
ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ପୁର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିଯିବ। ଏଭଳି ଦାବି ରଖିଛନ୍ତି କର୍ଣ୍ଣାଟକର ବରିଷ୍ଠ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟାତନାଲ।
ଶାସକ ଦଳ କଂଗ୍ରେସର ୨୫ ରୁ ଅଧିକ ବିଧାୟକ ଦଳ ଛାଡିବାକୁ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଆଲୋଡନ ଖେଳିଯାଇଛି। କର୍ଣ୍ଣାଟକ ବିଜାପୁରର ଏହି ବରିଷ୍ଠ ବିଜେପି ବିଧାୟକ ଏଭଳି କହିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି। କର୍ଣ୍ଣାଟକରେ ବିଜେପିକୁ ବଡ଼ ବ୍ୟବଧାନରେ ହରାଇ ବହୁ ସିଟ ଜିତି ସରକାର ଗଢିଥିବା କଂଗ୍ରେସକୁ ନେଇ ବିଜେପି ବିଧାୟକଙ୍କ ଏଭଳି ବୟାନ କେତେଦୂର ସତ ପ୍ରମାଣିତ ହେବ ତାକୁ ନେଇ ଆକଳନ ଆରମ୍ଭ ହେଲାଣି।
କଂଗ୍ରେସ କର୍ଣ୍ଣାଟକରେ ୧୩୫ ସିଟ ଜିତିଥିବା ବେଳେ ସେଥିରୁ ୩୦ ଜଣ ବିଧାୟକ ଛାଡିଦେଲେ ସରକାର ଭାଙ୍ଗିଯିବ ବୋଲି ସେ କହିଛନ୍ତି। ସେଥିରୁ ୨୫ ଜଣ ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଛି।
କଂଗ୍ରେସ ସରକାରର କିଛି ମନ୍ତ୍ରୀ ସବୁ କ୍ଷମତା ପାଇବା ଭଳି ବ୍ୟବହାର କରୁଥିବା ୟାତନାଲ କହିଛନ୍ତି। ତେଣୁ ସେମାନେ ମନ ଇଛା ଅଧିକାରୀଙ୍କୁ ବଦଳି କରୁଛନ୍ତି। ଏପରିକି ତାଙ୍କ ନିର୍ବାଚନ ମଣ୍ଡଳୀରେ ଜାଣିଶୁଣି ସଂଖ୍ୟାଲଘୁ ଅଫିସର ମାନଙ୍କୁ ନିଯୁକ୍ତି ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଆମେ ଜାନୁୟାରୀରେ ଆସୁଛୁ ବୋଲି ସେ କହିଛନ୍ତି।