରେ ସ୍ପିଡ୍ ପ୍ରୋସେସର୍ ଏବଂ ହାଇ ରିଫ୍ରେସ୍ ରେଟ୍ ଡିସପ୍ଲେ ଅଛି। ଏହାର ବ୍ୟାଟେରୀ ମଧ୍ୟ ବଡ଼, ତେଣୁ ଫୋନ୍ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ। ଏହାର କ୍ୟାମେରା ସେଟଅପ୍ ମଧ୍ୟ ଭଲ, ଯାହା ଆପଣଙ୍କର ଭଲ ଫଟୋ ଉଠାଇବାରେ ସାହାଯ୍ୟ କରେ।

Samsung Galaxy M14 5G

ସାମସଙ୍ଗ୍ ହେଉଛି ଭାରତର ସବୁଠାରୁ ବିଶ୍ୱସ୍ତ ବ୍ରାଣ୍ଡ ମଧ୍ୟରୁ ଗୋଟିଏ। Galaxy M14 5G ରେ ଆପଣଙ୍କୁ ଏକ ଶକ୍ତିଶାଳୀ ବ୍ୟାଟେରୀ ଏବଂ ଉତ୍କୃଷ୍ଟ ଡିସପ୍ଲେ ମିଳିବ । ସାମସଙ୍ଗ୍ କ୍ୟାମେରାଗୁଡ଼ିକ ବ୍ରାଇଟ୍ ଏବଂ କ୍ଲିଅର୍ ଫଟୋ ଉଠାଇବା ପାଇଁ ଜଣାଶୁଣା। ଏହା ସହିତ, ଏହି ଫୋନଟି ଦୀର୍ଘ ସମୟ ପର୍ଯ୍ୟନ୍ତ ସଫ୍ଟୱେର୍ ଅପଡେଟ୍ ଦେଇଥାଏ ।

Realme Narzo 60x 5G

Realme ର Narzo ସିରିଜ୍ ସବୁବେଳେ ଭାଲ୍ୟୁ-ଫର୍-ମନି ଫୋନ୍ ପାଇଁ ଜଣାଶୁଣା। Narzo 60x 5G ରେ ଦ୍ରୁତ ପ୍ରୋସେସର୍, ସ୍ମୁଥ୍ ଡିସପ୍ଲେ ଏବଂ ଷ୍ଟାଇଲିସ୍ ଡିଜାଇନ୍ ଅଛି। ଏହାର ବ୍ୟାଟେରୀ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଏହା ଦ୍ରୁତ ଚାର୍ଜିଂକୁ ସମର୍ଥନ କରେ। ଏହା ଗେମିଂ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ଉତ୍ତମ ବିକଳ୍ପ।

Redmi Note 12 5G

Xiaomiର Redmi Note ସିରିଜ୍ ଭାରତରେ ବହୁତ ଲୋକପ୍ରିୟ ମଡେଲ୍। Redmi Note 12 5G ଏକ ବଡ଼ ଡିସପ୍ଲେ, ଦ୍ରୁତ ପ୍ରୋସେସର ଏବଂ ଭଲ ବ୍ୟାଟେରୀ ସହିତ ଆସିଥାଏ। ଏହାର କ୍ୟାମେରା ମଧ୍ୟ ଭଲ ଏବଂ ଏହା ପ୍ରତ୍ୟେକ କାମ ଭଲ ଭାବରେ କରିପାରିବ। ଏହି ଫୋନ୍ ସବୁ ପ୍ରକାରର ଉପଭୋକ୍ତାଙ୍କ ପାଇଁ ଏକ ସର୍ବୋତ୍ତମ ପସନ୍ଦ।

ପହଲଗାମ ଆକ୍ରମଣ: ପ୍ରମୂଖ ଧାର୍ମିକ ସ୍ଥଳରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରିଆସି ଜିଲ୍ଲାରେ ଶ୍ରୀ ମାତା ବୈଷ୍ଣୋଦେବୀ ମାର୍ଗରେ ନକଲି କାଗଜପତ୍ର ବ୍ୟବହାର କରି ନିଜକୁ ପୋନି ସେବା ପ୍ରଦାନକାରୀ ବୋଲି ପରିଚୟ ଦେବା ଅଭିଯୋଗରେ ଦୁଇ ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଅଧିକାରୀମାନଙ୍କ କହିବା ଅନୁସାରେ, ଶ୍ରୀ ଗୀତା ମାତା ମନ୍ଦିର ନିକଟରେ ନିୟମିତ ପାଟ୍ରୋଲିଂ ସମୟରେ, ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକାଇଥିଲେ ଯିଏ ନିଜକୁ ପୁରନ ସିଂହ ବୋଲି ପରିଚୟ ଦେଇଥିଲେ । କିନ୍ତୁ କଡ଼ା ଜେରା ପରେ ଜଣାପଡିଥିଲା ​​ଯେ ତାଙ୍କ ନାମ ମନିର ହୁସେନ।

ପୋଲିସର କହିବା ଅନୁସାରେ, ବେଆଇନ କାମ କରିବା ପାଇଁ ଅନ୍ୟ କାହାର ଅଧିକୃତ ସେବା କାର୍ଡ ବ୍ୟବହାର କରୁଥିଲେ ଉକ୍ତ ବ୍ୟକ୍ତି ଜଣଙ୍କ। ଏନେଇ କଟରା ଥାନାରେ ଏକ ଏଫଆଇଆର ରୁଜୁ କରାଯାଇଛି। ବନ ଗଙ୍ଗା ସେତୁ ନିକଟରେ, ପୋଲିସ ଜମ୍ମୁ ଜିଲ୍ଲାର କୋଟଲିର ବାସିନ୍ଦା ସାହିଲ ଖାନଙ୍କୁ କୌଣସି ବୈଧ ଲାଇସେନ୍ସ ବିନା ପୋନି ସେବା ପ୍ରଦାନକାରୀ ଭାବରେ କାର୍ଯ୍ୟ କରିବା ଅଭିଯୋଗରେ ଗିରଫ କରିଛି।

ଗିରଫ ପରେ ଉକ୍ତ ବ୍ୟକ୍ତି ଜଣଙ୍କ ବିନା କୌଣସି ଲାଇସେନ୍ସରେ ସେଠାରେ କାମ କରୁଥିବା ନେଇ ସ୍ୱୀକାର କରିଛି । ପୋଲିସର କହିବା ଅନୁସାରେ ସାହିଲ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ତେବେ ମନ୍ଦିର ମାର୍ଗରେ ଅନଧିକୃତ କାର୍ଯ୍ୟକଳାପକୁ ରୋକିବା ପାଇଁ ତଦାରଖ ଏବଂ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଅଧିକାରୀମାନେ କହିଛନ୍ତି। ପୋଲିସ ସମସ୍ତ ସେବା ପ୍ରଦାନକାରୀଙ୍କୁ ସେମାନଙ୍କ ପାଖରେ ବୈଧ କାଗଜପତ୍ର ରଖିବାକୁ ଅପିଲ୍ କରିଛି ଏବଂ ଯେକୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରିପୋର୍ଟ କରିବାକୁ ଲୋକଙ୍କୁ ଅନୁରୋଧ କରିଛି।

ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଗୁଜରାଟର ପ୍ରମୁଖ ଧାର୍ମିକ ସ୍ଥଳ ଯେପରିକି ସୋମନାଥ ମନ୍ଦିର, ଦ୍ୱାରକାଧୀଶ ମନ୍ଦିର ଏବଂ ଅମ୍ବାଜୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତ ଏହି ମନ୍ଦିରଗୁଡ଼ିକୁ ପରିଦର୍ଶନ କରନ୍ତି। ରାଜକୋଟ ରେଞ୍ଜ ଇନ୍ସପେକ୍ଟର ଜେନେରାଲ ଅଶୋକ କୁମାର ଯାଦବ କହିଛନ୍ତି ଯେ ଗୁଜରାଟ ପାକିସ୍ତାନ ନିକଟତର ହୋଇଥିବାରୁ, ଉପକୂଳରେ ଥିବା ପୋଲିସକୁ ସତର୍କ କରାଯାଇଛି। ଗୁଜୁରାଟ ପଡ଼ୋଶୀ ଦେଶ ସହିତ ସାମୁଦ୍ରିକ ଏବଂ ସ୍ଥଳ ସୀମା ବାଣ୍ଟିଥାଏ। 

ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା

ବାରିପଦା: ଓଡ଼ିଶାର ସଂରକ୍ଷଣ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଆଜି ଶିମିଳିପାଳକୁ ଆନୁଷ୍ଠାନିକ ଭାବେ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଶିମିଳିପାଳକୁ ଜାତୀୟ ଉଦ୍ୟାନ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିକଶିତ ଭାରତ, ବିକଶିତ ଓଡ଼ିଶା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି, ଶିମିଳିପାଳ ଏବେ ଆନୁଷ୍ଠାନିକ ଭାବେ ଏକ ଜାତୀୟ ଉଦ୍ୟାନ ମାନ୍ୟତା ଲାଭ କରିଛି। ଭାରତର ଏହା ୧୦୭ତମ ଜାତୀୟ ଉଦ୍ୟାନ ଏବଂ ୮୪୫.୭୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଂଚଳ। ଏହି ବହୁ ପ୍ରତୀକ୍ଷିତ ଘୋଷଣା ଆମର ପରିବେଶ ପରମ୍ପରାକୁ ସୁଦୃଢ଼ କରିବା ସହ ଆଦିବାସୀ ଆକାଂକ୍ଷାକୁ ଉନ୍ନତ କରିବା ସହ ନିରନ୍ତର ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛି। ଶିମିଳିପାଳକୁ ଆଜି ଆନୁଷ୍ଠାନିକ ଭାବେ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଛି, ଯାହା ଓଡ଼ିଶାର ସଂରକ୍ଷଣ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଭାରତରେ ସର୍ବବୃହତ୍‌ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍‌ ସଂରକ୍ଷିତ ବନକ୍ଷେତ୍ର ଭାବେ ଏହା ପରିଗଣିତ। ମୟୂରଭଞ୍ଜ ଜିଲାର ୫,୫୬୯ବର୍ଗ କି.ମି. ଶିମିଳିପାଳ ଜୈବମଣ୍ଡଳ ପାଇଁ ସଂରକ୍ଷିତ। ସେଥିମଧ୍ୟରୁ ୨,୨୭୧.୭୮ ବର୍ଗ କି.ମି. ହେଉଛି ସଂରକ୍ଷିତ ଅଭୟାରଣ୍ୟ। ଅଭୟାରଣ୍ୟରେ ସ୍ବତନ୍ତ୍ର ଜନଜାତି ସମେତ ୧୦୭୬ ପ୍ରଜାତିର ବୃକ୍ଷଲତା, ୧୦୨ ପ୍ରକାର ଅର୍କିଡ, ୬୦୪ ପ୍ରକାର ଔଷଧୀୟ ବୃକ୍ଷ ସହିତ କଳାବାଘ, ମହାବଳ, ହାତୀ, ବଣମଇଁଷି, ଶମ୍ବର, ଭାଲୁ, ଉଡ଼ନ୍ତା ଗୁଣ୍ଡୁଚିମୂଷା, ମୟୂର ଓ କୁମ୍ଭୀର ପରି ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ ଏବଂ ୨୦ପ୍ରକାର ଉଭୟଚର ପ୍ରାଣୀ ସହିତ ଅସଂଖ୍ୟପ୍ରଜାତିର କୀଟପତଙ୍ଗ ଦେଖିବାକୁ ମିଳେ।

