
ସକାଳ ଜଳଖିଆ ଶରୀର ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଦିନର ଅନ୍ୟ ଖାଇବା ସମୟ ଅପେକ୍ଷା ସକାଳ ଖାଦ୍ୟକୁ ବେଶି ଧ୍ୟାନ ଦେବା ଉଚିତ । ଏହା ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ମତ l ସକାଳୁ ପେଟ ଭରି ଖାଇବା ସହ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ସକାଳ ଜଳଖିଆକୁ ଇଂରାଜୀରେ ବ୍ରେକଫାଷ୍ଟ ବୋଲି କୁହାଯାଏ l ଏହାର ଅର୍ଥକୁ ଯଦି ଆମେ ବିସ୍ଲେସଣ କରିବା ତେବେ ଆମେ ସକାଳ ଜଳଖିଆର ମହତ୍ୱକୁ ବୁଝିପାରିବା l ବ୍ରେକଫାଷ୍ଟ ଇ ଦୁଇଟି ଶବ୍ଦ ମିଶି ରହିଛି ଯାହାକି ବ୍ରେକ ଅର୍ଥାତ ଭାଙ୍ଗିବା ଏବଂ ଫାଷ୍ଟ ଅର୍ଥାତ ଉପବାସ l ତେଣୁ ପୁରା ରାତିର ଲମ୍ବା ସମୟର ଉପବାସକୁ ଭାଙ୍ଗିଥାଏ ସକାଳ ଜଳଖିଆ ବା ବ୍ରେକଫାଷ୍ଟ l ଏହି କାରଣରୁ ସକାଳ ଜଳଖିଆ ଆମ ଶରୀର ପାଇଁ ଖୁବ ଗୁରୁତ୍ୱପୂର୍ଣ ହୋଇଥାଏ l
ତେବେ ସକାଳ ଜଳଖିଆରେ ସର୍ବଦା ଯେତେରୁ ଯେତେ ପୃଷ୍ଟିକର ଖାଦ୍ୟ ଖାଇ ପାରିବା ତାହା ଚେଷ୍ଟା କରିବା ଉଚିତ l ସକାଳୁ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ। ସକାଳୁ ସକାଳୁ ଅଣ୍ଡା ଖାଇବା ଦ୍ୱାରା ରକ୍ତରେ ଶର୍କରା ଓ ଇନ୍ସୁଲିନ୍ ସ୍ତର ଠିକ୍ ଭାବେ ବଜାୟ ରହିଥାଏ । ଅଣ୍ଡାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ବିଭିନ୍ନ ପ୍ରକାରର ଚକ୍ଷୁ ସମସ୍ୟାକୁ ଦୂର କରିଥାଏ । ଏଥିସହ ସକାଳ ଜଳଖିଆରେ ବିଭିନ୍ନ ପ୍ରକାରର ଫଳ ସାମିଲ୍ କରିବା ଖୁବ ଭଲ ହୋଇଥାଏ l ବିଶେଷ କରି ପ୍ରତ୍ୟୋକ ଦିନ ଏକ ସେଓ ଖାଇବା ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଭଲ ହୋଇଥାଏ ।
କିଛି ଲୋକଙ୍କର ସକାଳୁ ଉଠି ଚା’ ପିଇବାର ଅଭ୍ୟାସ ଥାଏ l କିନ୍ତୁ ଚା’ ପରିବର୍ତ୍ତେ କଫି ପିଇବା ଶରୀର ପାଇଁ ସୁସ୍ଥକର ହୋଇଥାଏ । କଫିରେ ଥିବା କଫିନ୍ ମନକୁ ପ୍ରଫୁଲ୍ଲ କରିଥାଏ l ଯାହା ଆମ ପୁରା ଦିନକୁ ଉତ୍ତମ ରୂପେ କାଟିବାକୁ ସହାୟକ ହୋଇଥାଏ l ଏହା ଛଡ଼ା ସକାଳୁ ସବୁଜ ଚା’ ବା ଗ୍ରିନ୍ ଟି ମଧ୍ୟ ପିଇବା ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ l କଫିରେ ଯେତିକି ପରିମାଣରେ କଫିନ୍ ଅଛି ଗ୍ରିନ୍ ଟି’ରେ ତାହାର ଅଧା ପରିମାଣର କଫିନ୍ ରହିଛି । ସେଥିପାଇଁ ଯଦି କେହି କଫି ପିଇବାକୁ ପସନ୍ଦ ନ କରନ୍ତି ତେବେ ଗ୍ରିନ୍ ଟି ମଧ୍ୟ ପିଇପାରିବେ । ସକାଳୁ ପ୍ରୋଟିନ୍ ସେକ୍ ପିଇବା ଅଭ୍ୟାସ ମଧ୍ୟ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ ।