November 5, 2025

ବଦଳୁଛି ଜଳବାୟୁ, ତରଳୁଛି ହିମାଳୟ, ଲୀନ ହୋଇଯିବ କି ଭାରତ!

ନୂଆଦିଲ୍ଲୀ: ସାଂଘାତିକ ଭାବେ ବଦଳୁଛି ଜଳବାୟୁ । ପରିବର୍ତ୍ତିତ ଜଳବାୟୁ ପୃଥିବୀକୁ ଯେମିତି  ଏକ ବଡ ବିପଦ ଆଡକୁ ଠେଲି ଦେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲାସିୟର ହ୍ରଦ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଯାହା ପୃଥିବୀ ପାଇଁ ଏକ ବିନାଶକାରୀ ଜଳପ୍ରଳୟକୁ ଆମନ୍ତ୍ରିତ କରୁଛି।ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନକୁ ଭୟଙ୍କର ଭାବେ ପ୍ରଭାବିତ କରୁଛି। ବହୁ ଦଶନ୍ଧିର ଉପଗ୍ରହ ଚିତ୍ର ଅନୁଧ୍ୟାନରୁ କରାଯାଇଥିବା ନୂଆ ଗବେଷଣା ଅନୁଯାୟୀ ହିମାଳୟର ଗ୍ଲେସିୟର ବିପଜ୍ଜନକ ହାରରେ ତରଳୁଥିବା ଜଣାପଡିଛି ।

ତାପମାତ୍ରା ବୃଦ୍ଧି ଯୋଗୁ ଗତ ୧୩ ବର୍ଷ ମଧ୍ୟରେ ହିମାଳୟର ହିମହ୍ରଦଗୁଡ଼ିକ ୧୦.୮୧% ବୃଦ୍ଧିପାଇଛି। ରିପୋର୍ଟ ଅନୁଯାୟୀ, ହିମବାହ ତରଳିବା କାରଣରୁ ବୃହତ୍ ହିମହ୍ରଦ ସୃଷ୍ଟି ହେଉଛି। ସେଗୁଡ଼ିକରେ ଅଧିକ ପରିମାଣର ଜଳ ଜମା ହେଉଥିବାରୁ ବନ୍ୟା ଓ ହିମସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧିପାଉଛି। ଅନ୍ୟପଟେ ଦ୍ରୁତ ଗତିରେ ତରଳିବାରେ ଲାଗିଛି ଏଭେରେଷ୍ଟର ସବୁଠୁ ଉଚ୍ଚତମ ଗ୍ଲାସିୟର । ୧୯୯୦ ପରଠାରୁ ୫୪ ମିଟରରୁ ଅଧିକ ସଙ୍କୁଚିତ ହୋଇଛି ।ହିମାଳୟ ଗ୍ଲାସିୟର ତରଳିବା ଦ୍ଵାରା ଭୟଙ୍କର ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ପାଖାପାଖି ୨ ବିଲିୟନ ଲୋକଙ୍କ ପାଇଁ ମଧୁର ଜଳ ସମ୍ପଦ ହ୍ରାସ ସମ୍ଭାବନା ଅଧିକ । ଭାରତ ଓ ନେପାଳ ଭଳି ଦେଶରେ ଜଳବାୟୁ ଅନୁକୂଳର ଚ୍ୟାଲେଞ୍ଜଗୁଡ଼ିକ ଅଧିକ ରହିବ । ହିମମଣ୍ଡଳ ତରଳିବା ଫଳରେ ନଦୀଗୁଡ଼ିକରେ ଦେଖାଦେବ ପାଣିର ଅଭାବ । 

ନିକଟରେ ହୋଇଥିବା ICIMODର ଅଧ୍ୟୟନ ଅନୁଯାୟୀ, ୨୦୧୧ ରୁ ୨୦୨୦ରେ, ହିନ୍ଦୁକୁଶ ହିମାଳୟର ପ୍ରାୟ ୫୬,୦୦୦ ଗ୍ଲାସିୟର ପୂର୍ବ ଦଶନ୍ଧି ତୁଳନାରେ ୬୫% ଦ୍ରୁତ ଗତିରେ ତରଳିଛି । ଏହି ଶତାବ୍ଦୀ ଶେଷ ସୁଦ୍ଧା ସେମାନେ ସେମାନଙ୍କର ଆୟତନର ୮୦% ପର୍ଯ୍ୟନ୍ତ ହରାଇପାରନ୍ତି । ନେପାଳର ଲାଙ୍ଗଟାଙ୍ଗ ଉପତ୍ୟକାରେ ଅବସ୍ଥିତ, ୟାଲା ହିମମଣ୍ଡଳ ଦେଶର ସବୁଠାରୁ ଅଧିକ ଅଧ୍ୟୟନ ହୋଇଥିବା ହିମମଣ୍ଡଳ ମଧ୍ୟରୁ ଗୋଟିଏ । ଗବେଷକଙ୍କ ମତ ଅନୁଯାୟୀ , ହିମାଳୟରେ ୨,୪୩୧ଟି ଗ୍ଲେସିୟର ହ୍ରଦ ଚିହ୍ନଟ ହୋଇଛି, ଯାହାର ଆୟତ୍ତନ ୧୦ ହେକ୍ଟରରୁ ଅଧିକ । ୧୯୮୪ରୁ ସେଠାରେ ଥିବା ୬୭୬ଟି ହ୍ରଦର ଆକାର ଦ୍ରୁତ ଗତିରେ  ବୃଦ୍ଧି ପାଉଛି, ଯେଉଁଥିରେ ୧୩୦ଟି ହ୍ରଦ ଭାରତ ମଧ୍ୟରେ ରହିଛି । ସେଥିରୁ ୬୫ଟି ସିନ୍ଧୁ ନଦୀ ଅବବାହିକାରେ ଥିବାବେଳେ ୭ଟି ଗଙ୍ଗାନଦୀ ଅବବାହିକା ଏବଂ ୫୮ଟି ବ୍ରହ୍ମପୁତ୍ର ଅବବାହିକାରେ ରହିଛି ।   ୬୦୧ଟି ହ୍ରଦର ଆକାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି । 

ଗବେଷକଙ୍କ କହିବା ଅନୁଯାୟୀ, ଏପରି ବନ୍ୟା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିପତ୍ତି  ଡାକି ଆଣୁଛି । ବିଶେଷକରି ହିମାଳୟ ପରି ଅଧିକ ଜନବହୁଳ ଅଞ୍ଚଳ ପାଇଁ ଏହା ଭୟଙ୍କର ସ୍ଥିତି ସୃ୍ଷ୍ଟି କରିବାର ଆଶଙ୍କା ରହିଛି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି,  ୧୫ ମିଲିୟନରୁ ଅଧିକ ଲୋକ ଏହି ସମ୍ବେଦନଶୀଳ ଅଞ୍ଚଳରେ ରୁହନ୍ତି ଯେଉଁଠି ବରଫବନ୍ୟା ପ୍ରଳୟ ରଚିବାର ଆଶଙ୍କା ରହିଛି । ଅବଶ୍ୟ ଜନସଂଖ୍ୟା କମ କାରଣରୁ ଗ୍ରୀନଲାଣ୍ଡରେ ହୋଇଥିବା ଏହି ଭୟଙ୍କର ବନ୍ୟା ବିଶେଷ କିଛି କ୍ଷତି କରି ନ ଥିଲା । ହେଲେ ବୈଜ୍ଞାନିକମାନେ ଏହି ଘଟଣାକୁ ଗୁରୁତ୍ୱର ସହ ନେଉଛନ୍ତି କାରଣ ପୃଥିବୀରେ ଥିବା ବରଫ  କ୍ରମାଗତ ଭାବେ ତରଳିବାରେ ଲାଗିଛି ।

IAS ନିକୁଞ୍ଜ ଧଳ ନୂଆ ଦାୟିତ୍ବ, ସଂସଦୀୟ ବ୍ୟାପାର ସଚିବ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ । ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ହେଉଛନ୍ତି ନିକୁଞ୍ଜ ଧଳ । ସେହିପରି ୧୯୯୪ ବ୍ୟାଚ୍‌ର IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ମଧ୍ୟ ମିଳିଛି ନୂଆ ଦାୟିତ୍ବ । ନ୍ୟୁ ଆଣ୍ଡ ରିନ୍ୟୁବଲ୍‌ ଏନର୍ଜୀ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ସନ୍ତୋଷ ଷଡଙ୍ଗୀ । ଅନ୍ୟପଟେ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ନିଯୁକ୍ତି କରାଯାଇଛି ।

ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ଏହା ପୂର୍ବରୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ୧୯୯୩ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଧିକାରୀ ନିଜ କାର୍ଯ୍ୟ ଦକ୍ଷତା ବଳରେ ବେଶ ସୁନାମ ଅର୍ଜନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପରିଚାଳନାରେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଥିଲେ ନିକୁଞ୍ଜ । ସ୍ବଚ୍ଛତା ସହ ନିର୍ବାଚନ ପରିଚାଳନା କରିଥିଲେ ନିକୁଞ୍ଜ । ୨୦୨୪ ନିର୍ବାଚନରେ ବିଜେପିର ସଫଳତା ପଛରେ ନିକୁଞ୍ଜଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିଥିଲେ ନିକୁଞ୍ଜ । କୋଭିଡ ସମୟରେ ସେ ନିଜ ବାପାଙ୍କ ବିୟୋଗ ସମୟରେ ଛୁଟି ନ ନେଇ କୋଭିଡ ଡ୍ୟୁଟି ପରିଚାଳନା କରିଥିଲେ । ସେ ସ୍ବାସ୍ଥ୍ୟ ବିଭାଗର ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟବାସୀଙ୍କ ସେବାରେ ସେ ନିଜକୁ ସମର୍ପି ବେଶ ନିପୁଣ ଭାବେ ସେ ନିଜର ଦାୟିତ୍ବ ତୁଲାଇ ଆସିଛନ୍ତି । ନିକୁଞ୍ଜ ଦଳ ପୂର୍ବରୁ ଶକ୍ତି, ସ୍ବାସ୍ଥ୍ୟ ଏବଂ ବଡ଼ ବଡ଼ ବିଭାଗର ଦାୟିତ୍ବ ନେଇଛନ୍ତି । ନିକୁଞ୍ଜ ଧଳ ଜଣେ ଅଭିଜ୍ଞ ସମ୍ପନ୍ନ ପ୍ରଶାସକ ।

