
ଓଡ଼ିଶାରେ ବରମାସରେ ତେର ପର୍ବ l ସତରେ ଆମ ପାର୍ବପର୍ବାଣି ଖାଲି ତେର ସଂଖ୍ୟା ଭିତରେ ସୀମିତ ନୁହେଁ l ଆମ ରାଜ୍ୟ ଓଡିଶା ପାର୍ବପର୍ବାଣୀର ଏକ ଗନ୍ତାଘର କହିଲେ ବି କିଛି ଭୁଲ ହେବ ନାହିଁ l ସେହି ପାର୍ବପର୍ବାଣି ଗୁଡିକ ମଧ୍ୟରୁ ଗୋଟେ ପର୍ବ ହେଲା ‘ନୂଆଖାଇ’ l ପଶ୍ଚିମ ଓଡିଶା ରେ ଖୁବ ପ୍ରସିଦ୍ଧ ପର୍ବ ହେଉଛି ‘ନୂଆଖାଇ’ l
ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପର୍ବ ହେଉଛି ‘ନୂଆଖାଇ’ l ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ l ତା ପୂର୍ବଦିନ ବିଦ୍ୟାଦାତା ଓ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଅବା ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଏ l ‘ନୂଆଖାଇ’ରେ ମା ବସୁମତୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସ୍ୱରୂପ ବର୍ଷର ପ୍ରଥମ ଫସଲର ନୂଆ ଧାନକୋଣ୍ଡା ଓ ନୂଆ ଚୂଡ଼ାକୁ ଏକ ନୂଆ ହାଣ୍ଡିରେ ଭୋଗ କରାଯାଇ ଘରର ଇସ୍ତାଦେବୀ ଓ ମହାଲକ୍ଷ୍ମୀ ଙ୍କୁ ପୂଜା କରାଯାଏ l

ଆଜି ସକାଳ ୧୦ଟା ୨୭ରୁ ୪୨ ଭିତରେ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ନବାର୍ଣ୍ଣ ଲାଗି ହେବ । ମାଆଙ୍କ ମୁଖ୍ୟ ପୂଜକ ଏହାକୁ ଅର୍ପଣ କରିବେ । ଏହା ପରେ ସମସ୍ତେ ନୂଆଁ ଖାଇବେ । ନୂଆଁ ଖାଇବା ପରେ ଗୁରୁଜନଙ୍କୁ ଜୁହାର ହେବେ । ଏହା ସହ ନୂଆଁ ଖାଇ ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ନାଚ ଗୀତର ପ୍ରସ୍ତୁତି ।

କାହିଁକି ପାଳନ କରାଯାଏ ଏହି ପର୍ବ ?
‘ନୂଆଖାଇ’ ଏକ ସାମାଜିକ ଓ କୃଷିଭିତ୍ତିକ ପର୍ବ l ଏହି ପର୍ବ ପାଳନ ଫଳରେ ନୂଆ ଫସଲ ଅମଳ ପାଇଁ କୃଷକ ମନରେ ଆନନ୍ଦ ଓ ଉତ୍ସାହ ବଢିଯାଏ l ଏହି ପର୍ବର ବିଶେଷତ୍ୱ ହେଲା ଏହା ଜନସାଧାରଣ ଙ୍କୁ ସାମାଜିକ ବନ୍ଧନର ଗୁରୁତ୍ୱ ଶିଖାଇଥାଏ l ବ୍ୟକ୍ତି ବ୍ୟକ୍ତି ମନରେ ମାନବିକତା ଓ ଭାତୃତ୍ୱ ଭାବନା ସୃଷ୍ଟି କରିଥାଏ l ଆମର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଠିକ ବାଟରେ ପରିଚାଳିତ କରିବାରେ ଏହା ବିଶେଷ ସହାୟକ ହୁଏ l
