ଭୁବନେଶ୍ୱର: ପରୀକ୍ଷା ସମୟ ପ୍ରାୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପରୀକ୍ଷା ପୂର୍ବରୁ ଅଳ୍ପ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ନହୋଇ ଶିକ୍ଷକ ମାନଙ୍କ ପରାମର୍ଶ ମାନି ସମୟର ସଠିକ ଉପଯୋଗ କରି ଓ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଆଜି ଭୁବନେଶ୍ୱରସ୍ଥ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା “ପରୀକ୍ଷା ପେ ଚର୍ଚ୍ଚା ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ। ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବା ସମୟ ଠାରୁ ପରୀକ୍ଷା ପୂର୍ବ ସମୟକୁ ଭଲ ଭାବେ ଉପଯୋଗ କରିବା ସହିତ ନିଜକୁ ମାନସିକ ସ୍ତରରେ ଦୃଢ ରଖି ଏବଂ ପରୀକ୍ଷା ସମୟରେ ଷ୍ଟ୍ରେସରେ ନଆସି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ମାନି ଏକାଗ୍ର ଚିତ୍ତରେ ପଢିବା ଉଚିତ। ପରୀକ୍ଷା ପ୍ରତି କେବେ ହେଲେ ନିଜର ଭୟ ରଖିବ ନାହିଁ। ଏକାଗ୍ରତା ପାଇଁ ଟିକେ ରିଲାକ୍ସ ହେବା ଦରକାର। ଏଣୁ ଅଧିକ ସମୟ ଏକାଗ୍ର ଚିତ୍ତରେ ପାଠ ପଢିବା ପାଇଁ, ପଢା ମଝିରେ ୫/୧୦ ମିନିଟ ପାଇଁ ବିରତି ନେଇ ପୁଣିଥରେ ମନଦେଇ ପଢିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପରୀକ୍ଷା ସମୟରେ ଅଲଗା ଚିନ୍ତା ନକରି ଯାହା ପଡିଛି ସେହି ବିଷୟରେ ଧ୍ୟାନ ଦେବା ଉଚିତ । ଯେଉଁ ବିଷୟରେ ପରୀକ୍ଷା ଦେବ, ପରୀକ୍ଷା ପୂର୍ବରୁ ସେହି ବିଷୟର ସାରାଂଶ ନୋଟ କରି ରଖ। ଏହାକୁ ବାରମ୍ବାର ଅଭ୍ୟାସ କରି ପରୀକ୍ଷା ହଲକୁ ଯିବ ଦେଖିବ, ଯାହାଫଳରେ ତୁମେ ମାନେ ନର୍ଭସ ହେବ ନାହିଁ । ପଢା ସମୟରେ ଡିଜିଟାଲ ଉପକରଣ ଅତ୍ୟନ୍ତ କମ ବ୍ୟବହାର କରିବା ଉଚିତ, ବିଶେଷ କରି ପରୀକ୍ଷା ସମୟରେ ମୋବାଇଲ ଠାରୁ ଦୁରେଇ ରହିବା ଆବଶ୍ୟକ। ପାଠ ପଢ଼ିବା ପାଇଁ ବ୍ରାହ୍ମ ମୁହୂର୍ତ୍ତ ସବୁଠାରୁ ପ୍ରକୃଷ୍ଟ ସମୟ, ଏହି ସମୟରେ ପାଠ ପଢିଲେ ଅତିଶୀଘ୍ର ପାଠ ମନେ ରୁହେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ସେପଟେ ‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହିତ ଧୈର୍ଯ୍ୟ, ସିଦ୍ଧାନ୍ତ ଓ ଦୃଢ ବିଶ୍ୱାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ ଚାପମୁକ୍ତ ରହି ପରୀକ୍ଷା ଦେବା ସହ ସଫଳତା ହାସଲ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।