
କଟକ: କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସେ କହିଛନ୍ତି, କଟକକୁ ବିଶ୍ୱପ୍ରସିଦ୍ଧ କରିବା ପାଇଁ ଏସ୍ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି। ଆଜି ଏସ୍ସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ। ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି। ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ। ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ। ଯେକେହି ଲୋକଙ୍କ ସେବା କରିପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରିପାରିବେନି। କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ। ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢ଼ିଛି, ମାତୃଶିଶୁ ମୃତ୍ୟୁହାର କମିଛି। ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ। ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ ସାଇନ୍ସରେ ଜରୁରୀ। ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ୱପୂର୍ଣ୍ଣ। ଅସାଧ୍ୟ ରୋଗ ଭଲ କରିବା ପାଇଁ ନୂଆ ଔଷଧ ବାହାର କରି ନୋବେଲ ପୁରସ୍କାର ପାଇବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।ଏହି ବାର୍ଷିକୋତ୍ସବରେ ରାଜ୍ୟପାଳ ଗଣେଣୀ ଲାଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାର ଓ ଏସ୍ସିବି ମେଡିକାଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭାରତ ନିଜ ଜ୍ଞାନକୌଶଳରେ ଟିକା ଉତ୍ପାଦନ କରିପାରିଛି। ଭାରତ ସମଗ୍ର ବିଶ୍ବବାସୀଙ୍କୁ ୨୨୨୦ କୋଟି ଟିକା ଦେଇପାରିଛି। କୋଭିଡ-୧୯କୁ ଭଲ ଭାବରେ ମୁକାବିଲା କରିଛି। ଏହି ମୁକାବିଲା ପାଇଁ ଚିକିତ୍ସକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ତାଙ୍କୁ ଯେତେ ପ୍ରଶଂସା କଲେ ବି ଯଥେଷ୍ଟ ହେବ ନାହିଁ। ମେଡିକାଲ କ୍ଷେତ୍ରରେ ପିଲାମାନେ ଗବେଷଣା କ୍ଷେତ୍ରକୁ ମଧ୍ୟ ଆସିବା ଦରକାର। ପିଲାମାନେ ଭଲ ଗବେଷଣା କରିପାରିଲେ ନୋବେଲ ପୁରସ୍କାର ପାଇପାରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୪୭ରେ ଭାରତ ଶତବାର୍ଷିକ ପାଳନ କରିବ। ସେତେବେଳେକୁ ଭାରତ ପୂର୍ଣ୍ଣ ବିକଶିତ ଦେଶ ହେବା ଲକ୍ଷ୍ୟରେ କାମ କରିବା ଦରକାର।
ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଏସ୍ସିବିର ବାର୍ଷିକ ଉତ୍ସବ ‘‘ଅରୋରା’’ରେ ଯୋଗଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଶୁଣିବାକୁ ପାଇଲି ଯେ, ମରାଠୀ ଶାସନ କାଳରେ ଏଠାରେ ତୀର୍ଥଯାତ୍ରୀଙ୍କ ପାଇଁ ଏକ ମେଡିକାଲ ଥିଲା। ଏହି ମେଡିକାଲ କଲେଜ ପ୍ରତିଷ୍ଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେବଙ୍କର ଅବଦାନ ଅତୁଳନୀୟ ଥିଲା। ପରେ ସ୍ବାଧୀନ ଭାରତରେ ତାଙ୍କର ନାମରେ ଏହି ମେଡିକାଲକଲେଜର ନାମକରଣ କରାଯାଇଛି। ଏକ ଛୋଟ ତୀର୍ଥଯାତ୍ରୀ ଡାକ୍ତରଖାନାରୁ ଆରମ୍ଭ ହୋଇ ଆଜି ଦେଶରେ ଏସ୍ସିବି ପୂରା ନାମ କରିଛି। ସବୁ ବର୍ଗର ଲୋକଙ୍କୁ ଏଠାରେ ନିଃଶୁଳ୍କ ଚିକିତ୍ସା ଦିଆଯାଉଛି। କେବଳ ଓଡ଼ିଶା ନୁହେଁ ବରଂ ଅନ୍ୟ ରାଜ୍ୟରୁ ରୋଗୀ ଏଠାକୁ ଆସୁଛନ୍ତି। ଏଠାକାର ଡାକ୍ତର ଏହି ପରଂପରା ଜାରି ରଖିବେ ବୋଲି ମୋର ଆଶା। ଏହା ଏକ ସର୍ବଭାରତୀୟ ଅନୁଷ୍ଠାନ। ଏସ୍ସିବି ହସ୍ପିଟାଲ ଏକ ମିନି ଇଣ୍ଡିଆ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାରୁ ଡାକ୍ତରୀ ପଢ଼ିବାକୁ ପିଲାମାନେ ଆସୁଛନ୍ତି।