
ଦିନକୁ ଦିନ ରାଜ୍ୟରେ ବାର୍ଡ଼ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି ।ତେଣୁ ସଂକ୍ରମିତ ଅଂଚଳରେ ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି ।ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ।କୁକୁଡ଼ା ଫାର୍ମ ପାଇଁ ଲୋନ୍ ନେଇଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି ।
ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି। ୧ରୁ ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି। ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରାଯିବ। ନେଗେଟିଭ୍ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଦେଶ ଦେଇଛନ୍ତି ।
ଅନ୍ୟପଟେ କ୍ଷତି ପୂରଣରୁ ବଞ୍ଚିତ ଥିବା ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଏବଂ ନିମାପଡ଼ାର ହଜାର ହଜାର କୁକୁଡ଼ା ଚାଷୀ ଜିଲ୍ଲାପାଳଙ୍କୁ ଲିଖିତ ସୂଚନା ଦେଇଛନ୍ତି । ଯଦି ଏହି ସାତ ଦିନରେ କ୍ଷତି ପୂରଣ କଥା ନ ବୁଝାଯାଏ, ତେବେ ରାଜରାସ୍ତା ଅବରୋଧ କରିବା ସହିତ ଅକ୍ଷଚକ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।