November 3, 2025

କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳୀ ; ଯିଏ ଥରେ ଖାଇଛି ସେ ତାର ସ୍ବାଦ ଭୁଲିନି

ଭୁବନେଶ୍ଵର: ବିଭିନ୍ନ ମିଷ୍ଠାନ ମଧ୍ୟରୁ ରସାବଳୀ ଅନ୍ୟତମ ହୋଇଥିବାବେଳେ, ଏହା କେବଳ କେନ୍ଦ୍ରାପଡ଼ା ରେ ହିଁ ମିଳିଥାଏ  । ୮ଶହ ବର୍ଷ ପୂର୍ବରୁ ରସାବଳୀ ପ୍ରଭୁ ବଳଦେବଜୀଉ ଙ୍କର ପ୍ରସାଦ ରୂପେ ଲାଗିଆସିଛି ବୋଲି ଇତିହାସ ରେ ଉଲ୍ଲେଖ ରହିଛି । ପ୍ରତିଦିନ ସନ୍ଧ୍ୟା ଆଳତୀ ପୂର୍ବରୁ ରସାବଳୀ ଶ୍ରୀ ବଳଦେବଜୀଉଙ୍କୁ ଭୋଗ ଲାଗି କରାଯାଇଥାଏ। ମରହଟ୍ଟା ଶାସନ ସମୟରେ ମହନ୍ତ ମାନେ ଶାସନ କରୁଥିବା ସମୟରେ ଷୋଡଗୋପି ରାମାନନ୍ଦ ଦାସ ଙ୍କ ତତ୍ଵାବଧାନ ରେ ୧୬୬୭ମସିହାରୁ ରସାବଳୀ ପ୍ରଭୁ ବଳଦେବଜୀଉଙ୍କର ଦୈନନ୍ଦିନ ପ୍ରସାଦ ରୂପରେ ପ୍ରଚଳିତ ହୋଇଆସୁଛି । ତେବେ ଆସନ୍ତୁ ଜାଣିବା ଘରେ କେମିତି ବନେଇବେ ଏହି ସ୍ଵାଦିଷ୍ଟ ରସାବଳୀ ।

ଆବଶ୍ୟକ ସାମଗ୍ରୀ

କ୍ଷୀର – ୧ ଲିଟର
ସୁଜି – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ ଚାମଚ
କାଜୁ, ପେସ୍ତା ବାଦାମ, ବାଦାମ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କେଶର – ଅଳ୍ପ
ଚିନି – ୨ କପରୁ ସାମାନ୍ୟ କମ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ସୁଜି, ଘିଅ, ଅଳ୍ପ ଲୁଣ, ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ ପାତ୍ର ବସାନ୍ତୁ। ପାତ୍ରରେ କ୍ଷୀର ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଚିନି , କେଶର, ଗୁଜୁରାତି ଗୁଣ୍ଡ, ବାଦାମ, ପେସ୍ତା ବାଦାମ, କାଜୁ, ପକାଇ ଭଲ ଭାବେ ଫୁଟାଇ ରାବିଡ଼ି ଭଳି ମୋଟା ହେବା ପରେ ଗ୍ୟାସରୁ ଓହ୍ଲାଇ ରଖନ୍ତୁ। ଏହା ପରେ ପ୍ରସ୍ତୁତ କରି ରଖିଥିବା ଦଳାରୁ ବେଲି ପୁରୀ ପ୍ରସ୍ତୁତ କରନ୍ତୁ। ପୁରୀ ପ୍ରସ୍ତୁତ ହେବା ପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଏହି ପୁରୀକୁ ଛାଣନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଏହି ପୁରୀ ଉପରେ ପ୍ରସ୍ତୁତ କରି ରଖିଥିବା ରାବିଡ଼ିକୁ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ରସାବଳୀ।

ଏ ହେଉଛି ଦୁନିଆର ସବୁଠୁ ଛୋଟ ନଦୀ, ଜାଣନ୍ତୁ କେଉଁଠି ହେଉଛି ପ୍ରବାହିତ

ନୂଆଦିଲ୍ଲୀ: କୌଣସି ଦେଶରେ ବହୁଥିବା ନଦୀ ସେହି ଦେଶର ଶିରାପ୍ରଶିରା ଭାବେ ଜଣା । ଭାରତରେ ମଧ୍ୟ ଅନେକ ନଦୀ ରହିଛି । କିଛି ନଦୀ ବହୁତ ଲମ୍ବା ଥାଏ, ଏବଂ ଅନେକ ନଦୀର ଲମ୍ବ କମ ରହିଥାଏ । ଆମ ଦେଶରେ ଏପରି କିଛି ନଦୀ ରହିଛି ଯାହାର ଉତ୍ପତ୍ତି ସ୍ଥଳରୁ ଶେଷ ସ୍ଥଳରେ ପହଞ୍ଚିବା ପାଇଁ ଆପଣଙ୍କୁ ଅନେକ ଦିନ ଲାଗି ଯିବ । ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା ଏବଂ ବ୍ରହ୍ମପୁତ୍ର ଭାରତର ପ୍ରମୁଖ ନଦୀ । କିନ୍ତୁ ଭାରତରେ ଦୁନିଆର ସବୁଠାରୁ ବଡ଼ ନଦୀ ନାହିଁ କି ଦୁନିଆର ସବୁଠାରୁ ଛୋଟ ନଦୀ ନାହିଁ । ଏହି ନଦୀ ଦୁଇଟି ଭିନ୍ନ ଭିନ୍ନ ଦେଶରେ ରହିଛି ।

