
ଭୁବନେଶ୍ଵର: ସୁନ୍ଦର ଆଉ ସଫା ଡ୍ରେସ ପିନ୍ଧିବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ବେଳେ ବେଳେ କିଛି ପୋଷାକରେ ହଳଦୀ ପରି ଅନେକ ଏପରି ଦାଗ ଲାଗେ ଯାହାକୁ ଛଡାଇବା ମୁସ୍କିଲ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ପ୍ରାକୃତିକ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ଡ୍ରେସରୁ ସହଜରେ ଦାଗ ଛଡାଇପାରିବେ । ଏହାଦ୍ଵାରା ଆପଣଙ୍କ କପଡା ଖରାପ ହେବାର ଭୟ ମଧ୍ୟ ରହିବନି ।
ପ୍ରାୟତଃ ଡ୍ରେସରେ ହଳଦୀ ଦାଗ ଲାଗିଲେ ତାକୁ ଛଡାଇବା କାଠିକର ପାଠ ହୋଇଯାଏ । ଲୋକେ କୁହନ୍ତି ହଳଦୀ ଦାଗ ସହଜରେ ଛାଡେ ନାହିଁ । ତେବେ ଯଦି ଆପଣଙ୍କ ଡ୍ରେସରେ ହଳଦୀ ଦାଗ ତାଜା ଅଛି ତାହାଲେ ଲେମ୍ବୁ ଆଉ ଲୁଣ ବ୍ୟବହାର କରି ଏହି ଦାଗ ଛଡାଇ ପାରିବେ । ଏଥିପାଇଁ ପ୍ରଥମେ ଦାଗ ଉପରେ ଲେମ୍ବୁ ଚିପୁଡି ଦିଅନ୍ତୁ । ତା ପରେ ସେଠାରେ ଲୁଣ ପକାଇ ଘଷି ଦିଅନ୍ତୁ । ଆଉ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ । ଏହା ପରେ ଡ୍ରେସକୁ ଧୋଇ ଶୁଖାଇ ଦିଅନ୍ତୁ । ଦେଖିବେ ଦାଗ ଛାଡି ଯାଇଥିବ । ଲେମ୍ବୁ ଆଉ ଲୁଣ ବ୍ୟବହାରରେ ଡ୍ରେସରୁ ଚା’ ଆଉ ଝାଳ ଦାଗ ବି ହଟାଇ ପାରିବେ । ଦାଗ ଲାଗିଥିବା ସ୍ଥାନରେ ପ୍ରଥମେ ଲୁଣ ପକାଇ ଏହାପରେ ଲେମ୍ବୁରେ ଘଷି ଦିଅନ୍ତୁ । ଏହାପରେ ଡ୍ରେସକୁ ଡିଟରଜେଣ୍ଟ ପାଉଡରରେ ଧୋଇ ଦିଅନ୍ତୁ । ଏହା କରିବା ଦ୍ବାରା ଦାଗ ସହଜରେ ଲିଭିଯାଏ ।
ତେବେ ଏମିତି କିଛି ଦାଗ ଥାଏ, କିଛି ବି କଲେ ତାହା ଛାଡେନି । ଏପରିସ୍ଥଳେ ବେକିଂ ସୋଡା ସାହାଯ୍ୟରେ ଆପଣ ଏହି ଦାଗକୁ ହଟାଇ ପାରିବେ । ପ୍ରଥମେ ବେକିଂ ସୋଡା ସହ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଦାଗ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏହା ପରେ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ପେଷ୍ଟ ଶୁଖିଗଲା ପରେ । ହାତରେ ଘଷି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ଦାଗ ଲିଭିଯାଇଥିବ । ସେହିପରି ହ୍ୟାଣ୍ଡ ସାନିଟାଇଜର କପଡାରେ ଲାଗିଥିବା ଦାଗ ହଟାଇବା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ବିଶେଷ କରି ଯଦି ଆପଣଙ୍କ କପଡାରେ ଇଙ୍କ୍, ରକ୍ତ, ହଳଦୀ ଭଳି ଯଦି ଦାଗ ଲାଗିଯାଏ ।
ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରି ଏସବୁ ଦାଗ ହଟାଇ ପାରିବେ । ପ୍ରଥମେ କପଡାରେ ହ୍ୟାଣ୍ଡ ସାନିଟାଇଜର ଲଗାଇ ୫ରୁ ୧୦ ମିନିଟ ଛାଡି ଦିଅନ୍ତୁ । ଏହା ପରେ ଏହାକୁ ଘଷନ୍ତୁ । ଏହା ପରେ ସାବୁନରେ କପଡାକୁ ସଫା କରିଦିଅନ୍ତୁ । ଦେଖିବେ କପଡାରୁ ଦାଗ ହଟିଯିବ । ଧଳା ଟୁଥପେଷ୍ଟ ମଧ୍ୟ ବ୍ୟବହାର କରି ମଧ୍ୟ କପଡାରୁ ଦାଗ ଛଡାଇ ପାରିବେ । ପେଷ୍ଟକୁ ଦାଗ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏହା ପରେ 15 ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ଏହା ପରେ ଓଦା କପଡାରେ ଏହାକୁ ପୋଛି ଦିଅନ୍ତୁ । ଟୁଥପେଷ୍ଟ କପଡାରେ ଲାଗିଥିବା ଦାଗକୁ ହାଲକା କରିଦିଏ । ଫଳରେ ସହଜରେ ଦାଗ ଛାଡିଯାଏ ।