ଏଠାରେ ଯୋରନ୍ଦା, ବରେହିପାଣି, ଉସକି, ସୀତାକୁଣ୍ଡ, ଦେବକୁଣ୍ଡ, ଭୀମକୁଣ୍ଡ, ମାଛକାନ୍ଦଣା, ଟୁଙ୍କି ଓ ଚାଉଳିଭଜା ଭଳି ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏତଦ୍‌ଭିନ୍ନ ଲୁଲୁଙ୍ଗ, ଚହଲା, ବୃନ୍ଦାବନ, ନଅଣା, ସମୀବୃକ୍ଷ, ବ୍ରାହ୍ମଣକୁଣ୍ଡ ଓ ମଞ୍ଚାବନ୍ଧା ଇକୋଟୁରିଜମ କ୍ଷେତ୍ର ରହିଛି। ପର୍ଯ୍ୟଟକମାନେ ପ୍ରକୃତିର ମଜା ନେବା ସହ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥାନ୍ତି।

ଗହମ ଅଟା ନୁହେଁ ଖାଆନ୍ତୁ ଏହି ଅଟାରେ ପ୍ରସ୍ତୁତ ରୁଟି, କମିବ ଓଜନ

ଭୁବନେଶ୍ଵର: ଓଜନ ହ୍ରାସ କରିବା ଚକ୍କରରେ କିଛି ଲୋକେ ଭୋଜନରୁ ରୁଟିକୁ ବାଦ ପକାଇ ଦେଇଥାନ୍ତି। କାରଣ ଲୋକେ ଭାବନ୍ତି ଯେ ଗହମ ଅଟାରୁ ଓଜନ ବଢ଼ିଯିବ। ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ରୁଟି ଛାଡିବା ଦରକାର ନାହିଁ, ଅଟା ବଦଳାଇବା ଦରକାର। ଓଜନ କମ କରିବାକୁ ଗହମ ବଦଳରେ ଅନ୍ୟ ଶସ୍ୟ ବ୍ୟବହାର କରିବା ଉଚିତ। ଯେପରିକି ବାଜରା, ମଲ୍ଟି ଗ୍ରେନ, ଚୋକଡ ଅଟା, ମାଣ୍ଡିଆ ଅଟା ଇତ୍ୟାଦି। ଏହିସବୁ ଶସ୍ୟରେ ତିଆରି ରୁଟି ଖାଇଲେ ଓଜନ ନିୟନ୍ତ୍ରଣରେ ରହିବ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ।

ବାଜରା ରୁଟି- ଓଜନ ହ୍ରାସ କରିବାକୁ, ଆପଣ ଖାଦ୍ୟରେ ବାଜରା ରୁଟି ସାମିଲ କରିପାରିବେ। ଏଥିରେ ୯୭ କ୍ୟାଲୋରୀ ଥାଏ ଏବଂ ଖାଇବାର ବହୁତ ସମୟ ଯାଏଁ ଭୋକ ଅନୁଭବ ହୁଏନାହିଁ। ବାଜରା ରୁଟି ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ବାଜରା ରୁଟିରେ ଫାଇବର ଏବଂ ଭିଟାମିନ୍ ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ଥର ଉନ୍ନତ ହୋଇଥାଏ। ଖରାପ କୋଲେଷ୍ଟ୍ରଲ କମିଯାଏ ଏବଂ ଭଲ କୋଲେଷ୍ଟ୍ରଲ ବଢିଥାଏ।

ମଲ୍ଟିଗ୍ରେନ୍ ରୁଟି- ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟ ପ୍ରତି ସଚେତନ ଥିବା ଲୋକେ ଆଜିକାଲି ଗହମ ବଦଳରେ ମଲ୍ଟିଗ୍ରେନ୍ ଅଟା ରୁଟି ଖାଇବାକୁ ପସନ୍ଦ କରୁଛନ୍ତି। ଏଥିରେ ଅନେକ ପ୍ରକାରର ଶସ୍ୟ ମିଶିଥାଏ। ମଲ୍ଟିଗ୍ରେନ୍ ଅଟାରେ ବୁଟ ଅଟା ମଧ୍ୟ ମିଶାଯାଏ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ନିଜର ଦୈନିକ ଗହମରେ ବୁଟ ଅଟା ମିଶାଇ ଖାଇଲେ ବ୍ଲଡ଼ ସୁଗାର ନିୟନ୍ତ୍ରିତ ହେବ। ଏହା ଅଧିକ ପୁଷ୍ଟିକର ମଧ୍ୟ।

ଚୋକଡ ଅଟା – ଗହମ ଅଟାରେ ବହୁତ ଚୋକଡ ଥାଏ। ଗହମ ଚୋପାରୁ ଚୋକଡ ତିଆରି ହୁଏ। ସେଥିପାଇଁ କିଛି ଲୋକ ଅଟାକୁ ଭଲ ଭାବେ ପେସାନ୍ତି ଓ ତାକୁ ଛାଣି କିମ୍ବା ଚଲେଇ ବ୍ୟବହାର କରନ୍ତି। ଛାଣିବା ପରେ ଚୋକଡ ଅଲଗା ହୋଇଯାଇଥାଏ। କିନ୍ତୁ ଯଦି ଆପଣ ପତଳା ହେବାକୁ ଚାହୁଁଛନ୍ତି ତାହେଲେ ଚୋକଡ ଅଟାର ରୁଟି ଖାଇବା ଉଚିତ୍। ଚୋକଡ ରୁଟି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ। ଏଥିରେ ବହୁ ମାତ୍ରାରେ ଫାଇବର ଥାଏ ଯାହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଏହି ଅଟାରେରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍, ସେଲେନିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଇ ଏବଂ ବି କମ୍ପ୍ଲେକ୍ସ ଥାଏ। ଏହି ଅଟା ଖାଇବା ଦ୍ୱାରା ଓଜନ ହ୍ରାସ ହେବା ଛଡା ହୃଦ୍ ରୋଗ, କୋଲେଷ୍ଟ୍ରଲ ଏବଂ ମଧୁମେହ ସମସ୍ୟା ସୃଷ୍ଟି ହୁଏ ନାହିଁ।

ବାର୍ଲି – ମେଦବହୁଳତାକୁ ହ୍ରାସ କରିବା ଏବଂ ଶରୀରକୁ ଫିଟ୍ ରଖିବା ପାଇଁ ଗହମ ବଦଳରେ ବାର୍ଲିରେ ତିଆରି ରୁଟି ଖାଇବା ଉଚିତ୍। ଏଥିପାଇଁ ୧୦ କିଲୋଗ୍ରାମ ଗ୍ରାମ ଚଣା ଏବଂ ୨ କିଲୋଗ୍ରାମ ବାର୍ଲି ଅନୁପାତ କରି ଏହାକୁ ଗ୍ରାଇଣ୍ଡ୍ କରନ୍ତୁ। ଏହି ଅଟାରୁ ପ୍ରସ୍ତୁତ ରୋଟି ଖାଇବା ଦ୍ୱାରା ଶରୀରରେ କମ୍ କ୍ୟାଲୋରୀ ଜମା ହେବ ଏବଂ ଓଜନ ଶୀଘ୍ର ହ୍ରାସ ପାଇବ।

ଭୂଇଁ କାମୁଡ଼ି ପଡିବ କି ଭୂସ୍ବର୍ଗର ପର୍ଯ୍ୟଟନ ଶିଳ୍ପ!, କାଶ୍ମୀର ଛାଡିଲେଣି ପର୍ଯ୍ୟଟକ

ନୂଆଦିଲ୍ଲୀ: ସବୁଠି ଖାଁ ଖାଁ। ଯେଉଁଠି ଦୁଇ ଦିନ ତଳେ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା। ଆଜି ସେହି ସ୍ଥାନ ପୁରା ଶୂନ ଶାନ। ଯେଉଁ ସ୍ଥାନରେ ଦୋକାନମାନଙ୍କରେ ଭିଡ଼ ଲାଗୁଥିଲା, ସେହି ଦୋକାନରେ ଏବେ କବାଟ ବନ୍ଦ। ପହଲଗାମ୍ ଆତଙ୍କୀ ହମଲା ପରେ ଘରମୁହାଁ ପର୍ଯ୍ୟଟକ । କ୍ୟାନସଲ୍ ହେଲାଣି ୯୦ ପ୍ରତିଶତ ବୁକିଂ । କାଶ୍ମୀର ଛାଡ଼ିବାରେ ଲାଗିଛନ୍ତି ଦେଶ ବିଦେଶରୁ ଯାଇଥିବା ପର୍ଯ୍ୟଟକ । ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଥିରେ ଆତଙ୍କୀ ଆକ୍ରମଣରେ ଆଖି ବୁଜିଛନ୍ତି ୨୮ ଜଣ ଲୋକ । ଆତଙ୍କବାଦୀମାନେ ତାଙ୍କୁ ଜାତି ଏବଂ ଧର୍ମ ପଚାରି ଗୁଳି ମାରିଛନ୍ତି, ଯେଉଁମାନେ କି କଶ୍ମୀରକୁ ବୁଲିବାକୁ ଯାଇଥିଲେ । ତେବେ ଏହି ଘଟଣା ଜମ୍ମୁକଶ୍ମୀର ଉପରେ ବଡ଼ ପ୍ରଭାବ ପକାଇପାରେ ।

ଏହି ଆକ୍ରମଣ ଜମ୍ମୁ-କାଶ୍ମୀର ଉପରେ ବଡ଼ ପ୍ରଭାବ ପକାଇଛି। ପହଲଗାମ ଆକ୍ରମଣର ପ୍ରଭାବ ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନ ଉପରେ ପଡିଛି। ଗୋଟିଏ ଦିନ ପୂର୍ବରୁ ପର୍ଯ୍ୟଟକଙ୍କ ଭିଡ଼ ଥିବା ରାସ୍ତାଗୁଡ଼ିକ ହଠାତ୍ ଜନଶୂନ୍ୟ ହୋଇଯାଇଛି।ଆକ୍ରମଣ ପରେ, ବୁଧବାର ପରଠାରୁ ଏଠାରେ କ୍ୱଚିତ୍ ଲୋକଙ୍କୁ ଦେଖିବାକୁ ମିଳୁଛି। କେବଳ ସୁରକ୍ଷା ବାହିନୀର କର୍ମଚାରୀମାନଙ୍କ ଦେଖା ମିଳୁଛି। ପହଲଗାମ ଏବଂ ଆଖପାଖ ଅଞ୍ଚଳରେ ମନ୍ଦିରଠାରୁ ମସଜିଦ ପର୍ଯ୍ୟନ୍ତ ସବୁକିଛି ଖାଲି ଦେଖାଯାଉଛି। ଏହା ସ୍ପଷ୍ଟ ଯେ ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନ ଶିଳ୍ପ, ଯାହାକୁ ୨୦୩୦ ସୁଦ୍ଧା ୩୦ ହଜାର କୋଟି ଟଙ୍କାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି, ତାହା ଶୂନ୍ୟରେ ପହଞ୍ଚିବାର ଆଶଙ୍କା ରହିଛି।