ସେହିପରି ଓଡ଼ିଶା କ୍ୟାଡ଼ରର ୧୯୯୪ ବ୍ୟାଚ୍ ଆଇଏଏସ୍ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ମଧ୍ୟ ମିଳିଛି ନୂଆ ଦାୟିତ୍ବ । ନ୍ୟୁ ଆଣ୍ଡ ରିନ୍ୟୁବଲ୍‌ ଏନର୍ଜୀ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ସନ୍ତୋଷ ଷଡଙ୍ଗୀ । ଶ୍ରୀ ଷଡ଼ଙ୍ଗୀ ୨୦୧୩ ମସିହା ନଭେମ୍ବର ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଏହାପରେ ୨୦୨୧ରେ ଶ୍ରୀ ଷଡଙ୍ଗୀ ପୁଣି ଥରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ତେବେ ଶ୍ରୀ ଷଡଙ୍ଗୀ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ପ୍ରାୟ ୫ବର୍ଷ ଧରି ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ଵାମୀ ହେଉଛନ୍ତି ସନ୍ତୋଷ ଷଡଙ୍ଗୀ।

ଭୁଶୁଡୁଛି ମାଓ ଗଡ, ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ

ସୁକମା: ଭୁଶୁଡୁଛି ମାଓ ଗଡ । ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଆଜି ଛତିଶଗଡ଼ ସୁକମାରେ ୨୨ ମାଓବାଦୀ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ୨୨ ଜଣଙ୍କ ମଧ୍ୟରୁ ୧୨ ହାର୍ଡକୋର୍ ମାଓବାଦୀ ଅଛନ୍ତି । ୧୨ ମାଓବାଦୀଙ୍କ ନାଁରେ ଥିଲା ସାଢ଼େ ୪୦ ଲକ୍ଷର ଅର୍ଥ ରାଶି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୯ ଜଣ ମହିଳା । ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ସୁକମା ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏ ଦିଗରେ ଯବାନ ମାନେ ଘନଘନ ଅପରେସନ କରୁଥିବା ବେଳେ ୧୫ ମାସରେ ୩୩୪ ମାଓବାଦୀଙ୍କ ଜୀବନ ଗଲାଣି । ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ସରକାରଙ୍କର ଆତ୍ମସମର୍ପଣ ନୀତି ମଧ୍ୟ ରହିଛି । ତେଣୁ ହିଂସା ଛାଡ଼ି ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି । ଏହାପର୍ବରୁ ମଧ୍ୟ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ  କରିଥିଲେ। ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେବା ପରେ ମାଓବାଦୀମାନେ ସାମୁହିକ  ଭାବେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି । 

ହଠାତ ଗାଁରୁ ଗାଏବ ହୋଇଗଲେ ଲୋକ; ଭଙ୍ଗା ଘରେ ବାସ କରୁଛନ୍ତି ଭୂତ!

ନୂଆଦିଲ୍ଲୀ: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ , ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ରହିଛି ଅନେକ ରହସ୍ୟମୟୀ ଘଟଣା । ଯାହା ଅଜିବି ଚର୍ଚ୍ଚାରେ ରହିଛି । ତେବେ ଭାରତରେ ମଧ୍ୟ ଏପରି ଅନେକ ସ୍ଥାନ ରହିଛି ଯାହା ବିଷୟରେ ଆଜି ବି କେହି କିଛି ଜାଣନ୍ତି ନାହିଁ । ଯାହା ଏବେବି ସମସ୍ତଙ୍କ ନିକଟରେ ରହସ୍ୟ ହୋଇ ରହିଛି । ତେବେ ସେଥିମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ରାଜସ୍ଥାନର ଏକ ଛୋଟ ଗାଁ କୁଲଧରା । ଯେଉଁଠାରେ ରାତାରାତି ୮୪ ଗାଁର ପାଖାପାଖି ୬୦୦ ଲୋକ ଘରଛାଡି କେଉଁଆଡେ ଚାଲିଯାଇଥିଲେ । ସେହି ଦିନଠାରୁ ପୁରା ଗାଁ ଜନଶୂନ୍ୟ ହୋଇପଡିଛି । ଏଥିସହିତ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସନ୍ଧ୍ୟା ହେଲେ ସେଠାରୁ ଚିତ୍କାର ଓ ପାଉଁଜିର ଶବ୍ଦ ଶୁଭୁଛି । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ରହିଛି ପୁରା ଘଟଣା ।

କିମ୍ବଦନ୍ତି ଅନୁସାରେ କୁଲଧରା ବ୍ରାହ୍ମଣ ମାନଙ୍କର ଏକ ସମୃଦ୍ଧ ଗାଁ ଥିଲା । ସେଠାର ସଲିମ୍ ସିଂ ନାମକ ଏକ ଶକ୍ତିଶାଳୀ ରାଜା ଥିଲେ । ଯିଏକି ଗାଁର ମୁଖିଆଙ୍କ ଉପରେ ନିଜର ଲୋଲୁପ ଦୃଷ୍ଟି ପକାଇଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଝିଅର ବାପା ରାଜାଙ୍କ କଥାକୁ ମାନିନଥିଲେ । ଯାହାକୁ ନେଇ ରାଜା ରାଗିଯାଇ କହଥିଲେ ଯେ ଯଦି ମୋ ଆଜ୍ଞାର ପାଳନ କରା ନଯାଏ ସମଗ୍ର କୁଲଧରାବାସୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ରାଜାଙ୍କ ଏଭଳି କଥା ଶୁଣି ବ୍ରାହ୍ଣଣମାନେ ଏକ ପରିଷଦ ଗଠନ କରି ୮୪ ଗାଁର ୬୦୦ ପରିବାର ରାତାରାତି କେଉଁଆଡେ ଚାଲିଯାଇଥିଲେ । ସେମାନେ ଗାଁରୁ ଯିବା ପୂର୍ବରୁ ଅଭିଶାପ ଦେଲେ ଆମେ ଯିବା ପରେ ଏହି ଗାଁରେ କେହି ବସବାସ କରିପାରିବେ ନାହିଁ । ଯଦି କେହି ବସବାସ କରିବାକୁ ଚାହିଁବ କେବେବି ସେ ଖୁସିରେ ରହିପାରିବ ନାହିଁ ।

ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ କୁଲଧରା ଗାଁରେ ଥିବା ଘର ଭଗ୍ନ ଅବସ୍ଥାରେ ପଡି ରହିଛି । ଆଜି ପର୍ଯ୍ୟନ୍ତ ସେହି ଗାଁରେ ନାଁ କିଏ ବସବାସ କରୁଛନ୍ତି ନାଁ ସେଠାରେ କୌଣସି ଜନବସତି ଗଢି ଉଠିଛି । ତେବେ ଭାରତରେ ଥିବା ଭୂତ ଗାଁ ଭିତରୁ କୁଲଧରା ନାଁ ବି ସାମିଲ ରହିଛି । ପରବର୍ତ୍ତି ସମୟରେ ରାଜସ୍ଥାନ ସରକାର କୁଲଧରା ଗାଁକୁ ଭୂତ ଗାଁ ବୋଲି ଘୋଷଣା କରିଛନ୍ତି । ଏଥିସହ ଯିଏ ସେଠାକୁ ବୁଲିବାକୁ ଯାଉଛନ୍ତି ସନ୍ଧ୍ୟା ପୂର୍ବରୁ ଫେରିବାକୁ ସରକାରୀ ବୋର୍ଡରେ ଉଲ୍ଲେଖ ରହିଛି ।

ହିତାଧିକାରୀଙ୍କୁ ମିଳିବ ନୂଆ ରଙ୍ଗୀନ ରାସନ୍ କାର୍ଡ

ଭୁବନେଶ୍ଵର: ନୂଆ ରାସନ କାର୍ଡ ବଣ୍ଟନ ନେଇ ସରକାରଙ୍କ ଘୋଷଣା । ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ରାସନ କାର୍ଡ । ମିଳିବ ରଙ୍ଗୀନ ରାସନ କାର୍ଡ । ନୂଆ ରାସନ କାର୍ଡ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।ଆସନ୍ତା ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହାପରେ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାସନ କାର୍ଡ ବଣ୍ଟନ କରାଯିବ ।

ସରକାରଙ୍କ ଘୋଷଣା, ଏଣିକି ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିସନର ଏହି କାର୍ଡ ଇସ୍ୟୁ କରିବେ । ଆସନ୍ତା ୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ ହେବ । ବ୍ଲକ ଓ ୟୁଏଲବି ଅଧିକାରୀ ହିତାଧିକାରୀମାନଙ୍କୁ ଏହି ନୂଆ ରାସନ କାର୍ଡ ବାଣ୍ଟିବେ । ତେବେ ପ୍ରାଥମିକ ଯାଞ୍ଚପରେ ଏଥିରେ ନୂଆ ସଦସ୍ୟ ସାମିଲ କରାଯାଇ ପାରିବ ।

କହିରଖୁଛୁ ଯେ, ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଇକେଓ୍ୱାଇସି କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି । ତେବେ ଏହାରି ଭିତରେ ନୂଆ ରାସନ କାର୍ଡ ବଣ୍ଟନ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି । 

ଦିନରେ ରାତିର ଭ୍ରମ, ସକାଳୁ ସକାଳୁ ଘୋଟି ଆସିଲା କଳାହାଣ୍ଡିଆ ମେଘ

ଭୁବନେଶ୍ଵର: ଟ୍ଵିନ ସିଟିରେ କାଳବୈଶାଖୀର ତାଣ୍ଡବ । ସକାଳୁ ସକାଳୁ ହଠାତ୍ ବଦଳିଗଲା ପାଗର ମିଜାଜ୍ । ଘୋଟିଆସିଲା କଳାହାଣ୍ଡିଆ ମେଘ । ବର୍ଷାରେ ଭିଜିଲା ଟ୍ଵିନସିଟି ଭୁବନେଶ୍ବର-କଟକ । କାଳବୈଶାଖୀ ପ୍ରଭାବରେ ହେଉଛି ପ୍ରବଳ ବର୍ଷା ସାଙ୍ଗକୁ ପବନ । ପରିସ୍ଥିତି ଏପରି ହୋଇଛି କି ରାସ୍ତାରେ ଗାଡ଼ିର ଲାଇଟ୍ ଦେଇ ଲୋକଙ୍କୁ ଯାତ୍ରା କରିବାକୁ ପଡ଼ିଛି।

ବର୍ତ୍ତମାନ ରାଜ୍ୟ ଉପରେ ୨ଚି ଟ୍ରପ୍ ଲାଇନ୍ ବା ନିମ୍ନ ଚାପରେଖା ସକ୍ରିୟ ରହିଛି। ଫଳରେ ବର୍ଷା ହେଉଛି। ଆଗାମୀ ୩ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ଥିବା ବେଳେ ୩ ଦିନ ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବ। ପୁଣି ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ୍ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଏହିସବୁ ଜିଲ୍ଲା ଗୁଡିକରେ ୩୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କତା ଜାରି ହୋଇଛି। ୨୨ ରୁ ପାଗ ଶୁଖିଲା ରହିବ। ପରେ ଦିନ ତାପମାତ୍ରା ୩ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। 

ଖରାଦିନେ ଷ୍ଟାଇଲିସ୍ ଦେଖାଯିବା ପାଇଁ ଆପଣାନ୍ତୁ ଏହି ଖରାଦିନିଆ ଫ୍ୟାସନ୍

ଭୁବନେଶ୍ଵର: ଖରାଦିନେ ଅତ୍ୟଧିକ ଗରମ ଯୋଗୁଁ ପାର୍ଟି ଡେ଼୍ରସ ପିନ୍ଧିବା କି କୌଣସି ହେଭି ଡେ଼୍ରସ ପିନ୍ଧିଲେ ନିଜକୁ ସମ୍ଭାଳିବା କଷ୍ଟ ସାଧ୍ୟ ହୋଇପଡ଼ିଥାଏ । ଖରାଦିନରେ ଆପଣ ପିନ୍ଧୁଥିବା କପଡ଼ା ଆରାମଦାୟକ ହେବା ସହ ହାଲୁକା ଏବଂ ଶର୍ଟ ହେବା ନିହାତି ଜରୁରୀ। ଅଫିସିଆଲ୍‌ ଏବଂ କାଜୁଆଲ୍‌ ଲୁକ୍‌ ପାଇଁ ଶର୍ଟ କୁର୍ତ୍ତି ଏକ ଭଲ ଅପ୍‌ସନ। ଏହାକୁ ଯେକୌଣସି ବୟସର ମହିଳା ଆପଣେଇ ପାରିବେ। ଏମିତିରେ ଆପଣଙ୍କ କପ୍‌ବୋର୍ଡରେ ଶର୍ଟକୁର୍ତ୍ତିକୁ ସାମିଲ କରିପାରିବେ। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଶର୍ଟ କୁର୍ତ୍ତି ମିଳୁଛି। ଯାହାକୁ ପିନ୍ଧିଲେ ଆପଣ ନିଜ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରିପାରିବେ।

-ଆପଣ ଚାହିଁଲେ ବ୍ଲାକ୍‌ କିମ୍ବା ବ୍ଲୁ ଡେନିମ୍‌ ପ୍ୟାଣ୍ଟ ସହ ଆପଣ ହ୍ବାଇଟ କଲର ଶର୍ଟ କୁର୍ତ୍ତି ପିନ୍ଧିପାରିବେ।

-ଆପଣ ଚାହିଁଲେ କୁର୍ତ୍ତିକୁ ଟପ୍‌ ଇନ୍‌ କରିପାରିବେ। ଏହାଦ୍ୱାରା ଆପଣଙ୍କ ଲୁକ୍‌ ଆହୁରି ସୁନ୍ଦର ଲାଗିବ।

-ଆପଣ ନିଜକୁ ଓ୍ବେଷ୍ଟର୍ନ ଲୁକ୍‌ ଦେବାକୁ ଚାହୁଁଥିଲେ ଷ୍ଟେଟ୍‌ମେଣ୍ଟ ଇୟରରିଂସ୍‌ ଦ୍ୱାରା ନିଜକୁ ଷ୍ଟାଇଲିଶ ଲୁକ୍‌ ଦେଇପାରିବେ।

-ଶର୍ଟକୁର୍ତ୍ତିକୁ ଆପଣ ଟପ୍‌ ପେୟାର ଅପ୍‌ କରି ପିନ୍ଧିପାରିବେ। ଏହା ବ୍ୟତୀତ ଆପଣ ଷ୍ଟ୍ରେଟ୍‌ କଟନ୍‌ କୁର୍ତ୍ତି ସହ ଟପ ଇନ୍‌ କରି ସ୍କର୍ଟ ସହିତ ପିନ୍ଧିପାରିବେ।

-ଜିନ୍ସ ସହ ଟପ୍‌ ଇନ୍‌ କରି ଶର୍ଟ କୁର୍ତ୍ତି ପିନ୍ଧିଲେ ଏହା ଏଲିଗାଣ୍ଟ ଲୁକ୍‌ ଦେଇଥାଏ।

-ଏପରି ଆଉଟ୍‌ଫିଟ୍‌ ସହ ଆପଣ ଶୁଜ୍‌ କିମ୍ବା ସାଣ୍ଡାଲ ବ୍ୟବହାର କରିପାରିବେ। କାହିଁକି ନା ଏହା ଆପଣଙ୍କୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ଲୁକ୍‌ ଦେଇପାରିବ।

-ଖରାଦିନେ ଟ୍ରାଉଜର ପିନ୍ଧିବା ବହୁ ଆରାମଦାୟକ ହୋଇଥାଏ।

-ପ୍ରିଣ୍ଟେଡ୍‌ କୁର୍ତ୍ତି ସହ ପ୍ଲେନ୍‌ ଟ୍ରାଉଜର ଓ ପ୍ଲେନ୍‌ ଆଉଟଫିଟ୍‌ ସହ ପ୍ରିଣ୍ଟେଡ୍‌ ଆଉଟ୍‌ଫିଟ୍‌ର କମ୍ବିନେସନ୍‌ ସବୁଠାରୁ ବେଷ୍ଟ ଅପ୍‌ସନ ହେବ। ଏହି ଆଉଟ୍‌ଫିଟ୍‌ ସହ ଅକ୍ସିଡାଇଜ୍‌ ଓ ଷ୍ଟେଟ୍‌ମେଣ୍ଟ ଇୟରରିଂସ୍‌ ଅଧିକ ଷ୍ଟାଇଲିଶ ଲାଗିବେ।-ଆଜିକାଲି ମାର୍କେଟ୍‌ରେ କୁର୍ତ୍ତି ସହ ପ୍ଲାଜୋ ସେଟ୍‌ ମିଳୁଛି । ଏହାକୁ ଆପଣ ନିଜ ଆଉଟ୍‌ଫିଟ୍‌ରେ ସାମିଲ କରିପାରିବେ।

-ପ୍ଲେନ୍‌ କୁର୍ତ୍ତି ସହ ଆପଣ ଅଲଗା ଅଲଗା କମ୍ବିନେସନ ଟ୍ରାଏ କରିପାରିବେ। କାଜୁଆଲ ହେଉକି ପାର୍ଟି ଓ୍ବେର ଏହା ଦୁଇଟି ଯାକରେ ବିଲ୍‌କୁଲ୍‌ ପର୍‌ଫେକ୍ଟ ମାନିଥାଏ। ଏଥିପାଇଁ ଆପଣ ଏହାକୁ ଖରାଦିନେ ପେୟାର ଅଫ୍‌ କରିପାରିବେ।

ଗର୍ଭଧାରଣ ସମୟରେ ମନେରଖନ୍ତୁ ଏହି ଜିନିଷ, ନଚେତ୍…

ଭୁବନେଶ୍ଵର: ଆପଣମାନେ ତ ଜାଣିଥିବେ ଯେ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଆମ ଶରୀରର ସମସ୍ତ ଅଙ୍ଗ ସୁସ୍ଥ ରହିବା ଉଚିତ । ଏହା ସହ ଆମ କିଡନୀ ମଧ୍ୟ ଠିକ୍‌ ରହିବା ବହୁତ ଜରୁରୀ ହୋଇଥାଏ । ତେବେ ବର୍ତ୍ତମାନ ଲୋକମାନେ ବହୁତ କମ୍‌ ବୟସରେ ହିଁ କିଡନୀ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି ମଧ୍ୟ ଛୋଟ ପିଲାମାନେ କିଡନୀ ସମ୍ବନ୍ଧୀୟ ରୋଗ ରେ ପିଡିତ ହେଉଛନ୍ତି । ଏପରି ମଧ୍ୟ ଅନେକ ଥର ହୋଇଥାଏ ଯେ ଗର୍ଭଧାରଣ ସମୟରେ ଶିଶୁଟି କିଡନୀ ରୋଗରେ ଆକ୍ରାନ୍ତ ହୋଇଥାଏ । ତେବେ ଏହାର ଅନେକ କାରଣ ଥାଇପାରେ । ସେଥିପାଇଁ ଏବେ ଏକ ପ୍ରଶ୍ନ ଉଠିଛି କି ଜନ୍ମ ପୂର୍ବରୁ ମଧ୍ୟ ଶିଶୁ କିଡନୀ ରୋଗରେ ପୀଡିତ ହୋଇପାରନ୍ତି କି ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବା ସହ ଏହାର କାରଣ ମଧ୍ୟ ଜଣାଇବୁ ।

ସୂଚନା ମୁତାବକ, ଡକ୍ତରମାନେ ଏହାର ଅନେକ କାରଣ କହିଛନ୍ତି । ତେବେ କିଛି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ଜନ୍ମଗତ ମେଟାବୋଲିଜ୍‌ ଏବଂ ଛୋଟ ହୋଇଥିବା ସମୟରେ ଏହି ସଂକ୍ରମଣ ଏକ ମୁଖ୍ୟ କାରଣ ହୋଇପାରେ । ଏପରି ମଧ୍ୟ ପିଲାଟି ଜନ୍ମ ହେବା ସମୟରେ କ୍ରନିକ୍‌ କିଡନୀ ରୋଗ ହୋଇପାରେ କିମ୍ବା ଏହା ମଧ୍ୟ ବଂଶାନୁକ୍ରମିକ କାରଣରୁ ମଧ୍ୟ ହୋଇପାରେ ।