ସମସ୍ତେ ଜାଣିଛନ୍ତି ଦୁନିଆର ସବୁଠାରୁ ବଡ଼ ନଦୀ ଆଫ୍ରିକାରେ ଥିବା ନୀଳ ନଦୀ । ଯାହାର ଲମ୍ବ ୬,୬୫୦ କିଲୋମିଟର । କିନ୍ତୁ ଦୁନିଆର ସବୁଠାରୁ ଛୋଟ ନଦୀ କେଉଁ ଦେଶରେ ବହୁଛି, ତାହା ହୁଏତ ଖୁବ କମ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଛୋଟ ନଦୀ ବିଷୟରେ । ଦୁନିଆର ସବୁଠାରୁ ଛୋଟ ନଦୀ ଆମେରିକାରେ ରହିଛି । ଏହି ନଦୀ ଆମେରିକାର ମୋଟାନା ରାଜ୍ୟରେ ପ୍ରବାହିତ । ଏହି ନଦୀ ନିକଟରେ ହିଁ ଆମେରିକାର ସବୁଠାରୁ ଲମ୍ବା ନଦୀ ମିସୋରି ପ୍ରବାହିତ ହେଉଛି । ତେବେ ଦୁନିଆର ସବୁଠାରୁ ଛୋଟ ନଦୀର ନାମ ହେଉଛି ‘ରୋ ରିଭର’ । ୧୯୮୦ ମସିହାରେ ଲିଙ୍କନ ସ୍କୁଲ ଏଲିମେଣ୍ଟ୍ରି ର ଶିକ୍ଷକ ଏବଂ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ‘ରୋ’ ନଦୀକୁ ଦୁନିଆର ସବୁଠାରୁ ଛୋଟ ନଦୀ ଭାବେ ଗିନିଜ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ଦେବା ପାଇଁ ଚେଷ୍ଟା କରିଥିଲେ ।

୧୯୮୯ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ‘ରୋ’ ନଦୀକୁ ଦୁନିଆର ସବୁଠାରୁ ଛୋଟ ନଦୀର ମାନ୍ୟତା ମିଳିଥିଲା । ଏହା ପୂର୍ବରୁ ଆରିଗନର ‘ଡି ରିଭର’ ନଦୀକୁ ଛୋଟ ନଦୀର ମାନ୍ୟତା ମିଳିଥିଲା । ଯାହା ମାତ୍ର ୪୪୦ ଫୁଟ ଲମ୍ବା ଥିଲା । କିନ୍ତୁ ‘ରୋ’ ନଦୀର ଲମ୍ବ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଦୁନିଆର ସବୁଠାରୁ ଛୋଟ ନଦୀର ଲମ୍ବ ମାତ୍ର ୨୦୧ ଫୁଟ ଅର୍ଥାତ ଏହା ପାଖାପାଖି ୬୧ ମିଟର । ଏହାର ଲମ୍ବ ଏତେ କମ ଯେ ଆପଣ ଏହାର ଉତ୍ପତ୍ତି ସ୍ଥଳରୁ ଶେଷ ସ୍ଥଳକୁ ମାତ୍ର ଅଳ୍ପ କିଛି ଘଣ୍ଟାରେ ଶେଷ କରି ପାରିବେ । ‘ରୋ’ ନଦୀ ପ୍ରବାହିତ ହୋଇ ଶେଷରେ ମସୁରୀ ନଦୀରେ ମିଶି ଯାଇଥାଏ । ଲିଟିଲ ବେଲ୍ଟ ମାଉଣ୍ଟେନ ରେଞ୍ଜରୁ ଏହି ଛୋଟ ନଦୀର ପାଣି ଆସିଥାଏ ଏବଂ ଏହା ଅଣ୍ଡରଗ୍ରାଉଣ୍ଡ ସ୍ପି୍ରଙ୍ଗରୁ ପ୍ରସ୍ତୁତ ହୋଇଥାଏ ।

ପଣସ ଖାଉଥିଲେ ଜାଣରଖନ୍ତୁ ଏହି କଥା, ଏହି ଲୋକଙ୍କ ପାଇଁ ବରଦାନ କଞ୍ଚା ପଣସ

ଭୁବନେଶ୍ଵର: ମଧୁମେହ ରୋଗୀଙ୍କ ପାଇଁ ପଣସ ଖାଇବା ଉପକାରୀ ବୋଲି ବିବେଚନା କରାଯାଏ। ମଧୁମେହକୁ ରୋକିବା ଏବଂ ଏହାର ଲକ୍ଷଣ ପରିଚାଳନା କରିବାରେ ଏହା ସାହାଯ୍ୟ କରେ ବୋଲି କୁହାଯାଏ। ପଣସ ମଞ୍ଜିରେ ପ୍ରୋଟିନ ଭରପୂର ଏବଂ ଏହାର ଅଧିକ ହାଇ ସଲ୍ୟୁବଲ ଫାଇବର ସାମଗ୍ରୀ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ପଣସ ମଞ୍ଜି ଖାଇବା ଉପକାରୀ ବୋଲି ବିବେଚନା କରାଯାଏ ଏବଂ ଏହା ଅନେକ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଇପାରେ। ଏଥିରେ ପ୍ରୋଟିନ୍ ଭରପୂର ଅଟେ। ଏହାକୁ ଭଜା କରି ମଧ୍ୟ ଖାଇ ପାରିବେ।

ଏହା ଆପଣଙ୍କ ପାଇଁ ଏକ ସୁସ୍ଥ ହାଇ ଫାଇବର ଜଳଖିଆ ହେବ। ଏହା ବ୍ୟତୀତ ଆପଣ ପଣସ ତରକାରୀ ଖାଇପାରିବେ। ଏଥି ସହିତ, ଏହାର ପତ୍ରର ବ୍ୟବହାର ମଧ୍ୟ ଲାଭଦାୟକ ହେବ। ପାଚିଲା ପଣସ ଅପେକ୍ଷା କଞ୍ଚା ପଣସରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଯାହା ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। କମ୍ ଅମ୍ଳତା ସ୍ତର ହେତୁ କଞ୍ଚା ପଣସ ହେଉଛି ଏପରି ଏକ ଫଳ ଯାହାକୁ ଆପଣ ନିୟମିତ କାର୍ବୋହାଇଡ୍ରେଟ୍ ଗ୍ରହଣ ପାଇଁ ବଦଳାଇ ପାରିବେ। ଯଦି ଆପଣ ରନ୍ଧା ହୋଇଥିବା ଚାଉଳର ଏକ ପାତ୍ର ବଦଳରେ କଞ୍ଚା ପଣସ ଖାଉଛନ୍ତି, ତେବେ ଏହାର ଅଧିକ ଦ୍ରବୀଭୂତ ଫାଇବର ପଦାର୍ଥ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ମଧୁମେହର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। କଞ୍ଚା ପଣସର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଯାହା ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ।

