
କଟକ : ବୋହୁ ଦିନର ଅପେକ୍ଷା ପରେ ଆଜି ଲୋକାର୍ପଣ ହେବ କଟକ ନେତାଜୀ ବସ୍ ଟର୍ମିନାଲ୍ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦଘାଟନ କରିବେ । ଅପରାହ୍ନ ୪:୩୦ ସମୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥି ପାଇଁ ସବୁ ପ୍ରସ୍ତୁତି ସହିତ ସୁରକ୍ଷା ବି ସମ୍ପୂର୍ଣ୍ଣ କଡାକଡି କରାଯାଇଛି । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା ୧୨ଟି ପ୍ରକଳ୍ପର ଉଦଘାଟନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ବସ ଟର୍ମିନାଲ ୧୫ ଏକର ପରିମିତ ଜମି ଉପରେ ତିଆରି କରାଯାଇଛି l ଏହି ବସ ଟର୍ମିନାଲ ପାଇଁ ୯୦.୨ କୋଟି ଟଙ୍କା ବ୍ୟୟ ହୋଇଛି । ଏଠାରେ ୧୯୨ ଟି ବସ ରହଣି ଓ ଯାତାୟାତର ବ୍ୟବସ୍ଥା କରାଯାଇଛି l ଏଥିସହ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯାଇଛି ।
ଟର୍ମିନାଲ ପରିସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଯୋଗଦେବା ସହିତ ଭର୍ଚୁଆଲ ମୋଡରେ ଅନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ଟର୍ମିନାଲରେ ବୁଲି ପୁରା ପ୍ରୋଜେକ୍ଟ ଦେଖିବା ସହିତ ପତାକା ଦେଖାଇ ବସ ଯାତ୍ରା ର ଶୁଭାରମ୍ଭ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେପଟେ ଉଦଘାଟନୀ ଭିଡ଼ ନିୟନ୍ତ୍ରଣ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଥିବା କଟକ ଡିସିପି ପିନାକି ମିଶ୍ର ସୂଚନା ଦେଇଛନ୍ତି । ଏଥି ପାଇଁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।