Sunday, May 19, 2024
HomeODISHAମହାରଥୀ ଘରେ ସବୁ ଠିକ ତ ? ନା ଚାଲିଛି କିଛି ଗଡ଼ବଡ଼

ମହାରଥୀ ଘରେ ସବୁ ଠିକ ତ ? ନା ଚାଲିଛି କିଛି ଗଡ଼ବଡ଼

ଭୁବନେଶ୍ବର : ନିର୍ବାଚନ ମଇଦାନରେ ସ୍ବାମୀ ସ୍ତ୍ରୀ ମୁହାଁମୁହିଁ । ପିପିଲି ରାଜନୀତିରେ ବଡ ଟୁଇଷ୍ଟ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପତ୍ନୀ ଜାଗୃତି ପଣ୍ଡା। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି ଜାଗୃତି । ତେବେ ସ୍ବାମୀଙ୍କ ବିରୋଧରେ କାହିଁକି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜାଗୃତି ? ମହାରଥୀ ପରିବାରରେ ସବୁ ଠିକ୍ ତ ? ଶ୍ବଶୂରଙ୍କ ରାଜନୈତିକ ଉତ୍ତରାଧିକାରୀ ହେବାକୁ ଚାହୁଁଛନ୍ତି କି ଜାଗୃତି ?

ସ୍ବାମୀଙ୍କ ବିରୋଧରେ ସ୍ତ୍ରୀ ପ୍ରାର୍ଥୀ
ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡି ଟିକେଟରେ ପିପିଲି ମଇଦାନକୁ ଓହ୍ଲାଇଛନ୍ତି । ତେବେ ରୁଦ୍ରଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପତ୍ନୀ ଜାଗୃତି ପଣ୍ଡା । ଜାଗୃତି ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ । ଏଥିପାଇଁ ସେ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ଗତ ୩ତାରିଖରେ ନାମାଙ୍କନ ଭରିଥିଲେ ରୁଦ୍ର । ପିପିଲିରେ ବିଜେଡି ବିଧାୟକ ରହିଛନ୍ତି ରୁଦ୍ର ମହାରଥୀ । ରାଜ୍ୟର ପ୍ରଥମ ନିର୍ବାଚନମଣ୍ଡଳୀ ଭାବେ ପିପିଲିରେ ସ୍ବାମୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ସ୍ତ୍ରୀ ।

କାହିଁକି ସ୍ବାମୀଙ୍କ ବିରୋଧରେ ନାମାଙ୍କନ?
ସ୍ବାମୀ ରୁଦ୍ରଙ୍କ ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ ନାକଚ ହେବାର ଆଶଙ୍କା ରହିଛି । ସେଥିପାଇଁ ଜାଗୃତି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା କୁହାଯାଉଛି । ଯଦି ରୁଦ୍ରଙ୍କ ପ୍ରାର୍ଥୀପତ୍ର ନାକଚ ନହୁଏ, ତେବେ ଜାଗୃତି ନାମାଙ୍କନ ପ୍ରତ୍ୟାହାର କରିନେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଯଦି ଏଭଳି ଆଶଙ୍କା ରହିଛି, ନିଜେ ରୁଦ୍ର କାହିଁକି ଦୁଇ ସେଟ୍ ନାମାଙ୍କନ ପତ୍ର ଦାଖଲ କଲେନି? ତାକୁ ନେଇ ବି ପ୍ରଶ୍ନ ଉଠୁଛି ।

ମହାରଥୀ ପରିବାରରେ ସବୁ ଠିକ୍ ତ !
ମହାରଥୀ ପରିବାରରେ ସବୁ କିଛି ଠିକ୍ ଅଛି ତ, ଜାଗୃତିଙ୍କ ନାମାଙ୍କନ ପରେ ଏହି ପ୍ରଶ୍ନ ଉଠୁଛି । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବେ ତାକୁ ନେଇ ବି ପରିବାରରେ ଦ୍ବନ୍ଦ୍ବ ଦେଖାଦେବା ନେଇ ଚର୍ଚ୍ଚା ହୋଇଥିଲା। ଜାଗୃତି ରାଜନୀତିରେ ଆଗ୍ରହ ରଖୁଥିଲେ । ଉପନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ, ପ୍ରଚାର ବେଳେ ସ୍ବାମୀଙ୍କ ସହ ବୁଲୁଥିଲେ ଜାଗୃତି । ଏଥର ନିର୍ବାଚନରେ ସେ ଲଢିବାକୁ ଚାହୁଁଥିଲେ । ତେବେ ତାଙ୍କୁ କୌଣସି ଦଳରୁ ଟିକେଟ୍ ନମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ନାମାଙ୍କନ ଭରିଥିବା ବି ଚର୍ଚ୍ଚା ହେଉଛି । ତେବେ ଏଥିରେ କେତେ ସତ୍ୟତା ତାହା ସ୍ପଷ୍ଟ ହୋଇନି ।

ନାମାଙ୍କନ ପ୍ଲାନ୍ ନା ଝଟକା !
ଜାଗୃତିଙ୍କ ନାମାଙ୍କନ ପଛରେ ରହିଛି କି ରୁଦ୍ର ମହାରଥୀଙ୍କର କୌଣସି ରଣନୀତି ? ବିରୋଧୀଙ୍କୁ ଚେକ୍ ଦେବାକୁ ଏପରି ଗେମ୍ ଖେଳିଛନ୍ତି ରୁଦ୍ର ? ବିରୋଧୀଙ୍କ ଭୋଟ୍ କାଟିବାକୁ ସ୍ତ୍ରୀଙ୍କୁ ପ୍ରାର୍ଥୀ କରାଇଛନ୍ତି କି ରୁଦ୍ର? ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢୁଥିବା ବେଳେ ରୁଦ୍ରଙ୍କ ଜାଗାରେ ଜାଗୃତିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି କି ବିଜେଡି ? ଜାଗୃତିଙ୍କ ନାମାଙ୍କନ କାହା ପାଇଁ ଚକ୍ରବ୍ୟୂହ? ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ଭାଇ ମଧ୍ୟ ନାମାଙ୍କନ କରିଥିବା ଚର୍ଚ୍ଚା ହେଉଛି। ତେଣୁ ପରିବାରରୁ ଜଣଙ୍କୁ ଠିଆ କରାଇ ବ୍ୟାକଅପ ପ୍ଲାନ୍ କରୁଛନ୍ତି କି ଉଭୟ ଦଳ?

ପିପିଲିରୁ ୭ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସ୍ବର୍ଗତ ପ୍ରଦୀପ ମହାରଥୀ । ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ପିପିଲିରୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ବିଜେଡି ଟିକେଟରେ ଜିତିଥିଲେ । ତେବେ ପୁଅ ଓ ବୋହୂ ପରସ୍ପର ବିରୋଧରେ ନିର୍ବାଚନ ଲଢିଲେ କାହାକୁ ସମର୍ଥନ କରିବେ ମହାରଥୀଙ୍କ ସମର୍ଥକ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments