
ଭୁବନେଶ୍ଵର: ଗତ ନିର୍ବାଚନରେ ବିଜେଡି ହାରିବା ପରେ ଏବେ ଦଳର ସ୍ଥିତି ଦିନ କୁ ଦିନ ଖରାପ ହେବାରେ ଲାଗିଛି । ଘନ ଘନ ଚାଲିଛି ବିଜେଡି ନେତା ମାନଙ୍କ ବୈଠକ । ସେପଟେ ଏବେ ବି ଚାଲିଛି ଦଳ ଡିଆଁ କାର୍ଯ୍ୟକ୍ରମ । ଗୋଟେ ପରେ ଗୋଟେ ନେତା ଦଳ ଛାଡି ବିଜେପିରେ ମିଶୁଛନ୍ତି । ଯାହାକୁ ଦେଖି ବୋଧ ହୁଏ ଚିଡି ଯାଉଛନ୍ତି ବିଜେଡି ସୁପ୍ରିମ । ସମସ୍ତଙ୍କୁ ରୋକଠକ୍ କଥା କହୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଆଜିଠୁ ବିଧାନସଭା ଆରମ୍ଭ ହୋଇଥିବା ବେଳେ ଗୃହ ବାହାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଗୃହକୁ ପ୍ରବେଶ କରିବା ବେଳେ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡଙ୍କୁ ଦେଖି ସତେ ଯେମିତି ଚିଡି ଯାଇଥିଲେ ନବୀନ ।
କେବଳ ସେତିକି ନୁହେଁ ଭରା ମଇଦାନରେ ମହାକୁଡଙ୍କୁ ତାଗିଦ୍ ମଧ୍ୟ କରିଥିଲେ ନବୀନ । ସମସ୍ତଙ୍କ ସାମ୍ନାରେ ମହାକୁଡଙ୍କୁ ତେରଛା ବାଣ ମାରିଥିଲେ ନବୀନ ପଟ୍ଟନାୟକ । ଗତକାଲି ହୋଇଥିବା ବିଜେଡି ବୈଠକରେ କାହିଁକି ଯୋଗ ଦେଇନଥିଲେ ବୋଲି ସନାତନଙ୍କୁ ପ୍ରଶ୍ନ କରିଥିଲେ ନବୀନ । ଏହାର ଉତ୍ତରରେ, ଦେହ ଖରାପର କାରଣ ଦର୍ଶାଇଥିଲେ ସନାତନ । କିନ୍ତୁ ଏକଥା ବୋଧ ହୁଏ ହଜମ ହୋଇନଥିଲା ନବୀନଙ୍କର । ସିଧାସଳଖ ସନାତନଙ୍କୁ କଟାକ୍ଷ କରି, କ’ଣ ବିଜେପି ଆଡେ ମୁହାଁଉଛ ବୋଲି କହିଥିଲେ ନବୀନ । କିନ୍ତୁ ଏହାର କିଛି ଉତ୍ତର ନଦେଇ ଚୁପ୍ ରହିଥିଲେ ସନାତନ । ଦଳୀୟ ନେତାଙ୍କୁ ନବୀନଙ୍କ ଏପରି ତେରଛା ପ୍ରଶ୍ନବାଣ ଏବେ ରାଜନୈତିକ ମହଲରେ ଏହା ଚର୍ଚ୍ଚା ସୃଷ୍ଟି କରିଛି ।