
କରଞ୍ଜିଆ : ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଶ୍ରମିକ ଆହତ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଦେଖିବାକୁ ମିଳିଛି ଏମିତି ଏକ ଦୁର୍ଘଟଣା ।ସୂଚନା ଅନୁସାରେ, ଠାକୁରମୁଣ୍ଡା ବ୍ଲକ ଜଡିପଦା ଗାଁରେ ୩୦ ରୁ ଅଧିକ ଶ୍ରମିକ ଟାଟା ଏସି ଯୋଗେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳକୁ ବିଲରେ ଧନ ରୋଇବାକୁ ଯାଉଥିଲେ । ହେଲେ ହଠାତ ଠାକୁରମୁଣ୍ଡା- ଆନନ୍ଦପୁର ରୋଡ ଯୋଡ଼ାଆମ୍ବ ଘାଟିରେ ଘଟିଲା ଦୁର୍ଘଟଣା । ଶ୍ରମିକ ନେଇ ଯାଉଥିବା ମାଲବାହୀ ଟାଟା ଏସି ପିକ୍ଅପ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ଓଲଟି ପଡିଲା ।
ଆଉ ଯାହା ଫଳରେ ଗାଡିରେ ଥିବା ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ସୌଭାଗ୍ୟବଶତଃ କାହାରି ମୃତ୍ୟୁ ହୋଇନାହିଁ l ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ହେବା ମାତ୍ରେ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ୪ଜଣଙ୍କୁ ଆନନ୍ଦପୁର ଏବଂ ୩ ଜଣଙ୍କୁ କରଞ୍ଜିଆ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ।