
ଭୁବନେଶ୍ଵର: ଲିଭର ସିରୋସିସ୍ ରେ ପୀଡ଼ିତ ଓଲିଉଡ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟକୁ ନେଇ ଆସିଲଛି ବଡ ଖବର । ୮୦ ଦଶକର ଏହି ସୁପରଷ୍ଟାରଙ୍କ ସ୍ଵାସ୍ଥ୍ୟ ଏବେ ସ୍ଥିର ଥିବା ନେଇ ସୂଚନା ମିଳିଛି । ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତରୀ ଦଳ ।
ସୂଚନାଯୋଗ୍ୟ, ଗତ ୩ଦିନ ତଳେ ଉତ୍ତମଙ୍କ ସ୍ଵାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ଵର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ଏବେ ତାଙ୍କ ସ୍ଵାସ୍ଥ୍ୟ ସ୍ଥିର ଥିବା ନେଇ ଖବର ମିଳିଛି । ସେପଟେ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ଓଲିଉଡ୍ ତାରକାଙ୍କ ସହ ତାଙ୍କର ପ୍ରଶଂସକମାନେ ।
କହିରଖୁଛୁ ଯେ, ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀ ଜଣେ କିମ୍ବଦନ୍ତୀ ଅଭିନେତା। ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ଏଯାବତ୍ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ତାଙ୍କ ପତ୍ନୀ ଅପରାଜିତା ମହାନ୍ତିଙ୍କ ସହ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡରେ ଏକ ନୂଆ ଟ୍ରେଣ୍ଡ ସେଟ୍ କରିଥିଲେ ଉତ୍ତମ । ବର୍ତ୍ତମାନ ଯାଏଁ ୧୩୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ଉତ୍ତମ ମହାନ୍ତି । ଯେଉଁଥିରେ ତାଙ୍କର ନିଖୁଣ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କଲେଜ ସମୟରୁ ସେ ଅଭିନୟ ପ୍ରତି ଆଗ୍ରହୀ ଥିଲେ। ସେ ଶ୍ରେଷ୍ଠ ଅଭିନେତା ଭାବରେ ଓଡ଼ିଆ ଫିଲ୍ମଫେୟାର ପୁରସ୍କାର ଏବଂ ଅନେକ ପୁରସ୍କାର ଜିତିଛନ୍ତି।