ଧାରା ୩୭୦ର ଉଚ୍ଛେଦ ପରେ ଧୀରେ ଧୀରେ ଏଠାରେ ହୋଟେଲ ଖୋଲିବା ସହିତ ଲୋକମାନେ ବୁଲିବାକୁ ଆସିବା ଆରମ୍ଭ କରିଥିଲେ । ହେଲେ ଏଭଳି ସମୟରେ ପର୍ୟ୍ୟଟକଙ୍କ ଉପରେ ଏ ଆକ୍ରମଣ ଜମ୍ମକଶ୍ମୀରର ପର୍ଯ୍ୟଟନ ଉପରେ ପ୍ରଭାବ ପକାଇବ । ୨୦୧୯ ମସିହାରେ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଏହାପରେ କରୋନା ଯୋଗୁଁ ମଧ୍ୟ କିଛି ସମୟ ପାଇଁ ପର୍ଯ୍ୟଟନରେ ବାଧା ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ସମୟ ଗଡ଼ିବା ସହିତ ଜମ୍ମୁକଶ୍ମୀରର ପର୍ଯ୍ୟଟନ ଶିଳ୍ପ ମଧ୍ୟ କ୍ଷତିରେ ଚାଲୁଥିଲା, ହେଲେ ଯେତେବେଳେ ଏହା ପୁଣିଥରେ ଉଠିବା ଆରମ୍ଭ କରିଥିଲା, ସେହି ସମୟରେ ହିଁ ଆତଙ୍କୀଙ୍କ ଏ ଆକ୍ରମଣ ଏହାକୁ ପୁଣିଥରେ ପଛକୁ ଠେଲିଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ପରେ ଲୋକମାନେ ଜମ୍ମୁ-କାଶ୍ମୀର ପାଇଁ ସେମାନଙ୍କର ୯୦ ପ୍ରତିଶତ ବୁକିଂ ବାତିଲ କରିଛନ୍ତି ବୋଲି ଟ୍ରାଭେଲ ଏଜେନ୍ସିଗୁଡ଼ିକ କହିଛନ୍ତି। ଟୁର୍ ଅପରେଟରମାନଙ୍କ କହିବା ଅନୁସାରେ, ପରିସ୍ଥିତିକୁ ଦର୍ଶାଇ ଲୋକମାନେ ସେମାନଙ୍କ ଟଙ୍କା ଫେରସ୍ତ ଦାବି କରୁଛନ୍ତି। ତେଣୁ ଏହା ପର୍ଯ୍ୟଟନ ଏଜେନ୍ସିଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରୁଛି। କେବଳ କାଶ୍ମୀର ନୁହେଁ, ଲୋକମାନେ ଏବେ ଜମ୍ମୁ ଯିବାକୁ ମଧ୍ୟ ଭୟ କରୁଛନ୍ତି। ବୈଷ୍ଣୋଦେବୀଙ୍କ ପାଇଁ ବୁକିଂ ମଧ୍ୟ ବାତିଲ ହେଉଛି।

ଭାରତର କଠୋର ନିଷ୍ପତ୍ତିରେ ଥରହର ପାକିସ୍ତାନ, ଶୁଖିଯିବ ଜୀବନ ନାଡି, ଭୋଗିବ ଏହି ଯନ୍ତ୍ରଣା

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସେନା ଏପରିକି ସାଧାରଣ ଲୋକଙ୍କୁ ମଧ୍ୟ ଥରାଇଦେଇଛି ପହଲଗାମ୍ ଆତଙ୍କୀ ଘଟଣା । ଜନ ଶୁନ୍ୟ ହୋଇପଡିଛି ଏବେ କାଶ୍ମୀର । ଆତଙ୍କିଙ୍କ ବର୍ବର କାଣ୍ଡକୁ ଦେଖି କାନ୍ଦୁଛି କଶ୍ମିର କାନ୍ଦୁଛି ଭାରତ । ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ୍ ବୈଠକରେ ପାଞ୍ଚଟି ବଡ଼ ନିଷ୍ପତ୍ତି ନେଇଛି ଭାରତ । ଆଉ ଭାରତର ଏହି ୫ଟି ନିଷ୍ପତ୍ତି ଏବେ ପାକିସ୍ତାନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର। ଗତକାଲି ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବ୍ୟନ୍ କରିବା ସହ ଭିଜାକୁ ମଧ୍ୟ ବନ୍ଦ କରିଥିଲେ। ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଆଉ ଆଜି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଅର୍ଥାତ୍ ପାକିସ୍ତାନ ସୋସିଆଲ ମିଡିଆକୁ ଭାରତରେ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଆଜି ପରଠାରୁ ପାକିସ୍ତାନ ସୋସିଆଲ ମିଡିଆରେ ଭାରତରେ ଚାଲିବ ନାହିଁ। ପାକିସ୍ତାନ ସୋସିଆଲ ମିଡିଆ ଭାରତରେ ବ୍ୟାନ୍। ପହଲଗାମ୍ ହମଲା ପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ଭାରତରେ ପାକ୍ ସରକାରଙ୍କ ‘x’ ଆକାଉଣ୍ଟ ମଧ୍ୟ ବନ୍ଦ। IT ମନ୍ତ୍ରାଳୟ ନେଲା ପାକିସ୍ତାନ ବିରୋଧରେ ପଦକ୍ଷେପ। ଏନେଇ ‘x’ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ IT ମନ୍ତ୍ରାଳୟ। ଆଉ ଆଇଟି ମନ୍ତ୍ରାଳୟର ଅନୁରୋଧ ମଧ୍ୟ ରଖିଲା ‘x’ । ଭାରତରେ ପାକିସ୍ତାନର ସରକାରୀ ‘x’ ହ୍ୟାଣ୍ଡେଲ୍ ବ୍ଲକ୍।