ଏଥିରେ ଥିବା ପ୍ରାକୃତିକ ଶର୍କର ଏବଂ ଫାଇବର ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ଗ୍ଲୁକୋଜ ଏବଂ ଇନସୁଲିନକୁ ମୁକ୍ତ କରିବା ଏବଂ ଇନସୁଲିନ ସମ୍ବେଦନଶୀଳତାକୁ ସୁଦୃଦୃଢ କରି ମଧୁମେହର ଲକ୍ଷଣକୁ ରୋକିବା ଏବଂ ପରିଚାଳନା କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଅପଚ ସମସ୍ୟାରେ ପଣସ ମଞ୍ଜି ପାଉଡର ତୁରନ୍ତ ଆରାମ ପ୍ରଦାନ କରିଥାଏ। ଏଥିପାଇଁ ପ୍ରଥମେ ପଣସର ମଞ୍ଜିକୁ ସୂର୍ଯ୍ୟକିରଣରେ ଶୁଖାଇ ସେଥିରେ ପାଉଡର ତିଆରି କରନ୍ତୁ। ଏହି ପାଉଡରକୁ ଗଚ୍ଛିତ ରଖନ୍ତୁ।

ଅପଚ ସମସ୍ୟାରେ, ଏହା ଏକ ଶୀଘ୍ର ଘରୋଇ ଉପଚାର ଭଳି କାର୍ଯ୍ୟ କରିବ। କୋଷ୍ଠକାଠିନ୍ୟ ସମସ୍ୟାରେ ପଣସ ମଞ୍ଜି ମଧ୍ୟ ସିଧାସଳଖ ଖାଇ ପାରିବେ କାରଣ ଏହା ଡାଏଟାରୀ ଫାଇବରରେ ଭରପୂର ଅଟେ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଏହି ସବୁ ସମସ୍ୟାର ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ମଧୁମେହର କାରଣ ହୋଇପାରେ। ଯଦି ଆପଣ ଜଣେ ମଧୁମେହ ରୋଗୀ ଏବଂ ନିୟମିତ ଔଷଧ ସହିତ ଆପଣଙ୍କ ଖାଦ୍ୟରେ କଞ୍ଚା ପଣସ ଅନ୍ତର୍ଭୁକ୍ତ କରନ୍ତି, ତେବେ ଏହାକୁ କେବଳ ଡାକ୍ତରଙ୍କ ପରାମର୍ଶରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ।

ସାବିତ୍ରୀ ବ୍ରତରେ କରନ୍ତୁ ନାହିଁ ଏହିସବୁ ଭୁଲ, ସ୍ୱାମୀ ହୋଇଯିବେ ବର୍ବାଦ

ଭୁବନେଶ୍ଵର: ପାଖେଇଲାଣି ସାବିତ୍ରୀ ବ୍ରତ । ଏଥର ସାବିତ୍ର ବ୍ରତ ମେ ୨୬ ତାରିଖ ଅର୍ଥାତ୍ ସୋମବାର ଦିନ ପଡୁଛି। ଏହି ଦିନ ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି। ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେ ଘରେ ପାଳନ କରାଯାଇଥାଏ। କହିବାକୁ ଗଲେ ଏହି ସାବିତ୍ରୀ ବ୍ରତକୁ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଆୟୁଷ ବୃଦ୍ଧି , ସନ୍ତାନ ସୁଖ ଏବଂ ସୌଭଗ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ବ୍ରତରେ ବିବାହିତା ମହିଳା ଭୁଲରେବି କିଛି ଜିନିଷ ଏବଂ କିଛି ଏପରି ବସ୍ତ୍ର ଆଦି ଧାରଣ କରିବା ଉଚିତ୍ ନୁହେଁ। ଯାହା ଦ୍ବାରା ନିଜ ସ୍ୱାମୀଙ୍କର ଆୟୁଷ କମ ହୋଇଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ । ତେବେ ଏଥିରୁ ବର୍ତ୍ତିବା ପାଇଁ ଏକ ସ୍ଥିର ମନ ଏବଂ ଏକାଗ୍ର ମନ ସହିତ ସାବିତ୍ରୀ ଅମାବାସ୍ୟାରେ ଉପବାସ ରଖନ୍ତୁ। ସଠିକ୍ ଉପାସନା କରନ୍ତୁ।

ଏହି ଦିନ କିଛି କାର୍ଯ୍ୟ କରିବା ଆବଶ୍ୟକ ନାହିଁ। ଯାହା ଦ୍ଵାରା ଇଚ୍ଛାକୃତ ଫଳାଫଳ ମିଳିପାରିବ। ଏହି ଦିନ କାହାକୁ ଅସମ୍ମାନ କରାଯିବା ଉଚିତ ନୁହେଁ। ଏଥିସହ କଠୋର ଭାଷା ବ୍ୟବହାର କରନ୍ତୁ ନାହିଁ। ଏହି ଦିନ ଶବଦାହ ସ୍ଥାନକୁ ଯାଆନ୍ତୁ ନାହିଁ। କାରଣ ଏହି ଦିନ ନକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ। ଏହି ଦିନ ବର ଗଛକୁ ପୂଜା କରିବା ଉଚିତ। କିନ୍ତୁ ବର ଗଛକୁ କେବେବି ଛୁଇଁବେ ନାହିଁ। ଏହି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହେଁ। ସେହିପରି ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ କ୍ଷଣ ହୋଇଥାଏ ।  ଏହି ବ୍ରତରେ କୌଣସି ଜିନିଷ କାଟିବେ ନାହିଁ କିମ୍ବା ସ୍ବାମୀଙ୍କୁ ମଧ୍ୟ କୌଣସି ଜିନିଷ ହାଣିବାକୁ ବା କାଟିବାକୁ କହିବେ ନାହିଁ । ଯେପରିକି ଗଛ ହାଣିବା ଇତ୍ୟାଦି ।

ଏହି ସାବିତ୍ରୀ ବ୍ରତରେ ରନ୍ଧା ଖାଦ୍ୟ ଖାଇବା ଅନୁଚିତ । କାରଣ ଏହି ବ୍ରତ ଉପବାସରେ ରହିକି ପାଳନ କରାଯାଏ । ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ ବୃଦ୍ଧି ପାଇଥାଏ । ଯେଉଁ ଭୋଗ କରିଥିବେ ତାହା ନାରୀମାନେ ଖାଇପାରିବେ । ଯଦି ଆପଣଙ୍କର କେହି ମୃତ୍ୟୁବରଣ କରିଥାଏ ବା ସନ୍ତାନ ଜନ୍ମ ନେଇଥାଏ ବା ମାସିକ ଧର୍ମ ଚାଲିଥାଏ ତେବେ ସାବିତ୍ରୀ ବ୍ରତ ପାଳନ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସାବିତ୍ରୀ ବ୍ରତରେ ବ୍ଯବହୃତ ହୋଇଥିବା ପୂଜା, କଳସ, ପଇଡ ଇତ୍ୟାଦି ଏଣେତେଣେ ପିନ୍ଧିବେ ନାହିଁ । ଏହାକୁ ଜଳରେ ବିସର୍ଜନ କରିଲେ ବ୍ରତ ସଫଳ ହୋଇଥାଏ । ଏହି ଦିନ ତ୍ରିଦେବ ବା ତ୍ରିଦେବୀଙ୍କୁ ପୂଜା କରିବା ଉଚିତ ହୋଇଥାଏ ।

ସୁନା ପୁଅ ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ ସେନା ଜାଭେଲିନ୍ ଥ୍ରୋର ନୀରଜ ଚୋପ୍ରାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ମାନ୍ୟତା ଦେଉଛି। ପୂର୍ବରୁ ସେ ୨୦୧୬ରେ ନାଏବ ସୁବେଦାର୍ ଭାବେ ଯୋଗ୍ ଦେଇ ପରବର୍ତ୍ତୀରେ ସୁବେଦାର୍ ମେଜର୍ ହୋଇଥିଲେ। ତାଙ୍କର ଭାରତୀୟ ସ୍ଥଳସେନାରେ ଏଇ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର ସହ ପଦ୍ମଶ୍ରୀ ସମାବେଶ ହୋଇଛି। ଏନେଇ ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। 

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବା ପରେ, ୨୦୨୨ରେ ପଦ୍ମଶ୍ରୀ ସହ ତାଙ୍କୁ ସେନାରେ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର ପରମ ବିଶିଷ୍ଟ ସେବା ମେଡାଲ୍ ମିଳିଥିଲା। ୨୦୨୩ ମସିହାରେ ବୁଦେପେଷ୍ଟଠାରେ ଅନୁଷ୍ଠିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଭାରତପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ସେ ୮୮.୧୭ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ । ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ସେ ସୁବେଦାରରୁ ସୁବେଦାର୍ ମେଜର ଭାବେ ପଦୋନ୍ନତି ପାଇଥିଲେ। ଆସନ୍ତାକାଲି ଠାରୁ ଦୋହା ଡାଇମଣ୍ଡ ଲିଗ୍ ଆରମ୍ଭ କରିବା ପୂର୍ବରୁ, ତାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରାଯାଇଛି। 

ମହାପ୍ରଭୁଙ୍କ ଲୀଳାକ୍ଷେତ୍ର “କାଙ୍କଣ ଶିଖରୀ”ର କାହାଣୀ

ଖୋର୍ଦ୍ଧା: ମରାଳମାଳିନୀ ନିଳାମ୍ବୁ ଚିଲିକା ହ୍ରଦ ମଧ୍ୟରେ ଏକ କୁଦରେ ଅବସ୍ଥାପିତ କାଙ୍କଣଶିଖରୀ କ୍ଷେତ୍ର। ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଛକ ଠାରୁ ନଈରୀ ଗ୍ରାମକୁ ଆସିଲେ ଦେଖିବାକୁ ମିଳିଥାଏ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବରେ ଜମାଶୁଣା କାଙ୍କଣଶିଖରୀ କୁଦ। ମନୋଲୋଭା ପ୍ରାକୃତିକ ପରିବେଶ ସହ ଲୁକାୟିତ ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କାରଣରୁ ପର୍ଯ୍ୟଟକ ଏହି ସ୍ଥାନକୁ ଟାଣି ହୋଇ ଆସିଥାନ୍ତି। ଚିଲିକା ବ୍ଳକ ନଈରୀ ଗ୍ରାମ ନିକଟରେ ଅବସ୍ଥାପିତ ଏହି କାଙ୍କଣଶିଖରୀ ପୀଠ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବ୍ଲକ ଅନ୍ତର୍ଗତ ନଈରୀ ପଞ୍ଚାୟତ ନିକଟରେ ରହିଛି ଏହି କ୍ଷେତ୍ରଟି । କେବଳ ଶୀତ ନୁହେଁ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ।

କାଙ୍କଣଶିଖରୀ ଏକ ଟାପୁ ମଧ୍ୟରେ ରହିଥିବାରୁ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଚିଲିକାକୁ ଆସୁଥିବା ବିଭିନ୍ନ ବିଦେଶୀ ପକ୍ଷୀ ଦେଖିବେ । ମନ୍ଦିର ମଧ୍ୟରେ ଥିବା ନଡ଼ିଆ ଗଛ ଗୁଡ଼ିକରେ ଶ୍ରୀ ଜଗନ୍ନାଥଙ୍କର ସୁନ୍ଦର ସୁନ୍ଦର କଳାକୃତିକୁ ଉପଭୋଗ କରିପାରିବେ । ସବୁଠାରୁ ବଡ଼କଥା ହେଲା ଟାପୁ ମଧ୍ୟରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଦେଖିପାରିବେ । ଏହି ମନ୍ଦିରରେ ଚଳନ୍ତି ବିଗ୍ରହ ଏବଂ ପୁରୀ ରଥାଯାତ୍ରା ସମୟର ନନ୍ଦିଘୋଷ ରଥର ଚକ ଦେଖିବାକୁ ପାଇବେ । କାଙ୍କଣ ଶିଖରୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳାକ୍ଷେତ୍ର କୁହାଯାଏ । କାଙ୍କଣ ଶିଖରୀକୁ ନେଇ ଏକ ସୁନ୍ଦର କାହାଣୀ ମଧ୍ୟ ରହିଛି । କୁହାଯାଏ ୧୭୭୧ ମସିହା ପୂର୍ବରୁ ବାରମ୍ବାର ମୋଗଲମାନେ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରୁଥିଲେ । ଏହି କାରଣରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଉଥିଲା ।

