
ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମହମ୍ମଦ ଫୈଜଲଙ୍କ ଲୋକସଭାର ଏମପି ପଦ ଦ୍ଵିତୀୟ ଥର ପାଇଁ ରଦ୍ଦ କରାଯାଇଛି l ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସରେ କୁହାଯାଇଛି ଯେ, କେରଳ ହାଇକୋର୍ଟର ସେପ୍ଟେମ୍ବର ୩ ତାରିଖର ଶୁଣାଣିକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳର ଏମପି ମହମ୍ମଦଙ୍କୁ ଲୋକସଭା ସଦସ୍ୟତା ପଦରୁ ନିଲମ୍ବିତ କରାଯାଇଛି ।
ପି ସାଲେହଙ୍କୁ ହତ୍ୟା ଉଦ୍ୟମ କରି କାଭରତୀ ଅଧିବେଶନ କୋର୍ଟ ମହମ୍ମଦଙ୍କ ସମେତ ଅନ୍ୟ ତିନିଜଣଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ଦିନ ଠାରୁ ଅର୍ଥାତ୍ ଜାନୁଆରୀ ୨୦୨୩ରୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଲୋକସଭା ସଦସ୍ୟ ଭାବରେ ଅଯୋଗ୍ୟ କରାଯାଇଛି । କାରଣ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଦୁଇ ମାସ ପରେ ଅର୍ଥାତ ମାର୍ଚ୍ଚ ୨୯ରେ କେରଳ ହାଇକୋର୍ଟ ମହମ୍ମଦଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରି ତାଙ୍କୁ ତାଙ୍କ ଲୋକସଭା ସଦସ୍ୟତା ଫେରାଇ ଦେଇଥିଲେ l ଏବେ ପୁଣି ଦ୍ଵିତୀୟ ଥର ପାଇଁ ଏହାକୁ ରଦ୍ଦ କରାଯାଇଛି l