November 4, 2025

ଥରକୁ ଥର ନାଲି ଆଖି ଦେଖାଉଛନ୍ତି ମମତା, ପୁଣି ଲାଗିଲା ‘ଜଗନ୍ନାଥ ଧାମ’ ଫଳକ

କୋଲକାତା: କାଲି ହଟିଲା ଆଜି ପୁଣି ଲାଗିଲା । ଗତକାଲି ଅସ୍ଥାୟୀ ଜଗନ୍ନାଥ ଧାମ ନାଁକୁ ହଟାଇ ଆଜି ପୁଣି ସ୍ଥାୟୀ ଭାବରେ ଜଗନ୍ନାଥ ଧାମ ଫଳକ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ଗୋଟେ ପଟେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ଥରକୁ ଥର ମମତା ବାନାର୍ଜୀ ନାଲି ଆଖି ଦେଖାଇ ଏଭଳି କିଛି କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

କହିରଖୁଛୁ ଯେ, ଗତକାଲି ‘ଜଗନ୍ନାଥ ଧାମ’ ନାମ ଫଳକ ଉଠିବା ନେଇ ଖବର ଆସିଥିଲା। ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ । ଟ୍ଵିଟ୍ ପରେ ଦିଦି ମୁଣ୍ଡ ନୁଆଁଇ ଜଗନ୍ନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଲା । କିନ୍ତୁ ଗୋଟିଏ ରାତି ପରେ ଅର୍ଥାତ୍ ଆଜି ପୁଣି ଉକ୍ତ ସ୍ଥାନରେ ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ହୋର୍ଡିଂ ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି । ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋର୍ଡିଂ ଲଗାଯାଇଥିଲା। ଜଗନ୍ନାଥ ଧାମ ବିବାଦ ଭିତରେ ମମତା ବାନାର୍ଜୀ ପୁଣିଥରେ ହୋର୍ଡିଂ ଲଗାଇଛନ୍ତି।

କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି କି? ସାବଧାନ! ସମସ୍ୟାରେ ପଡିପାରନ୍ତି ଆପଣ

ଭୁବନେଶ୍ଵର: ଦିନକୁ ଦିନ ବଢୁଛି ଖରା । ଆଉ ଏ ସମୟରେ କୋଲ୍ଡ ଡ୍ରିଙ୍କସ୍ ପିଇବା ପାଇଁ ବଢୁଛି ଚାହିଦା । ପିଲାଠୁ ବୟସ୍କ ଯାଏଁ ଏବେ ଅନେକଙ୍କ ହାତରେ କୋଲ୍ଡ ଡ୍ରିଙ୍କ୍ସର ବୋତଲ । ଶୋଷ ମେଣ୍ଟାଇବା ପାଇଁ ଆପଣ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି ସତ କିନ୍ତୁ କେବେ ଚିନ୍ତା କରିଛନ୍ତି ଏହି କୋଲଡ ଡ୍ରିଙ୍କସ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିପାରେ । ହେଲେ କଣ ଆପଣ ଜାଣନ୍ତି କି ଶରୀର ଉପରେ ବଡ଼ ଧରଣର କୁ-ପ୍ରଭାବ ପକାଇଥାଏ ଏହି କୋଲ୍ଡ ଡ୍ରିଙ୍କ୍ସ ।

ଦିନକୁ ଦିନ ଲୋକଙ୍କର ଖାଦ୍ୟ ଅଭ୍ୟାସ ବଦଳି ଯାଉଛି । ଛୋଟ ଛୋଟ ପିଲାମାନେ ଘର ଖାଦ୍ୟ ବ୍ୟତୀତ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରୁଛନ୍ତି, ତା ସାଙ୍ଗକୁ କୋଲ୍ଡ ଡ୍ରିଙ୍କସ୍ ପିଇବା ଅଭ୍ୟାସ ହୋଇଯାଇଛି । ଏସବୁ କାରଣରୁ ଛୋଟ ବେଳୁ ମେଦବୃଦ୍ଧିର ଶିକାର ହେଉଛନ୍ତି । ତେବେ ସୁସ୍ଥ ଜୀବନ ବଞ୍ଚିବା ପାଇଁ ହେଲେ ଫାଷ୍ଟଫୁଡ ଓ ମୃଦୁ ପାନୀୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କାରଣ ଏଥିରେ ଥିବା ସୁଗାର,କଫିନ୍‌ ଆଉ ଏସିଡ଼ିକ୍‌ ତତ୍ତ୍ୱ ଅନେକ ରୋଗର କାରଣ । 

ନ୍ୟାସନାଲ୍‌ ପ୍ରୋଗ୍ରାମ୍‌ ଅନ୍‌ କ୍ଲାଇମେଟ୍ ଚେଞ୍ଜ୍‌ ଆଣ୍ଡ୍‌ ହ୍ୟୁମାନ୍‌ ହେଲ୍ଥ (NPCCHL) କୋଲ୍ଡ ଡ୍ରିଙ୍କ୍ସକୁ ନେଇ ଚେତାବନୀ ଜାରି କରିଛି । ଏହା ବ୍ୟତୀତ ପ୍ରବଳ ଖରା ବା ଗରମରେ ଚା ଏବଂ କଫିକୁ ଅଣଦେଖା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଧିକ ଗରମ ଲାଗିବା ସମୟରେ କାର୍ବୋନେଟେଡ୍‌ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଶରୀରରୁ ଅଧିକ ଝାଳ ବାହାରେ । ଯାହାକି ଶରୀରର ୱାଟର ଲେବଲ୍‌କୁ କମ୍ କରେ । 

ଏହି ମୃଦୁ ପାନୀୟରେ ଅଧିକ ପରିମାଣର କଫିନ୍ ଏବଂ ଚିନି ଥାଏ, ଯାହାକି ଡିହାଇଡ୍ରେସନ୍‌ର ମୁଖ୍ୟ କାରଣ । ଅଧିକ ମୃଦୁ ପାନୀୟ ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ଦୁର୍ବଳତାର ଆଉ ଏକ କାରଣ । ଯଦି କେହି ପେଟ ସମସ୍ୟା ବା ଆସିଡ଼ିଟିରେ ପୀଡିତ ତେବେ ସେମାନେ କୋଲ୍ଡ ଡ୍ରିଙ୍କ୍ସଠୁ ଦୂରେଇ ରହିବା ନିହାତି ଆବଶ୍ୟକ । 

ମୁଣ୍ଡ ନୁଆଁଇଲେ ମମତା, ବଦଳିଲା ଦୀଘା ଜଗନ୍ନାଥ ମନ୍ଦିରର ନାଁ

ପୁରୀ: ଶେଷରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଗର୍ବ। ପ୍ରବଳ ବିରୋଧ ପରେ ନଇଁଲେ ମମତା। ଆଉ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମ ଲେଖା। ଯେଉଁ ‘ଜଗନ୍ନାଥ ଧାମ’ ନାମ ଲେଖାକୁ ନେଇ କିଛି ଦିନ ହେବ ବିରୋଧ ହେଉଥିଲା। ସାଧାରଣ ଜଗନ୍ନାଥ ପ୍ରେମୀଙ୍କଠୁ ଆରମ୍ଭ କରି ରାଜନୈତିକ ସ୍ତରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ସେହି ଲଢ଼େଇ ସଫଳ ହେଲା।

ଦୀଘା ମନ୍ଦିରରୁ ‘ଜଗନ୍ନାଥ ଧାମ’ ନାମଫଳକ ହଟିବା ନେଇ ଏକ୍ସରେ ସୂଚନା ଦେଇଛନ୍ତି ବିଜେପି ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ । ତେବେ ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ନାମଫଳକ କାଢ଼ିଥିବା ନେଇ ସୂଚନା ମିଳିଛି । ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ‘ଏକ୍ସ’ରେ ଲେଖିଛନ୍ତି ଅମିତ ମାଲବ୍ୟ । ମାଲବ୍ୟ ଆହୁରି ଲେଖିଛନ୍ତି ଯେ, ଯେତେବେଳେ ହିନ୍ଦୁ ଏକାଠି ହେବେ, ସେତେବେଳେ କୌଣସି ହୀନ ରାଜନୀତି ତିଷ୍ଠିବନି ।

ପଶ୍ଚିମବଙ୍ଗର ଦୀଘାରେ ପୁରୀ ଜଗନ୍ନାଥ ମନ୍ଦିର ଭଳି ଜଗନ୍ନାଥ ମନ୍ଦିରକୁ ନେଇ ଓଡିଶାରେ ବିବାଦ ଦେଖାଦେଇଥିଲା । ମମତାଙ୍କ ଏହି ନିଷ୍ପତ୍ତି ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।  ଚାରିଧାମ ଭିତରେ ଯାଉଛି ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର । ଏଠାରେ ଦାରୁବ୍ରହ୍ମ ପୂଜା ପାଉଛନ୍ତି । ତେଣୁ ଦୀଘାରେ ଏଭଳି ମନ୍ଦିର କରି, ମମତା ବାନାର୍ଜୀ କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ବୋଲି ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଥିଲେ । ଆଉ ଏହାରି ଭିତରେ ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦକୁ ନେଇ ଶେଷରେ ଆଜି ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏତେ ରାଗ କାହିଁକି ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ମମତା । ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ ଆମେ ସମ୍ମାନ କରୁ । ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ବାର ଅଛି । ହେଲେ ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି କହିଥିଲେ ମମତା ।

ଏହି ଦେଶରେ ନାହିଁ ମସଜିଦ୍ କି ଚର୍ଚ୍ଚ, ଏଠାରେ ପ୍ରାର୍ଥନା କରନ୍ତି ଉକ୍ତ ସମ୍ପ୍ରଦାୟ

ନୂଆଦିଲ୍ଲୀ: ନିଜ ଧର୍ମ ପାଳନ କରିବାର ଅଧିକାର ସମସ୍ତଙ୍କର ରହିଛି । ଏ ଅଧିକାର ପ୍ରତ୍ୟେକ ଦେଶ ତାର ନାଗରିକଙ୍କୁ ଦେଇଥାଏ । ସମସ୍ତେ ନିଜ ନିଜ ଧର୍ମପୀଠ ତିଆରି କରି ପାରିବେ, ସେଠାରେ ଆରାଧନା କରିପାରିବେ । ସେଥିପାଇଁ ଅଧିକାଂଶ ଦେଶରେ ପ୍ରତ୍ୟେକ ଧର୍ମର ପୂଜାସ୍ଥଳ ଦେଖିବାକୁ ମିଳିଥାଏ । ହେଲେ ଜାଣନ୍ତି, ଏମିତି ଏକ ଦେଶ ଅଛି, ଯେଉଁଠାରେ ମାତ୍ରାଧିକ ଲୋକ ମୁସଲମାନ ସଂପ୍ରଦାୟର, ହେଲେ ଗୋଟିଏ ହେଲେ ବି ମସଜିଦ ନାହିଁ !

