
ବାରିପଦା: ଓଡ଼ିଶାର ସଂରକ୍ଷଣ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଆଜି ଶିମିଳିପାଳକୁ ଆନୁଷ୍ଠାନିକ ଭାବେ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଶିମିଳିପାଳକୁ ଜାତୀୟ ଉଦ୍ୟାନ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିକଶିତ ଭାରତ, ବିକଶିତ ଓଡ଼ିଶା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି, ଶିମିଳିପାଳ ଏବେ ଆନୁଷ୍ଠାନିକ ଭାବେ ଏକ ଜାତୀୟ ଉଦ୍ୟାନ ମାନ୍ୟତା ଲାଭ କରିଛି। ଭାରତର ଏହା ୧୦୭ତମ ଜାତୀୟ ଉଦ୍ୟାନ ଏବଂ ୮୪୫.୭୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଂଚଳ। ଏହି ବହୁ ପ୍ରତୀକ୍ଷିତ ଘୋଷଣା ଆମର ପରିବେଶ ପରମ୍ପରାକୁ ସୁଦୃଢ଼ କରିବା ସହ ଆଦିବାସୀ ଆକାଂକ୍ଷାକୁ ଉନ୍ନତ କରିବା ସହ ନିରନ୍ତର ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛି। ଶିମିଳିପାଳକୁ ଆଜି ଆନୁଷ୍ଠାନିକ ଭାବେ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଛି, ଯାହା ଓଡ଼ିଶାର ସଂରକ୍ଷଣ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଭାରତରେ ସର୍ବବୃହତ୍ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ସଂରକ୍ଷିତ ବନକ୍ଷେତ୍ର ଭାବେ ଏହା ପରିଗଣିତ। ମୟୂରଭଞ୍ଜ ଜିଲାର ୫,୫୬୯ବର୍ଗ କି.ମି. ଶିମିଳିପାଳ ଜୈବମଣ୍ଡଳ ପାଇଁ ସଂରକ୍ଷିତ। ସେଥିମଧ୍ୟରୁ ୨,୨୭୧.୭୮ ବର୍ଗ କି.ମି. ହେଉଛି ସଂରକ୍ଷିତ ଅଭୟାରଣ୍ୟ। ଅଭୟାରଣ୍ୟରେ ସ୍ବତନ୍ତ୍ର ଜନଜାତି ସମେତ ୧୦୭୬ ପ୍ରଜାତିର ବୃକ୍ଷଲତା, ୧୦୨ ପ୍ରକାର ଅର୍କିଡ, ୬୦୪ ପ୍ରକାର ଔଷଧୀୟ ବୃକ୍ଷ ସହିତ କଳାବାଘ, ମହାବଳ, ହାତୀ, ବଣମଇଁଷି, ଶମ୍ବର, ଭାଲୁ, ଉଡ଼ନ୍ତା ଗୁଣ୍ଡୁଚିମୂଷା, ମୟୂର ଓ କୁମ୍ଭୀର ପରି ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ ଏବଂ ୨୦ପ୍ରକାର ଉଭୟଚର ପ୍ରାଣୀ ସହିତ ଅସଂଖ୍ୟପ୍ରଜାତିର କୀଟପତଙ୍ଗ ଦେଖିବାକୁ ମିଳେ।
ଏଠାରେ ଯୋରନ୍ଦା, ବରେହିପାଣି, ଉସକି, ସୀତାକୁଣ୍ଡ, ଦେବକୁଣ୍ଡ, ଭୀମକୁଣ୍ଡ, ମାଛକାନ୍ଦଣା, ଟୁଙ୍କି ଓ ଚାଉଳିଭଜା ଭଳି ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏତଦ୍ଭିନ୍ନ ଲୁଲୁଙ୍ଗ, ଚହଲା, ବୃନ୍ଦାବନ, ନଅଣା, ସମୀବୃକ୍ଷ, ବ୍ରାହ୍ମଣକୁଣ୍ଡ ଓ ମଞ୍ଚାବନ୍ଧା ଇକୋଟୁରିଜମ କ୍ଷେତ୍ର ରହିଛି। ପର୍ଯ୍ୟଟକମାନେ ପ୍ରକୃତିର ମଜା ନେବା ସହ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥାନ୍ତି।