
ମୁମ୍ବାଇ: ଶ୍ରେୟା ଘୋଷାଲ ଜଣେ ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟିକା। ସେ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ଚମତ୍କାର ଗୀତ ଗାଇଛନ୍ତି। ଏବେ ଶ୍ରେୟାଙ୍କ ସହ ଜଡିତ ଏକ ବଡ଼ ଖବର ଆସୁଛି, ପ୍ରକୃତରେ ଗାୟିକାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଶ୍ରେୟା ଘୋଷାଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଗାୟିକା ଲେଖିଛନ୍ତି, ‘ବନ୍ଧୁଗଣ ! ୧୩ ଫେବୃଆରୀରୁ ମୋର X ଆକାଉଣ୍ଟ ହ୍ୟାକ୍ ହୋଇଛି। ମୁଁ X ଟିମ୍ ସହିତ ଯୋଗାଯୋଗ କରିବାକୁ ବହୁତ ଚେଷ୍ଟା କଲି। କିନ୍ତୁ ଅଟୋ ରେସ୍ପନ୍ସ ବ୍ୟତୀତ ଆଉ କୌଣସି ଉପଯୁକ୍ତ ପ୍ରତିକ୍ରିୟା ଆସୁ ନାହିଁ। ମୁଁ ମୋ ଆକାଉଣ୍ଟକୁ ଲଗ୍ ଇନ୍ କିମ୍ବା ଡିଲିଟ୍ କରି ପାରୁ ନାହିଁ।
ଶ୍ରେୟା ଘୋଷାଲ ଆହୁରି ମଧ୍ୟ କହିଛନ୍ତି ଯେ “ଦୟାକରି ଏହି ଆକାଉଣ୍ଟରୁ ପଠାଯାଇଥିବା କୌଣସି ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଏହି ଆକାଉଣ୍ଟରେ ଲେଖାଯାଉଥିବା କୌଣସି ଜିନିଷକୁ ବିଶ୍ୱାସ କରନ୍ତୁ ନାହିଁ। ଏଗୁଡ଼ିକ ସବୁ ଠକ ଲିଙ୍କ୍। ଯେତେବେଳେ ଆକାଉଣ୍ଟ୍ ଠିକ ହୋଇଯିବ, ମୁଁ ଭିଡିଓ ମାଧ୍ୟମରେ ଏ ବିଷୟରେ ସୂଚନା ଦେବି।”
ଶ୍ରେୟା ଘୋଷାଲ ବଲିଉଡର ସବୁଠାରୁ ଭଲ ଗାୟିକା। ସେ ‘ଚିକ୍’ନି ଚମେଲି’, ‘ମେରେ ଢୋଲନା’, ‘ତେରୀ ୟାଦୋଁ ମେ’, ‘ଜାଲିମା’, ‘ୟିମି ୟିମି’ ଏବଂ ‘ବାର୍ସୋ ରେ’ ପରି ବଲିଉଡକୁ ବହୁତ ଭଲ ଗୀତ ଦେଇଛନ୍ତି। ଭଲ କାମ ପାଇଁ ଶ୍ରେୟା ଘୋଷାଲଙ୍କୁ ପାଞ୍ଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।