
Screenshot
ବଲାଙ୍ଗୀର: ବାଜିଲା ଖବର । ମିଳିଲା ଦରମା । ମୂଲ କାମ ଛାଡିଦେଲେ ଶିକ୍ଷକ । ବଲାଙ୍ଗୀର ଜିଲ୍ଲା ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ (ପୂର୍ବ କ୍ୟାଡର)ଙ୍କ ଦରଖାସ୍ତ ଗତ ଦୁଇ ଦିନ ତଳେ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ସୋସିଆଲ ମିଡିଆରେ ଦରଖାସ୍ତଟି ବେଶ୍ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ଏନେଇ ଗଣମାଧ୍ୟମରେ ଖବର ବାଜିବା ପରେ ସେଷରେ ଶିକ୍ଷା ବିଭାଗର ଚେତା ପଶିଛି । ଶିକ୍ଷକଙ୍କୁ ଏବେ ବଜେୟା ଦରମା ପ୍ରଦାନ କରିଛି ଶିକ୍ଷା ବିଭାଗ । କେବଳ ମୂଲ ଲାଗୁଥିବା ଶିକ୍ଷକ ନୁହଁନ୍ତି ବରଂ ପୁଇଁତଳା ବ୍ଲକର ୩୨ ଜଣ ଶିକ୍ଷକଙ୍କ ବଜେୟା ଦରମା ମିଳିଛି । ଶିକ୍ଷକଙ୍କୁ ବକେୟା ଦରମା ଦେଇଛି ଶିକ୍ଷା ବିଭାଗ । ୩୯୮ କୋଟି ୩୨ ଲକ୍ଷ ୮୨ ହଜାର ଟଙ୍କା ରିଲିଜ କରିଛି ବିଭାଗ ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକର ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ (ପୂର୍ବ କ୍ୟାଡର) ଭାବରେ କାର୍ଯ୍ୟ କରୁଥିବା ଜଣେ ଶିକ୍ଷକ ପ୍ରଭୁଦତ୍ତ ସାହୁ ଗତ ବୁଧବାର ଦିନ ସରକାରୀ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କୁ ଏକ ଛୁଟି ଆବେଦନ ଦାଖଲ କରିଥିଲେ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପ୍ରଭୁଦତ୍ତ ଦରଖାସ୍ତରେ ଆବେଦନ କରିଥିଲେ ଯେ, ଗତ ତିନି ମାସ ଧରି ଦରମା ନ ପାଇବା ପରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ଆଡକୁ ଗତି କରୁଛି । ତେଣୁ ତାଙ୍କୁ ମୂଲ ଲାଗିବା ପାଇଁ ଫେବୃଆରୀ ୨୦ ତାରିଖ ଦିନକୁ ଛୁଟି ପ୍ରଦାନ କରାଯାଉ । ଯାହାକୁ ପ୍ରଧାନ ଶିକ୍ଷକ ମଧ୍ୟ ମଞ୍ଜୁର କରିଥିଲେ ।