
ନୂଆଦିଲ୍ଲୀ: ପୁଣି ସ୍ବପ୍ନ.. ପୁଣି ପ୍ରତିଶ୍ରୁତି.. ପୁଣି ସେଇ ଓଭର କନଫିଡେନସ..| ନିର୍ବାଚନର ୨ମାସ ପୁରିଛି, ୨୦୨୯ ନିର୍ବାଚନର ସ୍ବପ୍ନ ବାଣ୍ଟିଲାଣି ବିଜେପି | ଆଗାମୀ ୨୦୨୯ ନିର୍ବାଚନରେ ବିଜେପି ପୁଣି କ୍ଷମତାକୁ ଆସିବ | ବିରୋଧୀ ଯେତେ ଚେଁ ଚେଁ ହୁଅନ୍ତୁ , ଆଗାମୀ ନିର୍ବାଚନରେ ପୂର୍ଣ୍ଣ ବହୁମତରେ NDA ସରକାର ଗଢ଼ିବ ଆଉ ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ | ଚଣ୍ଡିଗଡ଼ରେ ଜନତାଙ୍କୁ ଏମିତି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ |
୨୦୨୪ ନିର୍ବାଚନରେ ୪୦୦ ଆସନ ଦାଖଲ କରିବା ନେଇ ଚେଷ୍ଟା ଚଳାଇଥିଲା ବିଜେପି | ଅବ କି ବାର, ୪୦୦ ପର ନାରା ଦେଇଥିଲା | ହେଲେ ମାଟି କାମୁଡିଥିଲା ଦଳ | ଯେଉଁ ଉତ୍ତରପ୍ରଦେଶକୁ ନେଇ ଓଭର କନଫିଡେଣ୍ଟ ଥିଲା ସେହିଠାରୁ ହିଁ ଶୋଚନୀୟ ଭାବେ ହାରିଲା | ଯେଉଁଥିପାଇଁ କେନ୍ଦ୍ରରେ ଏକାକୀ ସରକାର ଗଢିବା ସମ୍ଭବ ହୋଇ ନ ଥିଲା ବିଜେପି ପାଇଁ | ଦୁଇ ଦଳର ସହାୟତାରେ ସରକାର ଗଠନ କରି ବାକୁ ପଡିଲା |
ଏବେ ତ୍ରୁଟିର ସମୀକ୍ଷା ହୋଇନି, ପୁଣି ବିଜେପି ଦେଖାଇଲାଣି ଓଭର କନଫିଡେନସ | ଚଣ୍ଡିଗଡ଼ରେ ଏକ ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି, ଦେଶର ଜନତା ମୋଦି ସରକାର ଉପରେ ମୋହର ମାରିଛନ୍ତି | ପୂର୍ଣ୍ଣ ବହୁମତ ଦେଇ କ୍ଷମତାକୁ ଆଣିଛନ୍ତି | ମୁଁ ପୁଣି ବିଶ୍ୱାସ ଦେଇ ଯାଉଛି, ବିରୋଧୀ ଯେତେ ଚେଁ ଚେଁ ହୁଅନ୍ତୁ, ୨୦୨୯ରେ ବିଜେପି ପୁଣି ପୂର୍ଣ୍ଣ ବହୁମତରେ ଆସିବ ଏବଂ ମୋଦିଙ୍କ ନେତୃତ୍ୱରେ ସରକାର ଗଢ଼ିବ |
ବିରୋଧୀ କଂଗ୍ରେସକୁ ଅଙ୍ଗୁଳି ନିର୍ଦେଶ କରି ଶାହ କହିଛନ୍ତି, ଏମାନେ ଭାବୁଛନ୍ତି, କିଛି ସଫଳତା ପାଇଗଲେ ବୋଲି ଆଗାମୀ ନିର୍ବାଚନ ଜିତିଯିବେ | ହେଲେ ଜାଣି ନାହାନ୍ତି, ସେମାନେ ତିନୋଟି ନିର୍ବାଚନରେ ଯେତିକି ଆସନ ଜିତିଛନ୍ତି, ବିଜେପି ଏହି ନିର୍ବାଚନରେ ତା ଠାରୁ ଅଧିକ ଆସନ ଜିତିଛି | ଏମାନଙ୍କର ପୁରା ମେଣ୍ଟ ଯେତିକି ଆସନ ଜିତିଛି NDAର ଏକୁଟିଆ ଗୋଟିଏ ଦଳ ବିଜେପି ତାଠାରୁ ଅଧିକ ଆସନ ପାଇଛି |
ଶାହ ଅଭିଯୋଗ କରିଛନ୍ତି, କଂଗ୍ରେସ ବାରମ୍ବାର ଅସ୍ଥିରତା ସୃଷ୍ଟି କରୁଛି ଯେ ଏମାନେ ସରକାର ଚଳାଇ ପାରିବେନି | ହେଲେ ଆମେ ତାକୁ ସ୍ପଷ୍ଟ କରି ଦେଉଛୁ ଯେ ଆମେ ଏଥର ସରକାର ଚଳାଇବୁ, ୨୦୨୯ରେ ବି ଚଳାଇବୁ | ୨୦୨୯ରେ ବିପକ୍ଷ ଆସନରେ ବସିବା ପାଇଁ ପ୍ରସ୍ତୁତି ସେମାନେ କରନ୍ତୁ ବୋଲି ଶାହ କଟାକ୍ଷ କରି କହିଛନ୍ତି |