କଟକ: ଓଡିଶାର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଛନ୍ତି । କେନ୍ଦ୍ରସରକାରଙ୍କ ମଞ୍ଜୁରୀ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏନେଇ ଟ୍ବିଟ୍ କରି ଅବଗତ କରାଇଛନ୍ତି । ଭାରତର ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ଭାରତର ରାଷ୍ଟ୍ରପତି, ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ, କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ଦେଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ବର୍ତ୍ତମାନ କଲିକତା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଟଣ୍ଡନ୍ ।
ତେବେ ଗତ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟ କଲେଜିୟମ୍ କଲିକତା ହାଇକୋର୍ଟର ବିଚାରପତିଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ । ଗତ ଜାନୁଆରୀ ୧୯ରେ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଏହି ସୁପାରିଶ କରାଯାଇଥିଲା । ଆଉ ବର୍ତ୍ତାମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟରତ ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ଗତକାଲି କଲେଜିୟମ୍ ଦ୍ୱାରା ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପାରିଶ କରାଯାଇଥିବା ବେଳେ ଆଜି ଜଷ୍ଟିସ୍ ଟଣ୍ଡନଙ୍କୁ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି ।
ଜଷ୍ଟିସ୍ ହରୀଶ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। କଲିକତା ବିଶ୍ବବିଦ୍ୟାଳୟରୁ ୧୯୮୯ରେ ଏଲଏଲବି ଡିଗ୍ରି ହାସଲ କରିବା ପରେ ସେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ଵ ମିଳିଥିଲା। ସେବେଠାରୁ ସେ ସେଠାରେ ହିଁ କାର୍ଯ୍ୟ କରୁଛନ୍ତି । ଏଥିସହିତ ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ଜଷ୍ଟିସ୍ ଟଣ୍ଡନ୍ । ତେବେ ବିଚାରପତି ଭାବେ ପଦୋନ୍ନତି ପୂର୍ବରୁ, ସେ କଲିକତା ହାଇକୋର୍ଟରେ ଦେୱାନୀ ମାମଲାରେ ଅଭ୍ୟାସ କରୁଥିଲେ ।