
ଭୁବନେଶ୍ଵର: ଫେବୃଆରୀ ୨୧ ରୁ ମାଟ୍ରିକ୍ ପରୀକ୍ଷା । ୱେବ୍ ସାଇଟରେ ଆସିଲା ଆଡମିଟ୍ କାର୍ଡ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ୱେବ୍ସାଇଟ୍ରେ ଉପଲବ୍ଧ ହେଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ । ବୋର୍ଡ ୱେବ୍ସାଇଟ୍ରୁ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି), ମଧ୍ୟମା ଓ ହାଇସ୍କୁଲ୍ ପତ୍ର ବିନିମୟ ପରୀକ୍ଷାର୍ଥୀମାନଙ୍କ ଆଡମିଟ୍ କାର୍ଡ ମଧ୍ୟ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି।
ସୂଚନା ଯୋଗ୍ୟ, ଆସନ୍ତା ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଓଏସ୍ସି) ଓ ମଧ୍ୟମା ପରୀକ୍ଷା ଏକସଙ୍ଗରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୧୦ ହଜାର ୭୭୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରକ୍ଷା ଦେବେ । ସେହିପରି ଏସ୍ଓଏସ୍ସିରେ ୭୮୩୧ ଜଣ ଓ ମଧ୍ୟମା ପରୀକ୍ଷାରେ ୩୭୯୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩୦ଟି ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର ହୋଇଛି । ୩୧୪ ନୋଡାଲ ସେଣ୍ଟର ହୋଇଛି । । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିଛି ।