
ମୁମ୍ବାଇ : ଅପେକ୍ଷାର ଅନ୍ତ ଘଟିଲା l ସାତ ଜନମର ସାଥି ହେଲେ ପରିଣୀତି ଓ ରାଘବ ଚଢା l ଆପ ନେତା ରାଘବ ଚଢ଼ା ଏବଂ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ସ୍ବାମୀ ଓ ସ୍ତ୍ରୀ। ରାଜସ୍ଥାନର ଉଦୟପୁରରେ ବହୁ ଚର୍ଚ୍ଚିତ ଯୋଡ଼ି ରବିବାର ଅର୍ଥାତ ଗତକାଲି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୀଲା ପ୍ୟାଲେସ୍ରେ ଅନୁଷ୍ଠିତ ବିବାହ ଉତ୍ସବରେ ପରିଣୀତି ଡିଜାଇନର ମନୀଷ ମାଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପରିଧାନ କରି ବାହାବେଦିକୁ ଯାଇଥିଲେ।
ସାମ୍ନାକୁ ଆସିଲା ବିବାହର ଫୋଟୋ l ଫଟୋରେ ଉଭୟ କ୍ରିମ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି l ଉଭୟଙ୍କ ଯୋଡି ଏକତ୍ର ବହୁତ ସୁନ୍ଦର ଦେଖାଯାଉଛି l

ଇନଷ୍ଟାଗ୍ରାମରେ ବିବାହ ଫୋଟୋ ସେୟାର କରୁଥିବାବେଳେ ପରିଣୀତି ଚୋପ୍ରା ଲେଖିଛନ୍ତି, “ଜଳଖିଆ ଟେବୁଲରେ ଆମର ପ୍ରଥମ ବାର୍ତ୍ତାଳାପରୁ ଆମ ହୃଦୟ ଏହା ଜାଣିଥିଲା। ଦୀର୍ଘ ଦିନ ଧରି ଏହି ଦିନକୁ ଅପେକ୍ଷା କରିଥିଲି l ଆମେ Mr. ଓ Mrs. ହୋଇଥିବାରୁ ବହୁତ ଖୁସି l ପରସ୍ପର ବିନା ବଞ୍ଚିବାକୁ ଅସମର୍ଥ, ଆଜିଠୁ ଆମ ନୂଆ ଜୀବନ ଆରମ୍ଭ ହେଲା” l

ଚିତ୍ରଗୁଡ଼ିକରେ, ପରିଣୀତି କ୍ରିମ୍ ରଙ୍ଗର ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ରାଘବ ଚଢା ମଧ୍ୟ ଭଲ ଦେଖାଯାଉଛନ୍ତି l ପଞ୍ଜାବୀ ରୀତିରେ ବିବାହ ଚାଲିଥିବାବେଳେ ‘ୟେ ଜଓ୍ବାନୀ ହେ ଦିଓ୍ବାନୀ’ର ବିଦାୟୀ ଗୀତ କବୀରା ଶୁଣିବାକୁ ମିଳିଥିଲା। ଏହା ପୂର୍ବରୁ ମଧ୍ୟାହ୍ନରେ ମଓ୍ବୋର ପରମ୍ପରା ଅନୁସାରେ ସୁସଜ୍ଜିତ ଏକ ବୋଟ୍ରେ ବରଯାତ୍ରୀ ପହଞ୍ଚିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଏଥିରେ ସାମିଲ ହୋଇଥିଲେ। ସେହିପରି ଟେନିସ୍ ଷ୍ଟାର, ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂ, ଏଏପି ଏମ୍ପ ସଞ୍ଜୟ ସିଂ, ଶିବସେନା ନେତା ଆଦିତ୍ୟ ଠାକ୍ରେ ପ୍ରମୁଖଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ଦୁହେଁ ଚଳିତ ବର୍ଷ ମେ ମାସରେ ପରସ୍ପର ସହ ନିର୍ବନ୍ଧ ରେ ଆବଦ୍ଧ ହୋଇଥିଲେ ଏବଂ ବର୍ତ୍ତମାନ ଦୁହେଁ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। ଏକ ଅବିସ୍ମରଣୀୟ ବନ୍ଧନରେ ରହିବାର ସୁଖ ଉଭୟଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି l ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଚିତ୍ରଗୁଡ଼ିକୁ ବହୁତ ପସନ୍ଦ କରୁଛନ୍ତି l ଏବଂ ଏହି ନୂତନ ଯାତ୍ରା ପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି l

ପରିଣୀତିଙ୍କ ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏହାର ମନ୍ତବ୍ୟ ଦେଇ ସେ ଲେଖିଛନ୍ତି, ‘ମୋର ପ୍ରାର୍ଥନା ସବୁବେଳେ ଆପଣଙ୍କ ପାଖରେ ଅଛି। ପରିଣୀତିଙ୍କ ସମ୍ପର୍କୀୟା ଭଉଣୀ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏହି ବାହାଘରରେ ଯୋଗଦେଇ ପାରିନାହାନ୍ତି। ତେବେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଆସିଥିବା ଜଣାପଡ଼ିଛି।