
ଭୁବନେଶ୍ୱର:ଉତ୍ତରାଖଣ୍ଡରେ ଫସି ରହିଛନ୍ତି ୪ ଓଡ଼ିଆ ଯୁବକ | ଏହି ୪ ଜଣ ଯୁବକ ଶ୍ରାବଣରେ କେଦାରନାଥରେ ଜଳଲାଗି ପାଇଁ ଯାଇଥିଲେ | ବାଦଲଫଟା ବର୍ଷ ଯୋଗୁ ରାସ୍ତା ଧସି ଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି | ଫଳରେ ସମସ୍ତେ ଅଧା ବାଟରେ ଅଟକି ରହିଛନ୍ତି |
ୱାଇନାଡା ପରେ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରକୃତି ଯେମିତି ତାଣ୍ଡବ ରଚୁଛି | ହଜାର ହଜାର ଘର ମାଟିରେ ମିଶିବା ସହ ଶହ ଶହ ଲୋକଙ୍କ ଜୀବନ ଗଲାଣି | ୱାଇନାଡାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଡାକ୍ତର ଏବେ ବି ନିଖୋଜ ଅଛନ୍ତି | ଏବେ ପୁଣି ଉତ୍ତରାଖଣ୍ଡରୁ ଆସିଛି ଦୁଃଖଦ ଖବର | କେନ୍ଦୁଝରରୁ ଯାଇଥିବା ୪ ଜଣ ଓଡ଼ିଆ କେଦାରନାଥରେ ଫସି ରହିଛନ୍ତି | ସେମାନେ ହେଲେ, ଜଗମୋହନପୁରର ସଦାନନ୍ଦ ସାହୁ, ଦୋବଲାପାଳ ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ, ତେଲକୋଇ ସରୁଆଳିର କାର୍ତିକେଶ୍ୱର ଖିଲାର ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପସଢାର ଋଷିନାଥ ମହାନ୍ତ | ଏ ସମସ୍ତେ ଶ୍ରାବଣରେ ବାବା କେଦାରନାଥଙ୍କ ଉପରେ ଜଳଲାଗି କରିବା ପାଇଁ ଯାଇଥିଲେ | ସେମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।
ମିଳିଥିବା ଖାବ ଅନୁଯାୟୀ, ୪ ଓଡ଼ିଆଙ୍କ ଉଦ୍ଧର ପାଇଁ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ରୁଦ୍ରପ୍ରୟାଗ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି | ଏଆର ଲିଫଟିଙ୍ଗ ଦ୍ୱାରା ଏମାନଙ୍କୁ ସୁରକ୍ଷିତ ଉଦ୍ଧର ପାଇଁ ରୁଦ୍ରପ୍ରୟାଗ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି | ତେବେ ସେଠାରେ ବର୍ତ୍ତମାନ ପାଗ ଭଲ ନାହିଁ | ହେଲେ ପାଗ ଅନୁକୂଳ ହେଲେ ଉଦ୍ଧର କାମ ଆରମ୍ଭ କରାଯିବ |