ତେବେ ଜନ୍ମ ସମୟରେ ଉପସ୍ଥିତ ଥିବା ବୃକକ୍‌ର ଜନ୍ମଗତ ମୂତ୍ରନଳୀ ଭଳି ଜନ୍ମଗତ ବିକୃତି ମଧ୍ୟ କିଡନୀ ଉପରେ ପ୍ରଭାବ ପକାଇପାରେ । ବେଳେବେଳେ ଜେନେଟିକ୍‌ କାରଣରୁ ମଧ୍ୟ ଏପରି ହୋଇପାରେ । ଏହା ସହ ବଂଶାନୁକ୍ରମିକ ସିଣ୍ଡୋମ ହେତୁ ଶିଶୁର କ୍ରନିକ୍‌ କିଡନୀ ରୋଗର ସମସ୍ୟା ମଧ୍ୟ ହୋଇପାରେ । ସେହିପରି କିଛି ପିଲାଙ୍କର ମେଟାବୋଲିକ୍‌ ସମସ୍ୟା କିଡନୀ ରୋଗର କାରଣ ହୋଇପାରେ । ଅନେକ ଥର ଗର୍ଭାବସ୍ଥାରେ ମା’ର ସ୍ୱାସ୍ଥ୍ୟ ଏବଂ ଗର୍ଭାବସ୍ଥାରେ ମା’ର ବିଭିନ୍ନ ଏକ୍ସପୋଜର ମଧ୍ୟ କିଡନୀ ରୋଗ ହେବାର ଆଶଙ୍କା ମଧ୍ୟ ସୃଷ୍ଟି କରିଥାଏ । ତେବେ ଯଦି ଏହି ସବୁ କଥାରେ ଠିକ୍‌ ଭାବେ ଧ୍ୟାନ ନଦେବେ, ତାହେଲେ ଶିଶୁର ଜନ୍ମର କିଛି ଦିନ ମଧ୍ୟରେ ଗୁରୁତର ହୁଏ ଯାହା ଦ୍ୱାରା ଆପଣଙ୍କ ପିଲାର କିଡନୀ ମଧ୍ୟ ନଷ୍ଟ ହୋଇପାରେ ।

ଅଜବ: ଏହି ଧାମରେ ବାଜେ ନାହିଁ ଘଣ୍ଟି

ନୂଆଦିଲ୍ଲୀ: ଚାରି ଧାମ ମଧ୍ୟରୁ ଅନ୍ୟତମ ବଦ୍ରିନାଥ ମନ୍ଦିରର ବିଶେଷ ମହତ୍ତ୍ୱ ରହିଛି। ମନ୍ଦିର ଏପରି ଏକ ସ୍ଥାନ ଯେଉଁଠି ଘଣ୍ଟି ଘଣ୍ଟାର ଧ୍ବନି ଗୁଞ୍ଜରିତ ହୋଇଥାଏ। ବଦ୍ରିନାଥ ମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଏଠାରେ ଶଙ୍ଖ ଫୁଙ୍କାଯାଏ ନାହିଁ। ଏଠାରେ ଆଳତି ହୁଏ ସତ, କିନ୍ତୁ ଶଙ୍ଖ ବାଜେ ନାହିଁ। ତେବେ ଏହା ପଛରେ ବୈଜ୍ଞାନିକ କାରଣ ଓ ପୌରାଣିକ କାହାଣୀ ରହିଛି। ବୈଜ୍ଞାନିକ ମାନ୍ୟତା ଅନୁସାରେ, ଶୀତଦିନେ ଏଠାରେ ଚାରିଆଡ଼େ ତୁଷାରପାତ ହୋଇଥାଏ।

ଏହି ସମୟରେ ଯଦି ଶଙ୍ଖନାଦ ହୁଏ, ଏହାର ଧ୍ବନି ପାହାଡ଼ ସହିତ ମାଡ଼ ହୋଇ ଏହା ପ୍ରତିଧ୍ବନି ସୃଷ୍ଟି କରିଥାଏ। ଏହାଦ୍ବାରା ବରଫରେ ଫାଟ ସୃଷ୍ଟି ହୋଇ ହିମଝଡ଼ ହେବାର ଆଶଙ୍କା ଥାଏ। ଏଥିସହିତ ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିର ଶବ୍ଦ ପରିବେଶକୁ କ୍ଷତି ପହଞ୍ଚାଏ। ଯେତେବେଳେ ଏହା ଘଟେ, ପର୍ବତରେ ଭୂସ୍ଖଳନ ହେବାର ଆଶଙ୍କା ବଢ଼ିଯାଏ । ଏପରି ପରିସ୍ଥିତିରେ ବୋଧହୁଏ ବଦ୍ରିନାଥ ଧାମରେ ଶଙ୍ଖ ଧ୍ବନି କରାଯାଏ ନାହିଁ । ଅନ୍ୟପକ୍ଷରେ ପୌରାଣିକ କଥା ଅନୁସାରେ, ହିମାଳୟ କ୍ଷେତ୍ରରେ ଅସୁରଙ୍କ ଆତଙ୍କ ଥିଲା। ଅସୁରମାନଙ୍କ ଦ୍ବାରା ଭୟଭୀତ ହୋଇ ଋଷି ମୁନି ନିଜ ଆଶ୍ରମରେ ପୂଜାର୍ଚ୍ଚନା କରିପାରୁ ନ ଥିଲେ। ଥରେ ମା’ ଲକ୍ଷ୍ମୀ ସେଠାରେ ଥିବା ‘ତୁଳସୀ ଭବନ’ରେ ଧ୍ୟାନ କରୁଥିଲେ।

ଏହି ସମୟରେ ଶଙ୍ଖଚୂର୍ଣ୍ଣ ନାମକ ରାକ୍ଷସର ଭଗବାନ ବିଷ୍ଣୁ ବଧ କରିଥିଲେ। ସାଧାରଣତଃ ଯୁଦ୍ଧ ଶେଷ ହେବା ପରେ ଶଙ୍ଖନାଦ କରାଯାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କ ଧ୍ୟାନ ଭଗ୍ନ ହୋଇଯିବ ଜାଣି, ଭଗବାନ ବିଷ୍ଣୁ ଶଙ୍ଖନାଦ କରି ନଥିଲେ। ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖନାଦ କରାଯାଏ ନାହିଁ। ସେହିଭଳି ଆଉ ଏକ ପୌରାଣିକ କାହାଣୀ ଅନୁସାରେ, ଅଗସ୍ତ୍ୟ ଋଷି କେଦାରନାଥରେ ରାକ୍ଷସମାନଙ୍କର ବଧ କରୁଥିଲେ। ସେଠାରୁ ଅତାପି ଓ ବତାପି ନାମକ ଦୁଇ ଜଣ ରାକ୍ଷସ ଦୌଡ଼ି ପଳାଇଲେ। ଅତାପି ନିଜ ଜୀବନ ରକ୍ଷା ପାଇଁ ମନ୍ଦାକିନୀ ନଦୀର ସାହାଯ୍ୟ ନେଇଥିଲା। ଅନ୍ୟପକ୍ଷରେ ବତାପି ଶଙ୍ଖର ସାହାଯ୍ୟ ନେଇଥିଲେ। ସେ ଶଙ୍ଖ ମଧ୍ୟରେ ଲୁଚି ଯାଇଥିଲା। ଯଦି କେହି ଶଙ୍ଖ ବଜାଇ ଥାନ୍ତେ ରାକ୍ଷସ ସେଠାରୁ ଖସି ପଳାଇଥାନ୍ତା। ଖାସ୍‌ ସେଥିପାଇଁ ବଦ୍ରିନାଥରେ କେହି ଶଙ୍ଖ ବଜାନ୍ତି ନାହିଁ ବୋଲି କୁହାଯାଏ।

ଲାଗୁନି ସୁନା ଦରରେ ବ୍ରେକ, ୯୭ ହଜାର ଡେଇଁଲା ସୁନା ଦର

ଭୁବନେଶ୍ଵର: ଲାଗୁନି ସୁନା ଦରରେ ବ୍ରେକ । ହୁ ହୁ ହୋଇ ବଢିଚାଲିଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବିବାହ ଋତୁ ପାଇଁ ସୁନା ଦର ଆକାଶ ଛୁଆଁ ହେବାକୁ ବସିଲାଣି । ବର୍ତ୍ତମାନ ସୁନାର ଚାହିଦା ପାଇଁ ଦିନକୁ ଦିନ ଦର ବଢିବାରେ ଲାଗିଛି । ସୁନା ଦର କେବେ କମିବ ତାହା ସମସ୍ତ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠୁଛି ? 

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ସୁନା ଦର ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୧୦୫୦ ଟଙ୍କା ବଢ଼ି ୮୯ ହଜାର ୨୦୦ ଟଙ୍କା ହୋଇଛି।ସେହିପରି କଟକରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି। ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୮୯ ହଜାର ୨୦୦ ଟଙ୍କା ହୋଇଛି।

ସୁନା କିଣିବା ପାଇଁ ସମସ୍ତ ଗ୍ରାହକ ଏବେ ଚିନ୍ତାରେ । ଆଗାମୀ ଦିନରେ ସୁନା ଦର ୧ଲକ୍ଷ ୩୦ ହଜାର ଛୁଇଁବ ବୋଲି ସୂଚନା ମଧ୍ୟ ମିଳୁଛି । ଆମେରିକା-ଚୀନ ମଧ୍ୟରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ସୁନା ଦର ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ରାଜ୍ୟ ଓ ଦେଶରେ ଏହାର ପ୍ରଭାବରେ ସୁନାର ଦର ବଢ଼ିବାରେ ଲାଗିଛି । ଲୋକେ ସୁନା ଦର ଯେତେ ପରିମାଣର ବଢୁଛି ଚୋରି ମଧ୍ୟ ବଢ଼ିବାରେ ଲାଗିଛି ।