ପ୍ରୟାଗରାଜ: ମଇଳା ଆବର୍ଜନା ପଡି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରି ପକାଇଲାଣି । ପ୍ରଥମେ ପ୍ରଥମେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ମାଗଣାରେ ଖାଦ୍ୟପାନୀୟ ଯୋଗାଉଥିବା ଲୋକେ ଏବେ କିନ୍ତୁ ଥକିପଡ଼ିଲେଣି । ତୀର୍ଥଯାତ୍ରୀଙ୍କ ଭିଡ଼ ଏବେ ନିୟନ୍ତ୍ରଣ ବାହାରେ । ସ୍ୱଚ୍ଛତା ହେଉ କି ଦଳାଚକଟା,ଏଥିପ୍ରତି କାହାର ନିଘା ନାହିଁ। ଟ୍ରାଫିକ ସମସ୍ୟାରେ ସମସ୍ତେ ଘାଣ୍ଟି ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏବେ ଚିନ୍ତାରେ ପ୍ରୟାଗରାଜବାସୀ । ପ୍ରୟାଗରାଜକୁ ଆଉ ନ ଆସିବାକୁ ଅନୁରୋଧ କଲେଣି ଲୋକେ ।
ଏବେ ସୁଦ୍ଧା ୬୦୦ ମିଲିୟନ ଲୋକ ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇ ସାରିଥିବା ବେଳେ ୨୬ ମହାଶିବରାତ୍ରୀରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି । ଭାରତର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅମ୍ବାନୀ ପରିବାର ଓ ଅନେକ ଅନ୍ତର୍ଜାତୀୟ ହସ୍ତୀ ମୋକ୍ଷପ୍ରାପ୍ତି ଉଦ୍ଦେଶ୍ୟରେ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି । ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ରେ କ୍ଲାନ୍ତ, କାକୁସ୍ଥ, ଅବସନ୍ନ ହୋଇପଡ଼ିଛି ତୀର୍ଥନଗରୀ ପ୍ରୟାଗରାଜ । ତ୍ରାହି ତ୍ରାହି ଡାକିଲାଣି ସଙ୍ଗମସ୍ଥଳ । ଏବେବି ପ୍ରୟାଗରାଜକୁ ଛୁଟିବାରେ ଲାଗିଛି ଲୋକଙ୍କ ଭିଡ । ଯାହାକୁ ଦୃଷ୍ଟିରେ ରଖି ଏବେ ଚିନ୍ତା ପ୍ରକଟ କଲେଣି ପ୍ରୟାଗରାଜବାସୀ । ଅନନ୍ୟ ପୋଷ୍ଟ କରି ପ୍ରୟାଗରାଜ ନଆସିବାକୁ ଅନୁରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଧା ।
ସୋସିଆଲ ମିଡିଆରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରୟାଗରାଜରେ ବିପୁଳ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ସ୍ଥାନୀୟ ଲୋକଙ୍କ ପାଇଁ ଦୈନନ୍ଦିନ ଜୀବନଯାପନ କରିବା କଷ୍ଟକର ହୋଇପଡ଼ିଛି। ରାଜପଥଗୁଡ଼ିକ ଭିଡ଼, ସାର୍ବଜନୀନ ପରିବହନ ଭିଡ଼, ଏବଂ ଛୋଟ ରାସ୍ତାଗୁଡ଼ିକ ମଧ୍ୟ ଲୋକଙ୍କ ଗହଳି ଓ କାରରେ ଭରି ରହିଛି। ତୁମେମାନେ ପରେ ଶାନ୍ତିରେ ଆସିପାରିବ। ଏହି ସହର ଏବଂ ଏହାର ଲୋକଙ୍କ ଉପରେ ଟିକିଏ ଦୟା କର। ଆମେ ତୁମକୁ ନିବେଦନ କରୁଛୁ।