ଏହି ସୁନ୍ଦର ଛୋଟ ଦେଶର ନାମ ହେଉଛି ଭୁଟାନ। ଏଠାରେ ସମୁଦାୟ ଜନସଂଖ୍ୟା ପ୍ରାୟ ୭.୫ ଲକ୍ଷ। ଯେଉଁଠାରେ ଜନସଂଖ୍ୟାର ୮୪.୩ ପ୍ରତିଶତ ଯେଉଁମାନେ ବୌଦ୍ଧ ଧର୍ମରେ ବିଶ୍ବାସ କରନ୍ତି । ସେହିପରି ଦ୍ୱିତୀୟରେ ହିନ୍ଦୁ ଜନସଂଖ୍ୟା ହେଉଛି ୧୧.୩ ପ୍ରତିଶତ। ସେଠାରେ ସେମାନଙ୍କର ମନ୍ଦିର ଏବଂ ଧାର୍ମିକ ସ୍ଥାନ ମଧ୍ୟ ଅଛି। କିଛି ବର୍ଷ ପୂର୍ବେ ଭୁଟାନର ରାଜା ନିଜେ ରାଜଧାନୀ ଥିମ୍ଫୁରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ କରିଥିଲେ। ଭୁଟାନରେ ମୁସଲମାନ ଜନସଂଖ୍ୟା ପ୍ରାୟ ୦୧ ପ୍ରତିଶତ। ଦୀର୍ଘ ଦିନ ଧରି ସେଠାକାର ମୁସଲମାନ ସମ୍ପ୍ରଦାୟ ସେଠାରେ ଏକ ମସଜିଦ ନିର୍ମାଣ କରିବାକୁ ଦାବି କରିଆସୁଥିଲେ ମଧ୍ୟ ସରକାରୀ ଭାବେ ସେଠାରେ କୌଣସି ମସଜିଦ ନାହିଁ କିମ୍ବା ସରକାର ଏହାର ଅନୁମତି ମଧ୍ୟ ଦେଇନାହାଁନ୍ତି।

ସେହିଭଳି ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ଦୀର୍ଘ ସମୟ ଧରି ରହିଆସିଛି କିନ୍ତୁ ଭୁଟାନ ସରକାର ସେମାନଙ୍କୁ ଚର୍ଚ୍ଚ ନିର୍ମାଣ କରିବାକୁ କେବେ ଅନୁମତି ଦେଇ ନାହାଁନ୍ତି। ତେବେ ଭୁଟାନର ବୁମଥାଙ୍ଗରେ ଆନୁଷ୍ଠାନିକ ଭାବରେ ଏକ ଛୋଟ ପ୍ରାର୍ଥନା କକ୍ଷ ଅଛି, ଯେଉଁଠାରେ ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନମାନଙ୍କୁ ତିନୋଟି ପୃଥକ କୋଠରୀରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି। ତେବେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ହୋଟେଲ ରୁମରେ ମଧ୍ୟ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି। 

ଅନ୍ୟପଟେ ଭୁଟାନର ରାଜଧାନୀ ଥିମ୍ଫୁରେ ନିର୍ମିତ ହୋଇଛି ଏକ ବିଶାଳ ହିନ୍ଦୁ ମନ୍ଦିର । ଏଥିରେ ଅନେକ ହିନ୍ଦୁ ଦେବତା ଏବଂ ଦେବୀଙ୍କର ମୂର୍ତ୍ତି ରହିଛି। ଏଠାରେ ଥିବା ହିନ୍ଦୁମାନେ ସାଧାରଣତଃ ଗଣେଶ ଏବଂ ଦୁର୍ଗାଙ୍କୁ ଅଧିକ ପୂଜା କରନ୍ତି। ୦୭ତମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଦେଶ ଭାରତର କୋଚବିହାର ରାଜବଂଶ ଅଧୀନରେ ଥିଲା କିନ୍ତୁ ଏହା ପରେ ଏହା ବୌଦ୍ଧ ଧର୍ମରେ ପରିଣତ ହୋଇଥିଲା। ଯଦିଓ ଇଣ୍ଟରନେଟରେ କିଛି ସ୍ଥାନରେ ସୂଚନା ଅଛି ଯେ ଥିମ୍ଫୁରେ ଏକ ମସଜିଦ ଅଛି, କିନ୍ତୁ ସରକାରୀ ଭାବେ ବୌଦ୍ଧ ଏବଂ ହିନ୍ଦୁ ପୂଜାପାଠ ବ୍ୟତୀତ ଏହି ଦେଶରେ କୌଣସି କୋଠା ନାହିଁ।

ଏହି ମୁସଲିମ୍ ଦେଶରେ ଅଛି ହିନ୍ଦୁ ଦେବତାଙ୍କ ବିଶାଳ ପ୍ରତିମୂର୍ତ୍ତି, ଜାଣନ୍ତୁ…

ନୁଆଦିଲ୍ଲୀ: ବିଶ୍ୱରେ ଏମିତି ଅନେକ ମନ୍ଦିର ଅଛି ଯେଉଁ ଗୁଡ଼ିକ କିଛି ଖାସ୍‌ ମାହାତ୍ମ୍ୟ ପାଇଁ ଜଣାଶୁଣା । ସେ ହିନ୍ଦୁ ଦେଶ ହେଉ ଅବା ମୁସଲିମ୍‌ ଦେଶ । ଭଗବାନ ସମସ୍ତଙ୍କର । କେବଳ ଭକ୍ତି ଆବଶ୍ୟକ । ସେଥିପାଇଁ କୁହାଯାଏ ଭକ୍ତର ଭଗବାନ । ଭଗବାନଙ୍କ ପୂଜାରେ ସ୍ଥାନ କେବେ ବାଧକ ସାଜିପାରେନା । ଏଇ ଯେମିତି ଇଣ୍ଡୋନେସିଆ ।

