
ପୁରୀ: କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଶ୍ରୀକ୍ଷେତ୍ରର ରତ୍ନବେଦୀରେ ବସି କରୁଛନ୍ତି ମାନବୀୟ ଲୀଳା । ମହାପ୍ରଭୁଙ୍କ ସମସ୍ତ ଜାନିଜାତ ମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ । ମଣିଷକୁ ଯେମିତି ଅଧିକ ଗରମ ଲାଗିଲେ ଜଳକ୍ରୀଡା କରି ଶରୀରକୁ ଥଣ୍ଡା ରଖିବାକୁ ଚେଷ୍ଟା କରେ ମହାପ୍ରଭୁ ବି ଠିକ୍ ସେମିତି ମଣିଷ ଭଳି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ନିଜର ଶ୍ରୀଅଙ୍ଗକୁ ସୁରକ୍ଷା ଦେଇଥାନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନ ଶ୍ରୀଦେବୀ, ଭୂଦେବୀଙ୍କ ସହ ନରେନ୍ଦ୍ର ସରୋବରକୁ ଯାଇ ଚାପ ଡଙ୍ଗାରେ ଜଳକ୍ରୀଡା ତଥା ନୌବିହାର କରି ପ୍ରବଳ ଗ୍ରୀଷ୍ମ ଦାଉରୁ ନିଜ ଶରୀରକୁ ସୁରକ୍ଷା ଦେଇଥାନ୍ତି । ଏଥିପାଇଁ ତ ଅନୁଷ୍ଠିତ ହୁଏ ଚନ୍ଦନ ଯାତ୍ରା ।
ଅକ୍ଷୟ ତୃତୀୟା ଠାରୁ 21 ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପରେ ଶ୍ରୀମନ୍ଦିର ଭିତରେ 21 ଦିନ ତଥା ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ଯାଏ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବହୁ ପ୍ରାଚୀନ ପରମ୍ପରା । ଏହା ବିଭିନ୍ନ ଶାସ୍ତ୍ର ଓ ପୂରାଣରେ ଉଲ୍ଲେଖ ରହିଛି । ପ୍ରବଳ ଗ୍ରୀଷ୍ମ ଋତୁରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଶୀତଳିକରଣ କରିବା ପାଇଁ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାନେ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରନ୍ତି । ଏଥି ସହିତ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିବା ପଞ୍ଚୁ ପାଣ୍ଡବ ଜମ୍ବେଶ୍ଵର, ଲୋକନାଥ, କପାଳମୋଚନ, ମାର୍କଣ୍ଡେୟ, ନୀଳକଣ୍ଠ ଏମାନେ ମଣି ବିମାନ ଗମନ କରି ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚି ଥାଆନ୍ତି ।
ନରେନ୍ଦ୍ର ସରୋବର ଦୁଇଟି ଚାପ ଡଙ୍ଗା ଯଥା ନନ୍ଦା, ଭଦ୍ରାରେ ଠାକୁର ମାନେ ବିରାଜ ମାନ କରି ନୌବିହାର କରିଥାନ୍ତି । ନନ୍ଦା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନଙ୍କ ସହ ଭୂଦେବୀ, ଶ୍ରୀଦେବୀ ବିରାଜମାନ କରିଥାନ୍ତି । ଭଦ୍ରା ଚାପରେ ପଞ୍ଚୁ ପାଣ୍ଡବ ବିରାଜ ମାନ କରି ନୌବିହାର କରିଥାନ୍ତି ନରେନ୍ଦ୍ର ପୁଷ୍କରିଣୀରେ । ବିଶ୍ବାସ ରହିଛି ଚନ୍ଦନ ଯାତ୍ରା ପରମ୍ପରା 600 ବର୍ଷ ତଳର । ଗଙ୍ଗବଂଶର ରାଜା ଭାନୁଦେବଙ୍କ ସମୟରୁ ଚନ୍ଦନ ଯାତ୍ରା ହେଉଥିବା ଗବେଷକ କୁହନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର ଶେଷ ହେବା ପରେ ବିଳମ୍ବିତ ରତିରେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପଞ୍ଚୁ ପାଣ୍ଡବ ମଧ୍ୟ ସ୍ୱସ୍ଥାନକୁ ଗମନ କରିଥାଆନ୍ତି । ଏହି ଭଳି ନରେନ୍ଦ୍ର ପୁଷ୍କରିଣୀରେ 21 ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଚନ୍ଦନ ଯାତ୍ରା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନଲାଗି, ଆଲଟ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।
ନରେନ୍ଦ୍ର ପୁଷ୍କରିଣୀରେ 21 ଦିନ ଚାପ ଅନୁଷ୍ଠିତ ହେବାପରେ ଶ୍ରୀମନ୍ଦିର ଭିତରେ ମଧ୍ୟ ଭିତର ଚନ୍ଦନ ଯାତ୍ରା ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବ ଦିନ ଯାଏ ଅନୁଷ୍ଠିତ ହୋଇଥାଏ । ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ଠାକୁର ମାନେ ବୁଡି ରହିଥାନ୍ତି । ସେତେବେଳେ ମହାପ୍ରଭୁଙ୍କ ଠାରେ ଛେନାରୁ ପ୍ରସ୍ତୁତ ହୋଇଥିବା କେଳି, ମାଣ୍ଡୁଆ ଭୋଗ ହୋଇଥାଏ । ମହାପ୍ରଭୁଙ୍କୁ ତାମ୍ବୁଳ ସେବନ କରାଇଥାଆନ୍ତି ସେବକ ମାନେ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିବା ଜଗନ୍ନାଥ ମହାପ୍ରଭୁ ଦାରୁ ରୂପରେ ଅଧିଷ୍ଠିତ ହୋଇ ମାନବୀୟ ଲୀଳା କରୁଛନ୍ତି । ମନୁଷ୍ୟକୁ ଯେମିତି ଶୀତ ହେଲେ ଉଷ୍ମ ବସ୍ତ୍ର ପରିଧାନ କରିଥାଏ, ଗରମ ହେଲେ ଯେଭଳି ଦେହକୁ ଶୀତଳୀ କରଣ କରିଥାଉ ସେହିପରି ମହାପ୍ରଭୁ ମଧ୍ୟ ପ୍ରବଳ ଗ୍ରୀଷ୍ମ ଋତୁରେ ଅକ୍ଷୟ ତୃତୀୟ ଠାରୁ ମହାପ୍ରଭୁ ଶରୀରକୁ ଶୀତଳତା ପ୍ରଦାନ କରିବାକୁ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ମହାପ୍ରଭୁ ମନୁଷ୍ୟଙ୍କୁ ଉପଦେଶ ଦିଅନ୍ତି ବିଭିନ୍ନ ଋତୁ ଅନୁସାରେ ପ୍ରାକୃତିକ ଉପାୟରେ ଶରୀରକୁ ସୁରକ୍ଷା ଦିଆଯାଏ ।
ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚିବା ପରେ ଭିତରଚ୍ଛ ମହାପାତ୍ର ସେବକଙ୍କ ଦ୍ଵାରା ଆଳତି କରାଯାଏ । ପରେ ଚାପରେ ମହାପ୍ରଭୁ ବିଜେ କରନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଡଙ୍ଗା ଗୋଟିଏ ଘେରା ଅନୁଷ୍ଠିତ ହେବା ପରେ ଚଦନ କୁଣ୍ଡରେ ପ୍ରଭୁ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ କ୍ରୀଡା କରିଥାନ୍ତି । ପଞ୍ଚୁ ପାଣ୍ଡବ ଚନ୍ଦନ ଗୃହରେ ଥିବା କୁଣ୍ଡରେ ବୁଡି ରହିଥାନ୍ତି । ଏହି ଭଳି ଭାବେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବା ପରେ ମହାପ୍ରଭୁଙ୍କ ଏକ ସ୍ବତନ୍ତ୍ର ନୀତି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହୋଇଥାଏ । ଜାତ ଭୋଗ ନୀତି ଅନୁଷ୍ଠିତ ହୋଇଥାଏ । ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାନେ ବିମାନରେ ବିଜେ କରି ନରେନ୍ଦ୍ର ସରୋବର ଅଭିମୁଖେ ଗମନ କରିଥାଆନ୍ତି ।