
ନୂଆଦିଲ୍ଲୀ: ଏପ୍ରିଲ ୧ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ଆର୍ଥିକ କ୍ଷେତ୍ର ସହ ଜଡ଼ିତ ଅନେକ ପରିବର୍ତ୍ତନ ଲୋକଙ୍କ ଉପରେ ପ୍ରଭାବ ପକାଇବ। ଏହାରି ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍ ଇଣ୍ଟରଚେଞ୍ଜ ଫି’ରେ ସଂଶୋଧନକୁ ଅନୁମୋଦନ ଦେଇଛି । ତେବେ ଏହି ନିୟମ ୨୦୨୫ ମେ ୧ରୁ ଲାଗୁ ହେବ। କୁହାଯାଉଛି ଯେ, ଏହି ନିୟମ ଗ୍ରାହକଙ୍କ ଆର୍ଥିକ ଏବଂ ଅଣ-ଆର୍ଥିକ ଲେଣଦେଣକୁ ପ୍ରଭାବିତ କରିବ।
ତେବେ ଆରବିଆଇ ଆର୍ଥିକ ଲେଣଦେଣ ଫି’ ୨ ଟଙ୍କା ବୃଦ୍ଧି କରିଛି । ପୂର୍ବରୁ ୧୭ ଟଙ୍କା ଥିବା ବେଳେ ଏବେ ୨ ଟଙ୍କା ବଢି ଏହା ୧୯ ଟଙ୍କାରେ ପହଞ୍ଚିଛି । ସେହିପରି ଅଣ-ଆର୍ଥିକ ଲେଣଦେଣ ଯେପରିକି ବାଲାନ୍ସ ଯାଞ୍ଚ ପାଇଁ ମଧ୍ୟ ୧ ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ଏହା ୬ ଟଙ୍କା ଥିବା ବେଳେ ଏବେ ଏହା ୭ ଟଙ୍କାକୁ ବୃଦ୍ଧି ପାଇଛି ।
ଇଣ୍ଟରଚେଞ୍ଜ ଫି’ ହେଉଛି ଏକ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କକୁ ଦେଉଥିବା ଚାର୍ଜ, ଯେତେବେଳେ ଜଣେ ଗ୍ରାହକ ନିଜ ମୂଳ ବ୍ୟାଙ୍କ ସହ ସଂଯୁକ୍ତ ନଥିବା ଏଟିଏମ୍ ବ୍ୟବହାର କରନ୍ତି। ଏହା ଏଟିଏମ୍ ରଖିଥିବା ବ୍ୟାଙ୍କର ସେବା ପ୍ରଦାନ ଖର୍ଚ୍ଚ ପୂରଣ କରିଥାଏ। ଏହି ଏଟିଏମ୍ ଫି’ ଶେଷଥର ପାଇଁ ଜୁନ୍ ୨୦୨୧ରେ ବୃଦ୍ଧି ପାଇଥିଲା। ୨୦୨୧ରେ ଏଟିଏମ୍ କାରବାର ଫି’କୁ ୧୫ ଟଙ୍କାରୁ ବଢ଼ାଇ ୧୭ ଟଙ୍କା କରାଯାଇଥିଲା। କୌଣସି ଏକ ବ୍ୟାଙ୍କର ଗ୍ରାହକ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରିବା ବେଳେ ପ୍ରଥମ ବ୍ୟାଙ୍କ ପକ୍ଷରୁ ଇଣ୍ଟରଚେଞ୍ଜ ଫି’ ଦିଆଯାଏ।
ଗ୍ରାହକଙ୍କୁ ମାସିକ ମାଗଣା ନେଣଦେଣର ଏକ ସୀମିତ ଥର ଅନ୍ୟ ବ୍ୟାଙ୍କର ଏଟିଏମ୍ରେ ଅନୁମତି ଦିଆଯାଇଛି। ଦେଶରେ ପ୍ରମୁଖ ସହରଗୁଡ଼ିକରେ ମାସକୁ ପାଞ୍ଚ ଥର ମାଗଣାରେ ଏଟିଏମ୍ ବ୍ୟବହାର କରିବାର ଅନୁମତି ରହିଛି। ତା’ଠାରୁ ଅଧିକ ଥର ଏଟିଏମ୍ ବ୍ୟବହାର କଲେ ଶୁଳ୍କ ଲାଗୁଛି। ଅନ୍ୟ ବ୍ୟାଙ୍କଗୁଡ଼ିକର ଏଟିଏମ୍କୁ ମାଗଣାରେ ତିନି ଥର ବ୍ୟବହାର କରିବାର ଅନୁମତି ରହିଛି। ଯଦି ମାଗଣା ନେଣଦେଣ ସୀମାରୁ ଅଧିକ ହୁଏ ତେବେ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ । ଯାହା ଏହି ବୃଦ୍ଧି ହୋଇଥିବା ଇଣ୍ଟରଚେଞ୍ଜ ଫି’ ଯୋଗୁଁ ଆହୁରି ବଢ଼ିପାରେ।