ମୁସଲମାନଙ୍କ ଦେଶ ଇଣ୍ଡୋନେସିଆରେ ହିନ୍ଦୁ ଦେବତା ଭଗବାନ ବିଷ୍ଣୁଙ୍କ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଛି। ଏତେ ବଡ ମୂର୍ତ୍ତି ଭାରତରେ ମଧ୍ୟ ନାହିଁ, ଯେଉଁଠାରେ ହିନ୍ଦୁମାନଙ୍କର ଜନସଂଖ୍ୟା ସର୍ବାଧିକ। ଏହି ପ୍ରତିମୂର୍ତ୍ତି ଇଣ୍ଡୋନେସିଆର ବାଲି ଦ୍ୱୀପରେ ଥିବା କିନକାନା ପାର୍କରେ ରହିଛି। ଏହି ପ୍ରତିମୂର୍ତ୍ତି ୧୨୨ ଫୁଟ ଉଚ୍ଚ ଏବଂ ୬୪ ଫୁଟ ଚଉଡା। ଏହି ପ୍ରତିମା ତମ୍ବା ଓ ପିତ୍ତଳରେ ନିର୍ମିତ। କୁହାଯାଏ ଏହାକୁ ତିଆରି କରିବାକୁ ପ୍ରାୟ ୨୪ ବର୍ଷ ସମୟ ଲାଗିଥିଲା ଏବଂ ଏହା ୨୦୧୮ରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ପ୍ରତିମୂର୍ତ୍ତିରେ ଭଗବାନ ବିଷ୍ଣୁ ଗରୁଡ ଉପରେରେ ବସିଛନ୍ତି। ଏହା ଏତେ ମନୋରମଯେ ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲୋକ ଆସନ୍ତି। ଭକ୍ତଙ୍କ ସମାଗମରେ ଏହାର ଆଖପାଖ ଆହୁରି ପ୍ରଜ୍ୱଳିତ ହୋଇଉଠେ ।

ଇଣ୍ଡୋନେସିଆରେ ରହୁଥିବା ଶିଳ୍ପୀ ବପ୍ପା ନ୍ୟୁମାନ ନୁଆର୍ତା ୧୯୭୯ ରେ ଏଭଳି ଏକ ବିଶାଳ ପ୍ରତିମୂର୍ତ୍ତି ତିଆରି କରିବାର ସ୍ୱପ୍ନ ଦେଖିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର କୌଣସି ସ୍ଥାନରେ ତିଆରି ହୋଇନାହିଁ। ଏହା ପରେ, ସେ ଏହି ପ୍ରତିମା ତିଆରି କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ। ୧୬ ବର୍ଷର ଯୋଜନା ପରେ, ଏହା ଉପରେ କାମ ଆରମ୍ଭ ହୋଇଥିଲା । ଏହାକୁ ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଅଜବ ଏହି ରେସ୍ତୋରାଂ, ହାତୀ ମଳରୁ ପ୍ରସ୍ତୁତ ହୁଏ ‘ମିଠା’

ନୂଆଦିଲ୍ଲୀ: ସାଧାରଣତଃ ନିଜ କର୍ମମୟ ଜୀବନ ଭିତରୁ କିଛି ସମୟ ପାଇଁ ବାହାରି ଲୋକେ ବୁଲାବୁଲି କରିବାକୁ ଯାଇଥାନ୍ତି । ଆଉ ସେତେବେଳେ ଘରେ ତିଆରି ଖାଦ୍ୟ ନୁହେଁ ବରଂ କିଛି ବାହାର ଖାଦ୍ୟ କାଇବାକୁ ଲୋକେ ବେଶି ଭଲପାଆନ୍ତି । ତେବେ ଯଦି ଆପଣ ଖାଦ୍ୟ ଖାଇବାକୁ କୌଣସି ଏକ ରେସ୍ତୋରାଂକୁ ଯାଇଥିବେ ଆଉ ସେଠାରେ ଆପଣଙ୍କୁ ହାତୀ ମଳରୁ ତିଆରି ମିଠା, କଞ୍ଚା ପତ୍ର ଖାଇବାକୁ ଦିଆଯିବ ତେବେ ସେତେବଳେ ଆପଣ କଣ କରିବେ ? ଆଜ୍ଞା ହଁ, ବାସ୍ତବରେ ଏପରି ଏକ ରେସ୍ତୋରାଂ ଅଛି ଯାହାକୁ ଏହିପରି ଖାଦ୍ୟ ପାଇଁ ରେକର୍ଡ ସୃଷ୍ଟି କରିଛି । ଏବଂ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେହି ରେସ୍ତୋରାଂକୁ ଖାଇବାକୁ ମଧ୍ୟ ଯାଉଛନ୍ତି । ଚୀନର ସାଂଘାଇରେ ଏପରି ଏକ ରେସ୍ତୋରାଁ ଅଛି ଯାହାକି ତାର ଖାଦ୍ୟର ସ୍ୱାଦ ପାଇଁ ବରଂ ଖାଦ୍ୟ ପ୍ରସ୍ତୁତି କରିବାର ଶୈଳୀ ପାଇଁ ସାରା ବିଶ୍ଵରେ ପ୍ରସିଦ୍ଧ । ଏଠାକୁ ଲୋକେ କେବଳ ଖାଦ୍ୟ ଖାଇ ପେଟ ଭର୍ତ୍ତି କରିବାକୁ ନୁହେଁ ବରଂ ଭିନ୍ନ ଅନୁଭୂତି ପାଇଁ ଆସିଥାନ୍ତି । ଏଠାରେ ବିକ୍ରି ହେଉଥିବା ବ୍ୟଞ୍ଜନର କିଛି କାହାଣୀ ମଧ୍ୟ ରହିଛି। ତେବେ ନିକଟରେ ଏହି ରେସ୍ତୋରାଁ ନିଜ ଖାଦ୍ୟ ତାଲିକାରେ ହାତୀ ମଳରୁ ପ୍ରସ୍ତୁତ ମିଠା ସାମିଲ କରିଛି। ଆଉ ଏହି ମିଠା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ ଏହି ରେସ୍ତୋରାଁ ରେନ୍‌ ଫରେଷ୍ଟର ଥିମ୍‌ ଉପରେ ଆଧାରିତ । ଅର୍ଥାତ୍‌ ଏହାର ଅଧିକାଂଶ ଖାଦ୍ୟ ଜଙ୍ଗଲ, ଜୀବଜନ୍ତୁ ଓ ପ୍ରକୃତି ସହ ଜଡିତ। ରେସ୍ତୋରାଁର ଏହି ଥିମ୍‌ କେବଳ ସାଜସଜ୍ଜା କିମ୍ବା ଖାଦ୍ୟର ନାମ ପର୍ଯ୍ୟନ୍ତ ସୀମିତ ନାହିଁ, ଏଠାକାର ଅଭିଜ୍ଞତା ଅନ୍ୟ ରେସ୍ତୋରାଁ ଠାରୁ ମଧ୍ୟ ଭିନ୍ନ । ଖାଦ୍ୟ ଖାଇବା ପୂର୍ବରୁ ଅତିଥିଙ୍କୁ ଏକ ଛୋଟ କୁଣ୍ଡରୁ ପତ୍ର ତୋଳିବାକୁ ପଡେ। ଏହାକୁ ସସ୍‌ରେ ବୁଡାଇ କଞ୍ଚା ଖାଇବାକୁ ପଡେ । ଏହାପରେ ବରଫ ଖଣ୍ଡରେ ମହୁ ଓ ଫୁଲ ରସରେ ଖାଇବାର ଏକ ପରମ୍ପରା ମଧ୍ୟ ରହିଛି । ମାତ୍ର ଏସବୁ ଭିତରେ ସବୁଠାରୁ ଆକର୍ଷଣୀୟ ଥିଲା ହାତୀ ମଳରୁ ତିଆରି ମିଠା । ହାତୀର ମଳକୁ ସଫା କରାଯାଇ ଏଥିରେ ଏକ ପ୍ରକାରର ଫୁଲର ରସ, ମହୁ ସହ ଅନ୍ୟାନ୍ୟ ଜିନିଷ ମିଶାଯାଏ । ପ୍ରଥମେ ମଳକୁ ଭଲ ଭାବରେ ସଫା କରାଯାଏ ଏବଂ ଏଥିରୁ ତନ୍ତୁ ବାହାର କରାଯାଏ, ଯାହା ସାଧାରଣତଃ କାଗଜ ତିଆରି କରିବା ପାଇଁ ବ୍ୟବହୃତ ହୁଏ। ତା’ପରେ ଏହାକୁ ଫୁଟାଇ ଜୀବାଣୁମୁକ୍ତ କରାଯାଏ ଏବଂ ଏହି ମିଠା ପାଇଁ ବ୍ୟବହାର କରାଯାଏ।

