
କୋଲକାତା: କାଲି ହଟିଲା ଆଜି ପୁଣି ଲାଗିଲା । ଗତକାଲି ଅସ୍ଥାୟୀ ଜଗନ୍ନାଥ ଧାମ ନାଁକୁ ହଟାଇ ଆଜି ପୁଣି ସ୍ଥାୟୀ ଭାବରେ ଜଗନ୍ନାଥ ଧାମ ଫଳକ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ଗୋଟେ ପଟେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ଥରକୁ ଥର ମମତା ବାନାର୍ଜୀ ନାଲି ଆଖି ଦେଖାଇ ଏଭଳି କିଛି କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
କହିରଖୁଛୁ ଯେ, ଗତକାଲି ‘ଜଗନ୍ନାଥ ଧାମ’ ନାମ ଫଳକ ଉଠିବା ନେଇ ଖବର ଆସିଥିଲା। ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ । ଟ୍ଵିଟ୍ ପରେ ଦିଦି ମୁଣ୍ଡ ନୁଆଁଇ ଜଗନ୍ନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଲା । କିନ୍ତୁ ଗୋଟିଏ ରାତି ପରେ ଅର୍ଥାତ୍ ଆଜି ପୁଣି ଉକ୍ତ ସ୍ଥାନରେ ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ହୋର୍ଡିଂ ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି । ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋର୍ଡିଂ ଲଗାଯାଇଥିଲା। ଜଗନ୍ନାଥ ଧାମ ବିବାଦ ଭିତରେ ମମତା ବାନାର୍ଜୀ ପୁଣିଥରେ ହୋର୍ଡିଂ ଲଗାଇଛନ୍ତି।