
ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ କହିଛି ପୃଥିବୀ ଆଡକୁ ଏକ ବିଶାଳ ଉଲକା ପିଣ୍ଡ ମାଡ଼ି ଆସୁଛି l ନାସା ପକ୍ଷରୁ ଗଣନା କରାଯାଇଛି କି, ଭବିଷ୍ୟତରେ ଏହି ବିଶାଳ ମହାଜାଗତିକ ପିଣ୍ଡ ପୃଥିବୀପୃଷ୍ଠରେ ମାଡ଼ ହେବ । ଏବେଠୁ ୧୫୯ ବର୍ଷ ପରେ ଅର୍ଥାତ୍ ୨୧୮୨ ମସିହା ସେପ୍ଟେମ୍ବର ୨୪ ତାରିଖରେ ଭୂପୃଷ୍ଠରେ ପିଟିହେବ ବୋଲି ନାସା କହିଛି l ‘ବେନ୍ନୁ’ ନାମକ ଏହି ଗ୍ରହଖଣ୍ଡଟି ଖୁବ ଶକ୍ତିଶାଳୀ l ଏହା ପୃଥିବୀ ସହ ଧକ୍କା ହେଲେ ଏଥିରୁ ଏତେ ପରିମାଣର ଶକ୍ତି ନିର୍ଗତ ହେବ ଯେ ତାହା ୨୨ଟି ପରମାଣୁ ବୋମା ବିସ୍ଫୋରଣ ସହ ସମାନ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।
ଏନେଇ ପୃଥିବୀକୁ ବିପଦ ରହିଥିବାବେଳେ ଏଥିରେ ବିଚଳିତ ହେବାର ସେଭଳି ଦୃଢ଼ କାରଣ ନାହିଁ ବୋଲି ମଧ୍ୟ ନାସା କହିଛି । କାରଣ ପୃଥିବୀ ଦେହରେ ଏହି ଗ୍ରହଖଣ୍ଡଟି ଧକ୍କା ଖାଇବାର ସମ୍ଭାବନା ପ୍ରାୟ ୨୭୦୦ ଭାଗରୁ ଭାଗେ ବୋଲି ‘ନାସା’ ସ୍ପଷ୍ଟ କରିଛି । ହେଲେ ସଂକଟର କିଛି ମାତ୍ରାର ଆଶଙ୍କା ତ ରହିଛି l ସେଥିପାଇଁ ଏହି ସାମାନ୍ୟତମ ଆଶଙ୍କାକୁ ଏଡ଼ାଇବା ଲାଗି ବୈଜ୍ଞାନିକମାନେ ନିଜର ପାରୁ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଛନ୍ତି ।

ଏପରି ବିପର୍ଯ୍ୟୟକୁ ରୋକିବା ଉଦ୍ଦେଶ୍ୟରେ ‘ବେନ୍ନୁ’ରୁ ନମୁନା ସଂଗ୍ରହ ପାଇଁ ‘ନାସା’ ପକ୍ଷରୁ ୭ ବର୍ଷ ତଳେ ମହାକାଶଯାନ ‘ଓସିରିସ-ରେକ୍ସ’କୁ ପଠାଯାଇଥିଲା । ‘ବେନ୍ନୁ’ର ଗତିବିଧିକୁ ବିଶ୍ଳେଷଣ କରି ଏବେ ନାସାର ବୈଜ୍ଞାନିକମାନେ ଏହି ଧକ୍କା ବାବଦରେ ଆକଳନ କରିଛନ୍ତି ।
ସୂଚନା ଅନୁଯାୟୀ, ୧୯୯୯ ମସିହାରେ ପୃଥିବୀ କକ୍ଷପଥ ନିକଟରେ ‘ବେନ୍ନୁ’କୁ ଆବିଷ୍କାର କରାଯାଇଥିଲା । ହୀରା ଆକୃତିର ଏହି ମହାକାଶୀୟ ପିଣ୍ଡର ବ୍ୟାସ ପ୍ରାୟ ୫୦୦ ମିଟର ବୋଲି କୁଜଯାଇଛି । ସୂର୍ଯ୍ୟକୁ ଏହା ଏପରି ଏକ କକ୍ଷପଥରେ ପରିକ୍ରମଣ କରୁଛି ଯେ ଯାହାଦ୍ୱାରା ପ୍ରତି ଛଅ ବର୍ଷରେ ଥରେ ଏହା ପୃଥିବୀର ନିକଟତର ହେଉଛି । ତେଣୁ ଏହାର ଏପରି ଗତିବିଧିକୁ ଲକ୍ଷ କରି କୁହାଯାଇଛି କି ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି l
