
ଆଜି ହେଉଛି ଗଣେଶ ଚତୁର୍ଥୀ ଅର୍ଥାତ ଗଣେଶ ପୂଜା l ଧରାପୃଷ୍ଠରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ। ଅଗ୍ରପୂଜ୍ୟ, ଗଜାନନ, ବିଘ୍ନହର୍ତ୍ତା, ପାର୍ବତୀ ନନ୍ଦନ… ନାଁ ଅନେକ କିନ୍ତୁ ରୂପ ଏକ l ଗାଁଠୁ ସହରର ସବୁଠି ହୋଇଉଠିଛି ଚଳଚଞ୍ଚଳ l ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ସହ ଆଗମନ କରିଛନ୍ତି ପ୍ରଭୁ । ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । କେଉଁଠି ସପ୍ତାହେ ତ କେଉଁଠି ମାସେ ଧରି ଚାଲିବ ଗଜାନନଙ୍କ ପୂଜା l ମେଢବୁଲିବାକୁ ଲୋକ ବି ଭିଡ଼ ଜମାଉଛନ୍ତି ।

ଗଣପତିଙ୍କ ଆରାଧନା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ଗଣେଶ ପୂଜାକୁ ନେଇ ଉତ୍ସବମୁଖର ପରିବେଶ । ଅନୁଗୁଳର ତାଳଚେର, ଭୁବନେଶ୍ୱର,କଟକ, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ମେଢ଼ ଓ ତୋରଣ ନିର୍ମାଣ ହୋଇଛି ।

ତା’ସହ କେଉଁଠି ମୀନାବଜାର ବୁଲିବା ମଜାକୁ ଆହୁରି ଦ୍ବିଗୁଣିତ କରୁଛି । ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ସଜ୍ଜାରେ ଝଟକୁଛି ବିଭିନ୍ନ ସହର । ଭୁବନେଶରର ବରଗଡ଼, ସହିଦନଗର ଓ ବରମୁଣ୍ଡା ରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି । କଟକରେ ସକାଳୁ ସକାଳୁ ଶିକ୍ଷାନୁଷ୍ଠାନ ଗୁଳିକ ଚଳଚଞ୍ଚଳ ହୋଇଉଠିଛି । ନାମୀଦାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ମେଲୋଡି ବେଶ୍ ଜମିବ । ବିଧି ଓ ପରମ୍ପରା ଅନୁସାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଗଜପତି ମହାରାଜାଙ୍କ ରାଜଗୁରୁ ସିଦ୍ଧି ବିନାୟକଙ୍କ ପୂଜା କରିବେ । ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ବିଭିନ୍ନ ଗଣେଶ ପୀଠ ଗୁଡ଼ିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ ଆଉ କିଛ ସମୟ ଅପେକ୍ଷା । ବେଦ ଧ୍ବନୀରେ ପ୍ରକମ୍ପିତ ହେବ ଗଗନ ପବନ । ଧୂପ ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ ।