
ଭୁବନେଶ୍ଵର: ସାଧାରଣତଃ ଆମେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ବ୍ୟବହାର କରିଥାଉ । ହେଲେ କଣ ଆପଣ ମାନେ ମାତ୍ର ୨୫୦ ଗ୍ରାମ ଲୁଣ ପାଇଁ ୭ହଜାର ୩୪୮ ଖର୍ଚ୍ଚ କରିପାରିବେ କି ? ତେବେ ଏହା ଆପଣ ମାନଙ୍କୁ ମଜାକ୍ ଲାଗୁଥିଲେ ବି ସତ । ଏହି ଲୁଣ ହେଉଛି ଦୁନିଆର ସବୁଠାରୁ ଦାମୀ ଲୁଣ । ଏହାର ନାମ ହେଉଛି କୋରିଆନ ବାମ୍ବୋ ସଲ୍ଟ । ଏହାକୁ ବାଇଗଣୀ ଲୁଣ ବା ପର୍ପଲ୍ ସଲ୍ଟ ବୋଲି ମଧ୍ୟ କୁହାଯାଏ । ତେବେ କୋରିଆନ ସଲ୍ଟ ବୋଲି କହିବାର ତାତ୍ପର୍ୟ୍ୟ ହେଲା ଏହି ଲୁଣକୁ କୋରିଆନ ମାନେ ଅଧିକ ମାତ୍ରାରେ ବ୍ୟବହାର କରନ୍ତି । କିନ୍ତୁ ଏହି ଲୁଣକୁ କିଣିବା ସବୁ ବର୍ଗର ଲୋକଙ୍କ ପାଖେ ସମ୍ଭବ ହୋଇନଥାଏ। ହେଲେ ଏଥିରେ ଏପରି କଣ ରହିଛି ଯେଉଁଥିପାଇଁ ଏହାର ଦାମ୍ ଏତେ ଅଧିକ ? ତେବେ ଚାଲନ୍ତୁ ଜାଣିବା ଏହି ଲୁଣ ସମ୍ପର୍କରେ ।
କୋରିଆନ୍ ବାମ୍ବୁ ସଲ୍ଟକୁ ବିଶ୍ବର ସବୁଠୁ ଦାମୀ ଲୁଣ ଭାବେ ଜଣାଯାଏ। ଏହାକୁ ପର୍ପଲ୍ ସଲ୍ଟ ବୋଲି ମଧ୍ୟ କୁହାଯାଏ। ଯୁଗ ଯୁଗରୁ, ଏହି ଲୁଣ କୋରିଆ ପାକ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଆସଛି। ଏଥିରେ ଔଷଧୀୟ ଗୁଣ ରହିଥିବା ଯୋଗୁଁ ପାରମ୍ପରିକ କୋରିଆ ଔଷଧରେ ଏହାକୁ ବ୍ୟବହାର କରାଯାଉଥିଲା । ତେବେ ଏହି ଲୁଣର ୨୫୦ ଗ୍ରାମ୍ ପ୍ୟାକେଟ୍ର ମୂଲ୍ୟ ୭୦୦୦ ଟଙ୍କା ରହିଥିବାବେଳେ ଏକ କିଲୋର ମୂଲ୍ୟ ପାଖାପାଖି ୩୫୦୦୦ ଟଙ୍କା। ବାଉଁଶ ଲୁଣକୁ ତିଆରି କରିବା ପାଇଁ ପ୍ରଥମେ ଗୋଲ ଆକୃତିର କଟାଯାଇଥିବା ବାଉଁଶ ବ୍ୟାରେଲ୍ ଭିତରେ ସମୁଦ୍ର ଲୁଣ ଭରାଯାଏ ଏବଂ ତାକୁ ଉଚ୍ଚ ତାପମାତ୍ରାରେ ଭଜାଯାଇ ଲୁଣ ପ୍ରସ୍ତୁତ କରାଯାଏ । ବାଉଁଶ କେସ୍ରେ ଲୁଣ ରଖି ଭାଜିବା ଦ୍ବାରା ବାଉଁଶରେ ରହିଥିବା ଖଣିଜ ପଦାର୍ଥ ଲୁଣ ସହିତ ମିଶିଯାଏ । ଯଦ୍ୱାରା ଏହି ଲୁଣ ଖଣିଜ ପଦାର୍ଥଯୁକ୍ତ ଲୁଣରେ ପରିଣତ ହୋଇଯାଏ। ଅନେକ ଥର ଭଜା ହେବା ଦ୍ୱାରା ଲୁଣର ରଙ୍ଗ ପରିବର୍ତ୍ତନ ହୁଏ ।
ଏହାପରେ ଏହି ଲୁଣ ଏକ ଦୃଢ଼ ପଥର ଆକୃତିକୁ ଚାଲିଆସେ। ଯାହାକୁ ଭାଙ୍ଗି ଗୁଣ୍ଡ କରି ବ୍ୟବହାର କରାଯାଏ। ତେବେ ଏହି ଲୁଣର ଦାମ୍ ଆକାଶଛୁଆଁ ହେବାର କାରଣ ହେଉଛି ଏହାକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ହେଉଥିବା ଶ୍ରମ। ଯାହା ଏହାକୁ ମହଙ୍ଗା କରୁଛି । ବାଉଁଶ କେସ୍ରେ ସମୁଦ୍ର ଲୁଣ ଭରିବା ଠାରୁ ଆରମ୍ଭ କରି କଠିନ ଲୁଣ ଭାଙ୍ଗିବା ଏବଂ ଗୁଣ୍ଡ କରିବା ପର୍ଯ୍ୟନ୍ତ ସବୁ କିଛି ହାତରେ କରାଯାଏ। ଏହି ଲୁଣକୁ ଉଚ୍ଚ ତାପମାତ୍ରାରେ ୯ଥର ଭଜାଯାଏ। ଏହାକୁ ତିଆରି କରିବା ପାଇଁ ପ୍ରାୟ ୪୦ ରୁ ୫୦ ଦିନ ସମୟ ଲାଗିଥାଏ । କୋରିଆନ୍ ବାମ୍ବୁ ସଲ୍ଟକୁ ବିଶ୍ବର ସବୁଠୁ ଶୁଦ୍ଧ ଲବଣ କୁହାଯାଏ। ଏଥିରେ ସମୁଦ୍ର ଲୁଣ ତୁଳନାରେ ଲୌହ, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଅଧିକ ମାତ୍ରାରେ ରହିଥାଏ ।