ମୋଗଲମାନଙ୍କର ୧୮ ଥର ଆକ୍ରମଣ ସମୟରେ ବଡ଼ ଦେଉଳରୁ ତିନିଠାକୁର ଶ୍ରୀ ଜଗନ୍ନଥ, ଶ୍ରୀ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କୁ ନେଇ ନଈରୀ ନିକଟ ଚିଲିକା ମଧ୍ୟରେ ରହିଥିବା ଟାପୁରେ ଲୁଚାଇ ରଖାଯାଇଥିଲା । ଚିଲିକା ଜଳ ଘେରରେ ରହିଥିବା ଛୋଟିଆ ପାହାଡ଼ରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିବାକୁ କିଛି ମିଳିନଥିଲା । ସେହି ପାହାଡ଼ରେ ଫଳିଥିବା କାଙ୍କଣ ଫଳକୁ ମହାପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିଲା । ସେବେଠାରୁ ଏହି ପାହାଡ଼ର ନାଁ କାଙ୍କଣ ଶିଖରୀ ହୋଇଗଲା । ଏଠାରେ ମହାପ୍ରଭୁଙ୍କୁ କାଙ୍କଣ ଫଳ ଭୋଗ ଲାଗିହେବା ପରଠାରୁ ପୁରୀରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦରେ କାଙ୍କଣ ବ୍ୟବହାର କରାଯାଉଛି । ଚାରି ମାସ ରହଣି ପରେ ନଈରୀ ଗ୍ରାମରେ ଥିବା ଏକ ମନ୍ଦିରକୁ ତିନି ଠାକୁରଙ୍କୁ ନିଆଯାଇଥିଲା ।

୨୦୧୬ ମସିହାରେ ନଈରୀ ଗ୍ରାମବାସୀଙ୍କୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୦୧୫ ମସିହାରେ ଅନୁଷ୍ଠିତ ନବକଳେବର ସମୟର ନନ୍ଦିଘୋଷ ରଥର ଚକାଟିଏ ପୂଜାର୍ଚ୍ଚନା ପାଇଁ ପ୍ରଦାନ କରିଥିଲେ । ଏହା ପରଠାରୁ କାଙ୍କଣ ଶିଖରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ପୁରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ସମସ୍ତ ରୀତିନୀତି ଅନୁସାରେ ଏଠାରେ ତିନିଠାକୁରଙ୍କର ପୂଜାର୍ଚ୍ଚନା କରାଯାଉଛି । ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁର ଡଙ୍ଗାରେ ବସି ନଈରୀ ଗ୍ରାମକୁ ଯାଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଭୁବନେଶ୍ଵରଠାରୁ କାଙ୍କଣ ଶିଖରୀର ଦୂରତା ପ୍ରାୟ ୮୦ କିଲୋମିଟର । ବ୍ରହ୍ମପୁରଠାରୁ ଏହାର ଦୂରତା ରହିଛି ପ୍ରାୟ ୯୦ କିଲୋମିଟର । ଭୁବନେଶ୍ଵରଠାରୁ ୭୫ କିଲୋମିଟର ଅତିକ୍ରମ କରିବା ପରେ ‘ନାଚୁଣୀ’ ବଜାରରେ ଓହ୍ଲାଇବାକୁ ପଡ଼ିବ । ନାଚୁଣୀଠାରୁ ନଈରୀର ଦୂରତା ୫ କିଲୋମିଟର ରହିଛି । ନଈରୀରୁ ଡଙ୍ଗା ସାହାଯ୍ୟରେ ଚିଲିକା ମଧ୍ୟରେ ଥିବା କାଙ୍କଣ ଶିଖରୀକୁ ଯିବାକୁ ପଡ଼ିବ ।

ରିଲିଜ୍ ହେଲା ‘ସିତାରେ ଜମିନ୍ ପର୍’ର ଟ୍ରେଲର୍, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅମିର୍

ମୁମ୍ବାଇ: ଅଧିକାଂଶ ସମୟରେ କାହାଣୀ ଓ ଚରିତ୍ରକୁ ନେଇ ପରୀକ୍ଷାନିରୀକ୍ଷା କରିଥାଆନ୍ତି ଅମୀର୍ ଖାନ୍। ସଂପ୍ରତି ନିଜର ନୂଆ ଚଳଚ୍ଚିତ୍ରରେ ୧୦ଜଣ ନବାଗତଙ୍କୁ ପରଦାକୁ ଆଣିବା ନେଇ ଚର୍ଚ୍ଚାରେ ଅଛନ୍ତି ପରଫେକ୍‌ସନିଷ୍ଟ୍ ଅମୀର୍। ବ୍ୟବସାୟ ଦୃଷ୍ଟିରୁ ନିର୍ଦ୍ଦେଶକମାନେ ନିଜ ଫିଲ୍ମରେ ଷ୍ଟାର୍‌କିଡ୍‌ଙ୍କୁ ସୁଯୋଗ ଦେଉଥିବା ବେଳେ ଅମୀର୍ କିନ୍ତୁ ସିନେଶିଳ୍ପ ସହ ସଂପର୍କ ନଥିବା ୧୦ଜଣ ପ୍ରତିଭାବାନ୍‌ ଯୁବ କଳାକାରଙ୍କୁ ଲଞ୍ଚ୍ କରୁଛନ୍ତି। ଅମୀର୍‌ଙ୍କ ନୂଆ ଫିଲ୍ମ ‘ସିତାରେ ଜମିନ୍ ପର୍’ର ନିକଟରେ ଫାଷ୍ଟ୍‌ ଲୁକ୍‌ ରିଲିଜ୍‌ ହେବାପରେ ଏବେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି ।

