
ମୁମ୍ବାଇ: ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କର । ୩ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଲାଇଭ କନସର୍ଟରେ ହେଲେ ହଟହଟା । ଗୋ ବ୍ୟାକ ନାରାରେ କଂପିଲା ମେଲବର୍ଣ୍ଣ ଲାଇଭ କନସର୍ଟ ମଞ୍ଚ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।
ମ୍ୟୁଜିକ କନସର୍ଟ ପାଇଁ ଅଷ୍ଟ୍ରେଲିଆ ମେଲବର୍ଣ୍ଣର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ନେହା । ପ୍ରକୃତରେ, ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କରଙ୍କ ଏଠି ଲାଇଭ ଶୋ ରହିଥିବା ବେଳେ କନସର୍ଟରେ ପ୍ରାୟ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ନେହା । ଯାହାପରେ ପୂରା ଖପ୍ପା ହୋଇଯାଇଥିଲେ ଦର୍ଶକ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓଟିରେ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ସୂଚନା ଅନୁଯାୟୀ, ନେହା କନସର୍ଟରେ ୩ ଘଣ୍ଟା ବିଳମ୍ବରେ ଯେତେବେଳେ ଷ୍ଟେଜରେ ଚଢିଥିଲେ, ସେତେବେଳେ ଫ୍ୟାନ୍ସ ଆକ୍ରୋଶର ଶିକାର ହୋଇଥଇଲେ ନେହା । ଫ୍ୟାନ୍ସ ତାଙ୍କୁ ଫେରିଯିବା ପାଇଁ କହିଥିଲେ । ଯେଉଁଥିରେ ନେହା ମଞ୍ଚ ଉପରେ ଭାଙ୍ଗି ପଡ଼ିବା ସହ ତାଙ୍କ ପାଇଁ ଧର୍ଯ୍ୟର ସହିତ ଅପେକ୍ଷା କରିଥିବା ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏଥିସହିତ ଏତେ ସମୟ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରି କହିଥିଲେ, ମୁଁ ବାସ୍ତବରେ ଧନ୍ୟ, ଆପଣମାନେ ଧର୍ଯ୍ୟର ସହ ମୋ ପାଇଁ ଅପେକ୍ଷା କରିଥିଲେ । ମୁଁ କେବେ କି କାହାକୁ ଅପେକ୍ଷା କରାଏନାହିଁ । ହେଲେ ଆଜି…ମୁଁ ଦୁଖିତଃ..ଏହା ମୋର ପାଇଁ ଅର୍ଥ ରଖେ । ଏହି ଦିନ ମୋର ସବୁଦିନ ପାଇଁ ମନେରହିବ ବୋଲି କହିଥିଲେ ନେହା । ହେଲେ ଏଥିରେ ସନ୍ତୁଷ୍ଟ ହୋଇନଥିଲେ ଫ୍ୟାନ୍ସ । ଫ୍ୟାନ୍ସ ନେହାଙ୍କୁ ଫେରିଯାଅ! ତୁମର ହୋଟେଲରେ ବିଶ୍ରାମ ନିଅ ବୋଲି କହିବା ସହିତ, କେହି ଜଣେ ଏହା ଇଣ୍ଡିଆ ନୁହେଁ ଅଷ୍ଟ୍ରେଲିଆ ବୋଲି କହିଥିଲେ । ଆଉ କେହି କେହି ଏହା ଇଣ୍ଡିଆନ୍ ଆଇଡଲ ଷ୍ଟେଜ୍ ନୁହଁ, ଏଠି ଆକ୍ଟିଙ୍ଗ୍ କରନାହିଁ ବୋଲି କହି ନେହାକୁ ସମାଲୋଚନ କରିଥିଲେ ।