
ସାଧାରଣତଃ ବିଭିନ୍ନ ପ୍ରକାର ଫସଲ,ଫଳ ଓ ପନିପରିବା ଚାଷ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ସାପ, ଅସରପା, କୁମ୍ଭୀର ଚାଷ ବି କରାଯାଇପାରେ ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ଚାଇନାରେ ଏପରି ଏକ ଗାଁ ଅଛି ଯେଉଁଠି ସାପ ଚାଷ କରାଯାଏ । ଆଉ ଏହି ସାପ ଚାଷ କରି ଲୋକମାନେ ପରିବାର ଚଳାଇବା ସହ କୋଟପତି ହୋଇପାରିଛନ୍ତି । ବାସ୍ତବରେ ସାପ ଏକ ବିଷାକ୍ତ ଜୀବ ହୋଇଥିବାରୁ ତାହାକୁ ଦେଖିଲେ ଲୋକେ ଭୟ କରିଥାନ୍ତି । ତେଣୁ ସାପ ଚାଷ କରିବା ହୁଏତ ଲୋକେ କେବେ ଭାବିନଥିବେ । କିନ୍ତୁ ଏହି ଘଟଣା ସତ ଅଟେ ।
ଏମିତି କିଛି ଗାଁ ଅଛି ଯେଉଁଠି ସାପକୁ ନେଇ ଲାଭଜନକ ଚାଷ କରାଯାଏ । ଆଉ ଗାଁର ଲୋକମାନେ ସାପକୁ ସ୍ନାକ୍ସ ଭାବରେ ମଧ୍ୟ ଖାଇଥାନ୍ତି । ତେବେ ସେହି ଗାଁର ନାଁ ହେଉଛି ଜିସିକ୍ୟୁ । ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନ୍ର ଏହା ଏକ ଗାଁ । ଏହି ଗାଁର ଜନସଂଖ୍ୟା ହଜାରେରୁ ଅଧିକ । ଏଠାରେ ବସବାସ କରୁଥିବା ପ୍ରାୟ ସମସ୍ତେ ସାପ ଚାଷ ଭଳି ଏକ ଅଦ୍ଭୁତ ଚାଷ କାର୍ଯ୍ୟ ସହିତ ଜଡ଼ିତ । ସାପ ଚାଷ ପାଇଁ ଏହି ଗାଁ ସାରା ବିଶ୍ୱରେ ପ୍ରସିଦ୍ଧ । ବିଷଧର ତଥା ଭୟଙ୍କର ମନେ ହେଉଥିବା ବିଭିନ୍ନ ପ୍ରଜାତିର ସାପର ପ୍ରଜନନ ଏହି ଜିସିକ୍ୟୁ ଗାଁରେ କରାଯାଇଥାଏ । ସେ ଭିତରେ କୋବ୍ରା, ପାଇଥନ୍ ଭଳି ବିଭିନ୍ନ ପ୍ରକାର ବିଷାକ୍ତ ସାପ ଚାଷ କରାଯାଇଥାଏ । ଏଠାରେ ଲୋକମାନେ ସାପର ମାଂସ ବିକ୍ରି କରି ବହୁତ ଲାଭବାନ ହୋଇଥାନ୍ତି । ଯେହେତୁ ଚାଇନାରେ ସାପ ମାଂସ ଅଧିକ ଚାହିଦା ରହିଛି । ତେଣୁ ଏହି ଗାଁରେ ସାପ ଚାଷ କରାଯାଏ । କେବଳ ମାଂସରୁ ନୁହେଁ, ଗାଁର ଲୋକମାନେ ମଧ୍ୟ ସାପର ବିଷ ବିକ୍ରି କରି ଭଲ ରୋଜଗାର କରିଥାନ୍ତି । ସୁଚନା ଅନୁସାରେ ଚାଇନାର ଅଧିକାଂଶ ସ୍ଥାନରେ ସାପରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହୋଇ ବିକ୍ରି କରାଯାଏ ।

ସେଠାକାର ଲୋକମାନେ ଏହାକୁ ଖୁସିର ସହ ଖାଇଥାନ୍ତି ମଧ୍ୟ । ତେବେ କେବେଳ ସାପ ନୁହେଁ ଚାଇନାରେ ଅସରପାରୁ ପ୍ରସ୍ତୁତ ଖାଦ୍ୟକୁ ମଧ୍ୟ ପସନ୍ଦ କରନ୍ତି ଲୋକେ । ଚାଇନାବାସୀ ବିଶ୍ବାସ କରନ୍ତି ଯେ ଅସରପାରେ ଶରୀର ଆବଶ୍ୟକ କରୁଥିବା ସାରାଂଶ ରହିଛି । ଯାହା ଶରୀରକୁ ସୁସ୍ଥ ଓ ସତେଜ ରଖିବାରେ ସହାୟକ ହୁଏ । ତେବେ ଚାଇନାର ଜିସିକ୍ୟୁ ଗାଁରେ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ସାପ ଚାଷ କରାଯାଏ । ଏଭଳି ପରିସ୍ଥିତିରେ ଏହି ଗାଁରେ ରହୁଥିବା ଲୋକମାନେ ଏହି ସାପମାନଙ୍କୁ ସେମାନଙ୍କର ଆୟର ମୁଖ୍ୟ ଉତ୍ସ କରିପାରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୀର୍ଘ ଦିନ ଧରି ଚାଇନାରେ ସାପ ଚାଷର ପରମ୍ପରା ଚାଲିଆସୁଛି । କୁହାଯାଏ ଯେ ୧୯୮୦ ମସିହାରେ ଏହି ଗାଁରେ ପ୍ରଥମ ଥର ପାଇଁ ସାପ ଚାଷ କରାଯାଇଥିଲା । ଏହାର ଅର୍ଥ ହେଉଛି ଏହି ଗାଁର ଲୋକମାନେ ଗତ ଅନେକ ବର୍ଷ ଧରି କ୍ଷେତରେ ଫସଲ ବୃଦ୍ଧି କରିବା ପରିବର୍ତ୍ତେ ସାପ ପାଳୁଛନ୍ତି । ବାସ୍ତବରେ, ଚାଇନିଜ୍ ଔଷଧରେ ବିଷାକ୍ତ ସାପ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୁଏ ।