
ଭୁବନେଶ୍ଵର: ଫିଲ୍ମ ଫ୍ରାଇଡରେ ଆଜି ମୁକ୍ତିଲାଭ କରିବ ସିନେମା ‘ପାଦେ ଆକାଶ’ । ତରଙ୍ଗ ସିନେ ପ୍ରଡକସନ୍ ପ୍ରଯୋଜିତ ଏହି ସିନେମାରେ ଅର୍ଚ୍ଚିତା ଓ ଅଙ୍କିତ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ‘ପାଦେ ଆକାଶ’ରେ ଅଙ୍କିତ କୁମାର ପ୍ରଥମ ଥର ପାଇଁ ଓଲିଉଡ୍ର ଲୋକପ୍ରିୟ ନାୟିକା ଅର୍ଚ୍ଚିତାଙ୍କ ବିପକ୍ଷରେ ଦେଖାଦେବେ। ଏଥିରେ ସେ ନାୟିକାଙ୍କ ଭାବିସ୍ବାମୀ ଭୂମିକା ତୁଲାଇଛନ୍ତି। ଘଟଣାକ୍ରମେ ନାୟିକା ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ପକ୍ଷାଘାତରେ ପୀଡ଼ିତ ହୁଅନ୍ତି। ଏହାପରେ କାହାଣୀ ଭିନ୍ନ ମୋଡ଼ନିଏ।
ଏଥିରେ ଅନ୍ୟ ଭୂମିକାରେ ବଲିଉଡ୍ ଅଭିନେତା ରାଜେଶ ଜୈସ୍, ହର ରଥ, ସ୍ମିତା ମହାନ୍ତି, ମୋହନ ମଜିଥିଆ, ମଧୁମିତା ଓ ବିଜୟଲକ୍ଷ୍ମୀ ପ୍ରମୁଖ ଅଛନ୍ତି। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଦ୍ବିଭାଷୀ (ଓଡ଼ିଆ-ହିନ୍ଦୀ) ‘ପାଦେ ଆକାଶ’ର ସଂଳାପ ଭରଦ୍ବାଜ ପଣ୍ଡା ଲେଖିଥିବା ବେଳେ ଚିତ୍ରନାଟ୍ୟ ରଚନା କରିଛନ୍ତି ବିପ୍ଳବ ସିଂହ ଓ ଦେବୀଦତ୍ତ ମହାନ୍ତି। ପ୍ରେମ୍ ଆନନ୍ଦ ସଙ୍ଗୀତକାର ଓ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ। ଶୁଭ୍ରାଂଶୁ ଦାସ ଓ ଫଲଗୁ ଶତପଥୀ ଏହାର ସିନେମାଟୋଗ୍ରାଫି କରିଥିବା ବେଳେ ସଂପାଦନାରେ ଅଛନ୍ତି ସୁକୁମାର ମଣି।
ଜୀବନର କାଲି ଆଉ ଆଜି ଭିତରେ ବାଧାବିଘ୍ନର ପାହାଡ଼ ସହିଥିବା ଜଣେ ଦୃଢ଼ମନା ମହିଳା ହେଲେ ଡକ୍ଟର ସ୍ମୃତି ମହାପାତ୍ର । ତାଙ୍କରି ସଂଘର୍ଷମୟ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ପାଦେ ଆକାଶ । ଜଣେ ଝିଅ, ଯାହାଙ୍କ ସ୍ୱପ୍ନ ଥିଲା ଆଇଏଏସ ହେବା । କିନ୍ତୁ ସେ ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ପକ୍ଷାଘାତରେ ପୀଡିତ ହୁଅନ୍ତି । ସ୍ୱପ୍ନ ଅଧାରୁ ଭାଙ୍ଗିଗଲା ପରେ ସେହି ଝିଅକୁ ସାହସ ଦେଉଛନ୍ତି ତାଙ୍କ ବାପା । ଝିଅଟି କିଭଳି ସଂଘର୍ଷ କରି ଜଣେ ଭିନ୍ନ ପ୍ରେରଣା ପାଲଟୁଛି ଏବଂ ଦିବ୍ୟାଙ୍ଗଙ୍କ ସ୍ୱର ସାଜୁଛି ତାହା ସିନେମାର କାହାଣୀ ।
ସେପଟେ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଡଷ୍ଟବିନ୍’ ଓ ‘ଆଜିର ରେବତୀ’ । ‘ଡଷ୍ଟବିନ୍’ ଏକ ସସ୍ପେନ୍ସ ଥ୍ରିଲର ଓ ମର୍ଡର ମିଷ୍ଟ୍ରି ହୋଇଥିବା ବେଳେ ଏଥିରେ ଲଭ୍, ରୋମାନ୍ସ, ଆକ୍ସନ, ଇମୋସନ୍ ସବୁକିଛି ଭରି ରହିଛି। ଫିଲ୍ମରେ ସୁକୁମାର ଟୁଡ଼ୁ ଓ ଦ୍ବୀପାନ୍ୱିତ ଦାସମହାପାତ୍ର ମୁଖ୍ୟ ଭୁମିକାରେ ଅଭିନୟ କରିଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ପୁଷ୍ପାଞ୍ଜଳି ସାହୁ, ଟୁକୁନା, ମନୋଜ ସ୍ୱାଇଁ ଓ ଶିଶୁ କଳାକାର ଏସ୍ କ୍ରିତିକା ପ୍ରମୁଖ ଅଭିନୟ କରିଛନ୍ତି।
ସେହିପରି ଆର୍ଆର୍ ଇଭେଣ୍ଟ ଏବଂ ସିନେ ପ୍ରଡକସନରେ ନିର୍ମିତ ‘ଆଜିର ରେବତୀ’ ଶ୍ରୀକ୍ଷେତ୍ର ପୁରୀର ଜଣାଶୁଣା ଗୀତିକାର ଓ ସାହିତ୍ୟିକ ବଦ୍ରି ମିଶ୍ରଙ୍କ ଏକ କ୍ଷୁଦ୍ର ଗଳ୍ପ ଆଧାରରେ ନିର୍ମିତ । ପ୍ରଯୋଜକ ରମେଶ ବାରିକଙ୍କର ଏହି ଚଳଚ୍ଚିତ୍ର ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଓଡ଼ିଶାରେ ୩୪ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅଭିନେତ୍ରୀ ଶୀତଲ ପାତ୍ର, ପୁଷ୍ପା ପଣ୍ଡା, ବୋନି ସେନ୍ଗୁପ୍ତା, ଉଷସୀ ମିଶ୍ର, ପୃଥ୍ବୀରାଜ ନାୟକ, ରବି ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।