ତେବେ ଭାରତ ପକ୍ଷରୁ ନିଆଯାଇଥିବା ଏହି କଠୋର ନିଷ୍ପତ୍ତି ପାଇଁ ଅନେକ ସମସ୍ୟାରେ ପଡିପାରେ ପାକିସ୍ତାନ । ଗତକାଲିର ନିଷ୍ପତ୍ତି ଅନୁସାରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଅଟାରୀ ସୀମା ଚେକ୍ ପୋଷ୍ଟ ବନ୍ଦ ରହିବ। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ସୀମିତ ଗତିବିଧି ମଧ୍ୟ ବନ୍ଦ ହେବାକୁ ଯାଉଛି। ଭାରତ ପାକିସ୍ତାନରେ ଥିବା ଏହାର ଦୂତାବାସ ବନ୍ଦ କରିବାକୁ ଯାଉଛି। ଏହା କୂଟନୈତିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଦେଇଛି।  ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ କରିବା ନେଇ ବିଶ୍ୱସନୀୟ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏହି ଚୁକ୍ତି ପୁନଃ କାର୍ଯ୍ୟକାରୀ ହେବନାହିଁ। ଏହା ପାକିସ୍ତାନ ଉପରେ ବଡ଼ ପ୍ରଭାବ ପକାଇବ। ଏହି ଜଳ ଚୁକ୍ତିନାମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ୬୨ ବର୍ଷ ପୂର୍ବେ ଅର୍ଥାତ୍ ୧୯୬୦ରେ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଯୋଗୁଁ ପାକିସ୍ତାନ ପ୍ରଚୁର ପାଣି ପାଉଛି, କିନ୍ତୁ ଏବେ ଏହାର ସମସ୍ୟା ବୃଦ୍ଧି ପାଇବ।

ସେହିପରି ଅଟ୍ଟାରୀ-ଓ୍ବାଘା ସୀମାସ୍ଥିତ ଇଣ୍ଟିଗ୍ରେଟେଡ୍‌ ଚେକ୍‌ପୋଷ୍ଟକୁ ତତ୍କାଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ବୈଧ ଦସ୍ତାବିଜ ବଳରେ ଯେଉଁ ପାକିସ୍ତାନୀମାନେ ଏହି ସୀମା ଦେଇ ଭାରତକୁ ଆସିଛନ୍ତି, ସେମାନେ ୨୦୨୫ ମେ’ ୧ ପର୍ଯ୍ୟନ୍ତ ଫେରିଯାଇପାରିବେ। ସାର୍କ ଭିଜା ଏକ୍‌ଜେମ୍ପଶନ୍‌ ସ୍କିମ୍‌ (ଏସ୍‌ଭିଇଏସ୍‌) ଭିଜା ବଳରେ କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତକୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଅତୀତରେ ପାକିସ୍ତାନୀଙ୍କୁ ଜାରି କରାଯାଇଥିବା ସମସ୍ତ ଏସ୍‌ଭିଇଏସ୍‌ ଭିଜାକୁ ରଦ୍ଦ କରାଯାଇଛି। ଏଭଳି ଭିଜାଧାରୀ ସମସ୍ତ ପାକିସ୍ତାନୀଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ି ଚାଲିଯିବାକୁ ପଡ଼ିବ। ସେହିପରି ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଉଚ୍ଚାୟୁକ୍ତରେ ଥିବା ପ୍ରତିରକ୍ଷା/ସାମରିକ, ନୌସେନା, ବାୟୁସେନା ପରାମର୍ଶଦାତାଙ୍କୁ ଅବାଞ୍ଛିତ ବ୍ୟକ୍ତି ରୂପେ ଘୋଷଣା କରାଯାଇଛି। ସେମାନଙ୍କୁ ସପ୍ତାହେ ଭିତରେ ଭାରତ ଛାଡ଼ିବାକୁ ପଡ଼ିବ। ଭାରତ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତରେ ଅବସ୍ଥାପିତ ନିଜ ପ୍ରତିରକ୍ଷା / ସାମରିକ, ନୌସେନା, ବାୟୁସେନା ପରାମର୍ଶଦାତାଙ୍କୁ ମଧ୍ୟ ପ୍ରତ୍ୟାହାର କରିନେବ। ଏହି ପଦବୀଗୁଡ଼ିକୁ ଉଚ୍ଛେଦ କରାଗଲା ବୋଲି ଧରାଯିବ। ସର୍ଭିସ୍‌ ଆଡ୍‌ଭାଇଜରଙ୍କ ୫ ସହାୟକ କର୍ମଚାରୀଙ୍କୁ ମଧ୍ୟ ପ୍ରତ୍ୟାହାର କରାଯିବ। ବର୍ତ୍ତମାନ ଉଚ୍ଚାୟୁକ୍ତରେ ୫୫ କର୍ମଚାରୀ ଥିବାବେଳେ ଏହାକୁ ୩୦କୁ ଖସାଇ ଦିଆଯାଇଛି, ଯାହାକି ଆସନ୍ତା ୧ ତାରିଖରୁ ଲାଗୁ ହେବ।

ଅନ୍ୟପଟେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଲର୍ଟ ମୋଡରେ ଭାରତୀୟ ସେନା। ଆତଙ୍କବାଦୀଙ୍କୁ ନିପାତ କରିବାକୁ ପଣ କରିଛନ୍ତି ସେନା ଯବାନ । ଆଉ ଏଥିପାଇଁ ଚାଲିଛି କାଶ୍ମୀର ଘାଟିରେ ଅପରେସନ । କୁହାଯାଉଛି, ଦିଲ୍ଲୀରୁ ନିର୍ଦ୍ଦେଶ ମିଳିବା ମାତ୍ରେ ପାକିସ୍ତାନର ଭୌଗଳିକ ସ୍ଥିତିକୁ ବଦଳାଇବାକୁ ଅପେକ୍ଷା କରିଛନ୍ତି ସେନା ଯବାନ। ପିଓକେ ଓ ସୀମା ସେପାରି ପାକିସ୍ତାନରେ କେତୋଟି ଆତଙ୍କବାଦୀଙ୍କ ଆଡ୍ଡା ରହିଛି ତାହାର ହିସାବ ନିକାଶ କରି ସାରିଲାଣି ସେନା । 

ସୁଧୁରିବ ନା ଆହୁରି ଉଗ୍ର ହେବ ପାକିସ୍ତାନ, ଯୁଦ୍ଧ ଡାକରା ଦେବ କି ଭାରତ!

ନୂଆଦିଲ୍ଲୀ: ଭାରତରେ ସରିଲାଣି ସମସ୍ତ ପ୍ରସ୍ତୁତି ! ଆଉ ଚାଲିବନି ଆତଙ୍କବାଦୀଙ୍କ ଚାଲ୍‌ ! ଖିନ୍‌ଭିନ୍‌ ହେବ ଆତଙ୍କୀ ସାମ୍ରାଜ୍ୟ ? ଆକ୍ସନ ପାଇଁ କଡ଼ା ନିର୍ଦ୍ଦେଶ ଦେବେ କି ପ୍ରଧାନମନ୍ତ୍ରୀ ?

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ୍) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭାରତ ପାଞ୍ଚଟି ବଡ଼ ନିଷ୍ପତ୍ତି ନେଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଅଟାରୀ ସୀମା ଚେକ୍ ପୋଷ୍ଟ ବନ୍ଦ ରହିବ। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ସୀମିତ ଗତିବିଧି ମଧ୍ୟ ବନ୍ଦ ହେବାକୁ ଯାଉଛି। ଭାରତ ପାକିସ୍ତାନରେ ଥିବା ଏହାର ଦୂତାବାସ ବନ୍ଦ କରିବାକୁ ଯାଉଛି। ଏହା କୂଟନୈତିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି କୁହାଯାଉଛି। ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଆସିଛନ୍ତି ମେ’ ୧ ପୂର୍ବରୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ। ପାକ୍ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବେ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ହେବ। ସେହିପରି ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଦେଇଛି ଭାରତ। ଏହି ଜଳ ଚୁକ୍ତିନାମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ୬୨ ବର୍ଷ ପୂର୍ବେ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଯୋଗୁଁ ପାକିସ୍ତାନ ପ୍ରଚୁର ପାଣି ପାଉଛି, କିନ୍ତୁ ଏବେ ଏହାର ସମସ୍ୟା ବୃଦ୍ଧି ପାଇବ।

ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନ ଏବେ ଭୟଭୀତ। ଭାରତୀୟ ସେନା POKରେ ୪୨ଟି ଆତଙ୍କବାଦୀ ଶିବିର ଚିହ୍ନଟ କରିଛି। ଆବଶ୍ୟକତା ଅନୁସାରେ ସେନା ଏଠାରେ ଆଟାକ୍ କରିପାରେ। ଆତଙ୍କବାଦୀଙ୍କ ଶିବିର ବିଭିନ୍ନ ସ୍ଥାନରେ ଅଛି। ଉତ୍ତର ପିର ପଞ୍ଜଲରେ ୧୦ଟି ଶିବିର ଏବଂ ଦକ୍ଷିଣରେ ୩୨ଟି ଶିବିର ହୋଇପାରେ। ଏଠାରେ ମୋଟ ୧୩୦ ଜଣ ଆତଙ୍କବାଦୀ ଥାଇପାରନ୍ତି। ବର୍ତ୍ତମାନ ପାକିସ୍ତାନ ସର୍ଜିକାଲ୍ ଷ୍ଟ୍ରାଇକ୍ କୁ ଭୟ କରୁଛି। ଅନ୍ୟପଟେ ଭାରତର ବଡ଼ ପଦକ୍ଷେପ ପରେ ପାକିସ୍ତାନରେ ହଲଚଲ ସୃଷ୍ଟି ହୋଇଛି । ଆଜି ପାକିସ୍ତାନରେ ବସିବ ଜରୁରୀକାଳୀନ ବୈଠକ । ସୁରକ୍ଷା କମିଟି ବୈଠକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଡ଼ାକିଥିବା ନେଇ ସୂଚନା ମିଳିଛି । ସେହିପରି ପହଲଗାମ୍‌ ହମ୍‌ଲା ମାମଲାରେ ଆଜି ମଧ୍ୟ ଭାରତରେ ବସିବ ସର୍ବଦଳୀୟ ବୈଠକ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଆଜି ସନ୍ଧ୍ୟା ୬ଟାରେ ବସିବ ସର୍ବଦଳୀୟ ବୈଠକ ।

ଏବେ ଭାରତର ଏହି କଠୋର ନିଷ୍ପତ୍ତି ଦୁଇ ଦେଶର ସାଧାରଣ ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି କରିଛି । ଭାରତର ଏହି ନିଷ୍ପତ୍ତି ପରେ କଣ ଥମିବ ପାକିସ୍ତାନ ? ନାଁ ପଡିବ ଆଉ ଯୁଦ୍ଧର ମୁଳଦୁଆ ।

କାହିଁକି ପିନ୍ଧନ୍ତିନି ପାଦରେ ସୁନା ଆଭୂଷଣ…

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ସବୁ ଜିନିଷକୁ ନେଇ କିଛି ନା କିଛି ମାନ୍ୟତା ଯୋଡି ହୋଇ ରହିଛି । ସେମିତି ମହିଳାଙ୍କର ଷୋଳ ଶୃଙ୍ଗାର ସାମଗ୍ରୀ ଏବଂ ଆଭୂଷଣ ର ମଧ୍ୟ ଏକ ନିଜସ୍ୱ ଖାସ ମହତ୍ୱ ବିଷୟରେ କୁହାଯାଇଛି । ମାନ୍ୟତା ରହିଛି ମହିଳାଙ୍କୁ ସୁନାର ପାଉଁଜି କିମ୍ବା ସୁନା ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ ।

ହିନ୍ଦୁ ଧର୍ମରେ ମହିଳାଙ୍କର ମୁଣ୍ଡରୁ ପାଦ ଯାଏଁ ପିନ୍ଧା ଯାଉଥିବା ଷୋଳ ଶୃଙ୍ଗାର ସାମଗ୍ରୀ ର ଖାଲି ଧାର୍ମିକ ହିଁ ନୁହେଁ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ବଡ ମହତ୍ୱ ରହିଛି । ଏଗୁଡ଼ିକୁ ମହିଳାଙ୍କର ସୁହାଗ ଏବଂ ସୌଭାଗ୍ୟ ର ଚିହ୍ନ ମାନାଯାଇଥାଏ । ଧାର୍ମିକ ମାନ୍ୟତା ଅଛି ଯେ ମହିଳାଙ୍କ ପାଦରେ ପିନ୍ଧୁଥିବା ଗୋଡ ମୁଦି ସୀମନ୍ତିନୀଙ୍କୁ ତାଙ୍କ ପତିଙ୍କ ସହିତ ଯୋଡି ରଖିଥାଏ । କିନ୍ତୁ ଗୋଡ଼ରେ ସୁନା ମୁଦି ପିନ୍ଧିବା ଉଚିତ ନୁହେଁ । ଏହାକୁ ଅଶୁଭ ମାନାଯାଏ । ତାହେଲେ ଆସନ୍ତୁ ଜାଣିବା କଣ ଅଛି ଏହା ପଛର ମାନ୍ୟତା ।

ମହିଳାମାନେ କାହିଁକି ସୁନାର ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ  :

ଧାର୍ମିକ ମାନ୍ୟତା ଅଛି ସୁହାଗିନୀଙ୍କୁ କେବଳ ରୁପା ଧାତୁର ବିଛିୟା ବା ଗୋଡ ମୁଦି ହିଁ ପିନ୍ଧିବା ଉଚିତ, କିନ୍ତୁ ସୁନାର ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନାର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଛି । ଏମିତିବି ମହିଳାମାନଙ୍କ ମୁଣ୍ଡରୁ କମର ପର୍ଯ୍ୟନ୍ତ ସୁନାର ଆଭୂଷଣ ପିନ୍ଧାଯାଏ । କିନ୍ତୁ ପାଦରେ ପାଉଁଜି ବା ଗୋଡ ମୁଦି । ରୁପା ବା ଚାନ୍ଦିର ହିଁ ପିନ୍ଧିବା ଶୁଭ ହୋଇଥାଏ । ଚାନ୍ଦିକୁ ଚନ୍ଦ୍ର ଗ୍ରହ ସହିତ ଯୋଡ଼ା ଯାଇଥାଏ । ଲକ୍ଷ୍ମୀ ମାଙ୍କ ରୁପ ମାନିଥିବା କାରଣରୁ ସୁନାର ଗୋଡ ମୁଦି ପାଦରେ ପିନ୍ଧିଲେ ତାଙ୍କର ଅନାଦର ହୋଇଥାଏ |

ଏହା ବ୍ୟତୀତ ବୈଜ୍ଞାନିକ ଦୃଷ୍ଟିରୁ ବି ମାନାଯାଇଥାଏ କି ରୁପାର ସ୍ୱଭାବ ଥଣ୍ଡା ହୋଇଥାଏ । ଏହା ପୃଥିବୀର ଶକ୍ତିକୁ ଶରୀରରେ ପହଞ୍ଚାଇଥାଏ । ତେଣୁ ପାଦରେ ରୁପା ପିନ୍ଧିବା ଶରୀର ପାଇଁ ଭଲ ହୋଇଥାଏ ।

ଏହି କଥାକୁ ରଖନ୍ତୁ ଧ୍ୟାନରେ : 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମହିଳାଙ୍କ ବିବାହ ସହ ଗୋଡ ମୁଦିର ସମ୍ପର୍କ ରହୁଥିବା ଯୋଗୁ ସର୍ବଦା ଗୋଡ ମୁଦି ପିନ୍ଧିବା ଦରକାର । ଯଦି ହଜିଯାଏ ତୁରନ୍ତ ଏହାକୁ ପିନ୍ଧନ୍ତୁ । ନିଜର ପିନ୍ଧିଥିବା ଗୋଡ ମୁଦିକୁ କେବେ ବି ଅନ୍ୟ କାହାକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ ।