
ନୂଆଦିଲ୍ଲୀ:ସଂସଦରେ ଖୁବ ବର୍ଷୁଛନ୍ତି ରାହୁଲ | ଖଚାଖଚ..ଅନର୍ଗଳ ବାହାରୁଛି କଥା | କେତେବେଳେ ପୁରାଣ ତ କେତେବେଳେ ମହାଭାରତ ପୁଣି କେତେବେଳେ ଟାକ୍ସ ଟେରରିଜମ ଓ ପ୍ରେସର ଫ୍ରିଡମ କଥା ଶୁଣାଉଛନ୍ତି | ସରକାରକୁ ଘାଇଲା କରି ଦେଉଛନ୍ତି | ଏଥିରୁ ସ୍ପଷ୍ଟ ହେଉଛି ସଂସଦରେ ବିପକ୍ଷଙ୍କୁ କହିବାର ସୁଯୋଗ ମିଳୁଛି | ଆଉ ଏହା ଗଣତନ୍ତ୍ର ପାଇଁ ଏକ ସୁସ୍ଥ ପରମ୍ପରା |
ତେବେ ରାହୁଲ ଯାହା କହୁଛନ୍ତି ସତ କହୁଛନ୍ତି ତ ? ଠିକ କହୁଛନ୍ତି ତ ? ଜଣେ ଦାୟିତ୍ୱ ସମ୍ପନ୍ନ ନେତା ଭାବେ କହୁଛନ୍ତି ତ ? ଯଦି ନୁହେଁ ତେବେ ଏହା ଗଣତନ୍ତ୍ର ପାଇଁ ବିପରୀତ ଧାରା ସୃଷ୍ଟି କରିପାରେ | ରାହୁଲ ସଂସଦରେ ବଜେଟ ହାଲୁଆକୁ ନେଇ ଖୁବ ଚିଲେଇଛନ୍ତି | ହିନ୍ଦୁସ୍ଥାନ ହାଲୁଆ ୨୦ ଜଣଙ୍କ ମଧ୍ୟରେ ବଣ୍ଟାଗଲା ବୋଲି କହି ସରକାଙ୍କୁ ତାତ୍ସଲ୍ୟ କଲେ | ରାହୁଲ ଏକ ଫୋଟୋ ଦେଖାଇଥିଲେ ଯେଉଁଥିରେ ବଜେଟ ହାଲୁଆ ପାଖରେ ଥିବା ଅଫିସରଙ୍କ ମଧ୍ୟରେ ଜଣେ ବି ଏସସି, ଏସଟି ବା ଓବିସି ନ ଥିଲେ | ଏହା ତାଙ୍କୁ ଖୁବ ବ୍ୟଥିତ କରିଛି ବୋଲି କହିଛନ୍ତି ରାହୁଲ | ସେ କହିଛନ୍ତି ଦେଶର ୭୩% ଲୋକ ଦଳିତ, ଆଦିବାସୀ ଏବଂ ପଛୁଆ ବର୍ଗର ଲୋକ | ହେଲେ ଏମାନଙ୍କ ମଧ୍ୟରୁ କାହାକୁ ବି ଏଥିରେ ସ୍ଥାନ ମିଳିନି |
ତେବେ ରାହୁଲ ସ୍ପଷ୍ଟ କରିବେ କି, କଂଗ୍ରେସ ଶାସିତ ରାଜ୍ୟରେ ବଜେଟ ପ୍ରସ୍ତୁତ ହେଉ ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ ନିଷ୍ପତିରେ ୮୫% ଦଳିତ ଓ ପଛୁଆବର୍ଗଙ୍କ ସଂଖ୍ୟା ରହୁଛି ତ ? ୨ୟ କଥା ହେଉଛି, ହାଲୁଆ ଫୋଟୋରେ ଦଳିତ, ଆଦିବାସୀ ଏବଂ ପଛୁଆ ବର୍ଗର ଲୋକ ନାହାନ୍ତି କାହଁକି ? ଏହାର ସମୀକ୍ଷା କେବେ ରାହୁଲ କରିଛନ୍ତି କି ?
କାରଣ ଖୋଜିଲେ ହୁଏତ ଏଥିପାଇଁ କଂଗ୍ରେସକୁ ହିଁ ଦାୟୀ କରାଯାଇ ପାରେ | ବଜେଟ ଫଟୋରେ ଯେଉଁ ଅଫିସରମାନେ ହାଲୁଆ ବାଣ୍ଟୁଥିଲେ, ସେମାନଙ୍କ ମଧ୍ୟରେ ଥିବା ଆଇଏଏସ ଅଧିକାରୀ ପାଣ୍ଡେ, ସେଠ ଏବଂ ସୋମନାଥନ ୧୯୮୭ ବ୍ୟାଚ ଅଫିସର, ଯୋଶୀ ୧୯୮୯ ବ୍ୟାଚ ଏବଂ ମାଲହୋତ୍ରା ୧୯୯୦ ବ୍ୟାଚ ଆଇଏଏସ ଅଧିକାରୀ | ଫଟୋରେ ଥିବା ଏହି ୫ ଜଣ ଆଇଏଏସ ଅଧିକାରୀ ୨୭% ଓବିସି କୋଟା ଲାଗୁ ହେବ ପୂର୍ବର ଅର୍ଥାତ ମଣ୍ଡଳ କମିଶନ ଆସିବା ପୂର୍ବର ଅଧିକାରୀ | ତେଣୁ ସେମାନଙ୍କୁ ଉଚ୍ଚ ଜାତି କ୍ଲବରେ ଗଣାଯାଉଛି |
ଏଠି ରାହୁଲଙ୍କୁ ପ୍ରଶ୍ନ, ଇନ୍ଦିରା, ରାଜୀବ ଗାନ୍ଧୀ (୧୯୮୦-୮୯)ଙ୍କ ସମୟରେ ମଣ୍ଡଳ ଆୟୋଗ ରିପୋର୍ଟ କାହିଁକି ଶୀତଳଭଣ୍ଡାରରେ ରଖା ଯାଇଥିଲା ? ବି.ପି ମଣ୍ଡଳ ତାଙ୍କ ରିପୋର୍ଟ ୧୯୮୦ରେ ଦେଇଥିଲେ ହେ ଇନ୍ଦିରା ଓ ରାଜୀବ ସରକାର ଏହାକୁ କାହିଁକି ଲାଗୁ କରି ନ ଥିଲେ ? ଯଦି ମଣ୍ଡଳ କମିଶନ ବାପା ଓ ଜେଜେମାଙ୍କ ସମୟରେ ଲାଗୁ କରାଯାଇଥାନ୍ତା ହୁଏତ ରାହୁଲଙ୍କୁ ଆଜି ଏ ଦୁଃଖକୁ ସାମ୍ନା କରିବାକୁ ପଡି ନ ଥାନ୍ତା | ୧୯୯୩ରେ ଓବିସି କୋଟା ଲାଗୁ କରାଗଲା | ଆଉ ୧୯୯୩ ବ୍ୟାଚର କୌଣସି ଅଧିକାରୀ ଆଜିର ହାଲୁଆ ସମାରୋହରେ ସାମିଲ ହେବାର ବରିଷ୍ଠତା ହାସଲ କରି ନାହାନ୍ତି |
କହିବାକୁ ଗଲେ ଏହି ବିଳମ୍ବତା ପାଇଁ ଆଜି ଶୀର୍ଷରେ କୌଣସି ବରିଷ୍ଠ ଓବିସି ଅଧିକାରୀ ନାହାନ୍ତି |