
ଚଣ୍ଡିଖୋଲ: ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ l ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନେକ ନେତା ମନ୍ତ୍ରୀ ଉପସ୍ଥିତ ଥିଲେ l
ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦି ଗ୍ୟାରେଣ୍ଟି ସମାବେଶରେ ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ କହି ବକ୍ତବ୍ୟ ଆରମ୍ଭ କଲେ। ସେ କହିଛନ୍ତି, ଓଡ଼ିଶା ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି। ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିର ଗ୍ୟାରେଣ୍ଟି। ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି। ଏହି ଅବସରରେ ଓଡିଶା ବାସୀଙ୍କୁ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି ଦେଇଛନ୍ତି। ଓଡିଶାର ୩ଟି ନୂଆ ଟ୍ରେନ୍ର ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦି ।
କେନ୍ଦୁଝରଗଡ ଷ୍ଟେସନରୁ ପୁରୀ-ଆନନ୍ଦବିହାର ଟର୍ମିନାଲ ମଧ୍ୟରେ ନୂଆ ଟ୍ରେନ, ପାରାଦୀପ ଷ୍ଟେସନରୁ ପାରାଦୀପ-କେନ୍ଦୁଝର, ଏମ୍ଏମ୍ଏଲ୍ପି ଯାଜପୁର, ଓଡିଶାରୁ ଆଇସିଡି ଦାଦରୀ, ଉତ୍ତରପ୍ରଦେଶରୁ କଣ୍ଟେନର୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଚଣ୍ଡିଖୋଲରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଖୁସିର କଥା, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଆଜି ଆମ ସହିତ ଅଛନ୍ତି। ମୁଁ ତାଙ୍କୁ ଓଡ଼ିଶାକୁ ସ୍ଵାଗତ କରୁଛି।