ଭୁବନେଶ୍ଵର: ଜୀବନକାଳ ମଧ୍ୟରେ ପ୍ରତ୍ୟେକ ମଣିଷ ଅର୍ଥର ପ୍ରାଚୁର୍ଯ୍ୟତା ପରିବର୍ତ୍ତେ ଟିକିଏ ଶାନ୍ତିରେ ଜୀବନ ଯାପନ କରିବାକୁ ଅଧିକ ପସନ୍ଦ କରେ । ଦୈନନ୍ଦିନର ଆଵଶ୍ୟକତା ପୂରଣ କରିବା ପାଇଁ ଟଙ୍କା ପଇସାର ଆଵଶ୍ୟକତା ରହିଛି । କିନ୍ତୁ ଏହାର ଅର୍ଥ ନୁହଁ ଯେ ଟଙ୍କାର ଗଦି ଉପରେ ଶୋଇବା ପାଇଁ ଆମକୁ ନିଦ ବଟିକା ଖାଇଲେ ଯାଇ ନିଦ୍ରା ଆସୁଥିବ । ଆଜିର ସମୟରେ ଅନେକ ମଣିଷ ବିଳାସ ବ୍ୟସନରେ ଜୀବନ ଜିଇଁବା ପାଇଁ ଦିନ ରାତି ଏକ କରି ରୋଜଗାର ପଛରେ ଦୌଡ଼ିଥାନ୍ତି ।
୨୦୨୧ ମାର୍ଚ୍ଚ ମାସରେ ହୋଇଥିବା ଏକ ଆକଳନ ଅନୁଯାୟୀ ଫିନଲାଣ୍ଡ ବାସୀ ବିଶ୍ୱର ଏକ ମାତ୍ର ଅଗ୍ରଣୀ ଦେଶ ଯାହାର ପ୍ରତ୍ୟେକ ଅଧିବାସୀ ଅପେକ୍ଷାକୃତ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିଥାନ୍ତି । ଫିନଲାଣ୍ଡ ରେ ଅପରାଧୀଙ୍କ ସଂଖ୍ୟା ଶୁନ ଥିବା ବେଳେ ବାସିନ୍ଦାଙ୍କ ମଧ୍ୟରେ ପାରସ୍ପରିକ ସଦଭାଵ ରହିଛି । ପରସ୍ପର ପ୍ରତି ଘନିଷ୍ଠତା କାରଣରୁ ବିଶ୍ୱାସର ମାତ୍ରା ଅଧିକ । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଡେନମାର୍କ । ତା ପଛକୁ ପଛ ଅଛନ୍ତି ସୁଇଜରଲାଣ୍ଡ, ଆଇସଲାଣ୍ଡ ଓ ନେଦରଲାଣ୍ଡ ।
ତାଲିକାର ସବୁଠୁ ନିମ୍ନରେ ଅଛି ଆଫଗାନିସ୍ତାନ । ଆଫଗାନିସ୍ତାନର ୭୦ ପ୍ରତିଶତ ଲୋକଙ୍କ ମନ ବିକ୍ଷୁବ୍ଧ । ଖୁସିର ଦେଶ ଭାବେ ଶୀର୍ଷରେ ଥିବା ଦେଶଗୁଡିକର ଜନସଂଖ୍ୟା କମ ଥିବା ବେଳେ ସେସବୁ ଦେଶ ଗୁଡିକର ୫୦ ପ୍ରତିଶତରୁ ଅଧିକ ପରିବାର ଛୋଟ ପରିବାରକୁ ପ୍ରାଥମିକତା ଦେଇଥାନ୍ତି । ଫିନଲାଣ୍ଡର ବାସିନ୍ଦା ସଞ୍ଚୟ କରିବାକୁ ପସନ୍ଦ କରନ୍ତି ନାହିଁ । ଯାହା ରୋଜଗାର ପ୍ରାୟତଃ ଖର୍ଚ୍ଚ କରିଦେଇଥାନ୍ତି କିନ୍ତୁ ସେମାନେ ଖୁସିରେ ସମୟ ବିତାଉଥିବା ସର୍ଭେ ରୁ ଜଣାପଡିଛି । ଅନୁଧ୍ୟାନ ଅନୁସାରେ ଫିନଲାଣ୍ଡର ବାସିନ୍ଦା ମାନେ ସଚୋଟ ଓ ସରଳ ଜୀବନ ଯାପନ ପ୍ରଣାଳୀକୁ ଭଲ ପାଇଥାନ୍ତି ।