ନୂଆଦିଲ୍ଲୀ: ସାଂଘାତିକ ଭାବେ ବଦଳୁଛି ଜଳବାୟୁ । ପରିବର୍ତ୍ତିତ ଜଳବାୟୁ ପୃଥିବୀକୁ ଯେମିତି ଏକ ବଡ ବିପଦ ଆଡକୁ ଠେଲି ଦେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲାସିୟର ହ୍ରଦ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଯାହା ପୃଥିବୀ ପାଇଁ ଏକ ବିନାଶକାରୀ ଜଳପ୍ରଳୟକୁ ଆମନ୍ତ୍ରିତ କରୁଛି।ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନକୁ ଭୟଙ୍କର ଭାବେ ପ୍ରଭାବିତ କରୁଛି। ବହୁ ଦଶନ୍ଧିର ଉପଗ୍ରହ ଚିତ୍ର ଅନୁଧ୍ୟାନରୁ କରାଯାଇଥିବା ନୂଆ ଗବେଷଣା ଅନୁଯାୟୀ ହିମାଳୟର ଗ୍ଲେସିୟର ବିପଜ୍ଜନକ ହାରରେ ତରଳୁଥିବା ଜଣାପଡିଛି ।
ତାପମାତ୍ରା ବୃଦ୍ଧି ଯୋଗୁ ଗତ ୧୩ ବର୍ଷ ମଧ୍ୟରେ ହିମାଳୟର ହିମହ୍ରଦଗୁଡ଼ିକ ୧୦.୮୧% ବୃଦ୍ଧିପାଇଛି। ରିପୋର୍ଟ ଅନୁଯାୟୀ, ହିମବାହ ତରଳିବା କାରଣରୁ ବୃହତ୍ ହିମହ୍ରଦ ସୃଷ୍ଟି ହେଉଛି। ସେଗୁଡ଼ିକରେ ଅଧିକ ପରିମାଣର ଜଳ ଜମା ହେଉଥିବାରୁ ବନ୍ୟା ଓ ହିମସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧିପାଉଛି। ଅନ୍ୟପଟେ ଦ୍ରୁତ ଗତିରେ ତରଳିବାରେ ଲାଗିଛି ଏଭେରେଷ୍ଟର ସବୁଠୁ ଉଚ୍ଚତମ ଗ୍ଲାସିୟର । ୧୯୯୦ ପରଠାରୁ ୫୪ ମିଟରରୁ ଅଧିକ ସଙ୍କୁଚିତ ହୋଇଛି ।ହିମାଳୟ ଗ୍ଲାସିୟର ତରଳିବା ଦ୍ଵାରା ଭୟଙ୍କର ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ପାଖାପାଖି ୨ ବିଲିୟନ ଲୋକଙ୍କ ପାଇଁ ମଧୁର ଜଳ ସମ୍ପଦ ହ୍ରାସ ସମ୍ଭାବନା ଅଧିକ । ଭାରତ ଓ ନେପାଳ ଭଳି ଦେଶରେ ଜଳବାୟୁ ଅନୁକୂଳର ଚ୍ୟାଲେଞ୍ଜଗୁଡ଼ିକ ଅଧିକ ରହିବ । ହିମମଣ୍ଡଳ ତରଳିବା ଫଳରେ ନଦୀଗୁଡ଼ିକରେ ଦେଖାଦେବ ପାଣିର ଅଭାବ ।
ନିକଟରେ ହୋଇଥିବା ICIMODର ଅଧ୍ୟୟନ ଅନୁଯାୟୀ, ୨୦୧୧ ରୁ ୨୦୨୦ରେ, ହିନ୍ଦୁକୁଶ ହିମାଳୟର ପ୍ରାୟ ୫୬,୦୦୦ ଗ୍ଲାସିୟର ପୂର୍ବ ଦଶନ୍ଧି ତୁଳନାରେ ୬୫% ଦ୍ରୁତ ଗତିରେ ତରଳିଛି । ଏହି ଶତାବ୍ଦୀ ଶେଷ ସୁଦ୍ଧା ସେମାନେ ସେମାନଙ୍କର ଆୟତନର ୮୦% ପର୍ଯ୍ୟନ୍ତ ହରାଇପାରନ୍ତି । ନେପାଳର ଲାଙ୍ଗଟାଙ୍ଗ ଉପତ୍ୟକାରେ ଅବସ୍ଥିତ, ୟାଲା ହିମମଣ୍ଡଳ ଦେଶର ସବୁଠାରୁ ଅଧିକ ଅଧ୍ୟୟନ ହୋଇଥିବା ହିମମଣ୍ଡଳ ମଧ୍ୟରୁ ଗୋଟିଏ । ଗବେଷକଙ୍କ ମତ ଅନୁଯାୟୀ , ହିମାଳୟରେ ୨,୪୩୧ଟି ଗ୍ଲେସିୟର ହ୍ରଦ ଚିହ୍ନଟ ହୋଇଛି, ଯାହାର ଆୟତ୍ତନ ୧୦ ହେକ୍ଟରରୁ ଅଧିକ । ୧୯୮୪ରୁ ସେଠାରେ ଥିବା ୬୭୬ଟି ହ୍ରଦର ଆକାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିରେ ୧୩୦ଟି ହ୍ରଦ ଭାରତ ମଧ୍ୟରେ ରହିଛି । ସେଥିରୁ ୬୫ଟି ସିନ୍ଧୁ ନଦୀ ଅବବାହିକାରେ ଥିବାବେଳେ ୭ଟି ଗଙ୍ଗାନଦୀ ଅବବାହିକା ଏବଂ ୫୮ଟି ବ୍ରହ୍ମପୁତ୍ର ଅବବାହିକାରେ ରହିଛି । ୬୦୧ଟି ହ୍ରଦର ଆକାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି ।
ଗବେଷକଙ୍କ କହିବା ଅନୁଯାୟୀ, ଏପରି ବନ୍ୟା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିପତ୍ତି ଡାକି ଆଣୁଛି । ବିଶେଷକରି ହିମାଳୟ ପରି ଅଧିକ ଜନବହୁଳ ଅଞ୍ଚଳ ପାଇଁ ଏହା ଭୟଙ୍କର ସ୍ଥିତି ସୃ୍ଷ୍ଟି କରିବାର ଆଶଙ୍କା ରହିଛି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି, ୧୫ ମିଲିୟନରୁ ଅଧିକ ଲୋକ ଏହି ସମ୍ବେଦନଶୀଳ ଅଞ୍ଚଳରେ ରୁହନ୍ତି ଯେଉଁଠି ବରଫବନ୍ୟା ପ୍ରଳୟ ରଚିବାର ଆଶଙ୍କା ରହିଛି । ଅବଶ୍ୟ ଜନସଂଖ୍ୟା କମ କାରଣରୁ ଗ୍ରୀନଲାଣ୍ଡରେ ହୋଇଥିବା ଏହି ଭୟଙ୍କର ବନ୍ୟା ବିଶେଷ କିଛି କ୍ଷତି କରି ନ ଥିଲା । ହେଲେ ବୈଜ୍ଞାନିକମାନେ ଏହି ଘଟଣାକୁ ଗୁରୁତ୍ୱର ସହ ନେଉଛନ୍ତି କାରଣ ପୃଥିବୀରେ ଥିବା ବରଫ କ୍ରମାଗତ ଭାବେ ତରଳିବାରେ ଲାଗିଛି ।