
ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ । ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ହେଉଛନ୍ତି ନିକୁଞ୍ଜ ଧଳ । ସେହିପରି ୧୯୯୪ ବ୍ୟାଚ୍ର IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ମଧ୍ୟ ମିଳିଛି ନୂଆ ଦାୟିତ୍ବ । ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ସନ୍ତୋଷ ଷଡଙ୍ଗୀ । ଅନ୍ୟପଟେ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ନିଯୁକ୍ତି କରାଯାଇଛି ।
ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ଏହା ପୂର୍ବରୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ୧୯୯୩ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଧିକାରୀ ନିଜ କାର୍ଯ୍ୟ ଦକ୍ଷତା ବଳରେ ବେଶ ସୁନାମ ଅର୍ଜନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପରିଚାଳନାରେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଥିଲେ ନିକୁଞ୍ଜ । ସ୍ବଚ୍ଛତା ସହ ନିର୍ବାଚନ ପରିଚାଳନା କରିଥିଲେ ନିକୁଞ୍ଜ । ୨୦୨୪ ନିର୍ବାଚନରେ ବିଜେପିର ସଫଳତା ପଛରେ ନିକୁଞ୍ଜଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିଥିଲେ ନିକୁଞ୍ଜ । କୋଭିଡ ସମୟରେ ସେ ନିଜ ବାପାଙ୍କ ବିୟୋଗ ସମୟରେ ଛୁଟି ନ ନେଇ କୋଭିଡ ଡ୍ୟୁଟି ପରିଚାଳନା କରିଥିଲେ । ସେ ସ୍ବାସ୍ଥ୍ୟ ବିଭାଗର ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟବାସୀଙ୍କ ସେବାରେ ସେ ନିଜକୁ ସମର୍ପି ବେଶ ନିପୁଣ ଭାବେ ସେ ନିଜର ଦାୟିତ୍ବ ତୁଲାଇ ଆସିଛନ୍ତି । ନିକୁଞ୍ଜ ଦଳ ପୂର୍ବରୁ ଶକ୍ତି, ସ୍ବାସ୍ଥ୍ୟ ଏବଂ ବଡ଼ ବଡ଼ ବିଭାଗର ଦାୟିତ୍ବ ନେଇଛନ୍ତି । ନିକୁଞ୍ଜ ଧଳ ଜଣେ ଅଭିଜ୍ଞ ସମ୍ପନ୍ନ ପ୍ରଶାସକ ।
ସେହିପରି ଓଡ଼ିଶା କ୍ୟାଡ଼ରର ୧୯୯୪ ବ୍ୟାଚ୍ ଆଇଏଏସ୍ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ମଧ୍ୟ ମିଳିଛି ନୂଆ ଦାୟିତ୍ବ । ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ସନ୍ତୋଷ ଷଡଙ୍ଗୀ । ଶ୍ରୀ ଷଡ଼ଙ୍ଗୀ ୨୦୧୩ ମସିହା ନଭେମ୍ବର ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଏହାପରେ ୨୦୨୧ରେ ଶ୍ରୀ ଷଡଙ୍ଗୀ ପୁଣି ଥରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ତେବେ ଶ୍ରୀ ଷଡଙ୍ଗୀ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ପ୍ରାୟ ୫ବର୍ଷ ଧରି ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ଵାମୀ ହେଉଛନ୍ତି ସନ୍ତୋଷ ଷଡଙ୍ଗୀ।