
ଭୁବନେଶ୍ୱର : ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀଙ୍କୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବିବୃତି ରଖିବା ବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିବାରେ ପଛଘୁଞ୍ଚା ଦେଇ ନାହାଁନ୍ତି ମୁଖ୍ୟମନ୍ତ୍ରୀ ।
ନବୀନ କହିଛନ୍ତି ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି, ସେମାନେ ଏହି ଗୃହରେ ଅଛନ୍ତି । ଆଉ ଯେଉଁମାନେ ଅପରାଧକୁ ନେଇ ରାଜନୀତି କରୁଛନ୍ତି, ସେମାନେ ଗୃହକୁ ଆସିବା ଅନୁଚିତ । ବିକାଶରେ ବାଧା ସୃଷ୍ଟି କରୁଥିବା ବିରୋଧୀଙ୍କ ବ୍ୟବହାର ଜନତା ଦେଖୁଛନ୍ତି । ରାଜ୍ୟ ସରକାର ନୂଆ ଓଡ଼ିଶା ପାଇଁ କାମ କରୁଥିବା ବିବୃତି ବେଳେ ଏପରି ଅନେକ କଥା କହି ବିରୋଧୀଙ୍କ ମୁଁହରେ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଅନୁଯାୟୀ, ଗତକାଲି ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ । ତେଣୁ ଏନେଇ ପରେ ଦୁଇ ବିଜେପି ବିଧାୟକଙ୍କୁ ବିଧାନସଭାରୁ ସସ୍ପେଣ୍ଡ କରାଯାଇଥିଲା । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏଭଳି ଘଟଣା ପରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଏହି ପରିପ୍ରେକ୍ଷୀରେ ବରୋଧୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ କଡ଼ା ଜବାବ ମଧ୍ୟ ଦେଇଛନ୍ତି l