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏହାର ଟ୍ରେଲରକୁ ସ୍ଥଗିତ ରଖାଯାଇଥିଲା । ଆମିର ଖାନଙ୍କ ପ୍ରଡକ୍ସନ୍ସ କିଛି ସମୟ ପୂର୍ବରୁ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଆମିର ଖାନଙ୍କ ସହ ଏହି ଫିଲ୍ମରେ ଅନ୍ୟ କେଉଁମାନେ ନଜର ଆସିବେ ସେମାଙ୍କର ଏକ କଟଆଉଟ୍ ଅଛି । ଏହା ସହିତ, ଫିଲ୍ମର ଟ୍ରେଲର ପାଇଁ କୌଣସି ବଡ଼ ଇଭେଣ୍ଟ ଆୟୋଜନ କରାଯାଉ ନାହିଁ । ବରଂ ସମସ୍ତେ ଏକା ସମୟରେ ଫିଲ୍ମର ନୂଆ ଟ୍ରେଲରକୁ ଏକାଠି ଦେଖିପାରିବେ । ଆମିର ଖାନଙ୍କ ପ୍ରଡକ୍ସନ୍ସ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ‘ସିତାରେ ଜମିନ୍ ପର’ର ଟ୍ରେଲର ୧୩ ମଇ ଅର୍ଥାତ୍ ଆଜି ରାତିରେ ରିଲିଜ୍ ହେବ । ଯାହା Zee ନେଟୱାର୍କ ଚ୍ୟାନେଲଗୁଡ଼ିକରେ ସନ୍ଧ୍ୟା ୭:୫୦ ରୁ ୮:୧୦ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଫିଲ୍ମର ଟ୍ରେଲରଟି ରାତି ୮:୨୦ ସୁଦ୍ଧା ଆମିର ଖାନ ପ୍ରଡକ୍ସନର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରାଯିବ । ଆମିର ଖାନଙ୍କ ଫିଲ୍ମର ଟ୍ରେଲରକୁ ନେଇ ଦର୍ଶକମାନେ ବହୁତ ଉତ୍ସାହିତ ଥିବା ଜଣାପଡୁଛି ।

‘ଲାଲ ସିଂହ ଚଡ୍ଡା’ର ଫ୍ଲପ୍ ପରଠାରୁ ଅମିର ଖାନ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ । କିନ୍ତୁ ଏବେ ସେ ‘ସୀତାରେ ଜମିନ୍ ପର’ ଚଳଚ୍ଚିତ୍ର ଜରିଆରେ ନଜର ଆସିବେ । ତେବେ କହିରଖୁଛୁ ଯେ, ୨୦୦୭ ମସିହାରେ ରିଲିଜ ହୋଇଥିବା ‘ତାରେ ଜମିନ୍ ପର’ ର ଦ୍ଵିତୀୟ ଭାଗ ହେଉଛି ‘ସୀତାରେ ଜମିନ୍ ପର’ । ଯାହା ଜୁନ୍ ୨୦ରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ପ୍ରଥମ ଭାଗ ସାରା ବିଶ୍ୱରୁ ୯୮.୫ କୋଟି ଟଙ୍କା ରୋଜଗାର କରିଥିଲା ​​ଏବଂ ଏହା ସୁପରହିଟ୍ ହୋଇଥିଲା । ତେଣୁ ଦ୍ଵିତୀୟ ଭାଗ ମଧ୍ୟ ଭଲ ରୋଜଗାର କରିବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା ।

କେବେ ଖାଇଛନ୍ତି କି ନାଲି କଦଳୀ? ମିଳିବ ଚମତ୍କାର ଫାଇଦା…

ଭୁବନେଶ୍ଵର: କଦଳୀ ଏମିତି ଏକ ଫଳ ଯାହା ସବୁଠାରୁ ଅଧିକ ଖିଆଯାଇଥାଏ। କଦଳୀ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କିନ୍ତୁ ଅଧିକାଂଶ ଲୋକ ସାଧାରଣତଃ ହଳଦିଆ ଚୋପା ବିଶିଷ୍ଟ କଦଳୀ ଖାଇଛନ୍ତି। ନାଲି ଚୋପା କଦଳୀ ସମ୍ଭବତଃ ବହୁତ ଲୋକ ଖାଇନଥିବେ। ଆଶ୍ଚର୍ଯ୍ୟ ଲାଗୁଛି କି ? ନାଲି କଦଳୀ ବି ଥାଏ। ଏହା ପୋଷକ ତତ୍ଵ ରେ ଭରପୁର।

ନାଲି କଦଳୀରେ ୧୧ ଖଣିଜ, ୬ ଭିଟାମିନ, ଫାଇବର ଓ କାର୍ବୋହାଇଡ୍ରେଟ୍ସ ରହିଛି। ସେଥିପାଇଁ ଏହି କଦଳୀ ଖାଇବା ମାତ୍ରେ ଶକ୍ତି ମିଳିଥାଏ। ନାଲି କଦଳୀରେ ଆହୁରି ଅନେକ ଗୁଣ ରହିଛି। ସାଧାରଣ କଦଳୀ ଠାରୁ ନାଲି କଦଳୀରେ ଅଧିକ ପୋଷକ ତତ୍ଵ ରହିଛି। ଏହାର ସ୍ୱାଦ ମଧ୍ୟ ଭିନ୍ନ। ଏହା ସାମାନ୍ୟ କଦଳୀ ଅପେକ୍ଷା ଅଧିକ ମିଠା। ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ଏହି କଦଳୀ ସାଧାରଣତଃ ଦକ୍ଷିଣ ଭାରତରେ ଉପଲବ୍ଧ।

ନାଲି କଦଳୀରେ ବହୁ ମାତ୍ରାରେ ଫାଇବର୍ ରହିଛି। ସେଥିପାଇଁ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ। ଗୋଟିଏ ନାଲି କଦଳୀରେ ୯୦ ରୁ ୧୦୦ କ୍ୟାଲୋରୀ ଓ ଭଲ କାର୍ବୋହାଇଡ୍ରେଟ୍ସ ରହିଛି। ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ନାଲି କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି ଯାହା କିଡନୀରେ ଷ୍ଟୋନ ହେବାରେ ରୋକିଥାଏ। ଶରୀର ମାତ୍ରାଧିକ କ୍ୟାଲସିୟମ ରୋକିବାରେ ସାହାଯ୍ୟ କରିଥାଏ।

ଏହା ଦ୍ୱାରା ହାଡ ମଜବୁତ ହୋଇଥାଏ। ନିୟମିତ ନାଲି କଦଳୀ ସେବନ କଲେ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ହୃଦ ଜନିତ ରୋଗର ସମ୍ଭାବନା ମଧ୍ୟ କମ ଥାଏ। ମ୍ୟାଗନେସିୟମ ଓ ପୋଟାସିୟମ ନିକୋଟିନ ଛାଡିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଧୂମପାନ ଇଚ୍ଛା କମ ହୋଇଥାଏ। ନାଲି କଦଳୀ ସେବନ ଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ।

ନାଲି କଦଳୀ ଆଣ୍ଟିଅକ୍ସିଡେଣ୍ଟ ଇ ଭିଟାମିନରେ ଭରପୁର ଯାହା ରକ୍ତର ଗୁଣ ଓ ହେମୋଗ୍ଲୋବିନ ସ୍ଥରରେ ସୁଧାର ଆଣିଥାଏ। ଏହା ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ। ନାଲି କଦଳୀରେ ଭିଟାମିନ ବି-୬ ରହିଛି ଯାହା ଲାଲ ରକ୍ତ କଣିକା ନିର୍ମାଣ କରିବାରେ ସାହାଯ୍ୟ କରିଥାଏ।ନାଲି କଦଳୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ନାଲି କଦଳୀରେ ତିଆରି ଫେସ୍ ପ୍ୟାକ୍ ତ୍ୱଚାରେ ଚମକ ବଢାଇଥାଏ। ନାଲିକଦଳୀ, ମହୁ ଓ ଓଟ୍ସରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇ ପାରିବେ।

JIOର ଦମଦାର ରିଚାର୍ଜ ପ୍ଲାନ, ମାତ୍ର ୮୪ ଟଙ୍କାରେ ଅନଲିମିଟେଡ୍ କଲ୍

ଭୁବନେଶ୍ଵର: କିଛି ଦିନ ପୂର୍ବରୁ TRAI ସମସ୍ତ ଟେଲିକମ୍ କମ୍ପାନୀଗୁଡିକୁ କେବଳ କଲିଂ ଏବଂ SMS ସହିତ ଶସ୍ତା ରିଚାର୍ଜ ପ୍ଲାନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲା । TRAIର ଏହି ନିୟମ ପରେ, Jio କେବଳ କଲିଂ ଏବଂ SMS ସହିତ ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରିଛି । ଏଥି ସହ Jio ତାର ୱେବସାଇଟରେ ଦୁଇଟି ନୂଆ ଭଏସ-ଓନ୍ଲି ପ୍ଲାନ୍ ଲିଷ୍ଟ କରିଛି । ଯେଉଁଥିରେ ୟୁଜର୍ସମାନଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ଲଙ୍ଗ ଭାଲିଡିଟି ମିଳିବ । ଏହି ପ୍ଲାନ୍ ସେୟି ୟୁଜର୍ସମାନଙ୍କ ପାଇଁ ବେଷ୍ଟ ହୋଇପାରିବ ଯେଉଁମାନେ ଡାଟା ବ୍ୟବହାର କରନ୍ତି ନାହିଁ ଏବଂ କେବଳ କଲିଂ ଏବଂ SMS ବ୍ୟବହାର କରନ୍ତି ।

Jioର ଏହି ଦୁଇଟି ପ୍ଲାନ୍ ୪୫୮ ଟଙ୍କାରେ ୮୪ ଦିନ ଏବଂ ୧୯୫୮ ଟଙ୍କାରେ ୩୬୫ ଦିନର ଭାଲିଡିଟି ସହିତ ଆସିଥାଏ । କେବଳ ଏତିକି ନୁହେଁ, Jioର ଏହି ଦୁଇଟି ପ୍ଲାନରୁ ୟୁଜର୍ସମାନଙ୍କୁ ମଧ୍ୟ ବହୁତ ଲାଭ ମିଳିବ । Jioର ନୂଆ ୪୮୫ ଟଙ୍କାର ପ୍ଲାନର ଭାଲିଡିଟି ୮୪ ଦିନ । ଏହି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ଏବଂ ୧୦୦୦ ଫ୍ରି SMS ପାଆନ୍ତି । ଏହା ବ୍ୟତୀତ, ୟୁଜର୍ସମାନେ Jio Cinema ଏବଂ Jio TV ଭଳି ଆପ୍ସର ଫ୍ରି ଆକ୍ସେସ୍ ମଧ୍ୟ ପାଇପାରିବେ । ଏହି ପ୍ଲାନ୍ ସାରା ଭାରତରେ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ଦିଆଯାଏ । ସେହିପରି Jioର ନୂଆ ୧୯୫୮ ଟଙ୍କାର ପ୍ରିପେଡ୍ ପ୍ଲାନ୍ ୩୬୫ ଦିନର ଲଙ୍ଗ ଭାଲିଡିଟି ସହିତ ଆସିଥାଏ ।

ଏହି ପ୍ଲାନରେ ୟୁଜର୍ସମାନେ ସାରା ଭାରତରେ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ କଲିଂର ବେନିଫିଟ୍ ପାଆନ୍ତି । ଏହା ବ୍ୟତୀତ, ଏଥିରେ ୩୬୦୦ ଫ୍ରି SMS ଏବଂ ଫ୍ରି ନ୍ୟାସନାଲ୍ ରୋମିଂ ମଧ୍ୟ ସାମିଲ ଅଛି । ଏହି ପ୍ଲାନରେ ମଧ୍ୟ Jio Cinema ଏବଂ Jio TV ଭଳି ଆପ୍ସକୁ ଫ୍ରିରେ ସେସ୍ ପ୍ରଦାନ କରାଯାଏ । ଯାହା ଦ୍ବାରା ୟୁଜର୍ସମାନେ ଏଣ୍ଟେରଟେନମେଣ୍ଟର ଫୁଲ୍ ମଜା ନେଇପାରିବେ । କହିରଖୁଛୁ ଯେ, Jio ଏବେ ତା’ର ଦୁଇଟି ପୁରୁଣା ରିଚାର୍ଜ ପ୍ଲାନକୁ ଲିଷ୍ଟରୁ ହଟାଇ ଦେଇଛି । ଏହି ପ୍ଲାନଗୁଡିକ ୪୭୯ ଟଙ୍କା ଏବଂ ୧୮୯୯ ଟଙ୍କାରେ ଥିଲା । ୧୮୯୯ ଟଙ୍କାର ପ୍ଲାନରେ ୩୩୬ ଦିନର ଭାଲିଡିଟି ସହିତ ୨୪GB ଡାଟା ମିଳୁଥିଲା, ଯେତେବେଳେ ୪୭୯ ଟଙ୍କାର ପ୍ଲାନରେ ୮୪ ଦିନର ଭାଲିଡିଟି ସହିତ ୬GB ଡାଟା ମିଳୁଥିଲା ।

ସ୍ଵଦେଶ ଫେରିଲେ ପାକିସ୍ତାନରେ ଅଟକ ଥିବା BSF କନଷ୍ଟେବଳ

ନୂଆଦିଲ୍ଲୀ: BSF କନଷ୍ଟେବଳଙ୍କୁ ଛାଡ଼ିଲା ପାକିସ୍ତାନ । ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନ । ଅଟାରି-ୱାଘା ସୀମା ଦେଇ ଭାରତ ଫେରିଲେ କନଷ୍ଟେବଳ । ଭୁଲ୍‌ବଶତଃ ସୀମା ଅତିକ୍ରମ କରିଥିବାରୁ ଅଟକ ରଖିଥିଲା ପାକିସ୍ତାନ ।

ଗତ ଏପ୍ରିଲ୍ ୨୯ ତାରିଖରେ ବିଏସଏଫ ଯବାନଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ସୁରକ୍ଷା ବିଷୟରେ ଜାଣିବା ପାଇଁ କୋଲକାତାରୁ ପଞ୍ଜାବ ଆସିଥିଲେ। ବିଏସଏଫ ଯବାନଙ୍କ ଗର୍ଭବତୀ ପତ୍ନୀ ରଜନୀ ତାଙ୍କ ଆଠ ବର୍ଷର ପୁଅ ଆରବ, ଦୁଇ ଭଉଣୀ ଏବଂ ଜଣେ ଭାଇଙ୍କ ସହିତ ଚଣ୍ଡିଗଡ଼ ବିମାନବନ୍ଦରରେ ପହଞ୍ଚିଥିଲେ। ବିଏସଏଫ ଯବାନଙ୍କ ପୁଅ କହିଥିଲେ ଯେ ପାକିସ୍ତାନ ଆମଠାରୁ ସବୁକିଛି ନେଇଯାଉ, କିନ୍ତୁ ମୋ ବାପାଙ୍କୁ ଛାଡିଦିଅ। ଏହି ସମୟରେ, ବିଏସଏଫ ଯବାନଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ପାକିସ୍ତାନୀ ସେନା ଛଅ ଦିନ ଧରି ବନ୍ଦୀ କରି ରଖିଥିଲା। ସେ ପଞ୍ଜାବ ଯିବେ ଏବଂ ସୀମା ସୁରକ୍ଷା ବଳ ଅଧିକାରୀଙ୍କ ସହ କଥା ହେବେ। ସେ କହିଛନ୍ତି ଯେ ବିଏସଏଫ ଅଧିକାରୀମାନେ ତାଙ୍କୁ ଚିନ୍ତା ନକରିବାକୁ କହିଥିଲେ ଏବଂ ତାଙ୍କ ସ୍ୱାମୀ ସୁସ୍ଥ ଅଛନ୍ତି। ସେନାଙ୍କ ସ୍ତ୍ରୀ କହିଥିଲେ ତାଙ୍କ ସ୍ୱାମୀ ଶତ୍ରୁ ଦେଶର ସେନାର ହେପାଜତରେ ଅଛନ୍ତି, ତେବେ ସେ କିପରି ଚିନ୍ତିତ ନ ହେବେ?

ସେଜିପରି ବିଏସଏଫ ଯବାନଙ୍କ ପତ୍ନୀ କହିଥିଲେ ଯେ ତାଙ୍କୁ ସନ୍ଦେହ ହେଉଛି ଯେ ନିଶ୍ଚିତ ଭାବରେ ତାଙ୍କୁ କିଛି ଲୁଚାଇ ଯାଉଛି। ଆପଣଙ୍କୁ କହିରଖୁଛୁ ଯେ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସାଓ ଫସଲ ଅମଳ କରୁଥିବା ଚାଷୀଙ୍କ ଉପରେ ନଜର ରଖିବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଫିରୋଜପୁରର ଭାରତ-ପାକିସ୍ତାନ ସୀମାକୁ ଯାଇଥିଲେ, କିନ୍ତୁ ପୂର୍ଣ୍ଣମ କୁମାର ସାଓ ଭୁଲବଶତଃ ସୀମା ପାର କରିଦେଇଥିଲେ, ଯେଉଁଠାରେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସମାନେ ଧରି ପକାଇଥିଲେ। ୨୩ ଏପ୍ରିଲରେ ବିଏସଏଫ ଅଧିକାରୀମାନେ ପାକ୍ ରେଞ୍ଜର୍ସଙ୍କ ସହ ଦୁଇଥର ଫ୍ଲାଗ ମିଟିଂ କରିଥିଲେ। କିନ୍ତୁ ସେମାନେ ସେନାଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ନଥିଲେ। ବୈଠକ ପାଇଁ ବାରମ୍ବାର ଡାକରା ସତ୍ତ୍ୱେ, କୌଣସି ପାକିସ୍ତାନୀ ଅଧିକାରୀ ବୈଠକକୁ ଆସି ନଥିଲେ।