
ଗଞ୍ଜାମ: ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍ ବେଟିଂ କରି ପିଇଓ ଗିରଫ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ରାଧାଦେଈପୁର ପିଇଓ ଗିରଫ । ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି । ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍ ଓ ଗେମିଂ ଆପ୍ରେ ବେଟିଂ କରୁଥିଲେ ପିଇଓ କ୍ଷେତ୍ରମୋହନ ନାୟକ ।
ସୂଚନା ଅନୁସାରେ, ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍ ହୋଇଥିବା ଅଭିଯୋଗ ହୋଇଥିଲା। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୪୩ ଲକ୍ଷ ଟଙ୍କା ଉଠା ଯାଇଥିବା ନେଇ ପିଇଓ କ୍ଷେତ୍ରମୋହନ ନାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗକ୍ରମେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ପିଇଓଙ୍କୁ ଜେରା କରିବା ସହ ତାଙ୍କୁ ବ୍ରହ୍ମପୁର ଉଠାଇ ନେଇଥିବା ସୂଚନା ମିଳିଛି। ପିଇଓଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ଅଧିକ ତଦନ୍ତ ପାଇଁ ଆଜି ସରପଞ୍ଚଙ୍କ ସମେତ ବ୍ଲକର କିଛି ଅଧିକାରୀଙ୍କୁ ମଧ୍ୟ ଭିଜିଲାନ୍ସ ଡ଼ାକିଥିବା ସୂଚନା ମିଳିଛି। ଅପର ପକ୍ଷେ ପିଇଓ କ୍ଷେତ୍ର ମୋହନଙ୍କୁ ବଦଳି କରାଯାଇ ଆଉ ଜଣେ ପିଇଓଙ୍କ ନିଯୁକ୍ତି ପାଇଁ ବ୍ଳକ୍ ପକ୍ଷରୁ ଆଦେଶ ଦିଆଯାଇଛି। କ୍ଷେତ୍ରମୋହନ ନାୟକ ଜୁଲାଇ ୨୦୨୪ ରେ ପିଇଓ ଭାବେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ। ତାଙ୍କ କ୍ୟାରିୟର ଆରମ୍ଭରୁ, ସେ ଉପରୋକ୍ତ ସରକାରୀ ପାଣ୍ଠିର ଅପବ୍ୟବହାର କରିବା ଆରମ୍ଭ କରିଥିଲେ। କ୍ରିକେଟ୍ ଏବଂ ଗେମିଂ ଆପ୍ସରେ ବାଜି ଲଗାଇବା ପାଇଁ ଏହାକୁ ବ୍ୟବହାର କରିଥିଲେ ବୋଲି ଜଣାପଡିଛି।