ତେବେ ରେସ୍ତୋରାଁର କହିବା ଅନୁସାରେ, ଏହି ପ୍ରକ୍ରିୟାଟି ସମ୍ପୁର୍ଣ୍ଣ ନିରାପଦ ଏବଂ ଖାଦ୍ୟଯୋଗ୍ୟ । ଏହି ମିଠାଟି ଖାଇବାକୁ ହେଲେ ଅତିଥିମାନଙ୍କୁ ପ୍ରଥମେ ଏକ ଛୋଟ ସିଡ଼ି ଚଢ଼ିବାକୁ ପଡିବ। ଉପରେ, ସେମାନେ ନିଜ ପସନ୍ଦର ସୁଗନ୍ଧ ଏବଂ ସ୍ୱାଦ ବାଛିବେ, ଯାହାକୁ ପରେ ସେମାନଙ୍କ ମିଠାରେ ମିଶାଯାଏ। ଏହାର ଅର୍ଥ ହେଉଛି ପ୍ରତ୍ୟେକ ମିଠା ବହୁତ ସ୍ୱତନ୍ତ୍ର ଏବଂ ଭିନ୍ନ। ଏହି ରେସ୍ତୋରାଁରେ ୩,୮୮୮ ୟୁଆନ (୪୫,୯୦୦ ଟଙ୍କା) ମୂଲ୍ୟରେ ୧୫-କୋର୍ସ ଭୋଜନ ପ୍ରଦାନ କରାଯାଏ।

ଜଗନ୍ନାଥ ମନ୍ଦିର ବିରୋଧରେ ହେଉଛି ଷଡଯନ୍ତ୍ର ! ସାମାଜିକ ଗଣମାଧ୍ୟମରେ କରାଯାଉଛି ବଦନାମ୍

ପୁରୀ: ପୁରୀ ବିରୋଧରେ ହେଉଛି କି ବଡ଼ ଷଡଯନ୍ତ୍ର । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଅନେକ ପୋଷ୍ଟ । ଯେଉଁଥିରେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । କିଛି ନ୍ୟସ୍ତସ୍ବାର୍ଥ ଲୋକ ଟ୍ରେଣ୍ଡ ଆରମ୍ଭ କରିଛନ୍ତି ।  ସେହିପରି ଏବେ ଏକ ସୋସିଆଲ ମିଡିଆ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରାଯାଉଛି। ବେଙ୍ଗଲ ଓ୍ୱାରିଅର ନାମକ କେହି ବ୍ୟକ୍ତି ‘x’ ରେ ବିଭ୍ରାନ୍ତିକର ପୋଷ୍ଟ କରୁଛନ୍ତି। ଯେଉଁଥିରେ ଲେଖାଅଛି, “ବୟକଟ ଓଡ଼ିଶା ଏବଂ ବେଙ୍ଗଲୀ ବୟକଟ୍ ପୁରୀ ଟୁରିଜିମ୍”।

ଏଭଳି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପୋଷ୍ଟ ଲକ୍ଷ ଲକ୍ଷ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ନାପସନ୍ଦ ହୋଇଛି। ତେବେ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତେଜିବାରେ ଲାଗିଛି। ଏହାରି ଭିତରେ ଏପରି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଯାହାକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି। ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି। ଶ୍ରୀକ୍ଷେତ୍ର ପୁରୀର ଗୌରବ ହାନି ହେଲା ଭଳି ଅପଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହୋଇଛି। ତେବେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରୁଛି କିଏ? କେବେ ହେବ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ।

ସେନେଇ ପ୍ରଶ୍ନ ଉଠିଛି? ସେପଟେ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଯେତିକି ବଢୁଛି ସନ୍ଦେହ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଶ୍ରୀମନ୍ଦିରରୁ ବଳକା ଦାରୁ ନେଇ ମୂର୍ତ୍ତି ପ୍ରତିଷ୍ଠା ପ୍ରସଙ୍ଗରେ ଏକ କମିଟି ଗଠନ କରି ସତ୍ୟତା ଉନ୍ମୋଚନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ତଥା ଜନମାନସରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମା କ୍ଷୁଣ୍ଣ ଅଭିଯୋଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

ନୋଟିସ ପାଇବାର ୭ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ଦିଆଯାଇଛି। ଏହି ସମୟ ଭିତରେ ସନ୍ତୋଷଜନକ ଉତ୍ତର ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି। ରବିବାର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ବିବାଦୀୟ ଦଇତାପତି ନିଯୋଗ ସମ୍ପାଦକ ଶ୍ରୀ ଦାସମହାପାତ୍ର ଓ ନିଯୋଗର ସଭାପତି ଗଣେଶ୍ବର ଦାସ ମହାପାତ୍ରଙ୍କ ସହ ଦୁଇ ଘଣ୍ଟା ବୈଠକ କରି ଜେରା କରିଛନ୍ତି।

ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ଏବଂ ଶ୍ରୀମନ୍ଦିର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ଶ୍ରୀଦାସ ମହାପାତ୍ର ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଅଭିଯୋଗ ହୋଇଥିଲା। ପରେ ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା ସଫେଇ ଦେଇଥିଲେ।

କରନ୍ତୁ ଏହି ଉପାୟ, ଦୂର ହେବ କେଶ ଝଡିବା ସମସ୍ୟା

ଭୁବନେଶ୍ଵର: ବର୍ତ୍ତମାନର ଖରାପ ଜୀବନଶୈଳୀ ଭିତରେ ସବୁଠାରୁ ବଡ଼ ସମସ୍ୟା ହେଉଛି କେଶ ଝଡ଼ିବା । ଯାହା ପ୍ରାୟ ସମସ୍ତଙ୍କର ଚିନ୍ତା । ତେଣୁ କେଶର ଯତ୍ନ ନେବା ନିହାତି ଜରୁରୀ । କାରଣ କେଶର ସଠିକ ଯତ୍ନ ନେଉଛନ୍ତି ତେବେ କେଶ ଭଲ ଭାବରେ ବଢିଥାଏ । ତେବେ ଆଜି ଆପଣଙ୍କୁ ୪ଟି ପ୍ରାକୃତିକ ଉପାୟ ବିଷୟରେ କହିବୁ । ଯାହାକୁ ଆପଣ କେଶରେ ଲଗାଇପାରିବେ ।

ନିମ୍ବ: କେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ରୂପି ଏବଂ ମୁଣ୍ଡ କୁଣ୍ଡାଇହେବା । ଯଦି ଆପଣଙ୍କ ସହ ମଧ୍ୟ ଏପରି ହେଉଛି ତେବେ ନିମ୍ପ ପତ୍ର ବ୍ୟବହାର କରିପାରିବେ । ନିମ୍ବରେ ଆନାଲଜେସିକ ଏବଂ ଆଣ୍ଟିଇନଫ୍ଲାମେଟ୍ରି ଗୁଣ ଥାଏ । ଯାହା କେଶର ସମସ୍ତ ସମସ୍ୟା ଦୂର କରିଥାଏ । ତେଣୁ ନିମ୍ବ ପତ୍ରକୁ ବାଟି କେଶରେ ମାସ୍କ ପରି ଲଗାନ୍ତୁ ।

ମେଥି: ମେଥି ଏକ ପ୍ରାକୃତିକ କଣ୍ଡିସନର । ଏଥିରେ ଆଣ୍ଟିଅକ୍ସିଡ଼େଣ୍ଟ ଯାହା କେଶକୁ ବଢିବାରେ ସାହାର୍ଯ୍ୟ କରିଥାଏ । ମେଥି, ଅଁଳା, ଶିକାକାଇ ଏବଂ ମେହେନ୍ଦି ପେଷ୍ଟ ତିଆରି କରି କେଶ ମୂଳରେ ଭଲ ଭାବରେ ଲଗାନ୍ତୁ । ଅଧଘଣ୍ଟା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

ମେହେନ୍ଦି: ମେହେନ୍ଦିରେ ଆଣ୍ଟିବାକ୍ଟିରିୟଲ ଏବଂ ଆଣ୍ଟିମାଇକ୍ରୋବିୟଲ ଗୁଣ ଥାଏ । ଯାହା କେଶକୁ ଲମ୍ବା କରିବାରେ ସାହାଯ୍ୟ କରିଥାଏ । ମେହେନ୍ଦିକୁ ପାଣିରେ ଗୋଳାଇ ରାତି ସାରା ରଖନ୍ତୁ । ପରଦିନ ସକାଳେ ଏହାକୁ ମୁଣ୍ଡରେ ଲଗାଇ୧/୨ ଘଣ୍ଟା ପରେ ଧୋଇ ଦିଅନ୍ତୁ ।

ଅଁଳା: ଅଁଳାରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡ଼େଣ୍ଟ ଥାଏ । ଯାହା କୋଲୋଜନ ପ୍ରଡ଼କ୍ସନ କରିବାରେ ସାହାର୍ଯ୍ୟ କରିଥାଏ । କୋଲୋଜନ କେଶ ବଢିବାରେ ସାହାଯ୍ୟ କରିଥାଏ । ଅଁଳା ପାଉଡ଼ରକୁ ପାଣିରେ ମିଶାଇ କେଶର ମୂଳରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ ।

