 
        ଭୁବନେଶ୍ଵର: ଆସୁଛି ବର୍ଷା । ଆଗାମୀ ୧୨ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ। ପୂର୍ବ କେନ୍ଦ୍ରୀୟ ଆରବସାଗର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଂଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୧୨ ଘଣ୍ଟା ଭିତରେ ସମାନ ଅଂଚଳରେ ଲୋ-ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପଟି ଅଧିକ ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୂର୍ବ କେନ୍ଦ୍ରୀୟ ଆରବସାଗର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୩ ଦିନ ଅର୍ଥାତ୍ ୨୩ ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଆଜି ପାଇଁ ୧୩ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଉଷ୍ଣ ଆର୍ଦ୍ରତା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ୨୩ ତାରିଖ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ମହାରାଷ୍ଟ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ରେ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ଅଧିକ ଘନୀଭୂତ ହେବ। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ରେ ବାତ୍ୟା ଓ ୨୭ରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୯ରେ ଗୁଜୁରାଟ ଉପକୂଳ ଛୁଇଁବ।
 
         
         
         
         
        