ଫ୍ୟାନ୍ସଙ୍କ ଅଜବ ପାଗଳାମୀ, ତିଆରି ହେଲା ସାମନ୍ଥାଙ୍କ ପାଇଁ ମନ୍ଦିର

ମୁମ୍ବାଇ: ୩୮ ବୟସରେ ପାଦ ଥାପିଛନ୍ତି ତେଲୁଗୁ କୁଇନ୍ ସାମନ୍ଥା ରୁଥ୍ ପ୍ରଭୁ । ନିକଟରେ ସେ ତାଙ୍କ ପ୍ରିୟଜନ ସହ ନିଜର ଜନ୍ମଦିନ ପାଳନ କରିଛନ୍ତି ।  ଅଭିନେତ୍ରୀଙ୍କ ଏହି ଜନ୍ମଦିନ ବହୁତ ସ୍ୱତନ୍ତ୍ର ଥିଲା କାରଣ ଏଥର ତାଙ୍କୁ ତାଙ୍କ ଫାନ୍ସଙ୍କ ଠାରୁ ବିଶେଷ ଉପହାର ମିଳିଛି । ଆପଣ ପ୍ରାୟତଃ ଦେଖିଥିବେ ଯେ ସେଲିବ୍ରିଟିଙ୍କ ଜନ୍ମଦିନରେ ଫାନ୍ସ ମାନେ ସେମାନଙ୍କୁ ଫୁଲ, କେକ୍ ଏବଂ ଅନ୍ୟାନ୍ୟ ଉପହାର ପଠାନ୍ତି ।  କିନ୍ତୁ ସାମନ୍ଥା ରୁଥ୍ ପ୍ରଭୁଙ୍କ ଫାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ପାଗଳାମି ଦେଖିବାକୁ ମିଳିଥିଲା । ସେ ସାମନ୍ଥାଙ୍କୁ କେବଳ ଜଣେ ଅଭିନେତ୍ରୀ ନୁହେଁ ବରଂ ଭଗବାନଙ୍କ ମାନ୍ୟତା ଦେଉଛନ୍ତି । ଏକଥା ଆମେ କହୁନାହୁଁ ବରଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଜଣାପଡିଛି ।

ସାମନ୍ଥାଙ୍କ ଫ୍ୟାନ୍ସ ମାନେ ଅଭିନେତ୍ରୀଙ୍କ ଏକ ମନ୍ଦିର ତିଆରି କରି ତାଙ୍କୁ ଉପହାର ଦେଇଛନ୍ତି । ମନ୍ଦିରର ନାମ ରହିଛି ‘ସାମନ୍ତଙ୍କ ମନ୍ଦିର’ । ତେବେ ସନ୍ଦୀପ ନାମକ ଜଣେ ଫାନ୍ସ ସାମନ୍ଥା ରୁଥ୍ ପ୍ରଭୁଙ୍କ ନାମରେ ଏହି ମନ୍ଦିର ନିର୍ମାଣ କରିଛନ୍ତି । ମନ୍ଦିରରେ ଅଭିନେତ୍ରୀଙ୍କ ଦୁଇଟି ପ୍ରତିମୂର୍ତ୍ତି ମଧ୍ୟ ରଖାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ତାଙ୍କ ଜନ୍ମଦିନକୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରୁଛନ୍ତି । ତାଙ୍କ ନାମରେ ଏକ ମନ୍ଦିର ତିଆରି କରାଯାଇଛି ଏବଂ ସେହି ମନ୍ଦିରକୁ ଖୁବ ସୁନ୍ଦର ଭାବେ ଫୁଲରେ ସଜା ଯାଇଛି । ମନ୍ଦିର ଭିତରେ ୨ଟି ମୂର୍ତ୍ତି ରହିଛି ।

ଗୋଟିଏ ସୁନା ରଙ୍ଗର ଶାଢ଼ି ପିନ୍ଧିଛି ଏବଂ ଅନ୍ୟଟି ଲାଲ ଶାଢ଼ି ପିନ୍ଧିଛି। ଭିଡିଓରେ କେକ୍ କାଟି ଅଭିନେତ୍ରୀଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଉଛି । ସାମନ୍ଥା ରୁଥ୍ ପ୍ରଭୁଙ୍କ ଏହି ଫାନ୍ସ କେବଳ ଅଭିନେତ୍ରୀଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିନାହାଁନ୍ତି ବରଂ ତାଙ୍କ ଜନ୍ମଦିନରେ ଅନାଥ ପିଲାମାନଙ୍କ ପାଇଁ ଏକ ପାର୍ଟି ମଧ୍ୟ ଆୟୋଜନ କରିଛନ୍ତି । ତେବେ ସାମନ୍ଥାଙ୍କ ଏହି ଫ୍ୟାନ୍ସ  ଆନ୍ଧ୍ର ପ୍ରଦେଶର ଅଟନ୍ତି । ସେ ଲଗାତାର ୩ ବର୍ଷ ହେଲା ସାମନ୍ଥାଙ୍କ ଜନ୍ମଦିନ ପାଳନ କରି ଆସୁଛନ୍ତି ।  ଆଉ ଏବେ ସେ ପ୍ରତି ବର୍ଷ ସାମନ୍ଥଙ୍କ ଜନ୍ମଦିନରେ ପିଲାଙ୍କ ଖାଇବାକୁ ଦିଅନ୍ତି ଏହାସହ କେକ କାଟିଥାନ୍ତି । ତାଙ୍କ କହିବା ଅନୁସାରେ ସାମନ୍ଥା ତାଙ୍କୁ ବହୁତ ପ୍ରେରଣା ଦେଇଛନ୍ତି । ଏହି ମନ୍ଦିରର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

ଏସି ଚଲାଉଥିଲେ ଆପଣାନ୍ତୁ ଏହି ଉପାୟ, କମ୍ ଆସିବ ବିଦ୍ୟୁତ ବିଲ୍

ଭୁବନେଶ୍ଵର: ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ବର୍ତ୍ତମାନ ଏସି ଏବଂ କୁଲର୍ ବ୍ୟବହାର କରୁଛନ୍ତି । କିନ୍ତୁ ଲୋକମାନେ ଏସି ଏବଂ କୁଲର୍ ବ୍ୟବହାର କରୁଥିବାରୁ ସେହି ଅନୁଯାୟୀ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ । ବେଳେବେଳେ ଏହି କାରଣରୁ ବିଦ୍ୟୁତ୍ ବିଲ୍ ମଧ୍ୟ ବଢିଥାଏ ଏବଂ ମାସିକ ବଜେଟ୍ ଖରାପ ହୋଇଯାଇଥାଏ । ଏପରି ପରିସ୍ଥିତିରେ, ଆପଣ ଜାଣିବା ଜରୁରୀ ଯେ କିପରି ବିଦ୍ୟୁତ୍ ବିଲକୁ ଅର୍ଥନୈତିକ ଉପାୟରେ ହ୍ରାସ କରିପାରିବେ ଏବଂ ପ୍ରବଳ ଗରମରୁ ମଧ୍ୟ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ପ୍ରାୟତଃ ଲୋକମାନେ କମ ଦାମ ପାଇଁ ୨ ଷ୍ଟାର କିମ୍ବା ୩ ଷ୍ଟାର ଏସି କିଣନ୍ତି । ଆପଣଙ୍କୁ କହି ରଖୁଛୁ ଏକ ପୁରୁଣା ମଡେଲ୍ ଏସି କିଣିବା ଦ୍ୱାରା ବିଦ୍ୟୁତ୍ ବ୍ୟବହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ । ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ବିଲ୍ ମଧ୍ୟ ଅଧିକ ହୋଇଯାଏ । ଯଦି ଆପଣ ଏସି କିଣିବାକୁ ଚାହୁଁଛନ୍ତି ତେବେ କେବଳ ବ୍ରାଣ୍ଡ କିମ୍ବା ୫ ଷ୍ଟାର ଏସି ହିଁ କିଣନ୍ତୁ । ଏହାଦ୍ୱାରା ଆପଣଙ୍କ ବିଦ୍ୟୁତ ବିଲ୍ ବହୁତ ପରିମାଣରେ କମ ଆସିବା ।

ଯଦି ଆପଣ ଏସିକୁ ସଠିକ୍ ତାପମାତ୍ରାରେ ଚଲାନ୍ତି ତେବେ ବିଦ୍ୟୁତ୍ ବିଲ୍ ନିଶ୍ଚିତ ଭାବରେ ସଞ୍ଚୟ ହେବ । ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ଅନୁଯାୟୀ ଆମ ଶରୀର ପାଇଁ ସର୍ବୋତ୍ତମ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ । ଯଦି ଆପଣ ଏହି ତାପମାତ୍ରାରେ ଏସି ବ୍ୟବହାର କରନ୍ତି, ତେବେ ଆପଣଙ୍କର ବିଲ୍ ନିଶ୍ଚିତ ଭାବରେ କମ ଆସିବ । ଅନେକ ଥର ଲୋକମାନେ ଏସିର ତାପମାତ୍ରା କମ କରି ଶୋଇଥା’ନ୍ତି, ଯାହାଦ୍ୱାରା ଅଧିକ ବିଦ୍ୟୁତ୍ ବିଲ୍ ଆସିଥାଏ ଏବଂ ଶରୀର ପାଇଁ ଅନେକ କ୍ଷତି ମଧ୍ୟ କରିଥାଏ ।

ଅନେକ ଥର ଲୋକମାନେ ଏସି ବନ୍ଦ କରିବାକୁ ରିମୋଟ୍ ବ୍ୟବହାର କରନ୍ତି । କିନ୍ତୁ ମେନ୍ ସୁଇଚ୍ ବନ୍ଦ କରିବାକୁ ଭୁଲିଯାଆନ୍ତି । ଆସନ୍ତୁ ଆପଣଙ୍କୁ କହିବା ଯେ କେବଳ ଏସି ବନ୍ଦ କରିବା କାମ କରିବ ନାହିଁ, ବରଂ ଆପଣଙ୍କୁ ମେନ୍ ସୁଇଚ୍ ମଧ୍ୟ ବନ୍ଦ କରିବାକୁ ପଡିବ, ନଚେତ୍ ଅଧିକ ବିଦ୍ୟୁତ୍ ବିଲ୍ ଆସିପାରେ । ଯଦି ଆପଣ ରାତିରେ AC ବ୍ୟବହାର କରନ୍ତି ତେବେ ଆପଣ ଟାଇମର୍ ମଧ୍ୟ ବ୍ୟବହାର କରିପାରିବେ । ଏହା ସହିତ, ଆପଣଙ୍କର ଏସି ନିର୍ଦ୍ଦିଷ୍ଟ ସମୟ ପରେ ଅଟୋମେଟିକ ଭାବରେ ବନ୍ଦ ହୋଇଯିବ । ଏହା ଆପଣଙ୍କ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ କରିବ ।

ଏସି ଚଳାଇବାବେଳେ, ଏହା ମଧ୍ୟ ମନେରଖନ୍ତୁ ଯେଉଁଠାରେ ଆପଣ ଏସି ଚଳାଉଛନ୍ତି ସେହି କୋଠରୀର ଝରକା ଏବଂ କବାଟ ବନ୍ଦ ହେବା ଉଚିତ୍ । ଏହା ଆପଣଙ୍କ ଘରକୁ ପର୍ଯ୍ୟାପ୍ତ ଥଣ୍ଡା ଯୋଗାଇବ ଏବଂ ଥଣ୍ଡା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏସି ଚଳାଇବାର କୌଣସି ଆବଶ୍ୟକତା ନାହିଁ । ଏହା ମଧ୍ୟ ମନେ ରଖିବା ଜରୁରୀ ଯେ ସମୟ ସମୟରେ ଏସି ସର୍ଭିସ କରାଯିବା ଉଚିତ୍ । ଏହା ମଧ୍ୟ ଆପଣଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବ ।